Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଶୁପାଳନରୁ ରାଣୀମହଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶୁପାଳନରୁ ରାଣୀମହଲ


(ମହାରାଣୀ ଅହଲ୍ୟାବାଇଙ୍କର ୩୫୦ବର୍ଷ ଜୟନ୍ତୀ ପ୍ରାରମ୍ଭ ଉପଲକ୍ଷେ)
-ସମୀର କୁମାର ମହାନ୍ତି
ଅବସରପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ
ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଜାମଖେଦ୍ ନିକଟସ୍ଥ ଛୋଣ୍ଡି ଗ୍ରାମର ଆଠ ବର୍ଷର ଝିଅଟି । ଗାଁ ମୁଖିଆ ମନ୍‌କୋଜୀ ସିନ୍ଧେଙ୍କ କନ୍ୟା । ଗରିବ ପରିବାରର ଝିଅଟି । ପଶୁପାଳନ ତାହାର ଜୀବିକା । ତଥାପି ଝିଅଟିର ମନ ବହୁତ ଉଚ୍ଚା । ଗୋଟିଏ ମନ୍ଦିର ସମ୍ମୁଖରେ ବାଲିରେ ତିଆରି ଗୋଟିଏ ଶିବଲିଙ୍ଗ ସାମନାରେ ଉପସ୍ଥିତ ଦୁଃଖିରଙ୍କିମାନଙ୍କୁ ଖାଇବାକୁ ଦିଏ । ତା ସହିତ ଗାଁର ଗାଈ ମଇଁଷିମାନଙ୍କୁ ମଧ୍ୟ ଖାଇବାକୁ ଦିଏ । ସବୁ ଲୋକମାନେ ଏହି ସାନ ଝିଅଟିକୁ ‘ମା’ ‘ମା’ ବୋଲି ଡାକନ୍ତି । ଶେଷରେ ଗାଈ ମଇଁଷିମାନେ ହମା ହମା ଡାକି ମାଆର ସମ୍ବୋଧନ କଲେ । କ’ଣ ଆଠ ବର୍ଷ ଝିଅଟିର ସେ ସମସ୍ତଙ୍କର ମାଆ ହେବାର ଯୋଗ୍ୟତା ଅଛି ? କାହିଁକି ନ ହେବ । ମାଆ ହେବା ପାଇଁ କେବଳ ‘ମା’ର ମନଟିଏ ଦରକାର, ବୟସର କୌଣସି ଗୁରୁତ୍ୱ ନାହିଁ । ଏତିକି କାମ କରି ସାରିବା ପରେ ଝିଅଟି ନିଜେ ତିଆରି କରିଥିବା ଶିବଲିଙ୍ଗଟିକୁ ପୂଜା କରି ଘରକୁ ଫେରେ ।
ପାଖରେ ଥାଏ ଏକ ମରହଟ୍ଟା ଛାଉଣୀ । ଛାଉଣୀରେ ଥାଆନ୍ତି ପେଶବା ବାଜିରାଓ ଓ ସର୍ଦ୍ଧାର ମଲ୍‌ହାର ରାଓ । ମଲ୍‌ହାର ରାଓ ବିଶାଳ ମାଲୱା ରାଜ୍ୟର ପ୍ରଥମ ମରହଟ୍ଟା ସୁବେଦାର ଥାନ୍ତି । ଉଭୟ ଦୂରରୁ ଝିଅଟିକୁ ଦେଖୁଥାନ୍ତି । ତାର ସେବା ଓ ପୂଜା ପାଠ ଦେଖୁଥାନ୍ତି । ହଠାତ୍ ଦିନେ ଗୋଟିଏ ଘଟଣା ଘଟିଲା । ଗୋଟିଏ ଅମାନିଆ ଘୋଡା ମରାଠା ଛାଉଣୀରୁ ବାହାରି ଆସି ଝିଅଟି ତିଆରି କରିଥିବା ଶିବଲିଙ୍ଗ ଆଡକୁ ମାଡି ଆସିଲା । ଝିଅଟି ଶିବଲିଙ୍ଗକୁ ବଂଚାଇବା ପାଇଁ ତା ଉପରେ ଶୋଇ ପଡିଲା । ଘୋଡାଟି ତାକୁ ଡେଇଁ ଚାଲିଗଲା । ଘୋଡା ପଛରେ ଦୌଡୁ ଥାନ୍ତି ପେଶବା ବାଜିରାଓ, ଆଉ ସର୍ଦ୍ଧାର ମଲ୍‌ହାର ରାଓ । ସେମାନେ ଝିଅଟିକୁ କହିଲେ ‘ତୁ କଣ ବାଲିର ଶିବଲିଙ୍ଗଟିକୁ ବଂଚାଇବା ପାଇଁ ନିଜର ଜୀବନକୁ ବାଜି ଲାଗାଇଦେଲୁ’ । ଉତରରେ ଝିଅଟି କହିଲା ‘ ଏହି ଶିବଲିଙ୍ଗକୁ ମୁଁ ତିଆରି କରିଛି । ଏଥିରେ ପ୍ରାଣ ପ୍ରତିଷ୍ଠା ମୁଁ କରିଛି । ସେ ମୋର ଆରାଧ୍ୟ ଦେବତା । ତାଙ୍କୁ ପ୍ରାଣ ଦେଇ ରକ୍ଷା କରିବା ମୋର ଦାୟିତ୍ୱ’ । ଏହି ଉତରରେ ଆଶ୍ଚର୍ଯ୍ୟ ହୋଇ ବାଜିରାଓ ନିକଟରେ ଥିବା ମଲ୍‌ହାର ରାଓଙ୍କୁ କହିଲେ, ‘ଏହି ଝିଅ ଏକ ତେଜସ୍ୱୀ ଝିଅ,ଏହାକୁ ତୁମେ ବୋହୁ କରି ନିଅ’ା
ଚାରି ବର୍ଷ ପରେ ମଲ୍‌ହାର ରାଓ ଏହି ଝିଅଟିକୁ ତାଙ୍କ ପୁଅ ଖଣ୍ଡେରାଓ ହୋଲକାରଙ୍କ ସହିତ ବିବାହ କରିଦେଲେ । ୧୭୩୭ ମସିହାରେ ଏହି ବିବାହର ଆୟୋଜନ ହୋଇଥିଲା । ଝିଅଟିର ଜନ୍ମ ୧୭୨୫ ମସିହା ମେ ମାସ ୩୧ ତାରିଖରେ ହୋଇଥିଲା । ମାତ୍ର ୧୨ ବର୍ଷ ବୟସରେ ଝିଅଟି ଏକ ଅଖ୍ୟାତ ଗ୍ରାମର ପଶୁପାଳନ ଜୀବିକା ଛାଡି ମାଲୱା ରାଜ୍ୟର ରାଣୀ ମହଲରେ ପ୍ରବେଶ କଲା । ସେ ହେଲା ମହାରାଣୀ ଅହଲ୍ୟାବାଇ ହୋଲକାର । ୧୭୪୫ ମସିହାରେ ପୁତ୍ର ମାଲେରାଓ ଏବଂ ୧୭୪୮ରେ କନ୍ୟା ମୁକ୍ତାବାଇର ଜନ୍ମ ଉତ୍ସବକୁ ମହାରାଣୀ ରାଜ୍ୟବାସୀଙ୍କ ସହିତ ମିଶି ପାଳନ କଲେ । କିନ୍ତୁ ତାଙ୍କର ଏହି ସୁଖ ବେଶିଦିନ ରହିଲା ନାହିଁ । ୧୭୫୪ ମସିହାରେ କୁମ୍ଭେର ଯୁଦ୍ଧରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହେଲା । ୧୭୬୧ରେ ଶାଶୁ, ୧୭୬୬ରେ ଶ୍ୱସୁର,୧୭୬୭ରେ ପୁଅ ଏବଂ ପରେ ପରେ ଜ୍ୱାଇଁ,ଝିଅ ଓ ନାତିର ମୃତ୍ୟୁ ହୋଇଗଲା । ଶେଷକୁ ସେ ଏକା ରହିଗଲେ ।
ଏହି ସବୁ ଘଟଣାରେ ସେ ଭାଙ୍ଗି ପଡି ନଥିଲେ । ବରଂ ପେଶବା ବାଜିରାଓଙ୍କ ଠାରୁ ଅନୁମତି ପାଇ, ସେ ମାଲୱା ରାଜ୍ୟର ଶାସନ ଭାର ଗ୍ରହଣ କଲେ । ଏହି ଅବସ୍ଥାରେ ତାଙ୍କ ରାଜ୍ୟରେ ମୁଣ୍ଡ ଟେକୁଥିବା ବିଦ୍ରୋହକୁ ଦମନ କରିବା ପାଇଁ ନିଜେ ଘୋଡା ଉପରେ ବସି ଖଣ୍ଡାଧରି ବାହାରିଲେ । ତାଙ୍କର ଅନୁଗତ ସୈନ୍ୟମାନେ ତାଙ୍କ ପୁତୁରା ତୁକୋଜିରାଓ ହୋଲକାରଙ୍କ ନେତୃତ୍ୱରେ ପଛେ ପଛେ ଚାଲିଲେ । ବିଦ୍ରୋହ ଦମନ ହେଲା । ରାଜ୍ୟରେ ଶାନ୍ତି ଆସିଲା ।
ଶାନ୍ତି ଆସିବା ପରେ ସେ ରାଜ୍ୟର ବହୁତ ଉନ୍ନତି କଲେ । ସେ ସମୟରେ ମହାରାଣୀ ନାରୀ ସମାଜର ଉନ୍ନତି ପାଇଁ ଦୁଇଟି ଆଇନ କରିଥିଲେ । ଗୋଟିଏ ଆଇନ ଦ୍ୱାରା ସ୍ୱାମୀ ଆୟର ଏକ ଚତୁର୍ଥାଂଶ ସ୍ତ୍ରୀ ପାଇବ । ଯାହାକୁ ସ୍ତ୍ରୀଧନ କୁହାଯିବ । ଏହାକୁ ସେ ସ୍ୱଇଚ୍ଛାରେ ବ୍ୟୟ କରିବ । ଦ୍ୱୀତିୟଟି ହେଲା, ପୂର୍ବ ପ୍ରଥାନୁଯାୟୀ ଅପୁତ୍ରିକ ବିଧବାମାନଙ୍କର ସମ୍ପତି, ଯାହାକୁ ରାଜ୍ୟ ବାଜ୍ୟାପ୍ତି କରୁଥିଲା, ତାହା ସେ ବନ୍ଦ କରି ବିଧବାମାନଙ୍କୁ ତାଙ୍କର ସମସ୍ତ ସମ୍ପତି ଫେରାଇ ଦେଲେ ଏବଂ ଏହାକୁ ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ପରାମର୍ଶ ଦେଲେ । ତାଙ୍କ ରାଜଧାନୀ ‘ମାହେଶ୍ୱର’ରେ ‘ମାହେଶ୍ୱର ପାଟ ’ ନାମରେ ଏକ ଶାଢୀ ବୁଣିବା ଶିଳ୍ପ ତିଆରି କରି ହଜାର ହଜାର ମହିଳାମାନଙ୍କର ଭରଣ ପୋଷଣର ବ୍ୟବସ୍ଥା କରିଥିଲେ । ବିଭିନ୍ନ ନଦୀରେ ମହିଳାମାନଙ୍କ ସ୍ନାନ ପାଇଁ ଅଲଗା ଘାଟର ନିର୍ମାଣ କରିଥିଲେ ।
ମୋଗଲ ତଥା ଅନ୍ୟ ବିଦେଶୀ ଆକ୍ରମଣକାରୀମାନଙ୍କ ଦ୍ୱାରା ଅନେକ ଭଗ୍ନ ମନ୍ଦିର ସେ ପୁନରୁଦ୍ଧାର କରିଥିଲେ ବା ତାହା ନିକଟରେ ଅନ୍ୟ ଏକ ମନ୍ଦିର ନିର୍ମାଣ କରିଥିଲେ । ଏହି ଭଳି ଉଦ୍ଧାର ହୋଇଥିବା ମନ୍ଦିର ସଂଖ୍ୟା ୧୨୫ ବୋଲି କୁହାଯାଏ । ତନ୍ମମଧ୍ୟରେ ସୋମନାଥ ଓ କାଶୀ ବିଶ୍ୱନାଥ ମନ୍ଦିର ଅନ୍ୟତମ । ସେ ତୀର୍ଥଯାତ୍ରୀଙ୍କ ପାଇଁ ଅନେକ ଧର୍ମଶାଳା ଓ ସାଧାରଣ ଲୋକମାନଙ୍କ ପାଇଁ ଅନେକ ପୁଷ୍କରୀଣି ଓ କୁଅମାନ ଖୋଳାଇ ଥିଲେ । ବ୍ୟବସାୟ ଓ ଉଦ୍ୟୋଗ ଜଗତର ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ଉତ୍ପାଦିତ ବସ୍ତୁମାନଙ୍କର ବିକ୍ରି ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବଜାରମାନ ସ୍ଥାପନ କରିଥିଲେ । ଅର୍ଥନୀତିରେ ଉନ୍ନତି ପାଇଁ ସେ ୨୪ ବିନ୍ଦୁ ଥିବା ଏକ ବିଶେଷ କାନୁନ ପ୍ରଚଳନ କରିଥିଲେ । ରାଜ୍ୟର ସୁରକ୍ଷା ପାଇଁ ସେ ୬ଟି ବଡ ବଡ ଦୁର୍ଗ ଯଥା-ମହେଶ୍ୱର,ଚାନ୍ଦବଡ, ସେନ୍ଧୱା, ଗାହଣା, କୁଶଳଗଡ, ହିଂଗଳଜେଡ ନିର୍ମାଣ କରିଥିଲେ । ବିଭିନ୍ନ ବିଭାଗରେ ପ୍ରଶିକ୍ଷଣ ପାଇଁ ସେ ଅନେକ ପ୍ରଶିକ୍ଷକ ନିଯୁକ୍ତି ଦେଇ ସେମାନଙ୍କୁ ଆବଶ୍ୟକ ସମୟ ପାଇଁ ଜାଗିର୍ ଦେଇଥିଲେ । ଏହିଭଳି ଭାବେ ୩୦ ବର୍ଷ ସୁଶାସନ ଦେଇ ୧୭୯୫ ମସିହାରେ ୭୦ ବର୍ଷ ବୟସରେ ସେ ଦେହତ୍ୟାଗ କରିଥିଲେ । ଏହି ପ୍ରଜାବତ୍ସଳା ରାଣୀଙ୍କୁ ଲୋକମାନେ ପୂଣ୍ୟଶ୍ଲୋକା ରାଜମାତା ବୋଲି ସମ୍ବୋଧନ କରୁଥିଲେ । ମୃତ୍ୟୁ ପୂର୍ବରୁ ସେ ପୁତୁରା ମହାନ୍ ବୀର ତୁକୋଜୀରାଓ ହୋଲକାରଙ୍କୁ ତାଙ୍କର ଉତରାଧିକାରୀ ରୂପେ ନିଯୁକ୍ତି ଦେଇଥିଲେ ଏବଂ ପରାମର୍ଶ ଦେଇଥିଲେ, ଯେପରି ତାଙ୍କ ପରେ ରାଜ୍ୟବାସୀ ସୁଶାସନର ଅଭାବ ଅନୁଭବ ନକରିବେ ।
ସ୍କଟ୍‌ଲାଣ୍ଡରେ ରହୁଥିବା ଜଣେ ବିଶିଷ୍ଟ କବି ‘ଜୋଆନାବେଲି ’ ତାଙ୍କ କବିତା ଶୀର୍ଷକ ‘ତିରିଶ ବର୍ଷର ଶାନ୍ତିପୂର୍ଣ୍ଣ ଶାସନ’ର ଶେଷ ପଂକ୍ତିରେ ଲେଖିଛନ୍ତି ‘ଯାହାର ଦୃଦୟରେ ଦୟାଥିଲା, ନାଁ ରେ ଉଜ୍ୱଳତା ଥିଲା, ସେହି ସମ୍ମାନିତ ନାଁ ହେଉଛି ଅହଲ୍ୟା’ । ଏହି ବିଦେଶୀ କବିଙ୍କର ଉକ୍ତ କବିତା ମହାରାଣୀ ଅଲହ୍ୟାବାଇଙ୍କ ପ୍ରତି ସାହିତ୍ୟ ଜଗତର ଅର୍ନ୍ତଜାତୀୟ ସ୍ତରରେ ଏକ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

୧୨୫, ଧର୍ମବିହାର, ଖଣ୍ଡଗିରି, ଭୁବନେଶ୍ୱର
ମୋବାଇଲ ନମ୍ବର-୯୪୩୯୮୭୬୩୩୨

Leave a Reply