ଭୋଟ ଚୋରି

ଭୋଟ ଚୋରି
-ରବିନାରାୟଣ ପଣ୍ଡା
ଭୋଟଚୋରି ଭଳି ଏକ ଅପ୍ରତ୍ୟାଶିତ ଶବ୍ଦ ଭାରତ ବର୍ଷର ବିମର୍ଶକୁ କିଛି ଦିନ ହେଲା ପ୍ରଭାବିତ କରୁଛି । ସାହି ଠାରୁ ସଂସଦ ପର୍ଯ୍ୟନ୍ତ ସବୁସ୍ଥାନରେ ବୁଦ୍ଧିଜୀବୀମାନଙ୍କ ତର୍କ ବିତର୍କର ଚକ୍ର ବ୍ୟୁହରେ ଭାରତୀୟ ଗଣମାଧ୍ୟମ ଯୋଡି ହୋଇଯାଇଛି । ଖୋଦ ବିରୋଧୀ ଦଳ ନେତା ନିର୍ବାଚନ କମିଶଙ୍କ ଉପରେ ଏହି ଆରୋପ ଲଗେଇବା କାରଣରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି । ବିହାରରେ ମତଦାତା ସୂଚୀର ସଂଶୋଧନ ଆରମ୍ଭ ହେବା ମାତ୍ରେ, ଭୋଟ ଚୋରି ଅଭିଯୋଗ ଚର୍ଚ୍ଚାକୁ ଆସିଛି । ବର୍ତ୍ତମାନ ସରକାର ନିର୍ବାଚନ କମିଶନ ସହିତ ମିଶି ଏପରି କାର୍ଯ୍ୟ କରୁଛନ୍ତି ବୋଲି ଦାବି କରିବା ଆରମ୍ଭ କରିଛନ୍ତି ସାଂସଦ ରାହୁଲ ଗାନ୍ଧୀ ।
ପ୍ରଥମ ପର୍ଯ୍ୟାୟରେ ବିହାର ମତଦାତା ସୂଚୀ ସଂଶୋଧନରେ ପାଖାପାଖି ୬୫ ଲକ୍ଷ ମତଦାତା ବାଦ ପଡିଛନ୍ତି । ସଂଶୋଧନ ସମୟରେ ବିହାର ବିରୋଧୀ ଦଳ ନେତା ତେଜପ୍ରତାପ ଯାଦବ ନକଲି ପରିଚୟ ପତ୍ର ରଖି ଧରା ପଡିଛନ୍ତି । ଅଭିଯୋଗକାରୀ ନିଜେ ଅଭିଯୁକ୍ତ ହୋଇଯାଇଛନ୍ତି । ଗଣମାଧ୍ୟମ ତଥ୍ୟ ଅନୁସାରେ ବିହାରର ଗୋଟିଏ ଠିକଣାରେ ୨୪୭ ମତଦାତା ନିଜର ନାମ ପଞ୍ଜିକରଣ କରିଥିଲେ । ଯାହା ସମ୍ପୂର୍ଣ୍ଣ ରୂପେ ଅସ୍ୱାଭିକ ଘଟଣା ।
କିଛି ବର୍ଷ ହେବ ଭାରତୀୟ ଗଣତନ୍ତ୍ରରେ ଏହିପରି ନକଲି ମତଦାତା ଓ ଅଯୋଗ୍ୟ ମତଦାତା ରହୁଥିବା ଖବର ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିବାରେ ଲାଗିଛି । ଭାରତ ଭଳି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ପାଇଁ ଏହା ଲଜ୍ୟାଜନକ ବିଷୟ । ସ୍ୱାଧୀନତାର ୭୫ ବର୍ଷ ପାଳନ କରିସାରିଥିବା ଗୋଟିଏ ଦେଶ ତାର ନିର୍ଭୁଲ ନାଗରିକ ସୂଚୀ ପ୍ରସ୍ତୁତ କରିପାରିବ ନାହିଁ, ଏହା କେବେବି ଗ୍ରହଣ ଯୋଗ୍ୟ ନୁହେଁ । ଅନୁପ୍ରବେଶକାରୀଙ୍କୁ ମତଦାତା ସୂଚୀରୁ ବାହାର କରି ନପାରିବା ଅର୍ଥ ଆମ ସମ୍ବିଧାନରେ କେଉଁଠି ନା କେଉଁଠି ଗଳାବାଟ ରହିଛି । ଆମ ବ୍ୟବସ୍ତା କିମ୍ବା ଆଇନ ବିଦେଶୀ ଓ ଅଯୋଗ୍ୟ ମତଦାତାଙ୍କୁ ମତଦାତା ସୂଚୀରୁ ବାହାର କରିବାରେ ସକ୍ଷମ ହେଉନାହିଁ । ସ୍ଥୁଳ ଦୃଷ୍ଟିରେ ଦେଖିଲେ ଭୁଲ ମତଦାତା ସୂଚୀ ଆମ ରାଷ୍ଟ୍ରୀୟ ସ୍ୱାଭିମାନର ଅପମାନ । ନିର୍ବାଚନ କମିଶନ ଏହି ଅବହେଳାର ଉତ୍ତର ଦାୟିତ୍ୱ ନେବା ଉଚିତ । ନିର୍ଭୁଲ ମତଦାତା ସୂଚୀ ପ୍ରସ୍ତୁତ କରିବା ପାଇଁ ସମସ୍ତେ ନିର୍ବାଚନ ଆୟୋଗଙ୍କୁ ସହଯୋଗ କରିବା ଉଚିତ । କିନ୍ତୁ ଏପରି ସ୍ୱାଭାବିକ କାର୍ଯ୍ୟ ଦେଶର ସାମାଜିକ ଓ ରାଜନୈତିକ ସଂସ୍ଥା ନିକଟରେ ଦେଖିବାକୁ ମିଳୁନାହିଁ ବରଂ ବିଭିନ୍ନ ଦଳ ଏହାକୁ ବିରୋଧ କରିବା ପାଇଁ ସଜବାଜ ହେଉଛନ୍ତି । ଏହି ବିରୋଧ ରାଜନୈତିକ ଦଳଗୁଡିକର ମୌଳିକ ଆଦର୍ଶ ତଥା ଆଚାର ସଂହିତାର ପରିପନ୍ଥୀ ଅଟେ ।
ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା । ନିଜର ଉତ୍ତର ଦାୟିତ୍ୱ ତୁଲେଇବା ପାଇଁ ସଂସ୍ଥା ସମ୍ପୂର୍ଣ୍ଣ ସ୍ୱାଧୀନ । ସାମ୍ବିଧାନିକ ସଂସ୍ଥାକୁ ପରାମର୍ଶ ଦେଇ ପାରିବେ ଏବଂ ଦେବା ମଧ୍ୟ ଉଚିତ କିନ୍ତୁ ତାକୁ ଆକ୍ରମଣ କରିବା ଉତ୍ତମ ନାଗରିକର ଲକ୍ଷଣ ନୁହେଁ । ସାମ୍ବିଧାନିକ ସଂସ୍ଥାକୁ ଚୋର କହି ପ୍ରକାଶ୍ୟରେ ଗାଳିଦେବା କେତେଦୂର ଯତାର୍ଥ ତାହା ବିଚାରଣୀୟ । ମତଦାତା ସଂଶୋଧନ ମାମଲା ଉଚ୍ଚତମ ନ୍ୟାୟାଳୟରେ ବିଚାରଧୀନ ଅଛି । ଅର୍ଥାତ ଗୋଟିଏ ସାମ୍ବିଧାନିକ ସଂସ୍ଥା ଆଉ ଗୋଟିଏ ସାମ୍ବିଧାନିକ ସଂସ୍ଥାର ତତ୍ୱାବଧାନରେ କାର୍ଯ୍ୟ କରୁଛି । ଏପରି ସମୟରେ ଧୈର୍ଯ୍ୟ ଧରିବା ସମସ୍ତଙ୍କ ପାଇଁ ଶ୍ରେୟସ୍କର ହେବ ।
କିଛି ବର୍ଷ ବ୍ୟବଧାନରେ ମତଦାତା ସୂଚୀର ସୂକ୍ଷ୍ମାତି ସୁକ୍ଷ୍ମ ସଂଶୋଧନ କରାଯାଇଥାଏ । ଏହି ସଂଶୋଧନ ସମୟରେ ନିର୍ବାଚନ କମିଶନ ସମସ୍ତଙ୍କୁ ନିଜର ଆପତ୍ତି ଅଭିଯୋଗ ପାଇଁ ପର୍ଯ୍ୟାପ୍ତ ସମୟ ଦେଇଥିଲେ । ନିର୍ବାଚନ କମିଶଙ୍କ କହିବା ଅନୁସାରେ ସଂଶୋଧନରେ ବାଦ ପଡ଼ିଥିବା ନାଗରିକଙ୍କ ଭିତରୁ କେହି ଲିଖିତ କିମ୍ବା ଅନଲାଇନ ଅଭିଯୋଗ କରିନାହାନ୍ତି । ନିର୍ବାଚନ କମିଶଙ୍କ ଦାବିକୁ ଯଦି ସତ୍ୟ ବୋଲି ଗ୍ରହଣ କରିବା ତାହେଲେ ଭାରତରେ ଗଣତନ୍ତ୍ରକୁ ଅଯୋଗ୍ୟ ମତଦାତା ପ୍ରଭାବିତ କରିଆସୁଥିଲେ । ସଂସଦର ଭାଗ୍ୟ ଓ କାର୍ଯ୍ୟ ଅଯୋଗ୍ୟ ମତଦାତାଙ୍କ ଦ୍ୱାରା ପ୍ରଭାବିତ ହେଉଥିଲା । ନିର୍ବାଚନ କମିଶନଙ୍କୁ ବିରୋଧ କରୁଥିବା ଦଳ ବା ଲୋକ ସେହି ଅଯୋଗ୍ୟ ମତଦାତାଙ୍କର ପୃଷ୍ଠ ପୋଷକ ଥିଲେ । ଅଯୋଗ୍ୟ ମତଦାତାଙ୍କୁ ୭୮ ବର୍ଷ ହେଲା ସୁରକ୍ଷାଦେଇ ଆସୁଥିବା ଦଳ ଓ ବ୍ୟକ୍ତିଙ୍କୁ ଚି଼ହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।
ଯେଉଁ ଦଳ ବା ବ୍ୟକ୍ତି ଭୋଟ ଚୋରି ବିଷୟ ଉତ୍ଥାପନ କରିଛନ୍ତି ସେମାନଙ୍କ ରାଜନୈତିକ ଯାତ୍ରାକୁ ସମୀକ୍ଷା କରିନେବା ଦେଶବାସୀଙ୍କ ପାଇଁ ଠିକ ହେବ । ଅଧିକ ପୁରୁଣା ଦଳ କଂଗ୍ରେସ କଥା ବିଚାରକୁ ନେଲେ ଭଲ ହେବ । ଦେଶ ସ୍ୱାଧୀନ ହେବା ସହିତ ନେତା ନିର୍ବାଚନ ପାଇଁ ମତଦାନ ହେଲା । ସର୍ଦାର ପଟେଲ ଓ ଜବାହର ଲାଲ ନେହେରୁ ନିର୍ବାଚନ ମୈଦାନରେ ଥିଲେ । ୧୫ ରାଜ୍ୟ ପରିଷଦ ଭିତରୁ ୧୨ ପରିଷଦ ସର୍ଦାର ପଟେଲଙ୍କ ସପକ୍ଷରେ ମତଦାନ କଲେ, ତିନୋଟି ପରିଷଦ ମତଦାତା ମତଦାନ କଲେନାହିଁ, ଅନୁପସ୍ଥିତ ରହିଲେ । ପରିତାପର ବିଷୟ ଗୋଟିଏବି ଭୋଟ ପାଇ ନଥିବା ନେହେରୁ ବିଜୟୀ ହେଲେ ଏବଂ ସର୍ଦାର ପଟେଲ ହାରିଗଲେ । ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ । ଏହାକୁ ସିଧାସଳଖ ଭୋଟ ଚୋରି ବୋଲି କୁହାଯାଇପାରିବ । ଏହା ଭାରତ ଇତିହାସର ଭୟଙ୍କର ଚୋରି ବୋଲି କୁହାଯାଇ ପାରିବ । କଂଗ୍ରେସ ଦଳ ଏବେବି ଏହି ନିର୍ବାଚନ ଉପରେ ମନ୍ତବ୍ୟ ଦେବାକୁ ରାଜି ନୁହେଁ । ୧୯୫୨ ମସିହାରେ ମହାରାଷ୍ଟ୍ରରେ ଭାରତରତ୍ନ ଆମ୍ୱେଦକରଙ୍କୁ ହରେଇବା ପାଇଁ ନେହେରୁ ନିଜେ ନିର୍ବାଚନ ପ୍ରଚାର କଲେ । ଏତିକିରେ ନେହେରୁ ସୀମିତ ରହିଥିଲେ ଚଳିଥାନ୍ତା କିନ୍ତୁ ନେହେରୁ ଆମ୍ବେଦକରଙ୍କୁ ହରେଇବା ପାଇଁ ନିର୍ବାଚନ କର୍ମଚାରିଙ୍କୁ ଉପଯୋଗ କଲେ । ଆମ୍ବେଦକର ୧୫୦୦୦ ଭୋଟରେ ହାରିଗଲେ । ଆମ୍ବେଦକର ଯେତିକି ଭୋଟରେ ହାରିଲେ ତାର ୫ ଗୁଣ ଭୋଟକୁ ନାକଚ କରାଯାଇଥିଲା । ଏହାକୁ କାହିଁକି ଭୋଟ ଚୋରି ବୋଲି କୁହା ଯିବନାହିଁ ?
ଆହ୍ଲାବାଦର ସଂସଦୀୟ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ଅନିୟମିତତା କରି ଜିତିଛନ୍ତି ବୋଲି ଆହ୍ଲାବାଦ ଉଚ୍ଚ ନ୍ୟାଳୟ ପ୍ରମାଣିତ କଲେ । କ୍ଷମତାରେ ରହିବା ପାଇଁ ୧୯୭୫ ମସିହାରେ ଇନ୍ଦିରା ଜରୁରୀ ପରିସ୍ଥିତି ଘୋଷଣା କରି ଉଚ୍ଚତମ ନ୍ୟାୟାଳୟର ରାୟ ଏବଂ ସମ୍ବିଧାନକୁ ପଦଦଳିତ କରିଦେଲେ । ରାହୁଲ ଗାନ୍ଧୀ ଆଜି ଯେଉଁ ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଉଠାଉଛନ୍ତି, ସେହି ନିରପେକ୍ଷତା ତାଙ୍କ ଦଳ କେବେ ପାଳନ କରିନାହିଁ ।
ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିଲା । ନିୟମ ଅନୁସାରେ କେବଳ ତାଙ୍କ ନିର୍ବାଚନମଣ୍ଡଳୀର ନିର୍ବାଚନ ବନ୍ଦ ହେବାକଥା । କିନ୍ତୁ ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରି ସମ୍ପୂର୍ଣ୍ଣ ଦେଶର ନିର୍ବାଚନ ବନ୍ଦ କରିଦିଆଗଲା । ସହାନୁଭୂତି ପାଇଁ ଦେଶ ସାରା ଅସ୍ଥି କଳସ ବୁଲିଲା । ସହାନୁଭୂତିର ଭୋଟ ଅମଳ କରି ନିର୍ବାଚନ ଜିତାଗଲା । ଏହିଭଳି ଅନେକ ଘଟଣାର ନାୟକ ସାଜିଥିବା ଗୋଟିଏ ଦଳ ଅଭିଯୋଗ କରିବା ଘଟଣା ସମାଜରେ ଗ୍ରହଣୀୟ ହୋଇ ପାରୁନାହିଁ । ଯଦି ଅଭିଯୋଗ ଅଛି ତା ହେଲେ ଲିଖିତ ଅଭିଯୋଗ କରିବା ଉଚିତ । ନିର୍ବାଚନ କମିଶନ ଲିଖିତ ଅଭିଯୋଗ ମାଗୁଥିବା ବେଳେ ସେଥିରୁ ନିଜକୁ ଦୁରେଇ ରଖି ସଭା ସମିତିରେ ସାମ୍ବିଧାନିକ ସଂସ୍ଥାକୁ ଆକ୍ରମଣ କରିବା ଗଣତନ୍ତ୍ର ପ୍ରତି ବିପଦ ଅଟେ ।
ମଠସାହି,ଭଦ୍ରକ
୯୪୩୭୦୧୭୮୫୭

Leave a Reply