Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାମପନ୍ଥୀ ଇକୋସିଷ୍ଟମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାମପନ୍ଥୀ ଇକୋସିଷ୍ଟମ

  • ସର୍ବେଶ୍ୱର ବେହେରା –
    ଚୀନ ଭାରତ ବିରୋଧରେ ବୈଚାରିକ ସଂଘର୍ଷ ଜାରୀ ରଖିଛି । ଭାରତର କେତେକ ପ୍ରଚାରତନ୍ତ୍ରକୁ ବିପୁଳ ଅର୍ଥ ପ୍ରଦାନ କରି ଭାରତର ଗଣତନ୍ତ୍ର ଓ ସାର୍ବଭୌମତ୍ୱ ଉପରେ ପ୍ରହାର କରୁଛି । ଏଥିରେ ଭାରତର କେତେକ ଗଣମାଧ୍ୟମ, ଏନ୍‌ଜିଓ ଓ ବୁଦ୍ଧିଜୀବୀ ସାମିଲ ହୋଇ ଭାରତ ବିରୋଧୀ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀ ପୁଲିସ ଗତ କିଛିଦିନ ତଳେ ଭାରତର ଏକ ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ କ୍ଲିକର ମୁଖ୍ୟ ସମ୍ପାଦକ ଶ୍ରୀ ପ୍ରବୀର ପୁରକାରସ୍ଥଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି । ଦୀର୍ଘ ଦୁଇମାସ ଧରି ଦିଲ୍ଲୀ ପୁଲିସ ଏହି ଗଣମାଧ୍ୟମର ଗତିବିଧିକୁ ତଦନ୍ତ କରି ପ୍ରବୀରଙ୍କୁ ଗିରଫ କରିଛି । ତଦନ୍ତ ରିପୋର୍ଟରୁ ଚମକପ୍ରଦ ତଥ୍ୟ ଲୋକଲୋଚନକୁ ଆସିଛି । ଏହି ‘ନ୍ୟୁଜ କ୍ଲିକ୍‌’ ଗତ କିଛି ବର୍ଷ ଧରି କେନ୍ଦ୍ର ସରକାରଙ୍କ ସମସ୍ତ ନୀତି ଓ ଯୋଜନାକୁ ପ୍ରବଳ ବିରୋଧ କରିଆସୁଛି । କରୋନା ସଙ୍କଟ ସମୟରେ ଭାରତର ସମସ୍ତ ପଦକ୍ଷେପକୁ କୁତ୍ସାରଟନା କରିବା, ଚୀନର ଧୋକାବାଜୀ କମ୍ପାନୀ ବିବୋ ଓ ସୋଆମୀ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମାଲୋଚନା କରିବା ଆଦି କାର୍ଯ୍ୟ କରୁଥିଲା । କେବଳ ସେତିକି ନୁହେଁ ଏହି ଗଣମାଧ୍ୟମ ଭାରତର ମାନଚିତ୍ରରେ କାଶ୍ମୀର ଓ ଅରୁଣାଚଳପ୍ରଦେଶକୁ ବାଦ୍ ଦେଇ ପ୍ରଚାର କରିଥିଲା । ପୁଲିସ ତଦନ୍ତରୁ ଜଣାପଡିଛି ଯେ ୨୦୧୮ ମସିହାରୁ ‘ନ୍ୟୁଜ କ୍ଲିକ୍‌’କୁ ବିପୁଳ ଅର୍ଥ ବିଶିଷ୍ଟ ଶିଳ୍ପପତି ନିଭିଲ ରାୟ ସିଂହମ ପ୍ରଦାନ କରିଆସୁଛନ୍ତି । ଏହି ସିଂହମ ଜଣେ ଚୀନ ସମର୍ଥକ ଓ ଚୀନ ସରକାର ସିଂହମଙ୍କ ଜରିଆରେ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରୀ ରଖିଛି । ଆମେରିକାର ‘ୱାସିଂଟନ ପୋଷ୍ଟ’ ପତ୍ରିକାରେ ପ୍ରକାଶ ପାଇଥିଲା ଯେ ନିଭିଲରାୟ ସିଂହମ ଚୀନର ଏଜେଣ୍ଟ ସାଜି ‘ନ୍ୟୁଜ୍ କ୍ଲିକ୍‌’ ଗଣମାଧ୍ୟମକୁ ୩୮ କୋଟି ଟଙ୍କା ପ୍ରଦାନ କରିଛି । ଏହି ଅର୍ଥ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ଆନ୍ଦୋଳନରେ ମଧ୍ୟ ବ୍ୟୟ ହୋଇଛି । ବିଶିଷ୍ଟ ସହରୀ ନକ୍ସଲ ଶ୍ରୀ ଗୌତ୍ତମ ନଭଲେଖା ଓ ତଥାକଥିତ ସମାଜସେବୀ ତିସ୍ତା ସିତଲୱାଡ ନ୍ୟୁଜ କ୍ଲିକର ସେୟାରହୋଲଡର ଅଛନ୍ତି । ଏମାନଙ୍କ ସହିତ କେତେକ ମୋଦୀ ସରକାରଙ୍କ ବିରୋଧରେ କାର୍ଯ୍ୟ କରୁଥିବା ବୁଦ୍ଧିଜୀବୀମାନେ ମଧ୍ୟ ଲାଭାନ୍ୱିତ ହେଉଛନ୍ତି ।
    ଚୀନ ଆଦର୍ଶରେ ଅନୁପ୍ରାଣିତ ବାମପନ୍ଥୀମାନେ ଭାରତବର୍ଷର ସମ୍ପ୍ରତି କ୍ରମବର୍ଦ୍ଧିଷ୍ଣୁ ରାଷ୍ଟ୍ରବାଦ ବିରୋଧରେ ବୌଦ୍ଧିକ ଆକ୍ରମଣ କରୁଛନ୍ତି । ଏମାନେ ଭାରତରେ ଓ ଭାରତ ବାହାରେ ବିଶେଷକରି ଆମେରିକାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରୀ ରଖିଛନ୍ତି । ଗତ ୨୦୨୧ ମସିହାରେ ଆମେରିକାରେ ତିନିଦିନ ବ୍ୟାପି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯାହାର ଶୀର୍ଷକ ଥିଲା- ‘ଡିସମେଣ୍ଟାଲିଂ ଗ୍ଲୋବାଲ ହିନ୍ଦୁତ୍ୱ’ । ଆମେରିକାରେ ଥିବା କେତେଜଣ ବାମପନ୍ଥୀ ବୁଦ୍ଧିଜୀବୀ ଏହି ଆଲୋଚନାଚକ୍ରରେ ଭାରତର ହିନ୍ଦୁମାନେ କିପରି ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ଭାରତର ସବର୍ଣ୍ଣମାନେ ଅସବର୍ଣ୍ଣମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ଭାରତରେ କିପରି ଧାର୍ମିକ ଅସହିଷ୍ଣୁତା ବୃଦ୍ଧି ପାଇବାରେ ଲାଗିଛି ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହିପରି ବାମପନ୍ଥୀମାନେ ଭାରତ ବିରୋଧରେ ଇକୋସିଷ୍ଟମ ନିର୍ମାଣ କରୁଛନ୍ତି । ଚୀନ ଏମାନଙ୍କୁ ସମସ୍ତ ପ୍ରକାରର ଆର୍ଥିକ ଓ ବୈଚାରିକ ସହଯୋଗ କରୁଛି ।
    ଆମେରିକାରେ ଥିବା ବାମପନ୍ଥୀ ବୁଦ୍ଧିଜୀବୀମାନେ ଭାରତ ବିରୋଧରେ ସକ୍ରିୟ ହୋଇଛନ୍ତି । ଏମାନଙ୍କର ଲବି ଆମେରିକାର ଶାସନ ପ୍ରଶାସନରେ ମଧ୍ୟ ଦେଖିବାକୁ ମିଳୁଛି । ଗତ ଜୁନ ମାସରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ହୋଇଥିଲା । ଏହି ଗସ୍ତ ସଫଳ ହୋଇଥିଲା ଓ କେତେକ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷର ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରେ ପହଞ୍ଚିବା ପୂର୍ବରୁ ୭୫ ଜଣ ଡେମୋକ୍ରାଟ ସାଂସଦମାନେ ରାଷ୍ଟ୍ରପତି ବାଇଡେନଙ୍କୁ ଚିଠି ଲେଖି ପ୍ରକାଶ କରିଥିଲେ ଯେ ବାଇଡେନ ମୋଦୀଙ୍କ ସହିତ ଦ୍ୱିପାକ୍ଷିକ ବାର୍ତ୍ତାଳାପ ସମୟରେ ଭାରତରେ ଦେଖାଦେଇଥିବା ଧାର୍ମିକ ଅସହିଷ୍ଣୁତା, ଅଭିବ୍ୟକ୍ତିର ସ୍ୱାଧୀନତା, ଇଣ୍ଟରନେଟ ସେବା ଉପଲବ୍ଧ ଓ ସିଭିଲ ସୋସାଇଟି ବ୍ୟକ୍ତିମାନଙ୍କ ଉପରେ ଆକ୍ରମଣ ଆଦି ସମ୍ବନ୍ଧରେ ବିଷୟ ଉପସ୍ଥାପନ କରିବା ଆବଶ୍ୟକ । ଏହି ସାଂସଦମାନଙ୍କ ମତରେ ଭାରତରେ ସଂଖ୍ୟାଲଘୁମାନେ ଅସୁରକ୍ଷିତ, ସମସ୍ତଙ୍କୁ ଇଣ୍ଟରନେଟ ସୁବିଧା ପ୍ରଦାନ କରାଯାଉ ନାହିଁ । ପ୍ରେସ୍‌ର ସ୍ୱାଧୀନତା ନାହିଁ ଓ ସାମାଜିକ କର୍ମୀମାନେ ମଧ୍ୟ ଅସୁରକ୍ଷିତ । ପ୍ରକାଶ ଥାଉ କି ୨୦୧୩ ମସିହାରେ ଭାରତର ୬୫ଜଣ ବାମପନ୍ଥୀ ସମର୍ଥିତ ସାଂସଦମାନେ ଆମେରିକାକୁ ଚିଠି ଲେଖି ନରେନ୍ଦ୍ର ମୋଦୀଙ୍କ ଆମେରିକା ପ୍ରବାସ ରଦ୍ଦ କରିଥିଲେ । ଏହି ଇକୋସିଷ୍ଟମ ଭାରତର ଜେଏନୟୁଠାରୁ ଆରମ୍ଭ କରି ଆମରେିକାର ଅକ୍ସଫୋର୍ଡ, କେମ୍ବ୍ରିଜ ଓ ହାୱଡ ପର୍ଯ୍ୟନ୍ତ ଲମ୍ବିଛି ।
    କେବଳ ସେତିକି ନୁହେଁ ନରେନ୍ଦ୍ର ମୋଦୀଙ୍କ ଗତ ଆମେରିକା ପ୍ରବାସ ସମୟରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ବହୁଚର୍ଚ୍ଚିତ ହୋଇଥିଲେ । ସେହି ସମୟରେ ଓବାମା ସି.ଏନ.ଏନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ ଭାରତରେ ସଂଖ୍ୟାଲଘୁମାନେ ଅସୁରକ୍ଷିତ ଅଛନ୍ତି ଓ ମୋଦୀ ସରକାର ସେମାନଙ୍କର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାରେ ଅକ୍ଷମ । ଓବାମା କ୍ଷମତାରୁ ବାହାରିବା ପରଠାରୁ ଏହି ବାମପନ୍ଥୀ ଇକୋସିଷ୍ଟମରେ କାର୍ଯ୍ୟ କରୁଛନ୍ତି । ନିକଟରେ ଓବାମାଙ୍କ ନାମରେ ଏକ ମେମୋରିଆଲ ନିର୍ମାଣ ହେବାକୁ ଯାଉଛି ; ଯାହାର ନାମ ‘ଦି ଓବାମା ପ୍ରେସିଡେନ୍ସିଆଲ ସେଣ୍ଟର’ । ଏହି ମେମୋରିଆଲ ନିର୍ମାଣର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ଜର୍ଜ ସୋରୋସ । ଜର୍ଜ ସୋରୋସ ଜଣେ ବିଶିଷ୍ଟ ପୁଞ୍ଜିପତି ଓ ବାମପନ୍ଥୀ ବିଚାରର ଦୃଢ଼ ସମର୍ଥକ । ସେ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବିପଦପୂର୍ଣ୍ଣ ବ୍ୟକ୍ତି ରୂପେ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଓବାମା ନିର୍ବାଚନରେ ବିଜୟ ହେବା ପାଇଁ ଜର୍ଜ ସୋରୋସ ବିପୁଳ ଅର୍ଥ ବ୍ୟୟ କରିଥିଲେ । ଆଗାମୀ ୨୦୨୪ ନିର୍ବାଚନରେ ଭାରତର ବିପକ୍ଷ ଦଳ ଇଣ୍ଡିଆକୁ ୧୦୦ ନିୟୁତ ଡଲାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ମତରେ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ଭାରତର ଗଣତନ୍ତ୍ର ବିପନ୍ନ । ଏଣୁ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସେ ଏହି ବିପୁଳ ଅର୍ଥ ବ୍ୟୟ କରିବେ । ରାହୁଳ ଗାନ୍ଧୀଙ୍କ ଆମେରିକା ପ୍ରବାସରେ ସମସ୍ତ ବ୍ୟୟ ଏହି ଜର୍ଜ ସୋରୋସ କରନ୍ତି । ରାହୁଳ ଗାନ୍ଧୀଙ୍କ ଭାରତଯୋଡୋ ଯାତ୍ରାରେ ମଧ୍ୟ ଜର୍ଜ ସୋରୋସ ଅର୍ଥ ବ୍ୟୟ କରିଥିଲେ । ସୋରୋସଙ୍କର ଭାରତରେ ଥିବା ଏଜନଜିଓ ଓପୋନ ସୋସାଇଟିର ଉପାଧ୍ୟକ୍ଷ ଶ୍ରୀ ସଲିଲ ସେଟ୍ଟୀ ରାହୁଳ ଗାନ୍ଧୀଙ୍କ ଭାରତଯୋଡୋ ଯାତ୍ରାରେ ଯୋଗଦେଇଥିଲେ । ଅମିତ ମାଲବୀୟ ନାମକ ଜନୈକ ବ୍ୟକ୍ତି କର୍ଣ୍ଣାଟକରେ ରାହୁଳ ଗାନ୍ଧୀଙ୍କ ବିରୋଧରେ ଏହି ବିଦେଶୀ ଅର୍ଥ କାରବାରରେ ଲିପ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂଶ୍ଳିଷ୍ଟ ସମ୍ବନ୍ଧରେ ଥାନାରେ ଏକ ମାମଲା ରୁଜୁ କରିଥିଲେ ।
    ସମସ୍ତେ ଜାଣନ୍ତି ଆମେରିକା ଏକ ପୁଞ୍ଜିବାଦୀ ରାଷ୍ଟ୍ର । ଏହା କମ୍ୟୁନିଷ୍ଟ ଋଷିଆ ଓ ଚୀନର ସାମ୍ୟବାଦକୁ ବିରୋଧ କରେ । କିନ୍ତୁ ସେଠାରେ ସାମ୍ୟବାଦୀ କମ୍ୟୁନିଷ୍ଟମାନେ କିପରି ଆସିଲେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ୱାଭାବିକ । ସାମ୍ୟବାଦୀମାନେ ଭାରତ ପରି ଆମେରିକାରେ ମଧ୍ୟ ନିଜର ବିଚାର ପ୍ରସାରିତ କରିଆସୁଛନ୍ତି । ୧୯୩୦ ମସିହା ବେଳକୁ ଏମାନେ ଆମେରିକାର ପ୍ରଚାର ମାଧ୍ୟମ, ବିଶ୍ୱବିଦ୍ୟାଳୟ, ସାହିତ୍ୟ ଓ କଳା କ୍ଷେତ୍ରରେ ପ୍ରବେଶ କରିବା ଆରମ୍ଭ କଲେ । ଭାରତର ଜେଏନୟୁ ପରି ଆମେରିକାର ହାଭାର୍ଡ ବିଶ୍ୱବିଦ୍ୟାଳୟ ଏମାନଙ୍କର ପ୍ରୟୋଗଶାଳା ହେଲା । ୧୯୪୦ରେ ‘ଦି କ୍ରିମସନ’ ନାମକ ବିଶିଷ୍ଟ ପତ୍ରିକା ଉଲ୍ଲେଖ କରିଥିଲା ଯେ ହାଭାର୍ଡରେ ବହୁ ପ୍ରକାରର ରେଡ୍‌ସ (କମ୍ୟୁନିଷ୍ଟ) ଅଛନ୍ତି । ଗୋଲାପି ଠାରୁ ଆରମ୍ଭ କରି ଘନ ଲାଲ ରଙ୍ଗ ପର୍ଯ୍ୟନ୍ତ । ଅର୍ଥାତ୍ ଲିବରାଲସ୍ ଠାରୁ ପ୍ରଖର ଲେଫ୍‌ଟିଷ୍ଟ ପର୍ଯ୍ୟନ୍ତ ହାଭାର୍ଡରେ ଭାରତର ବହୁ ଛାତ୍ର ଅଧ୍ୟୟନ କରନ୍ତି । ଓବାମା ଏହି ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଛନ୍ତି । ଓବାମାଙ୍କ ସମୟରେ ଆମେରିକାରେ ଚୀନ ଲବି ପ୍ରଭାବିତ କରୁଥିଲା । ଓବାମା ରାଷ୍ଟ୍ରପତି ଥିବା ବେଳେ ଚୀନର ଜିନପିଙ୍ଗଙ୍କ ସମ୍ମୁଖରେ ନବେ ଡିଗ୍ରୀ ନତମସ୍ତକ ହୋଇଥିବା ଚିତ୍ର ବହୁଚର୍ଚ୍ଚିତ ହୋଇଥିଲା । ଓବାମାଙ୍କ ପରେ ଆମେରିକାର ଏହି ଚୀନ ଲବି ଉପରେ ପ୍ରଚଣ୍ଡ ପ୍ରହାର କରିଥିଲେ ଡୋନାଲ୍‌ଡ ଟ୍ରମ୍ପ । ସେ ଭାରତ ସହିତ ନିକଟତର ହୋଇ ଚୀନକୁ ଏକଘରିଆ କରିଦେଇଥିଲେ । ଭାରତ-ଆମେରିକା ସମ୍ପର୍କରେ ନିବିଡତା ଭାରତର ସଫଳ ବୈଦେଶିକ କୂଟନୀତି ଯୋଗୁଁ ସଠିକ ଅଛି ।
    କିନ୍ତୁ ଆମେରିକାରେ ଥିବା ବାମପନ୍ଥୀ ବୁଦ୍ଧିଜୀବୀମାନେ ଭାରତର ଏହି ସଫଳତା ବିରୋଧରେ ନିଜର ଇକୋସିଷ୍ଟମ ନିର୍ମାଣ କରୁଛନ୍ତି । ଏହି ଇକୋସିଷ୍ଟମରେ ଜର୍ଜ ସୋରୋସ, ଓବାମା, ନିଭିଲ ରାୟ ସିଂହମ, ସୁନିତା ବିଶ୍ୱନାଥନଙ୍କ ପରି ବହୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାରତ ବିରୋଧରେ କାର୍ଯ୍ୟ କରୁଛନ୍ତି । ଏମାନଙ୍କର ପ୍ରଚାରତନ୍ତ୍ର ଓ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ଅଛି । ଯଦି ଓଡ଼ିଶାର ଫୁଲବାଣୀ ଜିଲ୍ଲାର ନିକାଞ୍ଚ ଗ୍ରାମୀଣ କ୍ଷେତ୍ରରେ କୌଣସି କାରଣରୁ ଅନୁସୂଚୀତ ଜନଜାତି ଉପରେ ହିଂସା ହେଉଛି ତେବେ ସେଦିନ ସନ୍ଧ୍ୟାରେ ଭାରତର ନ୍ୟୁଜ କ୍ଲିକ୍ ପରି କେତେକ ଗଣମାଧ୍ୟମରେ ଏହି ପ୍ରସାରିତ ହେଉଛି । ପରଦିନ ସକାଳେ ଏହି ସମ୍ବାଦ ୱାସିଂଟନ ପୋଷ୍ଟରେ ସଚିତ୍ର ପ୍ରକାଶ ପାଉଛି ଯେ ଭାରତରେ ସଂଖ୍ୟାଲଘୁ ଓ ଅସବର୍ଣ୍ଣମାନେ କିପରି ଅତ୍ୟାଚାରିତ ହେଉଛନ୍ତି । ଏହି ଇକୋସିଷ୍ଟମର ପ୍ରଚାରତନ୍ତ୍ର ସର୍ବଦା ଭାରତ ବିରୋଧରେ ଦୁଷ୍ପ୍ରଚାର କରି ମୋଦୀଙ୍କୁ ଟାର୍ଗେଟ କରୁଛି । ଭାରତର କେତେକ ବୁଦ୍ଧିଜୀବୀ, ଏନଜିଓ, ରାଜନୈତିକ ନେତା ଏହି ଦୁଃଷ୍ପ୍ରଚାରରେ ସାମିଲ ହୋଇ କାର୍ଯ୍ୟ କରୁଛନ୍ତି । ଏହି ଦୁଃଷ୍ପ୍ରଚାରର ପଟ୍ଟକଥାରେ ନକ୍ସଲମାନେ ନିରୀହ ଜନଜାତି, ସେମାନେ ନିଜ ଅଧିକାର ପାଇଁ ଭାରତରେ ସଂଘର୍ଷ କରୁଛନ୍ତି । କାଶ୍ମୀରରେ ପଥର ଫୋପାଡୁଥିବା ଯୁବକମାନେ ଅନ୍ୟାୟ ବିରୋଧରେ ଆକ୍ରୋଶ ପ୍ରଦର୍ଶନ କରୁଛନ୍ତି । ଜିହାଦୀ ଆଫଜଲ ଗୁରୁ ଜଣେ ଅଧ୍ୟାପକ ଓ ବୁରହାନୀ ଦାନୀ ଜଣେ ଶିକ୍ଷକଙ୍କ ନିରୀହ ପୁତ୍ର । କାଶ୍ମୀରରେ ହିନ୍ଦୁମାନଙ୍କ ନରସଂହାର ହିନ୍ଦୁବାଦୀ ସଙ୍ଗଠନମାନଙ୍କର ପ୍ରୋପାଗଣ୍ଡା ମାତ୍ର । ଭାରତର ସୈନିକମାନେ ଅତ୍ୟାଚାରୀ ଓ ବଳାତ୍କାରୀ । ଏହିପରି ବିଷୟଗୁଡିକ ଉପରେ ଆମେରିକାରେ ପ୍ରାୟ ୬୦,୦୦୦ ପୁସ୍ତକ ଏମାନେ ରଚନା କରିସାରିଲେଣି । ସେମିନାର ନିୟମିତ ଆୟୋଜନ କରାଯାଉଛି । ଏଥିରେ ରାହୁଳ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଛି । ରାହୁଳ ଗାନ୍ଧୀ ଯାଇ ସେଠାରେ ସେମାନଙ୍କ ଇକୋସିଷ୍ଟମରେ ସାମିଲ ହୋଇ ଭାରତବିରୋଧୀ ମନ୍ତବ୍ୟ ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ଏହି ଇକୋସିଷ୍ଟମ ଅଧିକ ତୀବ୍ର ଗତିରେ ଦେଖାଦେବ । କାରଣ ୨୦୨୪ ନିର୍ବାଚନରେ ଏମାନଙ୍କ ରଣନୀତି ଦେଶ ଭିତରେ ଓ ବାହାରେ ସୁଦୃଢ଼ ହେବ । ଏକମାତ୍ର ଲକ୍ଷ୍ୟ ଭାରତର କ୍ଷମତା ପରିବର୍ତ୍ତନ । ଭାରତର ଜାଗ୍ରତ ହୋଇଥିବା ସାଂସ୍କୃତିକ ଚେତନା ଓ ଜାଗ୍ରତ ସମାଜ ଏମାନଙ୍କ ପାଇଁ ବଡ ବିପଦ ।
    ଆଡଭୋକେଟ, ଖଟବିନସାହି, କଟକ
    ମୋ-୯୪୩୭୦୧୬୩୮୪
    -ଠ-

Leave a Reply