Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କ୍ୟୁବେକର ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କ୍ୟୁବେକର ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ


-ସୌମେନ୍ଦ୍ର ଜେନା-

ଗତ କିଛିଦିନ ହେବ ଗଣମାଧ୍ୟମଗୁଡିକରେ କ୍ୟୁବେକ୍‌ର ସ୍ୱାଧୀନତା ବିଷୟରେ ଅନେକ ଖବର ପ୍ରକାଶ ପାଇଛି । ଏପରିକି କାନାଡା ସରକାର ବିଚ୍ଛନ୍ନତାବାଦୀ ଖାଲିସ୍ଥାନୀଙ୍କୁ ସମର୍ଥନ କରି ଯେପରି ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପ୍ରୋତ୍ସାହନ ଦେଉଛି ଠିକ୍ ସେମିତି ଭାରତ ସରକାର କାନାଡାର କ୍ୟୁବେକ୍ ପ୍ରଦେଶରେ ଦୀର୍ଘ ଦିନଧରି ଚାଲିଆସିଥିବା ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ ପ୍ରଦାନ କରି ଆର୍ôଥକ ସହାୟତା ମଧ୍ୟ କରିବା ଦରକାର ବୋଲି ମତ ପ୍ରକାଶ ପାଉଛି । 
ଦେଖିବାକୁ ଗଲେ କ୍ଷେତ୍ରଫଳ ଦୃଷ୍ଟିରୁ ରୁଷିଆ ପରେ କାନାଡା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର । କିନ୍ତୁ ଏହାର ଜନସଂଖ୍ୟା ମାତ୍ର ପାଖାପାଖି ଚାରିକୋଟି । ପ୍ରଧାନମନ୍ତ୍ରୀ ଦେଶର ନିର୍ବାଚିତ ସରକାରର ମୁଖ୍ୟ ହୋଇଥିଲେ ମଧ୍ୟ ଦେଶର ଗଭର୍ଣ୍ଣର ଜେନେରାଲ ବ୍ରିଟେନ ରାଜସତ୍ତାର ପ୍ରତିନିଧି ଭାବେ କାର୍ଯ୍ୟ କରିଥାନ୍ତି । କାନାଡା ସରକାର ବ୍ରିଟେନର ରାଜସତ୍ତାକୁ ମାନ୍ୟତା  ପ୍ରଦାନ କରିଛନ୍ତି । କାନାଡା ରାଷ୍ଟ୍ରର ନାମ ଠିକ୍ କୋଲ୍‌କାତା ସହରର ନାମକରଣ ପରି ଏକ ଗ୍ରାମର ନାମକୁ କେନ୍ଦ୍ରକରି ହୋଇଛି । କାନାଡା ଶବ୍ଦଟି ହୁରୋନ ଇରୋକ୍ୟୋଇସ୍ କାନାଡା (ଗ୍ରାମ ବା ବାସସ୍ଥଳୀ)ରୁ ଆସିଛି । ୧୬ଶ ଶତାବ୍ଦୀରେ ଫ୍ରାନ୍ସର ଆବିଷ୍କାରକ ଜାକ୍ୱେସ କାର୍ଟର କ୍ୟୁବେକ୍ ସହର ଆଖପାଖର ଅଞ୍ଚଳକୁ ନେଇ ନାମକରଣ କରିଥିଲେ । ପରେ ନିଉ ଫ୍ରାନ୍ସ ପାଇଁ ଏହି ନାମ ୧୫୩୪ରୁ ୧୭୬୩ ପର୍ଯ୍ୟନ୍ତ ବ୍ୟବହାର ହୋଇଥିଲା । ସେଣ୍ଟ ଲରେନ୍ସ ନଦୀ ଏବଂ ଗ୍ରେଟ ଲେକ୍‌ର ନିକଟବର୍ତ୍ତୀ ଫ୍ରାନ୍ସ ଅଧିକୃତ ଅଞ୍ଚଳ ନିମନ୍ତେ ଏହି ନାମର ବ୍ୟବହାର ହୋଇଥିଲା । କିନ୍ତୁ ଇଂରେଜମାନେ ନିଉ ଫ୍ରାନ୍ସକୁ ଦଖଲ କରିନେବା ପରେ କାନାଡା ବଦଳରେ କ୍ୟୁବେକ୍ ନାମକୁ କିଛି କାଳ ବ୍ୟବହାର କଲାପରେ ୧୭୯୧ପରେ କାନାଡା ନାମକୁ ବ୍ୟବହାର କଲେ । ସେହି ବର୍ଷ ବ୍ରିଟେନ ସରକାର କ୍ୟୁବେକ୍‌କୁ ବିଭାଜନ କରି ଉର୍ଦ୍ଧ୍ୱ ଏବଂ ନିମ୍ନ କାନାଡା ନାମଦେଲେ, ଯାହା ପରେ ୧୮୪୧ରେ କାନାଡା ୱେଷ୍ଟ ଏବଂ କାନାଡା ଇଷ୍ଟ ନାମରେ ପରିଚିତ ହେଲା । ୧୮୬୭ରେ ବ୍ରିଟିସ ଉତ୍ତର ଆମେରିକା ଆଇନ ବଳରେ ନୋଭା ସ୍କଟିଆ, ନ୍ୟୁ ବ୍ରୁନ୍ସୱିକ ଏବଂ କାନାଡା ଉପନିବେଶକୁ ମିଶାଇ କାନାଡା ରାଷ୍ଟ୍ର ଗଠନ କଲେ । ଏହି ଆଇନରେ ପୁରୁଣା କାନାଡାକୁ ଓଣ୍ଟାରିଓ ଏବଂ କ୍ୟୁବେକ୍ ରାଜ୍ୟରେ ବିଭାଜିତ କରିଥିଲେ ।  କାନାଡା ରାଷ୍ଟ୍ର  ଗଠନ ପରେ ଅନେକ ବିଷୟ ସ୍ଥାନୀୟ ସରକାରଙ୍କ ଦାୟିତ୍ୱରେ ରହିଲା । ହେଲେ ଆନ୍ତର୍ଜାତିକ କୂଟନୀତି ଏବଂ ପ୍ରତିରକ୍ଷା ମେଣ୍ଟ କେବଳ ବ୍ରିଟେନ ସରକାରଙ୍କ ହାତରେ ରହିଲା । ୧୯୩୧ରେ କାନାଡାକୁ ବ୍ରିଟିସ ସରକାରଙ୍କ ଅଧିନରେ ସ୍ୱାୟତ୍ତତା ପ୍ରଦାନ କରାଯିବାବେଳେ ୧୯୮୨ରେ ହିଁ କାନାଡାକୁ ନିଜର ସମ୍ବିଧାନ ସଂଶୋଧନ କରିବାକୁ କ୍ଷମତା ପ୍ରଦାନ କରାଯାଇଥିଲା । ଆମେରିକା ସହ କାନାଡାର ୮୮୯୦ କିଲୋମିଟର ଦୀର୍ଘ ସୀମା ରହିଛି । କାନାଡାର ଇଂରେଜୀ ଭାଷାଭାଷୀ ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ବ୍ରିଟେନ ସହ ସାମଞ୍ଜସ୍ୟ ରଖେ । କିନ୍ତୁ କ୍ୟୁବେକ୍ ଅଞ୍ଚଳରେ ଫ୍ରାନ୍ସର ଭାଷା ଓ ପ୍ରଶାସନିକ ବ୍ୟବସ୍ଥା ପ୍ରଚଳିତ ।  କ୍ୟୁବେକର ଧର୍ମ, ସ୍ଥାପତ୍ୟ, ବିଦ୍ୟାଳୟ ଶିକ୍ଷାରେ ଫ୍ରାନ୍ସର ପ୍ରଭାବ ଦେଖିବାକୁ ମିଳିଥାଏ । ସଡକର ଫଳକ, ବସ୍ତୁର ପ୍ୟାକେଟ ଏବଂ ସ୍ଥାନର ନାମ  ଉଭୟ ଫ୍ରେଞ୍ଚ ଏବଂ ଇଂରାଜୀରେ ଲେଖାଯିବାର ଦେଖିବାକୁ ମିଳେ । 
ଆଦିମ କାଳରୁ ବନବାସୀମାନେ କାନାଡାର ମୂଳ ଅଧିବାସୀଭାବେ ରହିଆସିଥିଲେ । ୧୬ଶ ଶତାବ୍ଦୀ ବେଳକୁ ଫ୍ରାନ୍ସ ଏବଂ ବ୍ରିଟେନର ଲୋକେ ଆଟଲାଣ୍ଟିକ ମହାସାଗର ଉପକୂଳ ଅଞ୍ଚଳ ଦଖଲ କରି ନିଜର ଉପନିବେଶ ପ୍ରତିଷ୍ଠା କଲେ । ଏମାନଙ୍କ ମଧ୍ୟରେ ବାରମ୍ବାର ସଂଘର୍ଷ ହେଉଥିଲା । ୧୭୬୩ରେ ଫ୍ରାନ୍ସ ଏହାର ପ୍ରାୟ ସବୁ ଉପନିବେଶଗୁଡିକୁ ଉତ୍ତର ଆମେରିକାରେ ସାମିଲ କରିଦେଇଥିଲା ।    ୧୮୬୭ରେ ବ୍ରିଟେନର ତିନୋଟି ଉତ୍ତର ଆମେରିକାର ଉପନିବେଶକୁ ମିଶାଇ କାନାଡାର ଗଠନ କରାଯାଇଥିଲା ।  କାନାଡାର ନିର୍ବାଚନ ଆମେରିକା ପରି ପ୍ରତି ଚାରିବର୍ଷରେ ଥରେ ଅକ୍ଟୋବର ମାସରେ ହିଁ ହୋଇଥାଏ । ଗଭର୍ଣ୍ଣର ଜେନେରାଲ ସାଧାରଣ ନିର୍ବାଚନ ଘୋଷଣା କରିଥାନ୍ତି । ବ୍ରିଟେନର ରାଜା ହିଁ କାନାଡାର ରାଜା । କ୍ଷେତ୍ରଫଳ ଦୃଷ୍ଟିରୁ କ୍ୱିବେକ ରାଜ୍ୟ ବଡ, ଫ୍ରେଞ୍ଚ ଭାଷାଭାଷୀ ଅଧ୍ୟୁଷିତ ଏବଂ ସମୁଦ୍ରର କୂଳରେ ଅବସ୍ଥିତ । କ୍ୟୁବେକବାସୀ ଆଜିଯାଏଁ ସାଂସ୍କୃତିକ ଓ ରାଜନୈତିକ ଦୃଷ୍ଟିରୁ କାନାଡା ସହ ମିଶିପାରିନାହାନ୍ତି । ସେଥିପାଇଁ ଭିନ୍ନ ଭିନ୍ନ ସମୟରେ ସେମାନେ କାନାଡାରୁ ଅଲଗା ହୋଇ ଫ୍ରେଞ୍ଚଭାଷୀ ରାଷ୍ଟ୍ରଗଠନ କରିବା ପାଇଁ ଆନ୍ଦୋଳନ କରିଆସିଛନ୍ତି । ଅତୀତରେ ଦୁଇଥର ଏଥିପାଇଁ ଗଣଭୋଟ କରାଯାଇଥିଲା । ଶେଷ ଗଣଭୋଟ ୧୯୯୫ରେ ହୋଇଥିଲା । ଅଳ୍ପ କେଇ ହଜାର ଭୋଟର ଅଭାବ ଯୋଗୁ କ୍ୟୁବେକ୍ ସ୍ୱାଧୀନତା ଲାଭ କରିପାରିଲା ନାହିଁ । କିନ୍ତୁ ସ୍ୱାଧୀନ କ୍ୟୁବେକ୍ ଗଠନର ଦାବି ଏବଂ ସଂଗ୍ରାମ ଶେଷ ହୋଇନାହିଁ , ଆଜି ମଧ୍ୟ ଜାରି ରହିଛି, ଯେଉଁ ସଂଗ୍ରାମକୁ ସମର୍ଥନ କରି ଭାରତ କାନାଡାକୁ ନିୟନ୍ତ୍ରଣ କରିପାରିବ ବୋଲି କୁହାଯାଉଛି । କ୍ୱିବେକ ଜାତୀୟତାବୋଧରୁ କ୍ୱିବେକ ସ୍ୱାଧୀନତା ସଂଗ୍ରାମର ଜନ୍ମ । ୧୯୬୦ ଦଶକରେ ରାଜନୈତିକ ସ୍ୱାୟତ୍ତତା ଦାବିରୁ ଏହାର ସୃଷ୍ଟି । ଉତ୍ତର ଆମେରିକାରେ ୧୫୩୪ରୁ ଜାକ୍ୱେସ କାର୍ଟର ଫ୍ରାନ୍ସରୁ ଆସି ମିକ୍‌ମାକୀ ଜିଲ୍ଲାରେ ପହଞ୍ôଚବା  ପରଠାରୁ ଏବଂ ୧୬୦୮ରେ ସାମୁଏଲ ଡେ କାମ୍ପେଲନ୍‌ଙ୍କ ଦ୍ୱାରା କ୍ୱିବେକ୍ ଜନବସତି ସ୍ଥାପନରୁ କ୍ୱିବେକର   ସୃଷ୍ଟି । ନିଉ ଫ୍ରାନ୍ସ ଅଞ୍ଚଳକୁ ବ୍ରିଟିସ ସେନା ଦଖଲ କରିବା ପରେ ଫ୍ରାନ୍ସ ମୂଳର କାନାଡାବାସୀଙ୍କ ସାଂସ୍କୃତିକ ଅଧିକାରକୁ ୧୭୬୩ରେ ଉଚ୍ଛେଦ କରାଯାଇଥିଲା । ୧୭୭୪ରେ କ୍ୱିବେକ୍ ଆଇନରେ କିଛିଟା ଅଧିକାର ଦେବାକୁ ଘୋଷଣା କରାଯାଇଥିଲେ ମଧ୍ୟ ତାହା ବାସ୍ତବରେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ତେଣୁ ୧୭୮୩ରେ ପ୍ୟାରିସ ଚୁକ୍ତି ଅନୁଯାୟୀ କ୍ୱିବେକର କିଛି ଅଂଶ ଆମେରିକାରେ ମିଶିଥିଲା ଏବଂ ସାମ୍ବିଧାନିକ ଆଇନ ୧୭୯୧ରେ ୱେଷ୍ଟ ମିନିଷ୍ଟର ପ୍ରଶାସନିକ ବ୍ୟବସ୍ଥାକୁ କ୍ୱିବେକରେ ଲାଗୁ କରାଯାଇଥିଲା । ଉନବିଂଶ ଶତାବ୍ଦୀର ଆରମ୍ଭରେ ଦି ପାଟ୍ରିଓଟୋ ମୁଭମେଣ୍ଟ (ଦେଶଭକ୍ତ ଆନ୍ଦୋଳନ) ଆରମ୍ଭ ହୋଇ ୧୮୩୮ ପର୍ଯ୍ୟନ୍ତ ଚାଲିଥିଲା । ପରେ ୧୯୬୦ ଦଶକରେ କ୍ୱିବେକ୍ ସ୍ୱାଧୀନତା ପାଇଁ ଆନ୍ଦୋଳନ ଜୋର ଧରିଲା । ୨୫ ଜାନୁଆରୀ ୧୯୫୭ରେ ରେମଣ୍ଡ ବାର୍ବେଭଙ୍କ ଦ୍ୱାରା ଆଲିଆନ୍ସ ଲରେନ୍‌ଣ୍ଟିଏନ୍ନେ ଆରମ୍ଭ ହେଲା ।  ୧୦ ସେପ୍ଟେମ୍ବର ୧୯୬୦ରେ ରିନ୍ ନାମକ ସଂଗଠନ ଜନ୍ମନେଲା, ଯାହାର ନେତା ପିରେ ବୋରଗଲ୍ଟ ରହିଲେ । ୯ଅଗଷ୍ଟ ୧୯୫୭ରେ ରାଓଲରୟ ଏସିକ୍ ସଂଗଠନ ଆରମ୍ଭ କଲେ । ୩୧ ଅକ୍ଟୋବର ୧୯୬୨ରେ କ୍ୱିବେକବାସୀଙ୍କ ଅଧିକାରର ସୁରକ୍ଷା, ନାଗରିକ ଶୋଷଣ ବିରୁଦ୍ଧରେ ଲଢିବା ନିମନ୍ତେ ସ୍ଥିର ହେଲା । କ୍ୱିବେକ ସାଧାରଣ ନିର୍ବାଚନପରେ ୧୪ନଭେମ୍ବର ୧୯୬୨ରେ ମାର୍ଶେଲ ଚାପୁଟ ନୂଆ ଏକ ରାଜନୈତିକ ଦଳ ପାର୍ଟି ‘ରିପବ୍ଲିକାନ ଡୁ କ୍ୱିବେକ୍‌’ ସ୍ଥାପନା କଲେ, ଯାହା ଅଧିକ ଦିନ ଚାଲିପାରିଲା ନାହିଁ । ଫେବୃଆରୀ ୧୯୬୩ରେ ଫ୍ରଣ୍ଟ ଡେ ଲିବରେସନ ଡୁ କ୍ୱିବେକ୍ (ଏଫ୍‌ଏଲ୍‌କ୍ୟୁ) ସଂଗଠନ ଜର୍ଜେସ ସ୍କୋଏଟର୍ସ, ରେମଣ୍ଡ ଭିଲ୍ଲେନୁଭେ ଏବଂ ଗାବ୍ରିଏଲ ହୁଡନଙ୍କ ଦ୍ୱାରା ସ୍ଥାପନା ହେଲା । ଜୁନ୍ ୧୯୬୭ରେ ଫ୍ରାନ୍ସର ରାଷ୍ଟ୍ରପତି ଚାର୍ଲସ ଡେ ଗଲ୍ ଆଲଜେରିଆକୁ ସ୍ୱାଧୀନତା ପ୍ରଦାନ କଲେ । ସେ କାନାଡା ଗସ୍ତରେ ମଣ୍ଟ୍ରିଲକୁ ଆସିଥିବାବେଳେ ‘ଭିଭେ ଲେ କ୍ୱିବେକ୍ ଲିବରେ’ (କ୍ୱିବେକର ମୁକ୍ତି) ପାଇଁ ଆହ୍ୱାନ ଦେଲେ । ୧୯୬୯ରେ ଏଫ୍‌ଏଲକ୍ୟୁ ସଂଗଠନ ସଂଘର୍ଷର ଆହ୍ୱାନରେ ଯେଉଁ ଆନ୍ଦୋଳନ ଚଳାଇଲା ତାକୁ ‘ଅକ୍ଟୋବର ସମସ୍ୟା’ କୁହାଯାଇଥାଏ । ସେତେବେଳେ ମଣ୍ଟ୍ରିଲର ଷ୍ଟକ୍ ଏକ୍ସଚେଞ୍ଜ, ବ୍ରିଟେନର ବାଣିଜ୍ୟିକ ଅଧିକାରୀ ଜେମ୍ସ କ୍ରସ୍ ଏବଂ କ୍ୱିବେକ୍ ଶ୍ରମମନ୍ତ୍ରୀ ପିରେ ଲାପୋଟେଙ୍କୁ ଅପହରଣ କରି ନିଆଗଲା । ପରେ ଲାପୋଟେଙ୍କୁ ମୃତାବସ୍ଥାରେ ମିଳିଥିଲେ ।
୧୯୭୦ର ସାଧାରଣ ନିର୍ବାଚନରେ ପାର୍ଟି କ୍ୱିବେକୋଇସକୁ ନେସନାଲ ଆସେମ୍ଲିରେ ୭ଟି ଆସନ ମିଳିଲା । ୧୯୭୬ ନିର୍ବାଚନରେ ଏହି ଦଳ ୭୧ଟି ଆସନ ଲାଭକରି ନେସନାଲ ଆସେମ୍ଲିରେ ସଂଖ୍ୟା ଗରିଷ୍ଠତା ଲାଭ କଲା । ଜୁନ୍ ୧୯୭୯ରେ କ୍ୱିବେକରେ ଗଣଭୋଟ ପାଇଁ ଦାବି ହେଲା । କିନ୍ତୁ ୧୯୮୦ରେ ୬୦ ପ୍ରତିଶତ ଭୋଟରଙ୍କ ଦ୍ୱାରା ତାହା କାଟ ଖାଇଗଲା । ୧୯୮୧ରେ ପିକ୍ୟୁ ଦଳ ୮୦ ଆସନରେ ବିଜୟୀ ହେଲା । ହେଲେ ବରିଷ୍ଠ ନେତା ରେନେ ଲେଭେସ୍କୁଙ୍କର ୧୯୮୭ରେ ମୃତ୍ୟୁପରେ କ୍ୱିବେକ ଆନ୍ଦୋଳନ ଦୁର୍ବଳ ହେଲା, ଲିବରାଲ ପାର୍ଟିଠାରୁ ନିର୍ବାଚନରେ ପିକ୍ୟୁ ଦଳ ପରାଜିତ ହେଲା । କିନ୍ତୁ ୧୯୯୫ରେ ପୁନର୍ବାର ଗଣଭୋଟ ହେଲା । ଏହି ଭୋଟଦାନରେ କ୍ୱିବେକକୁ ଆସିଥିବା ବାହାରଲୋକେ ସ୍ୱାଧୀନତା ବିରୁଦ୍ଧରେ ମତଦେବା ଯୋଗୁ ୫୬.୬-୪୯.୪ ପ୍ରତିଶତ ମତରେ ପ୍ରସ୍ତାବ କାଟ ଖାଇଗଲା । ୧୯୯୮ ସାଧାରଣ ନିର୍ବାଚନ ବେଳେ ମଧ୍ୟ ଏହି ବିଷୟ ପୁନର୍ବାର ଉଠିଲା । ୧୯୯୮ରେ କାନାଡାର ସଂସଦ ପ୍ରଧାନମନ୍ତ୍ରୀ ଜେନ୍ ଚ୍ରେଷ୍ଟିୟେନଙ୍କ ନେତୃତ୍ୱରେ କ୍ଲାରିଟୀ ଆକ୍ଟ ଆଣିଲା,ଯେଉଁଥିରେ କୌଣସି ପ୍ରଦେଶ ଅଲଗା ହେବାକୁ ଚାହିଁଲେ ହୋଇପାରିବ ବୋଲି ପ୍ରସ୍ତାବ ରହିଥିଲା । ଜୁନ୍‌୍ ୨୦୦୯ରେ ଯେଉଁ ସର୍ବେକ୍ଷଣ ହୋଇଥିଲା ସେଥିରେ ବହୁସଂଖ୍ୟକ ଲୋକେ ସ୍ୱାଧୀନତା ସପକ୍ଷରେ ମତ ଦେଇଥିଲେ । ୨୦୨୧ରେ ଫ୍ରାଙ୍କୋଇସ ଲିଗଣ୍ଟଙ୍କ କୋଆଲିସନ ଏଭେନିର କ୍ୱିବେକ ପକ୍ଷରୁ ପ୍ରଦେଶରେ ଫ୍ରେଞ୍ଚ ଭାଷାକୁ ଏକମାତ୍ର ପ୍ରଶାସନିକ ଭାଷା କରିବା ପାଇଁ ଦାବିହେଲା  ଯାହା ୨୮୧-୨ମତରେ ଗୃହୀତ ହୋଇଥିଲା । କ୍ୱିବେକ ସ୍ୱାଧୀନତାକୁ କେନ୍ଦ୍ର କରି ଅନେକ ସିନେମା ଓ ସିିରିଏଲ ନିର୍ମିତ ହୋଇଛି,  ଉପନ୍ୟାସ ମଧ୍ୟ ପ୍ରକାଶ ପାଇଛି । ୱିଲିୟମ୍ ୱେନଟ୍ରାବଙ୍କ ଦି ଅଣ୍ଡର ଡଗ୍ (୧୯୭୯), କ୍ଲାଇଭ କୁସେଲରଙ୍କ ନାଇଟ ପ୍ରୁଭ (୧୯୮୪), ଡାଭିଡ ଫୋଷ୍ଟର ୱାଲେସଙ୍କ ‘ଇନ୍‌ଫନାଇଟ୍ ଜେଷ୍ଟ’, ହାରୀ ଟର୍ଟେଲଡୋଭଙ୍କ ଟସାଉଦର୍ଣ୍ଣ ଭିକ୍ଟ୍ରୀ ସିରିଜଟ, ମାର୍ଗାରେଟ ଅଟଉଡ୍‌ଙ୍କ ‘ଲାଇଫ୍ ବିଫୋର ମ୍ୟାନ’ (୧୯୭୯), ମରିସ ଡାଣ୍ଟେକ୍‌ଙ୍କ ‘ବାବିଲୋନ ବେବିଜ୍‌’ (ହାରୀ ଟର୍ଟେଲଡୋଭଙ୍କ କିଶୋର ଉପନ୍ୟାସ ଦି ଡିସୟୁନାଇଟେଡ୍ ଷ୍ଟେଟସ ଅଫ୍ ଆମେରିକା ଆଦିରେ କ୍ୱିବେକ୍ ସ୍ୱାଧୀନତାର ବିଷୟ ସ୍ଥାନ ପାଇଛି । ସ୍କଟ ରିଡଙ୍କ ପୁସ୍ତକ କାନାଡା ରିମ୍ୟାପଡ୍ : ହାଓ ଦି ପାର୍ଟିସନ୍ ଅଫ୍ କ୍ୱିବେକ୍ ୱିଲ ରିସେପ୍ ଦି ନେସନ (୧୯୯୨)ରେ କ୍ୱିବେକର କାନାଡାଠାରୁ ସ୍ୱାଧୀନତା ଲାଭ କରିବା ଓ ପ୍ରଶାସନ ଚାଲିପାରିବାର ବର୍ଣ୍ଣନା ରହିଛି । 
କ୍ୱିବେକ୍‌ର ସ୍ୱାଧୀନତାକୁ ଆନ୍ତର୍ଜାତିକ ମଞ୍ଚରେ ଭାରତ ସମର୍ଥନ କଲେ କାନାଡାର ସରକାର ଚାପରେ ରହିବେ । ଭାରତମୂଳର ଲୋକେ କ୍ରମଶଃ ଅଧିକ କ୍ୱିବେକରେ ବାସକରି ସେଠାକାର ଜନସଂଖ୍ୟାରେ ନିଜର ଅଂଶବୃଦ୍ଧି କରିବା ସହ କ୍ୱିବେକର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇପାରିବେ । ଫ୍ରାନ୍ସ ସହ ଭାରତର ଉତ୍ତମ ସଂପର୍କ ଦୃଷ୍ଟିରୁ ଫ୍ରେଞ୍ଚଭାଷୀ ଏବଂ ଭାରତମୂଳର ଲୋକଙ୍କ ମେଣ୍ଟ ସୁଦୃଢ ହେଲେ କ୍ୱିବେକ୍ ଗଣଭୋଟର ପରିବର୍ତ୍ତନ ଆଣିବା ସମ୍ଭବ ହେବ । 

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩

Leave a Reply