Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତ୍ୟାଗ ଓ ସେବାର ଅନ୍ୟନାମ ଗୋପବନ୍ଧୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତ୍ୟାଗ ଓ ସେବାର ଅନ୍ୟନାମ ଗୋପବନ୍ଧୁ

-ଚିତ୍ତରଞ୍ଜନ ପୃଷ୍ଟି-

ସେବାକୁ ଜୀବନର ଚରମ ବ୍ରତ ଭାବେ ଗ୍ରହଣ କରି ଜନକଲ୍ୟାଣରେ ନିଜକୁ ଉତ୍ସର୍ଗ କରିଥିବା କେତେଜଣ ମହାମାନବଙ୍କ ମଧ୍ୟରେ ଗୋପବନ୍ଧୁ ଥିଲେ ଅନ୍ୟତମ । ଓଡ଼ିଆ ଅସ୍ମିତା ତଥା ଗର୍ବ ଓ ଗେ?ରବର ପ୍ରତୀକ ତଥା ଉତ୍କଳର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ପିତା ଦୈତାରି ଦାସ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଯୋଗଜନ୍ମା ଉତ୍କଳର ମଉଡ଼ମଣି ଗୋପବନ୍ଧୁ ଦାସ । ଜନ୍ମର ଅଳ୍ପ ଦିନ ମଧ୍ୟରେ ମାତା ସ୍ୱର୍ଣ୍ଣମୟୀଙ୍କର ଅକାଳ ବିୟୋଗ ଘଟିଥିଲା । ଦୈତାରିଙ୍କ ବିଧବା ଭଉଣୀ କମଳାଦେବୀ ଗୋପବନ୍ଧୁଙ୍କ ଲାଳନପାଳନ ଦାୟିତ୍ୱ ନେଇଥିଲେ ।ଗୋପବନ୍ଧୁ ନିଜର ବାଲ୍ୟଶିକ୍ଷା ନିଜ ଗ୍ରାମରେ ସମାପନ କରିଥିଲେ । ପରେ ୧୮୯୩ ମସିହାରେ ପୁରୀଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ ।ପୁରୀର ଦଇତାପଡା ସାହିର ମୁକ୍ତାର ରାମଚନ୍ଦ୍ର ଦାଶଙ୍କ ତତ୍ତ୍ୱାବଧାନରେ ଶିକ୍ଷାଲାଭ କଲେ । ଗୋପବନ୍ଧୁଙ୍କ ଜୀବନ ଉପରେ ରାମଚନ୍ଦ୍ରଙ୍କର ପ୍ରଭାବ ଖୁବ୍ ଗଭୀର ଭାବରେ ପଡ଼ିଥିଲା । ନିଜର ନିଷ୍ଠା, ଅଧ୍ୟବସାୟ ଯୋଗୁଁ ସେ ଜଣେ ଉତ୍ତମ ଛାତ୍ର ରୂପେ ବିବେଚିତ ହେଲେ । ଛାତ୍ର ଅବସ୍ଥାରୁ ସେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସେବାମୂଳକ ଗଠନାତ୍ମକ କାର୍ଯ୍ୟରେ ସର୍ବଦାଲିପ୍ତ ରହୁଥିଲେ । କେତେଜଣ ଛାତ୍ରବନ୍ଧୁମାନଙ୍କୁ ନେଇ ସେ ‘ପୁରୀ ସେବା ସମିତି’ ନାମରେ ଏକ ସ୍ୱଚ୍ଛାସେବୀ ଦଳ ଗଠନ କରିଥିଲେ । ରଥଯାତ୍ରାରେ ଯାତ୍ରୀମାନଙ୍କ ସୁବିଧା ଅସୁବିଧା, ହଇଜାରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ଶବସତ୍କାର ଏବଂ ରୋଗୀମାନଙ୍କର ସେବା ଶୁଶ୍ରୁଷା କରୁଥିଲେ । ଛାତ୍ରାଜୀବନରୁ ସେ ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କରିଥିଲେ । ରେଭେନ୍ସା କଲେଜରେ ପଢ଼ୁଥିବା ବେଳେ ଗୋପବନ୍ଧୁ ସଙ୍ଗସାଥୀମାନଙ୍କୁ ନେଇ କଟକରେ ଗୋଟିଏ ସମିତି ସ୍ଥାପନ କରିଥିଲେ । ଏହାର ନାମଥିଲା ‘କର୍ତ୍ତବ୍ୟ ବୋଧିନୀ\’ । ଏହି ସମିତି ଜରିଆରେ ସେ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ ।୧୯୦୯ ମସିହାରେ ସେ ସତ୍ୟବାଦୀର ବକୁଳ ଛୁରିଆନା କୁଞ୍ଜରେ ସ୍ଥାପନ କରିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ । ଏହା ଥିଲା ଏକ ମଣିଷ ତିଆରି କାରଖାନା ।ଛାତ୍ର ମାନଙ୍କୁ ସାଧାରଣ ଶିକ୍ଷା ଦିଆଯିବା ସଙ୍ଗେ ସଙ୍ଗେ ସେବାକାର୍ଯ୍ୟ ଏବଂ ବୃତ୍ତି ଭିତିକ ଶିକ୍ଷା ପ୍ରଦାନ କରାଯାଉଥିଲା । ଗୋପବନ୍ଧୁ ମାନବ ସେବାକୁ ମାଧବ ସେବା ବୋଲି ଭାବୁଥିଲେ । ନିଜକୁ ସ୍ୱର୍ଦା ଦରିଦ୍ର ନାରାୟଣଙ୍କ ସେବାରେ ନିୟୋଜିତ କରୁଥିଲେ । ଉତ୍କଳକୁ ସେ ଏକ ପରିବାର ଏବଂ ଉତ୍କଳ ବାସୀଙ୍କୁ ସେ ନିଜର ଭାଇ ବନ୍ଧୁ କୁଟୁମ୍ବ ବୋଲି ମନେ କରୁଥିଲେ । ସମସ୍ତଙ୍କ ମୁଖରେ ହସ ଫୁଟାଇବା ପାଇଁ ନିଜ ଜୀବନକୁ ତିଳ ତିଳ କରି ପ୍ରଜ୍ଜ୍ୱଳିତ କରିଥିଲେ । ସେବା ଓ ତ୍ୟାଗ ଥିଲା ତାଙ୍କ ଜୀବନର ବଞ୍ଚିବାର ପ୍ରକୃତ ମାର୍ଗ । କର୍ମହିଁ ଜୀବନର ମାନଦଣ୍ଡ । କର୍ମହିଁ ଶାଶ୍ୱତ ଏବଂ ଚିରନ୍ତନ ଏ କଥାକୁ ଗୋପବନ୍ଧୁ ମର୍ମେ ମର୍ମେ ଅନୁଭବ କରୁଥିଲେ । ଏହାକୁ ସେ ନିଜର କବିତା ମାଧ୍ୟମରେ ଦର୍ଶାଇଥିଲେ । \”ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଜୀଏଁ ନର କର୍ମ ଏକା ତା\’ର ଜୀବନର ମାନଦଣ୍ଡ ।’ ସେବା,ସଂଗ୍ରାମ, ସଂସ୍କାର, ସ୍ନେହ, କରୁଣା ଓ ତ୍ୟାଗର ପ୍ରତୀକ ଥିଲେ ଉତ୍କଳର ମଉଡ଼ ମଣି ଗୋପବନ୍ଧୁ ଦାସ । ଓଡିଆ ଭାଷା ସାହିତ୍ୟ ଓ ଜାତୀୟ ଜୀବନରେ ସତେ ଯେପରି ସେ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସରଳ ଜୀବନଯାପନ ଓ ପରୋପକାର ଥିଲା ତାଙ୍କ ଜୀବନର ଆଦର୍ଶ । ଦେଶ, ଜାତି, ସମାଜ କଥା ସର୍ବଦା ଚିନ୍ତା କରୁଥିଲେ ।ନିଃସ୍ୱାର୍ଥପର ସେବାପାଇଁ ତାଙ୍କୁ \”ଉତ୍କଳମଣି\” ଉପାଧିରେ ସମ୍ମାନିତ କରାଯାଇଥିଲା । ବନ୍ୟା , ଦୁର୍ଭିକ୍ଷ, ମହାମାରୀ ଆଦି ଅନେକ ବିପତ୍ତି ବେଳେ ସାଧାରଣ ଜନତାଙ୍କ ସେବା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।ଏମିତିକି ସେ ନିଜର ପିତାମାତା, ପୁତ୍ର, ପତ୍ନୀ ସମସ୍ତଙ୍କୁ ହରାଇ ମଧ୍ୟ ସେବାର ମାର୍ଗରୁ ବିଚ୍ୟୁତ ହୋଇନଥିଲେ । ଗୋପବନ୍ଧୁ ମାନବସେବା, ଶିକ୍ଷା, ସାହିତ୍ୟ, ଦେଶସେବା ସବୁ କ୍ଷେତ୍ରରେ ଥିଲେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ । ଗାନ୍ଧିଜୀଙ୍କ ଭଳି ସେ ଥିଲେ ସତ୍ୟାଗ୍ରହୀ, ସଂଗ୍ରାମୀ ଓ ଦେଶସେବକ । ଗୋପବନ୍ଧୁ ଥିଲେ ଅହିଂସାର ପୂଜାରୀ । ଗାନ୍ଧୀଙ୍କ ନୀତିର ସେ ଦୃଢ଼ ପ୍ରଚାରକ ଥିଲେ । ଅହିଂସା ମାଧ୍ୟମରେ ହିଁ ସ୍ୱାଧୀନତା ମିଳିପାରିବ ଏହାର ତାଙ୍କର ବିଶ୍ୱାସ ଥିଲା ।ଗୋପବନ୍ଧୁ ଦାସ ଏକାଧାରରେ ଥିଲେ ଜଣେ ଶିକ୍ଷକ, ସଂସ୍କାରକ,ଦାର୍ଶନିକ, ସେବକ, ଲେଖକ, ଏବଂ ରାଜନୀତିଜ୍ଞ । ସେ ଥିଲେ ଉଦାର ହୃଦୟର ବ୍ୟକ୍ତି ।ଧନ ଓ କ୍ଷମତାଠାରୁ ଗୋପବନ୍ଧୁ ସାଧୁତା ଚାରିତ୍ରବତାକୁ ଅଧିକ ଗୁରୁତ୍ୱ ଦେଉଥିଲେ । ଗୋପବନ୍ଧୁ ବନ୍ୟାଞ୍ଚଳ ର ଦରିଦ୍ର ଜନତାଙ୍କର କରୁଣ ଚିତ୍କାରର ଅନ୍ତସ୍ୱରକୁ ଉପଲବ୍ଧି କରିଥିଲେ ।ଦେଶବାସୀଙ୍କ ହିତରେ ଏବଂ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ନିଜର ପୁତ୍ରକୁ ରୋଗ ଶଯ୍ୟାରେ ଛାଡ଼ିଦେଇ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କର ସେବା କରିବାପାଇଁ ଚାଲିଯାଇଥିଲେ । ୧୯୧୯ର ଦୁର୍ଭିକ୍ଷ ସମୟରେ ସେ ଲୋକମାନଙ୍କୁ ଯଥେଷ୍ଟ ସାହାଯ୍ୟ କରୁଥିଲେ । ଗୋପବନ୍ଧୁ ଥିଲେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଯୁଗ ପ୍ରବର୍ତ୍ତକ । ମହାତ୍ମା ଗାନ୍ଧିଙ୍କ ଆହ୍ୱାନରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ଭାରତର ମୁକ୍ତି ସଂଗ୍ରାମରେ ନିଜକୁ ଢାଳି ଦେଇଥିଲେ । ଜାତୀୟ କଂଗ୍ରେସର ଜାତୀୟ ଆନ୍ଦୋଳନ କୁ ଓଡ଼ିଶାର ପୁର ପଲ୍ଲୀରେ ପହଞ୍ଚାଇଥିଲେ ଗୋପବନ୍ଧୁ । ମଣିଷ ପାଣିଆରେ ସେ ଥିଲେ ପୁରୁଷୋତ୍ତମ । ଜୀବନକୁ ତିଳ ତିଳ କରି ଜନସେବାରେ ଉତ୍ସର୍ଗ କରିଥିଲେ । ଅହିଂସା ଓ ଅସହଯୋଗ ଆନ୍ଦୋଳନର ପ୍ରସାର ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ । ଦେଶ ତଥା ଜାତିର ମୁକ୍ତିପାଇଁ ସେ ଅନେକ ଥର କରାବରଣ କରିଥିଲେ । ଗୋପବନ୍ଧୁ ୧୯୨୮ ମସିହା ଜୁନ୍ ମାସ ୧୭ ତାରିଖରେ ଏ ଧରା ପୃଷ୍ଠରୁ ବିଦାୟ ନେଇ ସ୍ୱର୍ଗପଥର ଯାତ୍ରୀ ହୋଇଥିଲେ । ଉତ୍କଳ ମାତାର ଯୋଗ୍ୟତମ ସୁତ ନିର୍ଭୀକ ମହାପୁରୁଷ ଗୋପବନ୍ଧୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇଦେଇ ଇହଧାମ ତ୍ୟାଗ କଲେ । ଉତ୍କଳ ଜନନୀ ତା’ର ବରପୁତ୍ରକୁ ହରାଇଲା । ମାତ୍ର ୫୧ ବର୍ଷ ସ୍ୱଳ୍ପକାଳୀନ ଜୀବନ ସୀମା ଭିତରେ ସେ ଯେଉଁ କର୍ମ କରିଯାଇଛନ୍ତି, ତାହା ତାଙ୍କୁ ଚିର ଦିନ ପାଇଁ ଅମର କରି ରଖିବ । ସେ ଥିଲେ ଯଥାର୍ଥରେ ‘ଉତ୍କଳମଣି\’ ଏବଂ ଉତ୍କଳର ‘ନବଯୁଗର ଜନକ\’ । ମାନବ ସେବା ଯେ ମାଧବ ସେବା ଏକଥା ସେ ସମଗ୍ର ଜାତିକୁ ନିଜର ସେବା ଓ ତ୍ୟାଗ ମାଧ୍ୟମରେ ଶିଖାଇଦେଇଗଲେ ।ଆଜିର ଯୁବ ସମାଜ ଗୋପବନ୍ଧୁଙ୍କ ଜୀବନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପ୍ରଦର୍ଶିତ ପଥ ଅନୁସରଣ କଲେ ଓଡ଼ିଶା ବିକାଶ ପଥରେ ଯଥେଷ୍ଟ ଆଗେଇ ପାରିବ ।

ନିମାପଡା, ପୁରୀ

Leave a Reply