ଚିତ୍ତରଞ୍ଜନ ପୃଷ୍ଟି
ଓଡ଼ିଆ ହେଉଛି ଏକ ପାର୍ବଣ ପ୍ରିୟ ଜାତି । ପର୍ବପର୍ବାଣିକୁ ବାଦ ଦେଲେ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ତଥା ପାରମ୍ପରିକତାର ବୈଭବକୁ କଳ୍ପନା କରିବା ଅସମ୍ଭବ । ପର୍ବପର୍ବାଣି ଭିତରେ ଏକ ଜାତିର ଜାତୀୟ ଜୀବନ ପ୍ରତିବିମ୍ବିତ । ସୁତରାଂ ଚିନ୍ତାଶୀଳ, ଅଭିଜ୍ଞ , ସମାଜହିତୈଷୀ ମନୀଷୀବୃନ୍ଦ ଅତୀତରେ ସୁସ୍ଥ, ସଂହତ ସମାଜର ସ୍ୱପ୍ନକୁ ସାକାର କରିବାପାଇଁ ବୋଧହୁଏ ସୃଷ୍ଟି କରିଥିଲେ ଅଗଣିତ ପର୍ବପର୍ବାଣି ।ତେଣୁ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ।ଅନେକ ପର୍ବର ଅନ୍ତର୍ନିହିତ ମହତ୍ତ୍ୱ ସମଗ୍ର ମାନବ ଜଗତକୁ ଦେଇଥାଏ ଅମୂଲ୍ୟ ଦିଗ୍ ଦର୍ଶନ । ଓଡ଼ିଶାରେ ଅନୁଷ୍ଠିତ କିଛି ପ୍ୱର୍ ଧର୍ମଭିତିକ, କୃଷିଭିତିକ ,ସାମାଜିକ ଏବଂ ଐତିହାସିକ ସ୍ମୃତି ଉପରେ ଆଧାରିତ । ସେଥିମଧ୍ୟରୁ \”ଅକ୍ଷୟ ତୃତୀୟା\” ଅନ୍ୟତମ ।ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି \”ଅକ୍ଷୟ ତୃତୀୟା\” ବା ଅକ୍ଷି ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ ମଧ୍ୟରେ ସବୁଠାରୁ ଶୁଭତିଥି । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ । ଶୁଭଦିନ ମନେକରି ଅକ୍ଷିମୁଠି ଅନୁକୁଳ, ଗୃହନିର୍ମାଣ, ନିର୍ବନ୍ଧ, ବିବାହ,ବ୍ରତଉପନୟନ ପ୍ରଭୃତି ଶୁଭକର୍ମମାନ ଅନୁଷ୍ଠିତ ହୋଇଥାଏ । \”ଅକ୍ଷୟ ତୃତୀୟା\” ଏକ ସର୍ବଭାରତୀୟ କୃଷିଭିତ୍ତିକ ମୁଖ୍ୟ ପର୍ବ । ଆମ ଉତ୍କଳୀୟ ଜନଜୀବନରେ ସମସ୍ତ ପ୍ରକାରର ଶୁଭକାର୍ଯ୍ୟ ଆରମ୍ଭର ଦିନ ହେଉଛି \”ଅକ୍ଷୟ ତୃତୀୟା\” । ବିଶ୍ୱାସ ରହିଛି, ଏହି ଦିନ ସତ୍ୟଯୁଗର ପ୍ରାରମ୍ଭ ହେବା ସହ ଦେବତାମାନେ ଜୀବଜଗତର ବଞ୍ଚିବାର ମାଧ୍ୟମ କୃଷି କାର୍ଯ୍ୟକୁ ଏହିଦିନ ଆରମ୍ଭ କରି ମର୍ତ୍ତ୍ୟବାସୀ ମାନବମାନଙ୍କୁ କୃଷିଶିକ୍ଷା ପ୍ରଦାନ କରିଥିଲେ । ପରମବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କର ତଥା ଗୀତଗୋବିନ୍ଦର ରଚୟିତା ପବିତ୍ର ପ୍ରାଚୀ ଅବବାହିକାରେ ଜନ୍ମିତ ଶ୍ରୀଜୟଦେବଙ୍କର ଜୟନ୍ତୀ ଉତ୍ସବ ମଧ୍ୟ ଏହି ଦିବସରେ ପାଳିତ ହୋଇଥାଏ । କଥାରେ ଅଛି- ଯେ କୌଣସି ଶୁଭକାମ ଏହି ଦିନ ଆରମ୍ଭ କରାଗଲେ ବିନା ବିଘ୍ନରେ ତାହା ସଂପାଦିତ ହୋଇଥାଏ । ଉତ୍କଳୀୟଙ୍କ ପ୍ରାଣ ଶ୍ରୀଜଗନ୍ନାଥଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ରଥ ନିର୍ମାଣ କାମ, ଚନ୍ଦନ ଉତ୍ସବ, ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କର ରଥ କାମ ତଥା ରେବତୀ ମାଆଙ୍କ ସହ ତାଙ୍କର ବିବାହ ଉତ୍ସବ, କୃଷକମାନଙ୍କର ଅକ୍ଷିମୁଠି ଅନୁକୁଳ ଆଦି ସମସ୍ତ ମାଙ୍ଗଳିକ କାମ ପବିତ୍ର ଅକ୍ଷୟ ତୃତୀୟାରେ ପାଳିତ ହୋଇଥାଏ । କୃଷକର ବିହନ ମୁଠାକ ମାଆ ଧରିତ୍ରୀ କୋଳରେ ଅକ୍ଷୟ ଭାବେ ଧାରଣ କରି ଉତ୍ତମ ଉତ୍ପାଦନ ପ୍ରଦାନ ପାଇଁ ପ୍ରତ୍ୟେକ କୃଷିଜୀବୀ ପରିବାର ଏହି ଦିନିରେ ନିଷ୍ଠାର ସହ ଭୂମି ପୂଜନ କରିଥାନ୍ତି ।କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟ ମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣୀକୁ ଶଙ୍ଖ ହୁଳହୁଳି ଧ୍ୱନି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାନ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହି ଦିନ କୃଷକ ତା ଜମିରେ ବୀଜ ବପନ କରି ଭରପୁର ଅମଳର ଆଶା ରଖିଥାଏ ।ଧାନ ଆମ ରାଜ୍ୟର ମୁଖ୍ୟ ଫସଲ ହୋଇଥିବାରୁ ଅକ୍ଷିମୁଠି ହିସାବରେ ଧାନକୁ ମହାଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ଗ୍ରହଣ କରାଯାଇ ସେହିଦିନ ଧାନରେ ହିଁ ମୁଠି ଅନୁକୁଳ କରାଯାଏ । ଧାନବିହନ ବୁଣିବାର ପ୍ରକୃଷ୍ଟ ସମୟ ହେଉଛି ବୈଶାଖ ଶୁକ୍ଲ ତୃତୀୟା ଠାରୁ ସାବିତ୍ରୀ ଅମାବାସ୍ୟା ପର୍ଯ୍ୟନ୍ତ । ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଭଲ ଭାବେ ଖରାଟିଆ ଚାଷ ହେଲେ ଜମିରୁ ଘାସଲଟା ମରିଯାଏ । ଅନିଷ୍ଠକାରୀ ରୋଗ, ପୋକମାନଙ୍କର ବଂଶବୃଦ୍ଧି ପ୍ରତିହତ ହୋଇ ବାୟୁମଣ୍ଡଳରୁ ଅମ୍ଲଜାନ ଜମିରେ ପ୍ରବେଶ କରି ଫସଲର ଉପକାରୀ ଅଣୁଜୀବମାନଙ୍କ ବଂଶବିସ୍ତାର ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଖରାଟିଆ ଚାଷ ଦ୍ୱାରା ମାଟିର ସାନ୍ଧ୍ରତା କମିବା ସହ ଅମ୍ଲତ୍ୱ ହ୍ରାସ ଘଟେ ଓ ବର୍ଷା ଜଳଧାରଣ ଶକ୍ତି ବଢ଼େ । ଏହାଦ୍ୱାରା ମାଟିର ଆବଶ୍ୟକ ଉଷ୍ମତା ସୁରକ୍ଷିତ ରହେ ଓ ବ୍ୟବହୃତ ଖତ କମ୍ପୋଷ୍ଟ ଆଦି ମାଟିର ସବୁସ୍ତରରେ ମିଶିଯାଏ । କର୍ଷିତ ମାଟିରେ ବିହନ ବୁଣାଗଲେ ପ୍ରାକ୍ ମୌସୁମୀ ବର୍ଷାରେ ଧାନଗଛ ଶୀଘ୍ର ଗଜା ହୋଇ ଦୀର୍ଘ ଓ ସବଳ ଚେର ଦେଇ ଭଲ ବଢେ । ଆଗରୁ ଗଛ ବଢୁଥୁବାରୁ ଠିକ୍ ସମୟରେ ଅନ୍ତଃଚାଷ ଓ ବେଉଷଣ ହୋଇପାରେ । ଆବଶ୍ୟକ ସ୍ଥଳେ ବର୍ଷାର ଅନିୟମିତତା ଘଟିଲେ ବି ଧାନ ଫସଲ ଅନେକ ଦିନ ମରୁଡ଼ିର ମୁକାବିଲା କରିପାରେ । ସେଥିପାଇଁ ଅକ୍ଷୟ ତୃତୀୟା ସମୟରେ ଚାଷକାର୍ଯ୍ୟ ଆରମ୍ଭ କରାଯାଏ । ଆମ ପରମ୍ପରାରେ ପ୍ରଚଳିତ ପର୍ବ ପାଳନର ବିଧିବିଧାନ ଆଜି ନୁହେଁ, ଆଦିମ ଯୁଗରୁ ବୈଶାଖ ଶୁକ୍ଲ ତୃତୀୟାକୁ ଅକ୍ଷୟ ତୃତୀୟା ପର୍ବ ଭାବେ କୃଷକ ପାଳନ କରିଆସୁଛି । ସେଥିପାଇଁ ଋକ୍ ବେଦ, ବରାହ ସଂହିତା ଓ ଆମ ପ୍ରଚଳିତ ପୁରାଣଗୁଡିକରେ ଅକ୍ଷୟ ତୃତୀୟା ପାଳନ ବାବଦରେ ସୂଚନା ରହିଛି । ଅକ୍ଷୟ ତୃତୀୟା ପ୍ରତିଟି କୃଷକ ପରିବାର ପାଇଁ ଏକ ପବିତ୍ରତା, ପ୍ରସନ୍ନତା ଓ ଆଶା ଆକାଂକ୍ଷାର ପର୍ବ । ଜାତିର ପିତା ମହାତ୍ମା ଗାନ୍ଧି କହୁଥିଲେ \”କୃଷକ ହିଁ ମାଟିର ରାଜା\” ।କିନ୍ତୁ ଆଜିର ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଭିତରେ କୃଷକ ଅବସ୍ଥା ଶୋଚନୀୟ ।ସେ ତା\’ର ଉଚିତ ମୂଲ୍ୟ ପାଉନାହିଁ । ଦୁଃଖର କଥା ବର୍ତ୍ତମାନ ସମୟରେ କୃଷକର ଭାଗ୍ୟ ଅକ୍ଷୟ ନ ହୋଇ କ୍ଷୟ ହେବାରେ ଲାଗିଛି । ଚାଷରୁ ଆଶାଜନକ ସୁଫଳ ମିଳୁନଥିବାରୁ ଚାଷୀ ଚାଷ ଛାଡି ଏବେ ଦାଦନ ଖଟିବାକୁ ଯାଉଛି । ଜମିକୁ ଜଳ, ଚାଷ ପାଇଁ ବିହନ, ସାର ତଥା ବିକ୍ରି ପାଇଁ ବଜାର ତା ମୁଣ୍ଡରେ ଏବେ ଚଡ଼କ ପାଲଟୁଛି । କୃଷିଋଣର ଚାପ ବେଳେବେଳେ ତାକୁ ଆତ୍ମହତ୍ୟା ପାଇଁ ବାଟ କଢେଇ ନେଉଛି । ଏ ସବୁର ସମାଧାନ କଣ, ସେଥିପାଇଁ ସମସ୍ତଙ୍କୁ ଚିନ୍ତା କରିବାକୁ ପଡିବ ।କୃଷି ଓ କୃଷକ ଆମ ଅର୍ଥନୀତିର ମେରୁଦଣ୍ଡ କହିଲେ ଭୁଲ୍ ହେବନି ।କିନ୍ତୁ ଆଜି ସେ ମେରୁଦଣ୍ଡ ଭାଙ୍ଗି ପଡିଛି ।କୃଷକ ଆଜି ଅଣ୍ଟା ସଳଖି ଚାଲି ପାରୁନାହିଁ ।କୃଷି ଓ କୃଷକପ୍ରତି ଅବହେଳା କରାଯାଉଛି ।କୃଷି ଓ କୃଷକର ଉନ୍ନତି ବ୍ୟତିରକେ ଦେଶର ପ୍ରଗତି ଅସମ୍ଭବ । \”ଅକ୍ଷୟ ତୃତୀୟା\” କୃଷକ ସମାଜ ପାଇଁ ଏକ ମହାନ ପର୍ବ । ଏହି ପବିତ୍ର ଦିନକୁ ରାଜ୍ୟ ସରକାର ‘କୃଷକ ଦିବସ’ ଭାବେ ଘୋଷଣା କରିଛନ୍ତି । କୃଷି ଓ କୃଷକକୁ ଉପଯୁକ୍ତ ସମ୍ମାନ ଦେବା ତଥା ସମସ୍ତ ଚାଷୀଭାଇମାନଙ୍କୁ ଉତ୍ସାହିତ କରିବା ହେଉଛି ‘କୃଷକ ଦିବସ’ ପାଳନର ମୂଳ ଉଦ୍ଦେଶ୍ୟ ।ଯାହାଦ୍ୱାରା ଆମ ରାଜ୍ୟ ସର୍ବଭାରତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ ହୋଇପାରିବ ।ପର୍ବ ଓଡ଼ିଶାର ଗର୍ବ । ଓଡ଼ିଆ ଜାତିର ନୈତିକ ମୂଲ୍ୟବୋଧ , ସାଂସ୍କୃତିକ ସଚେତନତା ଓ ବନ୍ଧୁତାର ବିକାଶ ତଥା ଭାଇଚାରା ସୃଷ୍ଟି କରିବା ଏବଂ କୃଷି କୃଷକର ଉନ୍ନତି କରିବା \”ଅକ୍ଷୟ ତୃତୀୟା\” ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେବା ବାଞ୍ଛନୀୟ । ନିମାପଡା, ପୁରୀ