ଖାଲିସ୍ଥାନୀଙ୍କ ସୁରକ୍ଷାରେ ଟ୍ରୁଡୋ ପରିବାର


-ସୌମେନ୍ଦ୍ର ଜେନା-

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିଚାର ଓ ବ୍ୟବହାରକୁ କେନ୍ଦ୍ରକରି ଏବେ ଚର୍ଚ୍ଚା ସବୁଠି ଚାଲିଛି । ଏମିତି ଦେଖିବାକୁ ଗଲେ ଟ୍ରୁଡୋ ନିଜର ଆପାରଗପଣିଆକୁ ଅନେକ ସମୟରେ ସାଧାରଣରେ ପ୍ରଦର୍ଶିତ କରି ଦେଶ ଭିତରେ ଏବଂ ବାହାରେ ବାରମ୍ବାର ଉପହସିତ ହୋଇଛନ୍ତି । ଚୀନର ରାଷ୍ଟ୍ରପତି ଏକଦା ଟ୍ରୁଡୋଙ୍କୁ କଠୋର ଶବ୍ଦରେ ଗାଳିଦେବାର ଭିଡିଓ ଅତୀତରେ ସାରା ପୃଥିବୀରେ  ଲୋକେ ଦେଖିବାକୁ ପାଇଥିଲେ ।  ଦେଶ ଭିତରେ କାନାଡାର ସାଧାରଣ ଲୋକେ ଭିନ୍ନ ଭିନ୍ନ ସମୟରେ ଟ୍ରୁଡୋଙ୍କୁ ସମାଲୋଚନା କରି ଗାଳି ଦେବାର ଅନେକ ଭିଡିଓ ପୂର୍ବରୁ ପ୍ରସାରିତ ମଧ୍ୟ ହୋଇଛି । କ୍ଷମତାକୁ ମୁଠେଇ ଧରିଥିବା ଟ୍ରୁଡୋ ନିଜର ରାଜନୈତିକ ଦୁର୍ବଳ ସ୍ଥିତି ପାଇଁ ଚିନ୍ତିତ ଥିବାରୁ କାନାଡାର ଖାଲିସ୍ଥାନୀ ସମର୍ଥକଙ୍କ ଦଳ ନେସନାଲ ଡେମାକ୍ରାଟିକ ପାର୍ଟିର ନେତା ଜଗମିତ ସିଂହ ତାଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି । ଯେଉଁଥିପାଇଁ କାନାଡାରେ ଅବସ୍ଥାପିତ ଭାରତୀୟ ଅଧିକାରୀ ପୱନ କୁମାର ରାୟଙ୍କୁ  କାନାଡା ଛାଡିବାଲାଗି ଟ୍ରୁଡୋ ସରକାର କହିବା ପରେ ଭାରତ ସରକାର ମଧ୍ୟ ନୂଆଦିଲ୍ଲୀରେ ଥିବା କାନାଡାର ଜଣେ କୂଟନୀତିଜ୍ଞଙ୍କୁ ପାଞ୍ଚଦିନ ମଧ୍ୟରେ ଭାରତ ଛାଡିଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପରେ ଉଭୟ ଦେଶ ନିଜନିଜର ଦେଶବାସୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ବାହାରେ ଗସ୍ତ କରିବା ସମୟରେ ଅଧିକ ସତର୍କ ରହିବା ପାଇଁ ସେମାନଙ୍କୁ କୁହାଯାଇଛି । ଭାରତ ଆଉପାଦେ ଆଗକୁ ଯାଇ କାନାଡାବାସୀଙ୍କ ପାଇଁ ଭାରତୀୟ ଭିସା ପ୍ରଦାନ ବ୍ୟବସ୍ଥାକୁ ବନ୍ଦ କରିଦେଇଛି । ଭାରତରେ କାନାଡାର ଅଧିକାରୀଙ୍କ ସଂଖ୍ୟା ହ୍ରାସ କରିବାକୁ କୁହାଯାଇଛି । ୟୁକ୍ରେନ ପରି ଭାରତର ଅନେକ ଛାତ୍ରଛାତ୍ରୀ ପ୍ରତିବର୍ଷ କାନାଡାକୁ ପାଠପଢିବାକୁ ଯାଉଛନ୍ତି । ୨୦୨୩ରେ ପ୍ରାୟ ୨ଲକ୍ଷ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ କାନାଡାକୁ ପଢିବାକୁ ଯିବା ଲାଗି ଭିସା ପାଇଁ ଆବେଦନ କରିଛନ୍ତି । ଏଥିରୁ ପାଞ୍ଚ ବିଲିଅନ ଡଲାର କାନାଡା ସଂଗ୍ରହ କରିସାରିଛି । 
କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଜି୨୦ ବୈଠକ ପାଇଁ ଆସି ନୂଆଦିଲ୍ଲୀରୁ କାନାଡାକୁ ଠିକଣା ସମୟରେ ଫେରିପାରି ନଥିଲେ ତାଙ୍କ ବିମାନରେ ତ୍ରୁଟି ଯୋଗୁ ଭାରତ ସରକାର ଏୟାର ଇଣ୍ଡିଆ ୱାନ ସ୍ୱତନ୍ତ୍ର ବିମାନରେ କାନାଡାକୁ ଫେରିବା ପାଇଁ ଟ୍ରୁଡୋଙ୍କୁ କହିଥିଲେ ମଧ୍ୟ ସେ ତାହା ଗ୍ରହଣ କରିନଥିଲେ । କିନ୍ତୁ ଏବେ ଖବରଆସିଛି ଯେ ଟ୍ରୁଡୋ ଆସିଥିବା ବିମାନରେ ନିଶାଦ୍ରବ୍ୟ ରହିଥିଲା । ଯାହାକୁ ଅଧିକ ଯାଞ୍ଚ କରାଯାଇ ଅଟକାଇ ରଖାଯାଇଥିଲା । ବୋଧହୁଏ ଖାଲିସ୍ଥାନୀମାନେ ଭାରତକୁ ଏହି ନିଶାଦ୍ରବ୍ୟ ପଠାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଜି ୨୦ ବୈଠକ କାଳରେ ଅନ୍ୟ ରାଷ୍ଟ୍ରର ମୁଖ୍ୟମାନଙ୍କ ତୁଳନାରେ  ଟ୍ରୁଡୋ କମ୍ ଗୁରୁତ୍ୱ ପାଇଥିବା ବିଷୟ କାନାଡା ଏବଂ ଭାରତର ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏକଥା ସତ ଯେ ବାଣିଜ୍ୟିକ ଏବଂ ଶୈକ୍ଷିକ ସଂପର୍କକୁ ଛାଡିଦେଲେ ଭାରତ-କାନାଡା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ସେତେଟା ଭଲନାହିଁ । କାରଣ ଦୀର୍ଘ ୪୫ବର୍ଷ ହେଲା କାନାଡା ଖାଲିସ୍ଥାନୀ ସନ୍ତ୍ରାସବାଦୀଙ୍କ ପାଇଁ ବିଦେଶୀ ସ୍ୱର୍ଗ ହୋଇଛି । ଏମିତି ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ମଧ୍ୟ କାନାଡା ପରି ସେଠାକାର ଖାଲିସ୍ଥାନୀମାନଙ୍କ ବିରୋଧରେ ବହୁତ କିଛି ପଦକ୍ଷେପ ଗ୍ରହଣ କରନ୍ତି ନାହିଁ । ତାର କାରଣ ହେଲା ଏହି ଚାରୋଟିଯାକ ରାଷ୍ଟ୍ରର ମୂଳବାସିନ୍ଦାମାନେ ବ୍ରିଟେନରୁ ଯାଇଥିବା ହେତୁ ସେମାନଙ୍କ ମଧ୍ୟରେ ରକ୍ତଗତ ସଂପର୍କ  ରହିଆସିଛି । ସେମିତି ଏହି ଚାରିଗୋଟି ରାଷ୍ଟ୍ରରେ ଶିଖଙ୍କ ପ୍ରବେଶ ମୂଳରେ ଏକଦା ବ୍ରିଟେନ ପ୍ରଶାସନର ସହଯୋଗ ରହିଥିଲା । ଭାରତରେ ୧୮୫୭ ସଂଗ୍ରାମକୁ ବିଫଳ କରିବା ପାଇଁ ପଞ୍ଜାବୀ ଲୋକେ ବ୍ରିଟିଶ ସରକାରଙ୍କୁ ମନପ୍ରାଣ ଦେଇ ସମର୍ଥନ କରିବା ପରେ ଅଧିକରୁ ଅଧିକ ପଞ୍ଜାବବାସୀ ଇଂରେଜମାନଙ୍କ ସେନାବାହିନୀରେ ନିଯୁକ୍ତି ପାଇବା ସହ ସେମାନଙ୍କର ଅତିବିଶ୍ୱସ୍ତ ହୋଇ ଭିନ୍ନ ଭିନ୍ନ ବ୍ରିଟିସ ଉପନିବେଶଗୁଡିକୁ ଯାତ୍ରା କରିଥିଲେ  ସୁରକ୍ଷା ଦେବାକୁ । ଏହି ସୁଯୋଗରେ ଚାକିରୀ ପରେ କାନାଡାରେ ରହିଯିବାକୁ ସେନା ଯବାନମାନେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ପରବର୍ତ୍ତୀ କାଳରେ ସେମାନେ ପଞ୍ଜାବରେ ଥିବା ଭାଇ-ବନ୍ଧୁ-କୁଟୁମ୍ବଙ୍କୁ କାନାଡା ଚାଲିଯିବା ପାଇଁ ସହଯୋଗ ଏବଂ ପ୍ରୋତ୍ସାହିତ କରିଥିଲେ । ଏପରିକି ଆଜି ମଧ୍ୟ ବେଆଇନ ମାନବ ଚାଲାଣକାରୀ ଦଲାଲଙ୍କ ସହଯୋଗକ୍ରମେ ପ୍ରତିଦିନ ପଞ୍ଜାବରୁ ଅନେକ ଯୁବକ କାନାଡାରେ ପ୍ରବେଶ କରୁଛନ୍ତି । ଏହାବାଦ୍ ଖାଲିସ୍ଥାନୀ ସମର୍ଥକମାନଙ୍କ ବିରୁଦ୍ଧରେ ସେମାନେ ଜାଲ ପାସପୋର୍ଟ ଅନ୍ୟ ଦେଶରୁ ପ୍ରସ୍ତୁତ କରି କାନାଡାକୁ ଯାଉଛନ୍ତି । ଏକ ଯୋଜନାବଦ୍ଧ ଭାବରେ ମାନବ ଚାଲାଣ ଯୋଗୁ ଆଜି କାନାଡାରେ ଥିବା ମୋଟ ୧୮ଲକ୍ଷ ଭାରତ ମୂଳର ଲୋକଙ୍କ ମଧ୍ୟରୁ ୮ଲକ୍ଷ କେବଳ ପଞ୍ଜାବୀ ରହିଛନ୍ତି ।        
ଜି୨୦ ବୈଠକରେ ନିଜସ୍ୱ କରିସ୍ମା ଦେଖାଇବାରେ ବିଫଳ ଟ୍ରୁଡୋଙ୍କୁ କାନାଡାର ବିରୋଧୀଦଳ ଏବଂ ଗଣମାଧ୍ୟମରେ ସମାଲୋଚନା କରାଯିବା ପରେ ଏବଂ ସେ ଖାଲିସ୍ଥାନୀଙ୍କ ସହାନୁଭୂତି ଏବଂ ସମର୍ଥନ ପାଇଁ ଗତ ଜୁନ ୧୮ରେ ଭାଙ୍କୋଭରଠାରେ ମୃତ ଖାଲିସ୍ଥାନୀ ନିଜ୍ଜରକୁ କାନାଡାର ନାଗରିକ କହିବା ସହ ତା ହତ୍ୟା ପଛରେ ଭାରତର ହାତ ରହିଥିବା ଅଭିଯୋଗ ଆଣିଛନ୍ତି । ଖାଲିସ୍ଥାନ ଟାଇଗର ଫୋର୍ସ (କେଟିଏଫ)ର ହରଦୀପ ସିଂହ ନିଜ୍ଜର ନାମରେ ଅନେକ ଅଭିଯୋଗ ଭାରତରେ ଥିବାରୁ ଭାରତ ସରକାର ତାର ପ୍ରତ୍ୟର୍ପଣ ପାଇଁ ପାଞ୍ଚବର୍ଷ ପୂର୍ବେ କାନାଡା ସରକାରଙ୍କୁ ଲେଖିଥିଲେ । ତା ବିରୁଦ୍ଧରେ ଇଣ୍ଟରପୋଲର ରେଡକର୍ନର ନୋଟିସ ରହିଥିଲା । ଭାରତ ସରକାର ତାକୁ ଧରିବା ପାଇଁ  ଆର୍ôଥକ ପୁରସ୍କାର ଘୋଷଣା କରିଥିଲେ । 
ଜି୨୦ ଆଲୋଚନା ସମୟରେ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଅଷ୍ଟ୍ରେଲିଆ, ବ୍ରିଟେନ, ଏବଂ କାନାଡାର ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା ବେଳେ ସେମାନଙ୍କ ଦେଶରେ ଥିବା ଭାରତର ସଂପତ୍ତିର ସୁରକ୍ଷା ଏବଂ ଶିଖ ମୌଳବାଦ ସଂକ୍ରାନ୍ତ ବିଷୟ ଉଠାଇଥିଲେ । ବ୍ରିଟେନ ଏବଂ ଅଷ୍ଟ୍ରେଲିଆର ଅଧିକାରୀ ଭାରତର ବିଷୟକୁ ଗୁରୁତ୍ୱ ଦେଲାବେଳେ କାନାଡା ଅଧିକାରୀ ଏହାକୁ ଶୁଣିନଥିଲେ । ଟ୍ରୁଡୋଙ୍କ ସରକାରର ସ୍ଥାୟିତ୍ୱ ପଛରେ ଖାଲିସ୍ଥାନୀ ସମର୍ଥକଦଳ ଜଗମିତ ସିଂହର ନିଉ ଡେମୋକ୍ରାଟିକ ପାର୍ଟିର ସମର୍ଥନ ରହିଥିବା ହେତୁ କାନାଡାର ସରକାର ଭାରତର ଚିନ୍ତାପ୍ରତି ଗୁରୁତ୍ୱ ଦେବାକୁ ଚାହୁଁନାହାନ୍ତି । ଆମେରିକାର ଶିଖ ଫର ଜଷ୍ଟିସ ସଂଗଠନ ଆଇଏସ୍‌ଆଇ ଏବଂ ମୁସଲିମ ସଂଗଠନ ସହ ମିଶି ହିନ୍ଦୁ ବିରୋଧୀ ପ୍ରଚାର ଚଳାଇଛି । କାନାଡାରେ ଏହି ସଂଗଠନ ସେଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ, ଦୁଇ କନ୍‌ସଲ ଜେନେରାଲଙ୍କ ଫଟୋ ଛାପି ସେମାନଙ୍କ ହତ୍ୟା ପାଇଁ ଘୋଷଣା କରିଛି । ଏବେ ନେସନାଲ କାଉନସିଲ ଅଫ୍ କାନାଡିଆନ୍ ମୁସଲିମ ବିଶ୍ୱ ଶିଖ ସଂଗଠନ ସହ ମିଶି ଭାରତରୁ କାନାଡାର ରାଷ୍ଟ୍ରଦୂତଙ୍କୁ ଫେରାଇନେବା, କାନାଡାରୁ ଭାରତର ରାଷ୍ଟ୍ରଦୂତଙ୍କୁ ହଟାଇବା ଭାରତ-କାନାଡା ବାଣିଜ୍ୟିକ ଆଲୋଚନା ରଦ୍ଦ କରିବା ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି । କାନାଡାରେ ଥିବା ନିଶା ବ୍ୟବସାୟୀ, ଗ୍ୟାଙ୍ଗଷ୍ଟାର, ଜାଲି ପାସ୍‌ପୋର୍ଟଧାରୀ ଶିଖଙ୍କ ସଂପର୍କରେ କିଛି କହୁନଥିବା ଟ୍ରୁଡୋ ଓଟାୱାରେ ଅବସ୍ଥାପିତ ଭାରତର ଅଧିକାରୀଙ୍କୁ ନିଷ୍କାସିତ କଲାପରେ ଭାରତ ସରକାର ଓଲିଭର ସିଲଭେଷ୍ଟର ନାମକ କାନାଡାର ଗୁଇନ୍ଦା ସଂସ୍ଥାର ମୁଖ୍ୟ ଯିଏକି ଭାରତରେ ନିଯୁକ୍ତ ଥିଲେ ତାଙ୍କୁ ପାଞ୍ଚଦିନରେ ଭାରତ ଛାଡିବାକୁ କହିଛନ୍ତି । ଅଥଚ ଅର୍ଶ ଦଲ୍ଲାପରି ଗ୍ୟାଙ୍ଗଷ୍ଟର କାନାଡାରେ ରହି ଭାରତରେ ହତ୍ୟାକାଣ୍ଡ ଘଟାଉଥିଲେ ମଧ୍ୟ ସେ ସଂପର୍କରେ କାନାଡାର ସରକାର କିଛି କହୁନାହାନ୍ତି । ନିକଟରେ ମୋଗା ଜିଲ୍ଲା (ପଞ୍ଜାବ)ର ଅଜିତୱାଲ ବ୍ଲକ କଂଗ୍ରେସ  ଅଧ୍ୟକ୍ଷ ବଲଜିନ୍ଦର ସିଂହ ବଲ୍ଲିଙ୍କ ହତ୍ୟା ପଛରେ ଦଲ୍ଲାର ହାତ ରହିଥିବା କୁହାଯାଉଛି । କାନାଡାରେ ଥିବା ଅର୍ଶବୀର ସିଂହ, ରିଙ୍କୁ ବିହଲା, ଗୋଲ୍‌ଡୀ ବ୍ରାର, ଅଷ୍ଟ୍ରେଲିଆରେ ଥିବା ଗୁରୁଜନ୍ତସିଂହ, ପାକ୍‌ରେ ଥିବା ଲଖବୀର ସିଂହ ରୋଡେ ପରି ଗ୍ୟାଙ୍ଗଷ୍ଟର ବିଦେଶରେ ରହି ପଞ୍ଜାବରେ ହତ୍ୟାକାଣ୍ଡ, ଅସ୍ତ୍ରଶସ୍ତ୍ର ଚାଲାଣ, ନିଶାଦ୍ରବ୍ୟ ଯୋଗାଣରେ ସଂପୃକ୍ତ ରହିଆସିଛନ୍ତି । କାନାଡାରେ ଥିବା ଦଲ୍ଲା ବିରୋଧରେ ୩୭ଟି ମାମଲା ଭାରତରେ ରହିଛି । ୮ଜୁଲାଇ ୨୦୨୦ରେ ଜଳନ୍ଧରରୁ ମିଳିଥିବା ଏକ ପାସ୍‌ପୋର୍ଟ ମାଧ୍ୟମରେ ଦଲ୍ଲା କାନାଡାର ସରେଠାରେ ପହଞ୍ôଚଥିଲା । କେଟିଏଫ୍‌ର ସଦସ୍ୟ ଦଲ୍ଲା କାନାଡାରେ ରହି ଖୋଲାଖୋଲି ଭାବେ ଭାରତୀୟମାନଙ୍କୁ  ହତ୍ୟାଧମକ ଦେବାରେ ଲାଗିଛି । ସେମିତି ସତୀନ୍ଦର ସିଂହ ବ୍ରାର ଓରଫ୍ ଗୋଲଡୀ ବ୍ରାର ୧୫ଅଗଷ୍ଟ ୨୦୧୭ରେ ଏକ ଭାରତୀୟ ପାସପୋର୍ଟ ନେଇ ସରେଠାରେ ପହଞ୍ôଚଥିଲା । ଲରେନ୍ସ ବିଷ୍ଣୋଇ ଗୋଷ୍ଠୀର ବ୍ରାର ବିରୋଧରେ ପ୍ରାୟ ୧୩ଟି ମାମଲା ରହିଛି । ତା ନାମରେ ଇଣ୍ଟରପୋଲ ପକ୍ଷରୁ ରେଡ କର୍ଣ୍ଣର ନୋଟିସ ଜାରି ହୋଇଛି ଏବଂ ଗିରଫ ପରୱାନୀ ମଧ୍ୟ ରହିଛି । ଏମାନଙ୍କ ଛଡା କାନାଡାର ଓଣ୍ଟାରିଓରେ ରହୁଥିବା ସ୍ନୋଭର ଧିଲୋଁ, ବ୍ରିଟିଶ କଲମ୍ବିଆର ରମଣଦୀପ ସିଂହ ନାମରେ ୭ଟି ମାମଲା ରହିଛି । ଓଣ୍ଟାରିଓର ଗୁରଜିତ ସିଂହ ଚିମା ଯିଏକି ଇଣ୍ଟରନେସନାଲ ଶିଖ ୟୁଥ୍ ଫେଡେରେସନ ଏବଂ ଖାଲିସ୍ଥାନ ଲିବରେସନ ଫ୍ରଣ୍ଟ ସହ ସଂପୃକ୍ତ ରହିଛି ତା ନାମରେ ରେଡକର୍ଣ୍ଣର ନୋଟିସ ରହିଛି । ଓଣ୍ଟାରିଓର ପନ୍ନୁ ଏବଂ ସରେର ଗୁରପ୍ରୀତ ସିଂହ ନାମରେ ଅସ୍ତ୍ରଚାଲାଣ ଅଭିଯୋଗ ରହିଛି । ଓଣ୍ଟାରିଓର ତେହଲ ସିଂହ ନାମରେ ଦୁଇଟି ମାମଲା ଏବଂ ରେଡ କର୍ଣ୍ଣର ନୋଟିସ, ବ୍ରିଟିସ କଲମ୍ବିଆର ମାନବୀର ସିଂହ ଦୁହରା ନାମରେ ମାମଲା ରହିଛି । ଟ୍ରୁଡୋଙ୍କ ସରକାରର ଛତ୍ରଛାୟାତଳେ କାନାଡାରେ ୪୩ଜଣ ଗ୍ୟାଙ୍ଗଷ୍ଟାର, ସନ୍ତ୍ରାସବାଦୀ, ଅସ୍ତ୍ରଚାଲାଣକାରୀ ରହିଛନ୍ତି । କାନାଡାର ଗୁଇନ୍ଦା ବିଭାଗ ଏବଂ ବିଦେଶ ବିଭାଗକୁ ଭାରତ ସରକାର ସେମାନଙ୍କ ସଂପର୍କରେ ସବୁକିଛି ତଥ୍ୟ ପ୍ରଦାନ କରିଥିଲେ ମଧ୍ୟ କାନାଡା ସରକାର କୌଣସି  କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ରହିଛନ୍ତି । ଦୁଇ ରାଷ୍ଟ୍ରର କୂଟନୀତିଜ୍ଞ ବହିଷ୍କାର ଜାରି ଘଟଣାର ପ୍ରଭାବ ଅନ୍ୟ କ୍ଷେତ୍ରରେ ପଡିଛି । କାନାଡାର ପଞ୍ଜାବୀ ସଂଗୀତକାର ଶୁଭନୀତ ସିଂହଙ୍କର ଏକ କାର୍ଯ୍ୟକ୍ରମ ମୁମ†ାଇରେ ହେବାକୁ ରହିଥିଲା । ସେ ଜଣେ ଖାଲିସ୍ଥାନୀ ସମର୍ଥକ ଥିବାରୁ ସୋସିଆଲ ମିଡିଆରେ ତାଙ୍କ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଆହ୍ୱାନ ଆସିଥିଲା । ଫଳରେ ବୁକ୍ ମାଇଁ ସୋକୁ ବନ୍ଦ ରଖାଯାଇ ଟିକେଟ କିଣିଥିବା ଲୋକଙ୍କ ଅର୍ଥ ଫେରସ୍ତ କରାଯିବାରୁ ଘୋଷଣା କରାଯାଇଛି । ତେବେ କାନାଡା ସରକାରଙ୍କ ଛତ୍ରଛାୟାରେ ଯେଉଁ ଖାଲିସ୍ଥାନୀ ସନ୍ତ୍ରାସବାଦୀ ସେଠାରେ ଆଶ୍ରୟ ନେଇଛନ୍ତି  ସେମାନଙ୍କ ତାଲିକା ଭାରତ ସରକାର ସାଧାରଣରେ ପ୍ରକାଶ କରିଛନ୍ତି । ତନ୍ମଧ୍ୟରୁ ଜଣେ ସୁଖଦୀଲ ସିଂହ ମୁଖା ଏବେ ହତ୍ୟାର ଶିକାର ହୋଇଛି । 
ଏକଥା ସତ ଯେ ଟ୍ରୁଡୋଙ୍କ ପରିବାର ଚାରିଦଶନ୍ଧି ଧରି ଭାରତ ବିରୋଧୀ ରହିଆସିଛନ୍ତି ।  ୧୯ନଭେମ୍ବର ୧୯୮୧ରେ ପଞ୍ଜାବରେ ଦୁଇ ପୁଲିସ ଅଧିକାରୀଙ୍କୁ ହତ୍ୟାକରି କାନାଡାରେ ଲୁଚିଥିବା ବାବର ଖାଲ୍‌ସାର ତଲୱିନ୍ଦର ସିଂହ ପରମାରକୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ୨୯ ଏପ୍ରିଲ ୧୯୮୨ରେ ଭାରତ ସରକାର କାନାଡା ସରକାରଙ୍କୁ ଜଣାଇଥିଲେ ମଧ୍ୟ ଜଷ୍ଟିନ ଟ୍ରୁଡୋଙ୍କ ପିତା ଓ ତତ୍‌କାଳୀନ ପିରେ ଟ୍ରୁଡୋଙ୍କ ସରକାର ସେହିବର୍ଷ ଜୁଲାଇରେ ଭାରତ ସରକାରଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଥିପାଇଁ ସେ ବିଚିତ୍ର ଯୁକ୍ତି ବାଢିଥିଲେ । ଭାରତ ରାଜ୍ୟଗୋଷ୍ଠୀର ସଦସ୍ୟ ଥିଲେ ମଧ୍ୟ ବ୍ରିଟେନ ମହାରାଣୀଙ୍କୁ ଦେଶର ମୁଖ୍ୟ ଭାବେ ସ୍ୱୀକାର କରୁନଥିବା ହେତୁ ରାଜ୍ୟଗୋଷ୍ଠୀର ଆଇନଲାଗୁ ହୋଇପାରିବ ନାହିଁ ବୋଲି କହିଥିଲେ । ପରେ ବାରମ୍ବାର ସୂଚନା ପାଇ ମଧ୍ୟ କାନାଡା ସରକାର ସନ୍ତ୍ରାସବାଦୀଙ୍କୁ ଧରିବା ବା କଟକଣା ଲଗାଇବା ପ୍ରତି କୌଣସି ଆଗ୍ରହ ପ୍ରକାଶ ନକରିବା ହେତୁ ୨୩ଜୁନ୍ ୧୯୮୫ରେ ମଣ୍ଟ୍ରିଲରୁ ଲଣ୍ଡନକୁ ଆସୁଥିବା ଏୟାର ଇଣ୍ଡିଆ ବିମାନ (କନିଷ୍କ)କୁ ଆଟଲାଣ୍ଟିକ ମହାସାଗରରେ ବୋମା ବିସ୍ଫୋରଣ ଦ୍ୱାରା ଖାଲିସ୍ଥାନୀମାନେ ଧ୍ୱଂସ କରିବାକୁ ସକ୍ଷମ ହୋଇଥିଲେ , ଯେଉଁଥିରେ ୨୬୮ କାନାଡା, ୨୭ ବ୍ରିଟେନ ଏବଂ ୨୪ ଜଣ ଭାରତର ନାଗରିକଙ୍କ ସମେତ ମୋଟ ୩୨୯ ଜଣ ପ୍ରାଣ ହରାଇଥିଲେ । ବିମାନରେ ଯାତ୍ରୀ ୩୦୭ ଥିଲାବେଳେ ଅନ୍ୟମାନେ କର୍ମଚାରୀ ଥିଲେ । ତେଣୁ ସନ୍ତ୍ରାସବାଦୀଙ୍କୁ କାନାଡାରେ ସଂରକ୍ଷଣ ଦେବା ସେଠାକାର ସରକାରଙ୍କର ଏକ ପୁରୁଣା ନୀତି । ବର୍ତ୍ତମାନର ଜଷ୍ଟିନ ଟ୍ରୁଡୋ ତାର ପୁନରାବୃତ୍ତି ମାତ୍ର । 

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩

Leave a Reply

Your email address will not be published. Required fields are marked *