Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅକ୍ଷୟ ତୃତୀୟା : ଚାରିଟି ସଂପୂର୍ଣ୍ଣ ଶୁଭ ଦିନରୁ ଦିନେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅକ୍ଷୟ ତୃତୀୟା : ଚାରିଟି ସଂପୂର୍ଣ୍ଣ ଶୁଭ ଦିନରୁ ଦିନେ

ଗୋପୀନାଥ ଦାଶ

ର୍ଷକର ଚାରିଟି ସଂପୂର୍ଣ୍ଣ ଶୁଭ ଦିନ ଭିତରେ ଅକ୍ଷୟ ତୃତୀୟାକୁ ଗୋଟିଏ ଦିନ ଭାବେ ପରିଗଣିତ କରାଯାଏ । ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଉଥିବା ବେଳେ ଏହି ଦିନଟିର ସ୍ୱତନ୍ତ୍ରତା ସର୍ବଜନବିଦିତ । ଓଡ଼ିଶାର ଧାର୍ମିକ ଭାବନା ଅନୁଯାୟୀ ଅକ୍ଷୟ ତୃତୀୟା ସହିତ ବିଜୟ ଦଶମୀ, ଶ୍ରୀଗୁଣ୍ଡିଚା ଓ ଶ୍ରୀପଞ୍ଚମୀକୁ ବର୍ଷକର ସଂପୂର୍ଣ୍ଣ ଚାରିଟି ଶୁଭଦିନ ଭାବେ ପରିଗଣିତ କରାଯାଏ । ଏହି ଦିନମାନଙ୍କରେ ଯେ କୌଣସି କାର୍ଯ୍ୟ ଆରମ୍ଭ ଶୁଭ ବୋଲି ବିଚାର କରାଯାଏ । ଏହି ବିଶ୍ୱାସ ଆଧାରରେ ଓଡ଼ିଶାରେ ଏହି ଦିନ ଚାଷ ଅନୁକୂଳ ହେବା ସହିତ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଅନୁକୂଳ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥାଏ । ଧର୍ମ ପୁରାଣ ତଥ୍ୟ ଅନୁଯାୟୀ ଏହି ଦିନରେ ଏମିତି ଅନେକ ଘଟଣା ଘଟିଛି ଯାହାକି କାଳ କାଳ ପାଇଁ ଧ୍ୟେୟ ହୋଇ ରହିଛି । ଭଗବାନ ବିଷ୍ଣୁଙ୍କରଦଶାବତାରର ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ଅକ୍ଷୟ ତୃତୀୟାର ପାଳିତ ହୋଇଥାଏ । ମହାଗ୍ରନ୍ଥ ମହାଭାରତର ରଚନା ମଧ୍ୟ ଏହି ଦିନ ଆରମ୍ଭ ହୋଇଥିବାର ବିଶ୍ୱାସ ରହିଛି । ବ୍ୟାସଦେବ ଓ ଶ୍ରୀ ଗଣେଶ ଏହି ଦିନରୁ ମହାଭାରତର ରଚନା ଆରମ୍ଭ କରିଥିଲେ । ଦେବୀ ଅନ୍ନପୂର୍ଣ୍ଣାଙ୍କ ଜନ୍ମ ମଧ୍ୟ ଏହି ଦିନରେ ହୋଇଥିବାର ବିଶ୍ୱାସ ରହିଛି । ଦେବଦେବ ମହାଦେବଙ୍କୁ ପ୍ରାର୍ଥନା କରି କୁବେର ଏହି ଦିନରୁ ଧନର ଦେବତା ଭାବେ ସ୍ୱୀକୃତି ତଥା ଅଧିକାର ପାଇଥିଲେ । ଦ୍ୱାପର ଯୁଗରେ ମହାରାଜ ଯୁଧିଷ୍ଠିରଙ୍କୁ ଏହି ଦିନ ଅକ୍ଷୟ ପାତ୍ର ଲାଭ ହୋଇଥିଲା । ଯେଉଁ ପାତ୍ର ଲାଭ କରି ସେ ନିଜ ରାଜ୍ୟବାସୀଙ୍କ କ୍ଷୁଧା ତଥା ଖାଦ୍ୟର ଆବଶ୍ୟକତା ପୂରଣ କରିବାର କ୍ଷମତା ଲାଭ କରିଥିଲେ । ଏହି ପାତ୍ରରୁ ଖାଦ୍ୟ କେବେ ଶେଷ ହେଉ ନଥିବାର ବିଶ୍ୱାସ ରହିଥିଲା । ସେହି ଦ୍ୱାପର ଯୁଗରେ ଏହି ପବିତ୍ର ଦିନରେ ଭକ୍ତ ସୁଦାମା ଭଗବାନ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ତାଙ୍କ ଉଆସକୁ ଯାଇଥିଲେ । ଖୁଦ ଭଜା ଦେଇ କିଛି ମାଗି ନଥିଲେ ବି ସୁଦାମାଙ୍କ ଘର ଧନଧାନ୍ୟରେ ଭରି ଉଠିଥିଲା । ସେହିଭଳି ଦୁର୍ଯୋଧନଙ୍କ ନିର୍ଦ୍ଦେଶରେ ଦୁଃଶାସନ କୁରୁ ରାଜସଭାରେ ଏହି ଦିନ ହିଁ ଦେବୀ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିଥିଲେ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ବସ୍ତ୍ର ଦାନ କରିଥିଲେ, ଯେଉଁ ବସ୍ତ୍ରକି ଆଦୌ ଶେଷ ହୋଇନଥିଲା । ବସ୍ତ୍ର ହରଣ କରିବାକୁ ଯାଇ ଦୁଃଶାସନ କେବଳ ଥକି ପଡ଼ି ନଥିଲା ବିଫଳ ହୋଇଥିଲା । ଏସବୁ ଧାର୍ମିକ ଭାବନା ତଥା ବିଶ୍ୱାସ ଯୋଗୁଁ ଏହି ଦିନରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ଆରମ୍ଭ କଲେ ସେଥିରେ ସଫଳତା ମିଳିବାର ବିଶ୍ୱାସ ରହିଛି । ଶ୍ରୀ ଓ ସମୃଦ୍ଧି ସହିତ ଜଡ଼ିତ ଏହି ଦିନଟିରେଘର ନିର୍ମାଣର ଅନୁକୂଳ, ଘର ପ୍ରତିଷ୍ଠା, ବିଭିନ୍ନ ଦ୍ରବ୍ୟ କିଣିବା, ବ୍ୟବସାୟ ଆରମ୍ଭ କରିବା ଭଳି କାର୍ଯ୍ୟ କରାଯାଏ । ଏହି ଦିନରେ ଆରମ୍ଭ ହେଉଥିବା କାର୍ଯ୍ୟ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇ ଭାଗ୍ୟ ଅନୁକୂଳ ଫଳ ଦେଉଥିବାର ବିଶ୍ୱାସ ମଧ୍ୟ ରହିଛି । ତେଣୁ ଏହି ଦିନରେ ସମସ୍ତ ଅଶୁଭ ବିଚାରକୁ ଦୂରେଇ ଦିଆଯାଏ । କେବଳ ଓଡ଼ିଶାରେ ନୁହେଁ, ଭାରତର ଅନେକ ରାଜ୍ୟରେ ମଧ୍ୟ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ଦିନ ଭାବେ ବିବେଚନା କରାଯାଏ । ଜୈନ ଧର୍ମରେ ମଧ୍ୟ ଏଡି ଦିନଟିକୁ ଶଭୁ ଦିନ ଭାବେ ବିଚାର କରି ଧର୍ମାବଲମ୍ବୀମାନେ ନିଜ ନିଜର ବିଶ୍ୱାସ ଅନୁଯାୟୀ ଶଭୁ କାର୍ଯ୍ୟ ଆରମ୍ଭ କାରିଥାନ୍ତି । ବର୍ତ୍ତମାନ ସମୟରେ ଅକ୍ଷୟ ତୃତୀୟା ଦିନ ସୁନା ଅଳାଙ୍କର କିଣିବାକୁ ସାଧାରଣ ଲୋକେ ଗୁରୁତ୍ୱ ଦେଉଥିବା ବେଳେ ସେହି ବିଶ୍ୱାସ ପଛରେ ନିର୍ଦ୍ଦିଷ୍ଟ ଯୁକ୍ତି ମଧ୍ୟ ରହିଛି । କୁବେରଙ୍କ ଧନ ହେଉ କି ଯୁଧିଷ୍ଠିରଙ୍କୁ ମିଳିଥିବା ପାତ୍ର, ଅଥବା ଦ୍ରୌପଦୀଙ୍କୁ ଶ୍ରୀକୃଷ୍ଣ ଦାନ କରିଥିବା ଲୁଗା.. ଏସବୁ ଅକ୍ଷୟ, କେବେ ବି ଶେଷ ହେଉ ନଥିବା ସାମଗ୍ରୀ ଭାବେ ବିଚାର କରାଯାଏ । ସେହି କାରଣରୁ ସୁନାଅଳଙ୍କାରକୁ ଶ୍ରୀ ତଥା ସମୃଦ୍ଧିର ପ୍ରତୀକ ଭାବେ ବିଚାର କରି ଏହି ଦିନ କିଣା ଯାଉଥିବା ବେଳେ ତାହା ଧନଧାନ୍ୟ, ସମୃଦ୍ଧିକୁ କେବେ ବି କ୍ଷୟ ହେବାକୁ ଦେବନାହିଁ ବୋଲି ବିଶ୍ୱାସ କରାଯାଏ ।

ବରଦା, ବାଲିଚନ୍ଦ୍ରପୁର, ଯାଜପୁର

Leave a Reply