Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍କଳୀୟ ସଂସ୍କୃତି ରେ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍କଳୀୟ ସଂସ୍କୃତି ରେ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ

-ବିଶ୍ବ ବିଜୟୀ ଦାଶ-

ଓଡ଼ିଶା ଏକ କଳା,ସଂସ୍କୃତି,ଐତିହ୍ୟ ପରମ୍ପରା ସମ୍ପନ୍ନ ରାଜ୍ୟ । ଓଡ଼ିଶାର ଏକ ପାରମ୍ପରିକ ପର୍ବ ହେଲା ଗହ୍ମା ପୂର୍ଣ୍ଣିମା ଓ ରାକ୍ଷୀ ପୂର୍ଣ୍ଣିମା ।ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ପ୍ରଭୁ ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି ।ଓଡ଼ିଶାର ସବୁଆଡ଼େ ଅତି ଆନନ୍ଦଉଲ୍ଲାସରେ ପ୍ରତ୍ୟେକ ଚାଷୀ ଏବଂ ପରିବାରରେ ଏହି ପର୍ବ ଆଦର ଯତ୍ନରେ ପାଳନ ହୁଏ । ଗୋମାତା ପୁଜାସାରି ଚାଷୀ ମାନେ ନିଜ ନିଜ ଜମିବାଡ଼ିରେ ମଧ୍ୟ ଫୁଲ, ଦୀପ ଏବଂ ପିଠା ଦାନକରି ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିଥାନ୍ତି ।ଏହି ପବିତ୍ର ଜନ୍ମୋତ୍ସ୍ୱ ବିଧି ବିଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ । ରାକ୍ଷୀ ପୂର୍ଣ୍ଣିମା ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ପାଳନ ହୋଇଥାଏ । ଶ୍ରୀମନ୍ଦିରରେ ଦେବୀ ସୁଭଦ୍ରା ତାଙ୍କ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି ।ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଧନ ।ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ । ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ । ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ । ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ରାଜି ହୋଇଯାଏ । ତେବେ ଏହି ପ୍ରରମ୍ପରା ଆଜିକାଲିର ନୁହେଁ, ଏହା ପ୍ରାଚୀନ ।ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ।ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ ।ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି ।କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।ଏହି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅବସରରେ ସମସ୍ତ ଜନସାଧାରଣ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ।

ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା ପିନ୍ ନଂ – ୭୫୨୦୩୫

Leave a Reply