Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ପରମ୍ପରା ଓ ସଂସ୍କୃତିରେ ରକ୍ଷାବନ୍ଧନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ପରମ୍ପରା ଓ ସଂସ୍କୃତିରେ ରକ୍ଷାବନ୍ଧନ

ଆମ ଭାରତୀୟ ସଂସ୍କୃତିରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ସେଗୁଡ଼ିକ ମଧ୍ୟରେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ପାଳିତ ହେଉଥିବା ରକ୍ଷାବନ୍ଧନ ପର୍ବ ଅନ୍ୟତମ । ଏହାକୁ ରାକ୍ଷୀ ପୂର୍ଣ୍ଣିମା, ରକ୍ଷା ବନ୍ଧନ, ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା ଏହିପରି ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଛି । ଏକ ପୌରାଣିକ ମତ ଅନୁଯାୟୀ ଏହି ଦିନଟିକୁ ବଳରାମଙ୍କ ଜନ୍ମଦିବସ ଭାବେ ଗ୍ରହଣ କରାଯାଇଛି । ଏହି ଦିନ ବଳଭଦ୍ର ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ରୋହିଣୀ ବସୁଦେବଙ୍କର ପ୍ରଥମ ପତ୍ନୀ । ବସୁଦେବ ଦ୍ୱିତୀୟ ପତ୍ନୀ ଭାବେ \”ଦେବକୀ\’ଙ୍କୁ ଗ୍ରହଣ କରନ୍ତେ ଦେବକୀଙ୍କ ଭାଇ ଦୁର୍ଦ୍ଦାନ୍ତ ରାକ୍ଷସ କଂସ ମନ ଆନନ୍ଦରେ ଦେବକୀ ଓ ବସୁଦେବଙ୍କୁ ରଥରେ ବସାଇ ନଗର ଭ୍ରମଣ କରାଉଥିଲେ । ସେ ସମୟରେ ଦୈବବାଣୀ ଶୁଣି ଦେବକୀଙ୍କୁ ବଧ କରିବାକୁ ଅଗ୍ରସର ହୁଅନ୍ତେ, ବସୁଦେବ କଂସ ନିକଟରେ ପ୍ରତିଜ୍ଞା କରିଥିଲେ କି ଦେବକୀ ଗର୍ଭରୁ ଜାତ ସମସ୍ତ ସନ୍ତାନକୁ ଜନ୍ମମାତ୍ରେ କଂସ ହାତରେ ଟେକି ଦେବେ । ତେଣୁ କଂସ ଦେବକୀକୁ ନ ମାରି ବସୁଦେବଙ୍କ ସହ ଦୁଇ ଜଣଙ୍କୁ ବନ୍ଦୀଶାଳାରେ ରଖିଲା ଏବଂ ଦେବକୀଙ୍କ ଗର୍ଭରୁ ଜାତ ସନ୍ତାନମାନଙ୍କୁ ଗୋଟି ଗୋଟି କରି ବସୁଦେବ କଂସ ହାତରେ ଟେକିଦେଲେ । କଂସ ଏହିପରି ଦେବକୀଙ୍କର ଛଅଟି ସନ୍ତାନକୁ ପଥରରେ ଛେଚି ମାରିଦେଲା । ଦେବତାମାନଙ୍କର ଉଦ୍ୟମରେ ଦେବକୀଙ୍କର ସପ୍ତମ ଗର୍ଭର ସନ୍ତାନକୁ ରୋହିଣୀଙ୍କ ଗର୍ଭକୁ ନେଇଯାଇ ତାଙ୍କୁ ଗୋଟିଏ ଗାଈ କରି ଯମୁନା ନଦୀ ପର ପାଶ୍ୱର୍ରେ ଥିବା ଗୋପପୁରରେ ରାଜା ନନ୍ଦଙ୍କ ଗୋଶାଳାରେ ନେଇ ରଖିଦେଲେ । ତାଙ୍କରି ଗର୍ଭରୁ ଜନ୍ମ ନେଲେ ବଳଭଦ୍ର । ଗୋଶାଳାରେ ଗୋଟିଏ ଗାଈର ଗର୍ଭରୁ ଜନ୍ମ ନେଇଥିବାରୁ ତାଙ୍କ ଜନ୍ମ ଦିବସରେ ଗାଈ ଗୋରୁମାନଙ୍କର ପୂଜା ବିଧି ପ୍ରଚଳିତ ହୋଇଆସୁଛି । ଅନ୍ୟ ଏକ ପୁରାଣ କଥାକୁ ପର୍ଯ୍ୟାଲୋଚନାକଲେ ଜଣାପଡ଼େ କି ଦେବରାଜ ଇନ୍ଦ୍ର ବୃତ୍ତ୍ରାସୁରକୁ ଯୁଦ୍ଧରେ ପରାସ୍ତ କରି ନ ପାରିବାରୁ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀ ନିଜର ଲୁଗାକାନି ଚିରି ଖଣ୍ଡିଏ ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଇଥିଲେ । ତାପରେ ଇନ୍ଦ୍ର ରାକ୍ଷସ ଉପରେ ବିଜୟ ପ୍ରାପ୍ତ କରିଥିଲେ । ସେହି ଦିନଠାରୁ ରାକ୍ଷୀ ଉତ୍ସବ ବା ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଆସୁଛି । ଯମ ମଧ୍ୟ ନିଜ ଭଉଣୀ ଯମୁନାଙ୍କ ଦ୍ୱାରା ରାକ୍ଷୀ ବାନ୍ଧିବା ସମୟରେ ଏହି ଅଭୟ ବରଦାନ ଦେଇଥିଲେ କି ଯଦି କୌଣସି ବ୍ୟକ୍ତି ଏହି ପବିତ୍ର ବନ୍ଧନରେ ବନ୍ଧାୟମାନ ହେବ ସେ ଯମଦୂତଙ୍କ କବଳରୁ ମୁକ୍ତିପ୍ରାପ୍ତ କରିବ । ଶ୍ରାବଣ ପୂର୍ଣ୍ଣିମା ଏକ କୃଷିଭିତ୍ତିକ ପର୍ବ ଭାବେ ଓଡ଼ିଶା ପୁରପଲ୍ଲୀରେ ବେଶ୍ ପରିଚିତ । ଓଡ଼ିଶା ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ଗାଈ, ବଳଦ ଚାଷ କାର୍ଯ୍ୟରେ ଯଥେଷ୍ଟ ସାହାଯ୍ୟ କରିଥାଆନ୍ତି । ଗାଈର ଗୋବରରୁ କମ୍ପୋଷ୍ଟ ଖତବିଲକୁ ମିଳିଥାଏ, ବଳଦ ଚାଷଜମି ହଳ କରିବାରେ ସହାୟକ ହୁଏ । ଯେତେ ଆଧୁନିକ କୃଷି ଯନ୍ତ୍ରପାତି ଓ ଚାଷୋପକରଣ ବାହାରିଲେ ମଧ୍ୟ ଅର୍ଦ୍ଧାଧିକ ଚାଷୀ ଏବେ ବି ବଳଦ ମାଧ୍ୟମରେ ଚାଷ ଜମି ହଳ କରୁଛନ୍ତି । ପୂଜ୍ୟପୂଜାର ରାଜ୍ୟ ଆମ ଓଡ଼ିଶା ଏହି ପରୋପକାରୀ ଜାତି ଗୋମାତାର ସେବା କରିବାର ଅବକାଶ ପାଇ ଗହ୍ମାପୂର୍ଣ୍ଣମୀରେ ଗାଈ ବଳଦମାନଙ୍କୁ ଗାଧୋଇ ଦେଇ ହଳଦୀ ସିନ୍ଦୂର ତାଙ୍କ ମଥାରେ ଲଗାଇ, ଫୁଲମାଳ ପିନ୍ଧାଇ ସେମାନଙ୍କୁ ଏଣ୍ଡୁରୀ ପିଠା ଖାଇବାକୁ ଦେଇଥାନ୍ତି । ଶାସ୍ତ୍ରରେ କୁହାଯାଇଛି – “ମାତରଃ ସର୍ବଭୁତାନାଂ – ଗାବଃ ସର୍ବ ସୁଖ ପ୍ରଦଃ ।” ଅର୍ଥାତ୍ ଗାଈ ସମସ୍ତ ପ୍ରାଣୀଙ୍କର ମାତା ସ୍ୱରୂପା ଓ ସର୍ବସୁଖ ପ୍ରଦାନକାରିଣୀ । ଏହିଭଳି ରକ୍ଷା ବନ୍ଧନର ମହତ୍ତ୍ୱ ସମ୍ପକୟରେ ଋକ୍ ବେଦରେ ମଧ୍ୟ କିଛି ନମୁନା ରହିଛି, ଯେପରି- “ସର୍ବରୋଗୋପଶମନଂ ସର୍ବାଶୁଭ ବିନାଶନମ୍ ଯକୃତ କୃତେ ନାଦ୍ଦମେଙ୍କ ଯେନ ରକ୍ଷା କୃତୋ ଭବେତ୍ ।” ଏହି ରକ୍ଷା ସୂତ୍ର ହେଉଛି ସର୍ବରୋଗ ଉପଶମକାରୀ ଏବଂ ସର୍ବ ଅଶୁଭ ବିନାଶକାରୀ । ଯେଉଁ ବ୍ୟକ୍ତି ଏହାର ଅନୁଷ୍ଠାନ କରେ ସେ ସର୍ବ ବିକାର ବନ୍ଧନରୁ ମୁକ୍ତ ହୁଏ । ରାଜା ଦିଲ୍ଲୀପ ସ୍ୱର୍ଗରୁ ଫେରିବା ବାଟରେ ଘାସ ଚରୁଥିବା କାମଧେନୁ ସୁରଭିଙ୍କୁ ପ୍ରଣାମ ନ କରି ଚାଲି ଆସିଥିବାରୁ ତାଙ୍କର ଅଭିଶାପରେ ଅପୁତ୍ରିକ ହେଲେ । ପ୍ରାୟଶ୍ଚିତ ସ୍ୱରୂପ ବର୍ଷ ବର୍ଷ ଧରି ସୁରଭିଙ୍କ ସେବା କରି ଓ ତାଙ୍କ ନିକଟରେ ରାତିରେ ଶୋଇରହି ଶେଷରେ ତାଙ୍କର ଆଶୀର୍ବାଦ ବଳରେ ପୁତ୍ର ସନ୍ତାନ ପ୍ରାପ୍ତ ହେଲେ । ଏହି ପରମ୍ପରା ଅନୁସାରେ ଏବେ ମଧ୍ୟ ଅବହେଳାରୁ ଗୋରୁର ମୃତ୍ୟୁ ଘଟିଲେ ଗୃହମାଲିକଙ୍କୁ ଗୁହାଳେ ଶୋଇ ଓ ପଞ୍ଚଗବ୍ୟ ପିଇ ପ୍ରାୟଶ୍ଚିତ କରିବାକୁ ପଡ଼ୁଛି । ତେଣୁ ଗୋରୁଙ୍କୁ ଦାଣ୍ଡଘରେ (ଘର ମଧ୍ୟକୁ ପଶିଲା ବେଳକୁ ପ୍ରଥମ ଘର) ରଖାଯାଏ । ଏହାଦ୍ୱାରା ପରିବାରର ସମସ୍ତେ ସେହି ବାଟେ ଯିବା ଆସିବା କଲାବେଳେ ଗୋରୁଙ୍କୁ ଆଉଁସା ଘଷା କରି ଆବଶ୍ୟକତା ଅନୁସାରେ ଖାଇବାକୁ ଦିଅନ୍ତି । ପୂର୍ବ କାଳରେ ମୁନି-ଋଷିମାନେ ମଧ୍ୟ ଜଙ୍ଗଲର ଆଶ୍ରମରେ ଗୋ-ପାଳନ କରି ସେମାନଙ୍କର ସେବା ଧର୍ମ କରୁଥିଲେ । ଥରେ ରାତି ଅଧରେ ରାଜର୍ଷି ବିଶ୍ୱାମିତ୍ର ସୈନ୍ୟସାମନ୍ତଙ୍କ ସହ ବାଟବଣା ହୋଇ ଶେଷରେ ଆସି ବଶିଷ୍ଠ ଋଷିଙ୍କ ଆଶ୍ରମରେ ପହଞ୍ôଚଲେ । ଏତେ ଳୋକଙ୍କୁ ରାତି ଅଧରେ ଖାଇବାକୁ ଦେବାପାଇଁ ଋଷିଙ୍କ ଆଶ୍ରମରେ କିଛି ନଥିଲା । ପୁଣି ଏହି ଲୋକମାନେ ତାଙ୍କ ଆଶ୍ରମରେ ରାତିରେ ଉପବାସରେ ଶୋଇଲେ ଋଷିଙ୍କୁ ପାପ ଲାଗିବ । ତେଣୁ ଅନନ୍ୟୋପାୟ ହୋଇ ଋଷି ତାଙ୍କର ପାଳିତ କାମଧେନୁ ନନ୍ଦିନୀଙ୍କ ନିକଟରେ ପ୍ରାର୍ଥନା କଲେ । ଏଥିରେ ନନ୍ଦିନୀସନ୍ତୁଷ୍ଟ ହୋଇ ଏତେ କ୍ଷୀର ଦେଲେ ଯେ, ସମସ୍ତେ ପେଟଭରି କ୍ଷୀର ପିଇ ରାତିରେ ଆନନ୍ଦରେ ଶୋଇଗଲେ । ପରଦିନ ସକାଳେ ବିଶ୍ୱାମିତ୍ର ଲୋଭ କରି ନନ୍ଦିନୀଙ୍କୁ ନେବା ପାଇଁ ଉଦ୍ୟତ ହେଲେ, ମାତ୍ର ତାଙ୍କର (ନନ୍ଦିନୀଙ୍କର) ପ୍ରକୋପରେ ସୈନ୍ୟମାନ ତାଙ୍କ ପାଖରେ ପଶି ପାରିଲେ ନାହିଁ । ଶେଷରେ ବିଶ୍ୱାମିତ୍ର ଅପମାନିତ ହୋଇ ଫେରିଗଲେ । ସେତେବେଳେ ଋଷି ବଶିଷ୍ଠ କହିଲେ – \”ନନ୍ଦିନୀଙ୍କ ଶରୀରରେ ସର୍ବ ଦେବଦେବୀ ବିଦ୍ୟମାନ\’ । ତେଣୁ ସୈନ୍ୟବଳ ଯେ ନିଶ୍ଚୟ ପରାସ୍ତ ହେବେ, ଏହା ମୁଁ ଭଲଭାବେ ଜାଣିଥିଲି\’ । ଏକଥା ସମସ୍ତେ ଜାଣନ୍ତି ଯେ, ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କର ଭାଇ ବଳଭଦ୍ର, ଗୋପାଳନ କରି କ୍ଷୀର ଓ ଲହୁଣୀ ଖାଇ ସନ୍ତୋଷ ଲାଭ କରୁଥିଲେ ।ତେଣୁ ପ୍ରତ୍ୟେକ ପରିବାର ପବିତ୍ର ହୃଦୟରେ ଗୋପାଳନ କରି ଗୋରୁଗାଈଙ୍କର ସେବା କରିବା ଉଚିତ । ଶ୍ରାବଣ ପୂର୍ଣ୍ଣିମା ଦିନ ଭଉଣୀ ତା\’ର ଭାଇ ହାତରେ ରାକ୍ଷୀ ବାନ୍ଧିବାର ଯେଉଁ ପରମ୍ପରା ବହୁ ପ୍ରାଚୀନ କାଳରୁ ଗଡ଼ିଆସୁଛି, ତାହା ସର୍ବସୁଖ ଓ ମଙ୍ଗଳ କାମନାର ଏକ ଦୃଢ଼ ସନ୍ତକ । ପ୍ରକୃତରେ ରକ୍ଷା ବନ୍ଧନ ହେଉଛି ଭାଇ ଓ ଭଉଣୀର ପବିତ୍ର ସ୍ନେହ, ଶ୍ରଦ୍ଧା ଓ ପ୍ରେମର ନିଦର୍ଶନ ସ୍ୱରୂପ । ଏଇ ଗହ୍ମାପୂର୍ଣ୍ଣିମା ଦିନ ଭାଇ ହାତରେ ଭଉଣୀ ପବିତ୍ର ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସୀ ଦୀର୍ଘ ଜୀବନ ଓ ସର୍ବ ସଫଳତା କାମନା କରିଥାଏ । ପ୍ରତିବଦଳରେ ଭାଇ ମଧ୍ୟ ଭଉଣୀକୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା ପ୍ରଦାନ ସହ ସର୍ବ ଦୁଃଖରୁ ରକ୍ଷା କରିବା ନିମିତ୍ତ ବଚନବଦ୍ଧ ରହେ । ଘରର ସମସ୍ତଙ୍କ ମଙ୍ଗଳ ଓ ସୁଖଶାନ୍ତି ପାଇଁ ମଧ୍ୟଏହି ପବିତ୍ର ଡୋରିକୁ ଘର ସମ୍ମୁଖ ଦ୍ୱାରରେ ବାନ୍ଧି ଦିଆଯାଏ । ଏହି ପବିତ୍ର ରାକ୍ଷୀବନ୍ଧନ ପର୍ବ ସହିତ ଆଉ ଏକ ଐତିହାସିକ ଘଟଣା ଯୋଡ଼ି ହୋଇ ରହିଛି । ଭାରତରେ ମୋଗଲ ଶାସନ ଅମଳରେ ଅନେକ ମୁସଲମାନ ବ୍ୟକ୍ତି ହିନ୍ଦୁ ରମଣୀଙ୍କ ଉପରେେ ଅକଥନୀୟ ଅତ୍ୟାଚାର କରୁଥିଲେ । ତେଣୁ ଆମ ଦେଶର ସମ୍ଭ୍ରାନ୍ତବଂଶୀୟ ମହିଳାମାନେ ସେମାନଙ୍କ ସୁରକ୍ଷା ନିମିତ୍ତବଳବାନ୍ ରାଜା ଓ ବାଦଶାହାଙ୍କ ସହିତ ରାକ୍ଷୀ ବନ୍ଧନ ସୂତ୍ରରେ ଭ୍ରାତୃତ୍ୱ ସମ୍ବନ୍ଧ ସ୍ଥାପନ କରୁଥିଲେ । ସେହିଭଳି ମେବାରର ରାଣା ସଂଗ୍ରାମ ସିଂହଙ୍କ ମୃତ୍ୟୁ ପରେ ଦିଲ୍ଲୀର ମୋଗଲ ବାଦଶାହା ଚିତୋର ଦୁର୍ଗ ଆକ୍ରମଣ କରିବା ପାଇଁ ଇଚ୍ଛା ପ୍ରକାଶ କଲେ । ମାତ୍ର ଚିତୋର ଗଡ଼ର ସାହସିକା ଓ ବୀରା ରାଣୀ କର୍ଣ୍ଣବତୀ ଏହା ଜାଣି ସେ ସମୟରେ ମୋଗଲ ବାଦଶାହ ହୁମାୟୁନଙ୍କ ପାଖକୁ ପବିତ୍ର ରାକ୍ଷୀ ପଠାଇ ଚିତୋର ଦୁର୍ଗକୁ ରକ୍ଷା କରିଥିଲେ । ହୁମାୟୁନ ଜଣେ ମୁସଲମାନ ଶାସକ ହେଲେ ହେଁ ହିନ୍ଦୁ ପରମ୍ପରା ଓ ବିଶ୍ୱାସକୁ ସମ୍ମାନ ଦେଇ ରାକ୍ଷୀ ବନ୍ଧନର ମହତ୍ତ୍ୱ ଅବସରରେ ଚିତୋର ଦୁର୍ଗ ଆକ୍ରମଣରୁ ବିରତ ରହିଲେ । ଆମର ସାମାଜିକ ସଂସ୍କୃତିରେ ଭାଇ ଭଉଣୀର ସମ୍ପର୍କ ଅତି ନିବିଡ଼ । ବଡ଼ଦେଉଳର ବଡ଼ ଠାକୁର ଜଗତର ନାଥ ଜଗନ୍ନାଥ ଭଉଣୀ ସୁଭଦ୍ରାଙ୍କୁ ସେଇଥିପାଇଁ ପାଖରେ ବସାଇଛନ୍ତି । ଆମ ସଂସ୍କୃତିରେ ଭଉଣୀର ସୁଖ, ସୌଭାଗ୍ୟ, ଭାଗ୍ୟ ଭବିଷ୍ୟତ, ବାପ ଭାଇ ଉପରେ ନିର୍ଭରଶୀଳ । ବାପ ଭାଇ ଝିଅର ସାହା ଓ ଭରସା । ଜଗନ୍ନାଥ ସଂସ୍କୃତିର ଧର୍ମ ସେହିକଥା ପ୍ରଚାର କରିବାକୁ ଯାଇ କହେ – ଜଗାବଳିଆଙ୍କ ମଝିରେ ବସିଛି ଭଉଣୀ ହଳଦୀ ମୁହିଁ ଭଉଣୀ ମହତ ରଖିବାକୁ ଡାକ ଦିଅନ୍ତି ଜଗତ ସାଇଁ । କିମ୍ବଦନ୍ତୀ ଅନୁଯାୟୀ ବାସୁଦେବ କୃଷ୍ଣ ଶିଶୁପାଳକୁ ବିନାଶ କରିବାକୁ ସୁଦର୍ଶନ ଚକ୍ର ବ୍ୟବହାର କରିଥିବା ବେଳେ ବିବ୍ରତାବସ୍ଥାରେ ନିଜ ଅଙ୍ଗୁଳି କଟିଯାଇ ରକ୍ତ କ୍ଷରିତ ହୋଇଥିଲା । ପ୍ରତ୍ୟୁତ୍ପନ୍ନମତି କୃଷ୍ଣା ଭଗବାନ କୃଷ୍ଣଙ୍କର ଏତାଦଶୃ ଅବସ୍ଥାକୁ ଦେଖି ନିଜ ପାଟ ପଣତକାନି ଚିରି ତାଙ୍କ ଅଙ୍ଗୁଳିରେ ପଟି ବାନ୍ଧି ରକ୍ତସ୍ରାବକୁ ବନ୍ଦ କରାଇଥିଲେ । ସ୍ମିତହସ ହସି ରଙ୍ଗାଧର କୃଷ୍ଣ ଦ୍ରୌପଦୀଙ୍କୁ ବିପଦ କାଳରେ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କୃଷ୍ଣାଙ୍କ ପ୍ରଦତ୍ତ ରିବନତୁଲ୍ୟ ସେହି ଶାଢ଼ୀ ପଣତର କନା ଚକ୍ରବୃଦ୍ଧି ହାରରେ ସତେ ଭଗବାନଙ୍କ ଭଣ୍ଡାରରେ ବଢ଼ି ବଢ଼ି ଅସୀମ ହୋଇଥିଲା । କୁରୁସଭା ସ୍ଥଳରେ ଦୁର୍ମତୀ ଦୁଃଶାସନ ତାଙ୍କୁ ବିବସ୍ତ୍ର କଲାବେଳେ ପଞ୍ଚାବନକୋଟି ବସ୍ତ୍ରର ରୂପ ନେଇ ଶୂନ୍ୟରୁ ଖସି ତାଙ୍କ ଦେହକୁ ଜଡ଼ାଇ ଥିଲା । ଲୋକମୁଖରେ ଆଉ ଏକ କିମ୍ବଦନ୍ତୀ ଶୁଣାଯାଏ ଯେ, ଏହି ଦିନ ମଧ୍ୟମ ପାଣ୍ଡବ ଭୀମ ଶକଟାସୁରକୁ ବଧ କରିଥିଲେ । ତେଣୁ ବଳ ବା ପରାକ୍ରମର ପ୍ରତୀକ ସ୍ୱରୂପ ଲୋକେ ଏକ ମାଟିର କୁଦ ତିଆରି କରି ପ୍ରଥମେ ପୂଜା କରନ୍ତି ଏବଂ ତା\’ପରେ ପିଲମାନେ ଡିଆଁଡେଇଁ କରି ସେ ମାଟି ଗଦାକୁ ଭାଙ୍ଗିଥାଆନ୍ତି । ଏହାକୁ ଗହ୍ମାଡିଆଁ ମଧ୍ୟ କୁହାଯାଏ । ଏହିଦିନ ଶ୍ରୀମନ୍ଦିରରେ ଗହ୍ମାପର୍ବ ପାଳିତ ହୁଏ । ଉତ୍କଳୀୟ ପାଟରା ବୈଶ୍ୟମାନଙ୍କର ଏହା ଏକ କୌଳିକ ପର୍ବ । ଏହିଦିନ ସ୍ୱଭାବକବି ଗଙ୍ଗାଧର ମେହେର ଏବଂ ମହାନ ପୁରୁଷ ଠାକୁର ନିଗମାନନ୍ଦ ମଧ୍ୟ ଜନ୍ମଗ୍ରହଣ କରିଥିଲେ । ରାକ୍ଷୀ ପୂର୍ଣ୍ଣିମା ବା ଶ୍ରାବଣ ପୂର୍ଣ୍ଣିମାକୁ ଝୁଲଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ବୈଷ୍ଣବ ମତାନୁସାରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ଏହି ଅବସରରେ ଝୁଲା ବା ଦୋଳିରେ ବସି ଝୁଲନ୍ତି । ଓଡ଼ିଶାର ବିଭିନ୍ନ ବିଷ୍ଣୁମନ୍ଦିରରେ ଏହି ଝୁଲଣ ପର୍ବ ବଡ଼ ଆଡ଼ମ୍ବର ସହକାରେ ପାଳିତ ହୁଏ । ଆଧ୍ୟାତ୍ମିକ ମତ ଅନୁଯାୟୀ ରକ୍ଷାବନ୍ଧନ ପାଞ୍ଚ ବିକାରଠାରୁ ଆତ୍ମାର ରକ୍ଷା ପାଇଁ ବନ୍ଧା ହୋଇଥିବା ପବିତ୍ର ଏବଂ ଅଲୌକିକ ପ୍ରେମ ଓ ପବିତ୍ର ବନ୍ଧନ, ଯାହାକି ହୃଦୟର ସମସ୍ତ କଳୁଷିତ ବାସନାକୁ ପରିଷ୍କାର କରିଦେଇଥାଏ । ପବିତ୍ରତାର ବନ୍ଧନ ଅର୍ଥାତ୍ ସଚ୍ଚା ରକ୍ଷା ବନ୍ଧନ । ପବିତ୍ରତା ବିନା ମନୁଷ୍ୟର ସ୍ୱଭାବ ଦୈବୀ ଗୁଣ ଯୁକ୍ତ ହୋଇପାରିବ ନାହିଁ କିମ୍ବା ବିଶ୍ୱରେ ଦୈବୀ ସ୍ୱରାଜ୍ୟର ସ୍ଥାପନା ହୋଇପାରିବ ନାହିଁ । ରକ୍ଷା ବନ୍ଧନର ବାସ୍ତବିକ ସ୍ୱରୂପ କିଛି ଭିନ୍ନ ଅଟେ । ଦେବାସୁର ସଂଗ୍ରାମ ଆମର ଅନ୍ତକରଣରେ ସତ୍ ଏବଂ ଅସତ୍ ପ୍ରବୃତ୍ତି ମଧ୍ୟରେ ଚାଲୁଥିବା ସଂଘର୍ଷର ସାଙ୍କେତିକ ଅଭିବ୍ୟକ୍ତି ମାତ୍ର । ଇନ୍ଦ୍ର ହେଉଛନ୍ତି ଇନ୍ଦ୍ରିୟର ସ୍ୱାମୀ ଏବଂ ଏହା ଜ୍ଞାନ ଦ୍ୱାରା ସୋମରସ (ଅମୃତ) ପାନ କରିଥାଏ । କାମ ବାସନା ଦ୍ୱାରା କରାଯାଇଥିବା କାର୍ଯ୍ୟ ସବୁଠାରୁ ବଡ଼ ହିଂସା ଅଟେ । ତେଣୁ ଯଥାର୍ଥରେ ରକ୍ଷାବନ୍ଧନ ‘ପୁଣ୍ୟପ୍ରଦାୟକ\’ ଏବଂ \”ବିଷ ତୋଡକ’ ପର୍ବ ରୂପେ ଖ୍ୟାତ । ମନୁଷ୍ୟ ମଧ୍ୟରେ ଥିବା କାମ ବାସନା ହେଉଛି ଭୟଙ୍କର ବିଷ ସଦୃଶ । ଏହା ବ୍ରହ୍ମଚର୍ଯ୍ୟ ଦ୍ୱାରା ହିଁ ନିବାରଣ ହୋଇଥାଏ । ରକ୍ଷାବନ୍ଧନ ପର୍ବରେ, ତିଳକର ଉତ୍ସବ ପ୍ରମୁଖ ବିଧାନ ଅଟେ । ତିଳକ ଲଗାଇବାର ସ୍ଥାନ ଦୁଇ ଭୃଲତା ମଧ୍ୟବର୍ତ୍ତୀ ସ୍ଥାନ, ଯେଉଁଠାରେ କି ଆତ୍ମା ଅବସ୍ଥାନ କରିଥାଏ । ସେହିଠାରେ ତିଳକ ଲଗାଇବା ଅର୍ଥ ଆତ୍ମସ୍ୱରୂପରେ ସ୍ଥିତ ହେବା । ରକ୍ଷାବନ୍ଧନ ପର୍ବରେ ରେଶମୀ ବା ନାଇଲନ୍ ସୂତା ରକ୍ଷା ସୂତ୍ର ରୂପେ ବ୍ୟବହାର କରାଯାଏ । ବାସ୍ତବରେ ସୂତା ପବିତ୍ର ବା ଧାର୍ମିକ କାର୍ଯ୍ୟରେ ଲାଗିଥାଏ । ସୂତା ମର୍ଯ୍ୟାଦା ଓ ସଂଯମର ପ୍ରତୀକ ଅଟେ । ସୂତାର ମୂଲ୍ୟ ତୁଳନାରେ ତା\’ର ମାହାତ୍ମ୍ୟ ବହୁତ ବଡ଼ । ଅବଶ୍ୟ ଏହା ଉଚ୍ଚ ଭାବର ପ୍ରତୀକ । ଉଦାହରଣ ସ୍ୱରୂପ କମଳ ପୁଷ୍ପର ମୂଲ୍ୟ ମହଙ୍ଗା ନୁହେଁ, କିନ୍ତୁ ଯେଉଁ ଭାବ କିମ୍ବା ଗୁଣର ଏହା ପ୍ରତୀକ, ଯଦି ସେହି ଗୁଣକୁ ଧାରଣ କରିହେବ, ତେବେ ଜୀବନ ବହୁତ ଉଚ୍ଚ, ପୂଜନୀୟ ହୋଇଯିବ ।

Leave a Reply