ଇଟାଲୀରେ ନୂଆ ନିୟମ-ବୁର୍କା-ନିକାବ ପିନ୍ଧି ସ୍କୁଲ ଯିବା ମନା

ରୋମ୍‌: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସ୍କୁଲଗୁଡ଼ିକରେ ବୁର୍କା ଓ ନିକାବ ପିନ୍ଧିବା ଉପରେ ରୋକ୍‌ ଲଗାଇବା ସହ ପ୍ରତ୍ୟେକ ଶ୍ରେଣୀରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସୀମିତ କରିବା ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ରୋମ୍‌ରେ ତାଙ୍କ ଦଳ ‘ବ୍ରଦର୍ସ ଅଫ୍ ଇଟାଲୀ’ର ଯୁବ ଶାଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମେଲୋନି ଏହି ପ୍ରସ୍ତାବ ବିଷୟରେ କହିଛନ୍ତି।

ପ୍ରସ୍ତାବିତ ନିୟମ ଅନୁସାରେ, ଇଟାଲୀର ସ୍କୁଲ ବ୍ୟବସ୍ଥା ସହ ଖାପ ଖୁଆଇବାରେ ସମସ୍ୟା ଭୋଗୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଇଟାଲୀୟ ଭାଷା ଶିଖିବା ପାଇଁ କ୍ଲାସ୍‌ କରିବାକୁ ପଡ଼ିପାରେ। ସରକାରୀ ଅନୁମୋଦନ ପରେ ଏହି ପ୍ରସ୍ତାବ ଆଇନରେ ପରିଣତ ହେବା ପାଇଁ ୬୦ ଦିନ ମଧ୍ୟରେ ସଂସଦର ଅନୁମୋଦନ ଆବଶ୍ୟକ ହେବ।

ମେଲୋନି ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ୩ଟି ପ୍ରମୁଖ ପ୍ରସ୍ତାବ ରଖିଛନ୍ତି। ସେଗୁଡ଼ିକ ହେଲା
ଇଟାଲୀର ସ୍କୁଲ ଓ କଲେଜର ପ୍ରତ୍ୟେକ ଶ୍ରେଣୀରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଆଇନ ଅନୁସାରେ ସୀମିତ କରିବା।

ସ୍କୁଲ ବ୍ୟବସ୍ଥା ସହ ଖାପ ଖୁଆଇବାରେ ଗୁରୁତର ସମସ୍ୟା ଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ଇଟାଲୀୟ ଭାଷା ଶିକ୍ଷା ବାଧ୍ୟତାମୂଳକ କରାଯିବ ।

ସ୍କୁଲରେ ବୁର୍କା ଓ ନିକାବ ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ରୋକ୍‌ ଲଗାଇବା।

ବୁର୍କାରେ ମୁହଁ ସମ୍ପୂର୍ଣ୍ଣ ଢାଙ୍କି ହୋଇ ରହିଥାଏ। ନିକାବରେ ମଧ୍ୟ ମୁହଁ ଢାଙ୍କି ହୋଇ ରହେ, କେବଳ ଆଖି ଦେଖାଯାଏ। ତେବେ ମେଲୋନିଙ୍କ ପ୍ରସ୍ତାବରେ ହିଜାବ ବିଷୟରେ ଉଲ୍ଲେଖ ନଥିବା ରିପୋର୍ଟରେ କୁହାଯାଇଛି।

ମେଲୋନି କହିଛନ୍ତି ଯେ, ଯେଉଁମାନେ ଇଟାଲୀକୁ ଆସି ଏଠାରେ ଭବିଷ୍ୟତ ଗଢ଼ିବାକୁ ଚାହାନ୍ତି, ସେମାନେ ଇଟାଲୀୟ ଭାଷା ଶିଖିବା, ଦେଶର ସଂସ୍କୃତି ବୁଝିବା ଏବଂ ନିୟମକୁ ସମ୍ମାନ କରିବା ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ଆଗରେ ଏକ ପ୍ରସ୍ତାବ ରଖାଯିବ ବୋଲି ସେ କହିଛନ୍ତି।

ମେଲୋନିଙ୍କ କହିବା ଅନୁସାରେ, ସ୍କୁଲରେ ସୀମିତ ବିଦେଶୀ ଛାତ୍ର ରହିବେ । ଏଥିସହ ଯେଉଁ ବିଦେଶୀ ଛାତ୍ରଙ୍କୁ ସ୍କୁଲ ବ୍ୟବସ୍ଥାରେ ମିଶିବାରେ ଗୁରୁତର ସମସ୍ୟା ହେଉଛି, ସେମାନଙ୍କ ଅଭିଭାବକଙ୍କୁ ଇଟାଲୀୟ ଭାଷା ଶିଖିବାକୁ ପଡ଼ିବ।

ଇଟାଲୀରେ ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୭ରେ ହେବାକୁ ଥିବାରୁ ଏହି ପ୍ରସ୍ତାବ ଆସିଛି। ଇଟାଲୀର ରାଜନୀତିରେ ପ୍ରବାସନ, ଜାତୀୟ ପରିଚୟ ଓ ଭାଷା ଭଳି ପ୍ରସଙ୍ଗ ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ବିଷୟ ରହିଆସିଛି। ମେଲୋନିଙ୍କ ସରକାର ମଧ୍ୟ ପ୍ରବାସନ ଓ ଏକୀକରଣ ସମ୍ପର୍କିତ ନୀତି ଉପରେ ଗୁରୁତ୍ୱ ଦେଇଆସୁଛି।

ଇଟାଲୀର ସ୍କୁଲଗୁଡ଼ିକରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ଉପରେ ପୂର୍ବରୁ ମଧ୍ୟ ନିୟମ ରହିଛି। ରିପୋର୍ଟ ଅନୁସାରେ, ପ୍ରତ୍ୟେକ ସ୍କୁଲ ଓ ଶ୍ରେଣୀରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ପାଇଁ ୩୦ ପ୍ରତିଶତ ସୀମାର ନିୟମ ରହିଛି। ତେବେ ମେଲୋନିଙ୍କ ନୂଆ ପ୍ରସ୍ତାବରେ ଏହି ସୀମା କିପରି ବଦଳିବ, ତାହା ସ୍ପଷ୍ଟ ହୋଇନାହିଁ।

ଏହି ପ୍ରସ୍ତାବ ଏବେ ଆଇନ ହୋଇନାହିଁ। ସରକାର ଅନୁମୋଦନ କରିବା ପରେ ସଂସଦର ଅନୁମୋଦନ ମିଳିଲେ ହିଁ ଏହା ଆଇନର ରୂପ ନେବ।

Leave a Reply

Your email address will not be published. Required fields are marked *