ଧର୍ମନିରପେକ୍ଷତାର ପ୍ରକୃତ ଅର୍ଥ ଏବଂ ବନ୍ଦେ ମାତରମ୍ ବିବାଦ
ଭାରତର ସୁପ୍ରିମକୋର୍ଟରେ ‘ବନ୍ଦେ ମାତରମ୍’କୁ ନେଇ ଚାଲିଥିବା ଶୁଣାଣି ଭାରତର ଧର୍ମନିରପେକ୍ଷତାର ସେହି ଚର୍ଚ୍ଚା ଓ ଆଲୋଚନାକୁ ପୁଣିଥରେ ସାମ୍ନାକୁ ଆଣିଛି, ଯାହାକୁ ପ୍ରାୟତଃ ସୁବିଧା ଅନୁଯାୟୀ ଅଲଗା ଅଲଗା ଅର୍ଥରେ ଉପସ୍ଥାପନ କରାଯାଏ। କୌଣସି ବ୍ୟକ୍ତି ବନ୍ଦେ ମାତରମ୍ ଗାଇବା କିମ୍ବା ନ ଗାଇବା ଉପରେ ଏଠି ପ୍ରଶ୍ନ ଉଠୁ ନାହିଁ । ପ୍ରଶ୍ନ ହେଉଛି ଭାରତରେ ଧର୍ମନିରପେକ୍ଷତାର ଅର୍ଥ କ’ଣ? ଧର୍ମନିରପେକ୍ଷତା କଣ କେବଳ ଧାର୍ମିକ ଅସହମତିର ଅଧିକାରର ସୁରକ୍ଷା କରେ ନା ରାଷ୍ଟ୍ରର ନୀତିରେ ସମସ୍ତ ଧାର୍ମିକ ସମୁଦାୟ ସହିତ ସମାନ ସାବିଧାନିକ ବ୍ୟବହାରର ମଧ୍ୟ ଦାବି କରେ?
ଯେତେବେଳେ କୌଣସି ରାଷ୍ଟ୍ରର ମୂଳ ଚେତନା ଏବଂ ଏହାର ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକ ଉପରେ ହିଁ ପ୍ରଶ୍ନ ଉଠିବାକୁ ଲାଗେ, ସେତେବେଳେ ନାଗରିକମାନଙ୍କର ଏକ ବଡ଼ ବର୍ଗ ମଧ୍ୟରେ ଏହି ସନ୍ଦେହ ଗଭୀର ହେବାରେ ଲାଗେ ଯେ କ’ଣ ଧର୍ମନିରପେକ୍ଷତାର ବ୍ୟବହାର ଦେଶକୁ ବୈଚାରିକ ଭାବରେ ବିଭକ୍ତ କରିବା ପାଇଁ ଷଡଯନ୍ତ୍ର କରାଯାଉନିତ ?
ସୁପ୍ରିମକୋର୍ଟରେ ଶୁଣାଣି (୨୦୨୬)
୨୨ ସେପ୍ଟେମ୍ବର ୨୦୨୬ରେ ସୁପ୍ରିମକୋର୍ଟ ସଙ୍ଗୀତଜ୍ଞ ଟି.ଏମ୍. କୃଷ୍ଣାଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ। ଆବେଦନରେ ୨୦୨୬ରେ କରାଯାଇଥିବା ସେହି ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଛି, ଯାହା ମାଧ୍ୟମରେ ବନ୍ଦେ ମାତରମ୍କୁ ରାଷ୍ଟ୍ରୀୟ ସଙ୍ଗୀତ ସଦୃଶ ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଆଇନର ପରିସରକୁ ଅଣାଯାଇଛି। ଶୁଣାଣି ସମୟରେ ଅଦାଲତ ସଙ୍କେତ ଦେଇଥିଲେ ଯେ ଧାର୍ମିକ କିମ୍ବା ପ୍ରକୃତ ଅନ୍ତରାତ୍ମା ସମ୍ବନ୍ଧୀୟ ଆପତ୍ତି ଯୋଗୁଁ ବନ୍ଦେ ମାତରମ୍ ନ ଗାଉଥିବା ବ୍ୟକ୍ତି ଅପରାଧିକ ପରିଣାମ ଭୋଗିବା ଉଚିତ୍ ନୁହେଁ ଏବଂ ୧୯୮୬ର ବିଜୋ ଇମାନୁଏଲ୍ ନିଷ୍ପତ୍ତିରେ ପ୍ରତିଷ୍ଠିତ ସିଦ୍ଧାନ୍ତ ପ୍ରଯୁଜ୍ୟ ରହିବ।
ବାସ୍ତବରେ, ଏହି ଆଇନଗତ ଲଢ଼େଇ ପୁଣିଥରେ ରାଷ୍ଟ୍ରୀୟ ଅସ୍ମିତାକୁ ଅଦାଲତର କାଠଗଡ଼ାରେ ଠିଆ କରିଛି। ବିଚାର କରନ୍ତୁ ଯେ କ’ଣ ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକର ସମ୍ମାନ ମଧ୍ୟ ବ୍ୟକ୍ତିର ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିବା ଉଚିତ୍? ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବା ଉଚିତ୍ ଯେ ୨୦୨୬ର ସଂଶୋଧନ ଏହା କହେ ନାହିଁ ଯେ ପ୍ରତ୍ୟେକ ନାଗରିକଙ୍କୁ ବନ୍ଦେ ମାତରମ୍ ଗାଇବାକୁ ହିଁ ପଡ଼ିବ ଏବଂ ନ ଗାଇଲେ ତାଙ୍କୁ ଜେଲ୍ ହେବ। ସଂଶୋଧିତ ଆଇନ ଜାଣିଶୁଣି ରାଷ୍ଟ୍ରୀୟ ଗୀତର ଗାନକୁ ରୋକିବା କିମ୍ବା ଏହାର ଗାନରେ ଲାଗିଥିବା ସଭାରେ ବାଧା ସୃଷ୍ଟି କରିବାକୁ ଦଣ୍ଡନୀୟ କରିଥାଏ, ଏଥିପାଇଁ ସର୍ବାଧିକ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍, ଜୋରିମାନା କିମ୍ବା ଉଭୟର ବ୍ୟବସ୍ଥା ରହିଛି।
ପୁନର୍ବାର ଦୋଷସାଧ୍ୟ ହେବାର ସ୍ଥିତିରେ ସର୍ବନିମ୍ନ ଏକ ବର୍ଷର କାରାବାସର ବ୍ୟବସ୍ଥା ମଧ୍ୟ ପ୍ରଯୁଜ୍ୟ ହୋଇଥାଏ। ଅର୍ଥାତ୍ କୌଣସି ବ୍ୟକ୍ତିଙ୍କର ଶାନ୍ତିପୂର୍ଣ୍ଣ ଉପାୟରେ ଗୀତ ନ ଗାଇବା ଏବଂ କୌଣସି ସାର୍ବଜନୀନ ଆୟୋଜନରେ ଜାଣିଶୁଣି ବାଧା ସୃଷ୍ଟି କରିବା ମଧ୍ୟରେ ଆଇନଗତ ପାର୍ଥକ୍ୟ ରହିଛି। ସୁପ୍ରିମକୋର୍ଟଙ୍କ ବର୍ତ୍ତମାନର ଶୁଣାଣି ଏହି ସାମ୍ବିଧାନିକ ସୀମାର ପରୀକ୍ଷା କରୁଛି।
୨୪ ଜାନୁଆରୀ ୧୯୫୦ ର ଐତିହାସିକ ନିଷ୍ପତ୍ତି
ବନ୍ଦେ ମାତରମ୍ର ସାବିଧାନିକ ଏବଂ ରାଷ୍ଟ୍ରୀୟ ସ୍ଥିତି ଉପରେ ଆଲୋଚନା କରିବା ସମୟରେ ୨୪ ଜାନୁଆରୀ ୧୯୫୦ର ସମ୍ବିଧାନ ସଭାର କାର୍ଯ୍ୟବାହୀକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସମ୍ବିଧାନ ସଭାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ କହିଥିଲେ ଯେ ଜନ ଗଣ ମନ ରାଷ୍ଟ୍ରୀୟ ସଙ୍ଗୀତ ହେବ ଏବଂ ସ୍ୱାଧୀନତା ସଂଘର୍ଷରେ ଐତିହାସିକ ଭୂମିକା ଗ୍ରହଣ କରିଥିବା ବନ୍ଦେ ମାତରମ୍କୁ ସେହି ଅନୁସାରେ ସମାନ ସମ୍ମାନ ଏବଂ ସମାନ ମାନ୍ୟତା ଦିଆଯିବ। ସମ୍ବିଧାନ ସଭାର ମୂଳ କାର୍ଯ୍ୟବାହୀ ଏହାର ଆଧିକାରିକ ପ୍ରମାଣ ଅଟେ।
ନୂତନ ଆଇନଗତ ଆଧିକାରିକ ତଥ୍ୟ-ପତ୍ରରେ ମଧ୍ୟ ବନ୍ଦେ ମାତରମ୍ର ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଐତିହାସିକ ମହତ୍ତ୍ୱକୁ ରେଖାଙ୍କିତ କରାଯାଇଛି। ଏହି ଗୀତ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ରଚନା କରିଥିଲେ, ୧୮୭୫ରେ ପ୍ରକାଶିତ ହୋଇଥିଲା ଏବଂ ପରେ ‘ଆନନ୍ଦମଠ’ରେ ସାମିଲ ହୋଇଥିଲା। ୧୮୯୬ର କଂଗ୍ରେସ ଅଧିବେଶନରେ ରବୀନ୍ଦ୍ରନାଥ ଠାକୁର ଏହାକୁ ସଙ୍ଗୀତବଦ୍ଧ କରି ଗାଇଥିଲେ। ୧୯୦୫ର ସ୍ୱଦେଶୀ ଆନ୍ଦୋଳନରେ ଏହା ରାଷ୍ଟ୍ରୀୟ ପ୍ରତିରୋଧର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଭାବରେ ସାମ୍ନାକୁ ଆସିଥିଲା। ଏତେ ଶ୍ରେଷ୍ଠ ଇତିହାସ ଥିବା ସ୍ଥିତିରେ ବନ୍ଦେ ମାତରମ୍କୁ ଆଦୌ ଧାର୍ମିକ ଦୃଷ୍ଟିକୋଣରୁ ଦେଖାଯାଇପାରିବ ନାହିଁ।
ଅନୁଚ୍ଛେଦ ୨୫, ୨୬ ଏବଂ ୨୭ ର ପ୍ରକୃତ ବ୍ୟାଖ୍ୟା
ସମ୍ବିଧାନର ଅନୁଚ୍ଛେଦ ୨୫ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନ୍ତଃକରଣର ସ୍ୱାଧୀନତା ଏବଂ ଧର୍ମ ଗ୍ରହଣ କରିବା, ଆଚରଣ କରିବା ତଥା ପ୍ରଚାର କରିବାର ଅଧିକାର ଦେଇଥାଏ। ଅନୁଚ୍ଛେଦ ୨୬ ଧାର୍ମିକ ସମ୍ପ୍ରଦାୟଗୁଡ଼ିକୁ ଧାର୍ମିକ ଏବଂ ଧର୍ମାର୍ଥ ସଂସ୍ଥା ପ୍ରତିଷ୍ଠା କରିବା, ଧାର୍ମିକ ମାମଲାର ପରିଚାଳନା କରିବା ତଥା ଆଇନ ଅନୁସାରେ ସମ୍ପତ୍ତି ରଖିବା ଏବଂ ଏହାର ପ୍ରଶାସନ କରିବାର ଅଧିକାର ଦେଇଥାଏ। ଅନୁଚ୍ଛେଦ ୨୭ କୌଣସି ବିଶେଷ ଧର୍ମର ପ୍ରଚାର ବା ସଂରକ୍ଷଣ ପାଇଁ ବିଶେଷ ଭାବରେ ଲଗାଯାଇଥିବା କର ସମ୍ବନ୍ଧରେ ସୁରକ୍ଷା ପ୍ରଦାନ କରିଥାଏ।
ଏହାର ଅର୍ଥ ଏହା ହେଲା ଯେ ଧର୍ମନିରପେକ୍ଷତା କୌଣସି ଧର୍ମକୁ ମୂଳରୁ ଲିଭାଇଦେବାର ବ୍ୟବସ୍ଥା ନୁହେଁ। ଏହା ରାଷ୍ଟ୍ରକୁ କୌଣସି ବିଶେଷ ଧର୍ମର ପକ୍ଷକାର ହେବାରୁ ରୋକି ନାଗରିକମାନଙ୍କର ଧାର୍ମିକ ସ୍ୱାଧୀନତାର ସୁରକ୍ଷା କରିଥାଏ, ତେଣୁ ଯେତେବେଳେ ବନ୍ଦେ ମାତରମ୍ର ପ୍ରସଙ୍ଗରେ ଧର୍ମନିରପେକ୍ଷତାର ଦ୍ୱାହି ଦିଆଯାଏ, ସେତେବେଳେ ଏହି କସଟି ଅନ୍ୟ ମାମଲାଗୁଡ଼ିକରେ ମଧ୍ୟ ପ୍ରଯୁଜ୍ୟ ହେବା ଉଚିତ୍। ଯଦି କୌଣସି ଧାର୍ମିକ ସମୁଦାୟର ଆସ୍ଥା, ସଂସ୍ଥା କିମ୍ବା ସମ୍ପତ୍ତି ସହିତ ଜଡ଼ିତ ପ୍ରଶ୍ନ ଉଠେ, ତେବେ ନିଷ୍ପତ୍ତି ସମାନ ସାମ୍ବିଧାନିକ ସିଦ୍ଧାନ୍ତ, ଆଇନ ଏବଂ ସ୍ୱଚ୍ଛତାର ଆଧାରରେ ହେବା ଉଚିତ୍। କ’ଣ ଭାରତରେ ସମାନତାର ଆଧାରରେ କେଉଁଠାରେ ଏହା ହେଉଥିବା ଦେଖାଯାଉଛି?
ମନ୍ଦିର, ୱାକଫ୍ ଏବଂ ଚର୍ଚ୍ଚର ସମ୍ପତ୍ତି ଉପରେ ସମାନ କସଟିର ପ୍ରଶ୍ନ
ଏହିଠାରେ ହିନ୍ଦୁ ସମାଜ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସାମ୍ନାକୁ ଆସିଥାଏ। ଯଦି ଧର୍ମନିରପେକ୍ଷତାର ଅର୍ଥ ଧାର୍ମିକ ସଂସ୍ଥାଗୁଡ଼ିକର ମାମଲାରେ ରାଷ୍ଟ୍ରର ସମାନ ଏବଂ ନିରପେକ୍ଷ ଭୂମିକା ଅଟେ, ତେବେ ମନ୍ଦିର, ୱାକଫ୍ ସମ୍ପତ୍ତି, ଚର୍ଚ୍ଚ ସଂସ୍ଥା ଏବଂ ଅନ୍ୟାନ୍ୟ ଧାର୍ମିକ ନ୍ୟାସଗୁଡ଼ିକ ସହିତ ଜଡ଼ିତ ପ୍ରଶାସନ ଏବଂ ସମ୍ପତ୍ତି ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକ ଉପରେ ମଧ୍ୟ ସମାନ ସାମ୍ବିଧାନିକ କସଟି ପ୍ରଯୁଜ୍ୟ ହେବା ଉଚିତ୍। ତାହା ଏପର୍ଯ୍ୟନ୍ତ କାହିଁକି କରାଯାଇ ନାହିଁ?
ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପଚରାଯିବା ଉଚିତ୍ ଯେ ଧାର୍ମିକ ସଂସ୍ଥାଗୁଡ଼ିକର ପ୍ରଶାସନରେ ରାଷ୍ଟ୍ରର ଭୂମିକାର ଆଧାର ସମସ୍ତ ସମୁଦାୟ ପାଇଁ ସମାନ କାହିଁକି ରଖାଯାଇ ନାହିଁ? ଏହି କଥା ମଦ୍ରାସା, ଚର୍ଚ୍ଚ କିମ୍ବା ମିଶନାରୀ ସଂସ୍ଥାଗୁଡ଼ିକର ସମ୍ପତ୍ତି ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ। କାହିଁକି ସେମାନଙ୍କୁ ଛାଡ଼ ଦିଆଯାଇଛି? କାହିଁକି ୱାକଫ୍ ବୋର୍ଡ଼ ତିଆରି କରାଯାଇଛି? ସେମାନେ ଭାରତରେ ହଲାଲ୍ ସାର୍ଟିଫିକେଟ୍ କିପରି ଚଳାଇ ପାରୁଛନ୍ତି?
ସଂଖ୍ୟାଲଘୁ ଆୟୋଗ ଏବଂ ଚୟନାତ୍ମକ ଧର୍ମନିରପେକ୍ଷତାର ରାଜନୀତି
ସେହିପରି ସଂଖ୍ୟାଲଘୁ ଆୟୋଗ ବା ସଂଖ୍ୟାଲଘୁ କାର୍ଯ୍ୟ ମନ୍ତ୍ରଣାଳୟ ଭାରତରେ କରୁଛନ୍ତି କ’ଣ? ଯଦି ସମସ୍ତ ଧର୍ମ ରାଷ୍ଟ୍ରର ନଜରରେ ସମାନ, ତେବେ ପୁଣି କାହିଁକି ଧର୍ମନିରପେକ୍ଷତାର ଦ୍ବାହି ଦେଇ ବହୁସଂଖ୍ୟକ ହିନ୍ଦୁ ସମାଜର ଧନ ସଂଖ୍ୟାଲଘୁ ମାନଙ୍କ ପାଇଁ ଖର୍ଚ୍ଚ କରାଯାଉଛି?
ଯେଉଁଥିରେ ସମ୍ବିଧାନର ଅନୁଚ୍ଛେଦ ୨୯ ଏବଂ ୩୦ ସାଂସ୍କୃତିକ ଅଧିକାର ତଥା ଧାର୍ମିକ ଏବଂ ଭାଷାଗତ ସଂଖ୍ୟାଲଘୁମାନଙ୍କୁ ନିଜର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ପରିଚାଳନା କରିବାର ଅଧିକାରର ସୁରକ୍ଷା କରିବାର ଯେଉଁ ଦ୍ୱାହି ପ୍ରାୟତଃ ଦିଆଯାଏ, ତାହା ମଧ୍ୟ ବନ୍ଦ ହେବା ଉଚିତ୍। କାରଣ ଦେଶର ପ୍ରତ୍ୟେକ ଶିଶୁକୁ ସମାନ ଶିକ୍ଷାର ଅଧିକାର ରହିଛି, ତେଣୁ ଏହା ସଂଖ୍ୟାଲଘୁ ବନାମ ବହୁସଂଖ୍ୟକ ହୋଇପାରିବ ନାହିଁ, କିନ୍ତୁ ବ୍ୟବହାରରେ କ’ଣ ହେଉଛି, ତାହା ଆଜି ସାମ୍ନାରେ ରହିଛି। ସଂଖ୍ୟାଲଘୁ ସ୍କୁଲ, କଲେଜଗୁଡ଼ିକର ନିଜସ୍ୱ ବ୍ୟବସ୍ଥା ଯେଉଁଥିରେ ସେମାନେ ଆର୍.ଟି.ଇ. (RTE) ଅଧୀନରେ ପିଲାମାନଙ୍କର ନାମଲେଖା ମଧ୍ୟ କରନ୍ତି ନାହିଁ! କ’ଣ ଏହା ହିଁ ମନୋନୀତ ଧର୍ମନିରପେକ୍ଷତା ହେବା ଉଚିତ୍? ଯେଉଁଥିରେ କେବଳ ବହୁସଂଖ୍ୟକ ହେବା କାରଣରୁ ସେହି ସମାଜ ସହିତ ଦ୍ୱିତୀୟ ଶ୍ରେଣୀର ବ୍ୟବହାର କରାଯିବ!
ଜନ୍ମ ନେଉଥିବା ଶିଶୁଟିକୁ ତ ଜଣା ନଥାଏ ଯେ ସେ କେଉଁଠାରେ ଜନ୍ମ ନେଉଛି, କିନ୍ତୁ ଏଠାରେ ତ ବହୁସଂଖ୍ୟକ ସମାଜରେ ଜନ୍ମ ନେବା କାରଣରୁ ତାକୁ ସେହି ସମସ୍ତ ସୁବିଧାରୁ ବଞ୍ଚିତ କରାଯାଉଛି ଯାହା ଏକ ରାଷ୍ଟ୍ରର ନାଗରିକ ଭାବରେ ତାହାର ଅନ୍ୟ କୌଣସି ନାଗରିକଙ୍କ ସମାନ ଅଧିକାର ହେବା ଉଚିତ୍ ଥିଲା। ଏଭଳି ସ୍ଥିତିରେ ଯେଉଁମାନେ ଧର୍ମନିରପେକ୍ଷତାର ଦ୍ବାହି ଦେଇ ବନ୍ଦେ ମାତରମ୍ର ବିରୋଧ କରୁଛନ୍ତି, ତେବେ ସେମାନଙ୍କ ପାଇଁ ଭାରତ ସରକାରଙ୍କ ସଂଖ୍ୟାଲଘୁ କାର୍ଯ୍ୟ ମନ୍ତ୍ରଣାଳୟ ବର୍ତ୍ତମାନ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ ଏବଂ ପାର୍ସୀ ସମୁଦାୟମାନଙ୍କ ପାଇଁ ବିଭିନ୍ନ ଯୋଜନା ପରିଚାଳନା କରୁଛି, ସେହି ବ୍ୟବସ୍ଥାକୁ ସମାପ୍ତ କରିଦିଆଯିବା ଉଚିତ୍।
ହିନ୍ଦୁ ସମାଜର ଅଧିକାର ଉପରେ ଚର୍ଚ୍ଚା କାହିଁକି ହେବ ନାହିଁ?
ବାସ୍ତବତା ତ ଏହା ଅଟେ ଯେ ଭାରତର ସଭ୍ୟତା, ସଂସ୍କୃତି ଏବଂ ସାର୍ବଜନୀନ ଜୀବନରେ ହିନ୍ଦୁ ପରମ୍ପରାର ଐତିହାସିକ ଭୂମିକାକୁ ଆଜି ସମଗ୍ର ବିଶ୍ୱ ଗ୍ରହଣ କରୁଛି। ଭାରତର ସାଂସ୍କୃତିକ ଐତିହ୍ୟରେ ହିନ୍ଦୁ ଦର୍ଶନ, ପରମ୍ପରା, ତୀର୍ଥ, ସାହିତ୍ୟ, କଳା ଏବଂ ସାମାଜିକ ସଂସ୍ଥାଗୁଡ଼ିକର ଅତ୍ୟନ୍ତ ବ୍ୟାପକ ଅବଦାନ ରହିଛି, ତେଣୁ ହିନ୍ଦୁ ସମାଜର ସାଂସ୍କୃତିକ ଅଧିକାରର ସୁରକ୍ଷା ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ସାବିଧାନିକ ଅଧିକାରର ସୁରକ୍ଷାକୁ ପରସ୍ପରର ବିରୋଧରେ ଠିଆ କରିବା ସମସ୍ୟାର ସମାଧାନ ନୁହେଁ। ସମାନତାର ଅର୍ଥ ଏହା ହିଁ ଅଟେ ଯେ ବହୁସଂଖ୍ୟକ ନାଗରିକଙ୍କ ଅଧିକାର ମଧ୍ୟ ସେତିକି ବାସ୍ତବ ବୋଲି ବିବେଚନା କରାଯାଉ, ଯେତିକି ସଂଖ୍ୟାଲଘୁ ନାଗରିକଙ୍କର ଭାରତରେ ୧୯୫୦ରୁ ସମ୍ବିଧାନ ଲାଗୁ ହେବା ସମୟରୁ ମାନି ନିଆଯାଉଛି।
ବାସ୍ତବରେ, ଯେତେବେଳେ ନୀତି-ନିର୍ମାତାମାନେ କେବଳ ଗୋଟିଏ ବର୍ଗର ଅଧିକାରର ସୁରକ୍ଷା ପ୍ରତି ଅତି-ସମ୍ବେଦନଶୀଳ ଦେଖାଯାଆନ୍ତି ଏବଂ ବହୁସଂଖ୍ୟକ ସମାଜର ଐତିହାସିକ ଧୋରୋହର ତଥା ଏହାର ମୌଳିକ ନାଗରିକ ଅଧିକାରର କଥା ଉପରେ ମୌନ ଅବଲମ୍ବନ କରନ୍ତି, ସେତେବେଳେ ସାମାଜିକ ଅସନ୍ତୋଷ ସୃଷ୍ଟି ହେବା ସ୍ୱାଭାବିକ ଅଟେ।
ଗୋଟିଏ ରାଷ୍ଟ୍ର, ସମାନ ନାଗରିକ ଅଧିକାର ଏବଂ ପୂର୍ଣ୍ଣ ସିଦ୍ଧାନ୍ତ
ଏଭଳି ପରିସ୍ଥିତିରେ କହିବାର କଥା ଏହା ଯେ ବନ୍ଦେ ମାତରମ୍ର ନାମରେ ଧର୍ମନିରପେକ୍ଷତାକୁ ଚୟନାତ୍ମକ ଢଙ୍ଗରେ ବ୍ୟବହାର କରାଯାଇପାରିବ ନାହିଁ। ଯଦି ଧାର୍ମିକ ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ, ତେବେ ତାହା ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ ଏବଂ ପ୍ରତ୍ୟେକ ଅନ୍ୟ ନାଗରିକ ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକର ସମ୍ମାନ ଆବଶ୍ୟକ, ତେବେ ତାହାର ଆଶା ମଧ୍ୟ ସମସ୍ତଙ୍କଠାରୁ ସମାନ ହେବା ଉଚିତ୍। ଯଦି ଧାର୍ମିକ ସଂସ୍ଥାଗୁଡ଼ିକୁ ଆଇନ ଅନୁସାରେ ନିଜର ମାମଲାଗୁଡ଼ିକର ପରିଚାଳନା କରିବାର ଅଧିକାର ରହିଛି, ତେବେ ରାଷ୍ଟ୍ରର ନିୟମନ ମଧ୍ୟ ସମାନ ସାବିଧାନିକ କସଟି ଉପରେ ହେବା ଉଚିତ୍।
ଭାରତକୁ କୌଣସି ଗୋଟିଏ ସମୁଦାୟର ଧାର୍ମିକ ଶ୍ରେଷ୍ଠତା କିମ୍ବା ଅନ୍ୟ କୌଣସି ସମୁଦାୟର ରାଜନୈତିକ ବିଶେଷାଧିକାର ବ୍ୟବସ୍ଥାରେ ଚଳାଇବାର ପ୍ରୟାସ କରାଯିବା ଉଚିତ୍ ନୁହେଁ। ଧର୍ମନିରପେକ୍ଷତା ଯଦି ପ୍ରକୃତରେ ସମ୍ବିଧାନର ମୂଲ୍ୟ ଅଟେ, ତେବେ ତାହାକୁ ଅର୍ଦ୍ଧ-ଅଧୁରା ସୁବିଧା ଭାବରେ ନୁହେଁ, ବରଂ ଏକ ପୂର୍ଣ୍ଣ ସାବିଧାନିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରିବା ସମସ୍ତଙ୍କ ପାଇଁ ସମାନ ଭାବରେ ବାଧ୍ୟତାମୂଳକ ଅଟେ।
କୌଣସି ନାଗରିକଙ୍କର ଧାର୍ମିକ ସ୍ୱାଧୀନତା ସୁରକ୍ଷିତ ରହୁ, କୌଣସି ସମୁଦାୟ ସହିତ ଧର୍ମର ଆଧାରରେ ପାତରଅନ୍ତର କରା ନ ଯାଉ ଏବଂ ସେହିପରି ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକର ସମ୍ମାନ ତଥା ଆଇନର ଶାସନର ସୁରକ୍ଷା ହେଉ, ଏହା ହିଁ ସେହି ସନ୍ତୁଳନ ଅଟେ ଯାହାର ଭାରତ ପରି ଏକ ବହୁଧାର୍ମିକ ଗଣତନ୍ତ୍ରର ଆବଶ୍ୟକତା ରହିଛି। ଏଥିରେ କୌଣସି ହିନ୍ଦୁ, ମୁସଲମାନ ବା ଅନ୍ୟ ମତ, ପନ୍ଥ, ଧର୍ମର କଥା ନାହିଁ। ଏତିକି ତ ବନ୍ଦେ ମାତରମ୍ର ବିରୋଧ କରୁଥିବା ଭାରତର ନାଗରିକମାନେ ବୁଝିପାରିବେ!