ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା- ବାଲିଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ସାକ୍ଷ୍ୟ ପ୍ରଦାନ କଲେ ମଧୁବାବା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ସେପ୍ଟେମ୍ବର ୨୨ ତାରିଖ ଦିନ ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ଶୁଣାଣି ହୋଇଥିଲା। ଏହି ଅବସରରେ ଅଭିଯୁକ୍ତ ମାଓନେତା ସବ୍ୟସାଚୀ ପଣ୍ଡା ଭିସି ମାଧ୍ୟମରେ ହାଜର ହୋଇଥିଲେ।

ସେହିପରି, ଘଟଣାର ଏତଲାକାରୀ, ପ୍ରତ୍ୟକ୍ଷଦର୍ଶୀ ତଥା ସ୍ୱାମୀଜୀଙ୍କ ଶିଷ୍ୟ ସ୍ୱାମୀ ମାଧବଚୈତନ୍ୟ ଓରଫ ମଧୁବାବା କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ।

ତେବେ ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ ବହୁ ତଥ୍ୟ ଓ ଦସ୍ତାବିଜ କୋର୍ଟରେ ଦାଖଲ କରିନଥିବା ନେଇ ମଧୁବାବା ଅଭିଯୋଗ ଆଣିଛନ୍ତି।

ମଧୁବାବା କହିଛନ୍ତି, ଘଟଣାର ପୂର୍ବଦିନ ଜଳେଶପଡ଼ା ସଂସ୍କୃତ କନ୍ୟାଶ୍ରମକୁ ‘ପାହାଡ଼ିଆବୁନ୍ଦ’ ନାମରେ ଲେଖାଯାଇଥିବା ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା।

ଆଶ୍ରମରେ ମୁତୟନ ଥିବା ପୁଲିସ ନିକଟକୁ ବାଂଶଧାରା ଡିଭିଜନ କମିଟି ନାମରେ ଏବଂ ମାଓନେତା ଆଜାଦଙ୍କ ଦସ୍ତଖତ ଥିବା ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା।

ଠିକ୍‌ ଦିନକ ପରେ ହତ୍ୟାକାରୀମାନେ ଆଶ୍ରମରେ ପଶି ସ୍ୱାମୀଜୀଙ୍କ ସମେତ ୫ ଜଣଙ୍କୁ ହତ୍ୟା କରିଥିଲେ।

ଏହାର କିଛି ଦିନ ପରେ ମାଓନେତା ସବ୍ୟସାଚୀ ପଣ୍ଡା ଏକ ଗଣମାଧ୍ୟମରେ ସ୍ୱାମୀଜୀଙ୍କୁ ହତ୍ୟା କରିଥିବା କହିଥିଲେ।

ଏହାସହ କ୍ରାଇମବ୍ରାଞ୍ଚ ସେତେବେଳେ ଜାରି କରିଥିବା ସ୍କେଚ୍‌ ମଧ୍ୟ କୋର୍ଟରେ ଦାଖଲ ହୋଇନାହିଁ ଏବଂ ଅଭିଯୋଗକାରୀଙ୍କଠାରୁ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଥିବା ବୟାନ ରେକର୍ଡରେ ନାହିଁ ବୋଲି ଆଜି ମଧୁବାବା କୋର୍ଟରେ କହିଛନ୍ତି।

ଘଟଣାକୁ ୧୮ ବର୍ଷ ବିତିଥିବା ବେଳେ ନ୍ୟାୟ ପ୍ରଦାନରେ ବିଳମ୍ବ ନେଇ ସେ ଘଟଣାର ତଦନ୍ତଭାର ସିବିଆଇକୁ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *