ମନ୍ଦିରରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି

ମନ୍ଦିରରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି

ବାସୁଦେବପୁର: ବାସୁଦେବପୁର ଥାନା ନନ୍ଦପୁର ଗାଁ ମା’ ତାରିଣୀ ଓ ଶିବ ମନ୍ଦିରରୁ ସୁନା, ରୁପା ଅଳଙ୍କାର ସହ ବିଭିନ୍ନ ମନ୍ଦିର ଉପକରଣ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରରୁ ଚୋରାଇ ନେଇଥିବା ଅଳଙ୍କାର ଓ ସାମଗ୍ରୀର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଚୋରି ସମ୍ପର୍କରେ ମନ୍ଦିର କମିଟି ସହ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ନନ୍ଦପୁର ଗାଁ ପ୍ରବେଶ ପଥରେ ରହିଛି ମା’ ତାରିଣୀ, ଶିବ ଓ ହନୁମାନଙ୍କ ମନ୍ଦିର। ସବୁଦିନ ପରି ଶନିବାର ସନ୍ଧ୍ୟାରେ ପୂଜକ ପୂଜାର୍ଚ୍ଚନା ସାରି ମନ୍ଦିରରେ ତାଲା ପକାଇ ଘରକୁ ଫେରିଥିଲେ। ରବିବାର ସକାଳେ ପୂଜକଙ୍କ ସହ ସେବାକାର୍ଯ୍ୟ କରିବାକୁ ଆସିଥିବା ଗାଁର ଗୌରୀ ନାୟକ ଓ ଅବନ୍ତୀ ଘଡ଼ାଇ ମନ୍ଦିର ମୁକୁଳା ପଡ଼ିଥିବା ଦେଖି ଚକିତ ହୋଇଥିଲେ। ମୁଖ୍ୟ ଫାଟକ ଭଙ୍ଗାଯାଇଥିବା, ମନ୍ଦିର ଭିତରେ ମା’ଙ୍କ କୌଣସି ଅଳଙ୍କାର ନଥିବା ଦେଖିବାକୁ ପାଇଥିଲେ। ପାଖ ଶିବ ମନ୍ଦିରର ଘଣ୍ଟି ମଧ୍ୟ ଚୋରି ହୋଇଥିବା ଦେଖି କମିଟିକୁ ଖବର ଦେଇଥିଲେ।

ଅଭିଯୋଗ ଅନୁଯାୟୀ, ମା’ଙ୍କ ତିନିଟି ସୁନା ମୁକୁଟ, ୨ଟି ରୁପା ମୁକୁଟ, ୩୦ରୁ ଅଧିକ ସୁନା, ରୁପା ଚିତା, ରୁପା ଥାଳିଆ ସହ ଅନ୍ୟ ଉପକରଣ ଚୋରି ହୋଇଛି। ଚୋରି ଖବର ଜଣାପଡ଼ିବା ପରେ ମନ୍ଦିର ପାଖରେ ଲୋକଙ୍କ ଭିଡ଼ ଲାଗିଥିଲା। ପୁଲିସ ଚୋରଙ୍କୁ ଧରିବା ସହ ଚୋରି ଅଳଙ୍କାର ଉଦ୍ଧାର କରିବାକୁ ସନ୍ତୋଷ ଘଡ଼ାଇ, ସୁଶାନ୍ତ ଘଡ଼ାଇ, ଅକ୍ଷୟ ମଲ୍ଲିକ, ବୁଲୁ ବାରିକ, କାଳନ୍ଦି ଘଡ଼ାଇ ପ୍ରମୁଖ ଗ୍ରାମବାସୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *