ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି

ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି

ମୋ ବାପାଙ୍କ ନିଧନ ରହସ୍ୟ ରହସ୍ୟରେ ରହିଯାଇଛି। ହତ୍ୟାର ତଦନ୍ତ ଫାଇଲ ହଜିଯାଇଥିବା କୁହାଯାଉଛି। ବିଡ଼ମ୍ବନାର କଥା, ହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ସରକାର ଦୁଇଟି ତଦନ୍ତ କମିସନ ବସାଇଥିଲେ ମଧ୍ୟ ଆଜି ସୁଦ୍ଧା ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରିଲାନି। ତଦନ୍ତ ଫାଇଲ ଉଦ୍ଧାର କରି ସାର୍ବଜନୀନ କରାଯାଉ ଏବଂ ସ୍ଵାମୀଜୀଙ୍କ ପ୍ରକୃତ ହତ୍ୟାକାରୀ ତଥା ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ଦିଆଯିବା ସହ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ପବିତ୍ର ଜନ୍ମାଷ୍ଟମୀ ଦିନ କନ୍ଧମାଳ ଜିଲ୍ଲାର ଟୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ଆୟୋଜିତ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଶ୍ରାଦ୍ଧ ଦିବସରେ ଯୋଗଦେଇ ସ୍ଵାମୀଜୀଙ୍କ ପୁତ୍ର ଲୋକନାଥ ଜୀ ଗଣମାଧ୍ୟମରେ ଏପରି ଦାବି ରଖିଛନ୍ତି।

ଜଲେଶପଟ୍ଟାସ୍ଥିତ ସଂସ୍କୃତ କନ୍ୟାଶ୍ରମ ଏବଂ ଟକାପାଦସ୍ଥିତ ଗୁରୁକୂଳ ସଂସ୍କୃତ ବିଦ୍ୟାଳୟ ପରିସରରେ ବେଦାନ୍ତକେଶରୀ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ବଳିଦାନ ଦିବସ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମରେ ସହସ୍ରାଧିକ ଅନୁଗାମୀଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଯୋଗଦେଇ ସ୍ଵାମୀଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ସ୍ମୃତିସଭାରେ ଉପସ୍ଥିତ ସାଧୁସନ୍ଥ ଓ ଅତିଥିମାନେ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ଜୀବନ, ଆଦର୍ଶ ଓ ସମାଜ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟସ୍ତରୀୟ ପଦାଧିକାରୀ, ସମ୍ପାଦକ ମହେଶ କୁମାର ସାହୁଙ୍କ ସମେତ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ପୁତ୍ର ଲୋକନାଥ ଜୀ, ପବିତ୍ର କୁମାର ସ୍ଵାଇଁ, କନ୍ଧମାଳ ଜିଲ୍ଲା ସଂଘଚାଳକ ରମେଶ କୁମାର ସାହୁ, ଛୋଟେଲାଲ ମହନ୍ତଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ସହସ୍ରାଧିକ ଅନୁଗାମୀ ଓ ସାଧୁସନ୍ଥଙ୍କ ଉପସ୍ଥିତିରେ ସମଗ୍ର ଜଲେଶପଟ୍ଟା ଆଶ୍ରମ ପରିସର ଦିନତମାମ ଶ୍ରଦ୍ଧା ଓ ସ୍ମୃତିରେ ମୁଖରିତ ହୋଇଥିଲା। ସେହିପରି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ପ୍ରତିଷ୍ଠିତ ଚକାପାଦ ଗୁରୁକୂଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ଵାମୀଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଚକାପାଦ ଗୁରୁକୂଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ଵାମୀଜୀଙ୍କ ଉତ୍ତରାଧିକାରୀ ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ଵତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସ୍ଵାମୀ କୃଷ୍ଣାନନ୍ଦ ସରସ୍ଵତୀ, ପଣ୍ଡିତ ଜଗବନ୍ଧୁ ଦାଶ, ପଣ୍ଡିତ ଲକ୍ଷ୍ମୀ ନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *