ରାଷ୍ଟ୍ର, ସମାଜ ଏବଂ ଭବିଷ୍ୟତର ଆହ୍ୱାନଗୁଡ଼ିକ ଉପରେ ତିନି ଦିନ ଧରି ବ୍ୟାପକ ଚିନ୍ତନ-ମନ୍ଥନ

ରାଷ୍ଟ୍ର, ସମାଜ ଏବଂ ଭବିଷ୍ୟତର ଆହ୍ୱାନଗୁଡ଼ିକ ଉପରେ ତିନି ଦିନ ଧରି ବ୍ୟାପକ ଚିନ୍ତନ-ମନ୍ଥନ

ବିଶାଖାପଟ୍ଟନମ, ୨୧ ଅଗଷ୍ଟ ୨୦୨୬:

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ପ୍ରେରିତ ବିଭିଧ ସଂଗଠନର ତିନିଦିନିଆ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆଜି ବିଶାଖାପଟ୍ଟନମ ନିକଟସ୍ଥ ବିଜ୍ଞାନ ବିହାର ଆବାସିକ ବିଦ୍ୟାଳୟ ପରିସର, ଗୁଡିଲୋଭାଠାରେ ସମ୍ପନ୍ନ ହୋଇଛି।

ସମାଜ ଏବଂ ରାଷ୍ଟ୍ର ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସଂଘ ପ୍ରେରିତ ସଂଗଠନଗୁଡ଼ିକର ପ୍ରମୁଖ ପଦାଧିକାରୀ ଏବଂ କର୍ମକର୍ତ୍ତାମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ପାଇଁ ମୋଟ ୩୨୬ ଜଣ ପ୍ରତିନିଧିଙ୍କୁ ଆମନ୍ତ୍ରିତ କରାଯାଇଥିଲା, ଯେଉଁଥିରେ ବିଭିନ୍ନ ସଂଗଠନର ମହିଳା ନେତୃତ୍ୱ ମଧ୍ୟ ସାମିଲ ଥିଲେ। ଏହି ତିନିଦିନିଆ ବୈଠକରେ ୪୯ ଜଣ ମହିଳା ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ବୈଠକରେ ପରମ ପୂଜନୀୟ ସରସଂଘଚାଳକ ଡ. ମୋହନ ଜୀ ଭାଗବତ ଏବଂ ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସବାଲେ ଜୀଙ୍କ ବିଶେଷ ଉପସ୍ଥିତି ରହିଥିଲା। ଏହା ସହିତ ସଂଘ ପ୍ରେରିତ ବିଭିନ୍ନ ସଂଗଠନର ଜାତୀୟ ସ୍ତରର ପ୍ରମୁଖ କର୍ମକର୍ତ୍ତା ଏବଂ ନେତୃତ୍ୱ ଏହି ବୈଠକରେ ଭାଗ ନେଇଥିଲେ।

ତିନି ଦିନ ଧରି ଦେଶ ଏବଂ ସମାଜର ବର୍ତ୍ତମାନର ପରିସ୍ଥିତି, ବିଭିନ୍ନ ସଂଗଠନ ଦ୍ୱାରା କରାଯାଉଥିବା କାର୍ଯ୍ୟ, ସେମାନଙ୍କର ଅଭିଜ୍ଞତା, ଭବିଷ୍ୟତର ଆହ୍ୱାନ ଏବଂ ଆଗାମୀ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଭାବରେ ବିଚାରବିମର୍ଷ କରାଯାଇଥିଲା।

ବୈଠକ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ସି.ଆର୍. ମୁକୁନ୍ଦ ଜୀ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜ ଆଧାରିତ ସେବା ଏବଂ ପୁନର୍ବାସ କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଛି। ଆସାମରେ ଆସିଥିବା ଭୀଷଣ ବନ୍ୟା ସମୟରେ ରାଷ୍ଟ୍ରୀୟ ସେବା ଭାରତୀ, ଭାରତୀୟ କିଷାନ ସଂଘ, ନ୍ୟାସନାଲ ମେଡିକୋଜ୍ ଅର୍ଗାନାଇଜେସନ୍ (NMO), ଆରୋଗ୍ୟ ଭାରତୀ ସମେତ ବିଭିନ୍ନ ସଂଗଠନ ଏବଂ କର୍ମକର୍ତ୍ତାମାନଙ୍କ ଦ୍ୱାରା କରାଯାଇଥିବା ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟଗୁଡ଼ିକର ତଥ୍ୟ ଆଦାନପ୍ରଦାନ କରାଯାଇଥିଲା।

ସନ୍ଥ ରବିଦାସ ଜୀଙ୍କ ୬୫୦ତମ ଜୟନ୍ତୀ ପ୍ରସଙ୍ଗରେ ତାଙ୍କ ବାର୍ତ୍ତା ଆଧାରରେ ସାମାଜିକ ସମରସତା ଏବଂ ସାମାଜିକ ସୌହାର୍ଦ୍ଧ ପାଇଁ ସମଗ୍ର ଦେଶରେ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକ ଏବଂ ସମାଜଠାରୁ ମିଳିଥିବା ସକରାତ୍ମକ ପ୍ରତିକ୍ରିୟାର ସମୀକ୍ଷା କରାଯାଇଥିଲା। ଏହି ଦିଗରେ ଆଗକୁ ମଧ୍ୟ କାର୍ଯ୍ୟକୁ କ୍ରମାଗତ ଭାବରେ ବଢ଼ାଇବା ପାଇଁ ବିଚାର କରାଯାଇଥିଲା।

ସେ କହିଥିଲେ ଯେ ବୈଠକରେ ଜନସାଂଖ୍ୟିକ ପରିବର୍ତ୍ତନ ଏବଂ ଅସନ୍ତୁଳନ ଉପରେ ମଧ୍ୟ ଗମ୍ଭୀର ଆଲୋଚନା ହୋଇଥିଲା। ବିଶ୍ୱର ଅନେକ ଦେଶରେ ବୃଦ୍ଧି ହେଉଥିବା ଜନସଂଖ୍ୟା ଏବଂ ହ୍ରାସ ପାଉଥିବା ପ୍ରଜନନ ହାର ଯୋଗୁଁ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକର ପ୍ରସଙ୍ଗରେ ଭାରତର ପରିସ୍ଥିତି ଉପରେ ବିଚାର କରାଯାଇଥିଲା। ବିଭିନ୍ନ କ୍ଷେତ୍ର ଏବଂ ସମ୍ପ୍ରଦାୟରେ ଜନସଂଖ୍ୟାର ଅନୁପାତରେ ହେଉଥିବା ପରିବର୍ତ୍ତନ ଏବଂ ସେଗୁଡ଼ିକର ସାମାଜିକ ପ୍ରଭାବ ଉପରେ ଆଲୋଚନା କରି ସମାଜରେ ସନ୍ତୁଳନ ଓ ସୌହାର୍ଦ୍ଧ ବଜାୟ ରଖିବାର ଉପାୟଗୁଡ଼ିକ ଉପରେ ବିଚାର କରାଯାଇଥିଲା।

ନଶାମୁକ୍ତ ସମାଜ ପାଇଁ ବ୍ୟାପକ ସାମାଜିକ ପ୍ରୟାସ

ଦେଶରେ ଯୁବକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଖରେ ମାଦକ ଦ୍ରବ୍ୟର ବୃଦ୍ଧି ପାଉଥିବା ପ୍ରବେଶକୁ ନେଇ ବୈଠକରେ ଗମ୍ଭୀର ଚିନ୍ତା ପ୍ରକଟ କରାଯାଇଥିଲା। ଏହି ସମସ୍ୟାକୁ କେବଳ ସରକାର ବା ପୋଲିସ ସ୍ତରରେ ନୁହେଁ, ବରଂ ସମଗ୍ର ସମାଜର ଅଂଶଗ୍ରହଣ ସହିତ ସମାଧାନ କରିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା।

ଶିକ୍ଷାନୁଷ୍ଠାନ, ଅଭିଭାବକ, ସାମାଜିକ ସଂଗଠନ, ପ୍ରଶାସନ, ପୋଲିସ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷମାନଙ୍କୁ ଏକାଠି ନେଇ ନଶାମୁକ୍ତ ସମାଜ ପାଇଁ ସମନ୍ୱିତ ପ୍ରୟାସ କରିବାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।

ଯୁବବର୍ଗଙ୍କ ଆକାଂକ୍ଷା ଏବଂ ଚିନ୍ତାଗୁଡ଼ିକ ଉପରେ ବିଶେଷ ଆଲୋଚନା

ଯୁବ ପିଢ଼ିର ଚିନ୍ତାଧାରା, ଆକାଂକ୍ଷା, ସୃଜନଶୀଳ କ୍ଷମତା, ଭବିଷ୍ୟତ ସମ୍ବନ୍ଧୀୟ ଚିନ୍ତା ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ଉପରେ ବିସ୍ତୃତ ବିଚାରବିମର୍ଷ ହୋଇଥିଲା।

ସଂଘର କାର୍ଯ୍ୟ ବୃହତ୍ ସଂଖ୍ୟାରେ ଯୁବକମାନଙ୍କ ମଧ୍ୟରେ ଚାଲିଛି। ଚଳିତ ବର୍ଷ ସଂଘର ୨୧ ଦିନିଆ ପ୍ରଶିକ୍ଷଣ ବର୍ଗଗୁଡ଼ିକରେ ପ୍ରାୟ ୨୧,୦୦୦ ଯୁବ ସ୍ୱୟଂସେବକ ଅଂଶଗ୍ରହଣ କରିଥିଲେ। ସମଗ୍ର ଦେଶର ଦୈନନ୍ଦିନ ଶାଖାଗୁଡ଼ିକରେ ଉପସ୍ଥିତ ଥିବା ସ୍ୱୟଂସେବକମାନଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ଯୁବକ ଅଟନ୍ତି।

ଯୁବକମାନଙ୍କ ସହିତ କେବଳ ଉପଦେଶାତ୍ମକ ଆଲୋଚନା ବଦଳରେ ସେମାନଙ୍କ ସହିତ ପ୍ରତ୍ୟକ୍ଷ ସଂଯୋଗ, ସେମାନଙ୍କର ଭାବନା ଏବଂ ଚିନ୍ତାକୁ ବୁଝିବା ତଥା ଆଲୋଚନା ମାଧ୍ୟମରେ ଦେଶ, ସଂସ୍କୃତି ଏବଂ ସାମାଜିକ ମୂଲ୍ୟବୋଧ ପ୍ରତି ଆତ୍ମୀୟତା ବିକଶିତ କରିବା ଆବଶ୍ୟକ ବୋଲି କୁହାଯାଇଥିଲା।

ଆତ୍ମନିର୍ଭର, ପରିବେଶ ଅନୁକୂଳ ଏବଂ ସମାବେଶୀ ବିକାଶ

ବୈଠକରେ ଭାରତୀୟ ଦୃଷ୍ଟିକୋଣ ଉପରେ ଆଧାରିତ ବିକାଶ ମଡେଲ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିକାଶ ଆତ୍ମନିର୍ଭର, ପରିବେଶ ଅନୁକୂଳ ଏବଂ ସମାଜର ସମସ୍ତ ବର୍ଗକୁ ସାଙ୍ଗରେ ନେଇ ଚାଲିବା ଉଚିତ୍—ଏହି ଦିଗରେ ଆର୍ଥିକ କ୍ଷେତ୍ରରେ କାର୍ଯ୍ୟରତ ସଂଗଠନଗୁଡ଼ିକର ଅଭିଜ୍ଞତା ଉପରେ ବିଚାର କରାଯାଇଥିଲା।

ଅନେକ ସଂଗଠନ ଦ୍ୱାରା ବିଭିନ୍ନ ପ୍ରକାରର ସମାଜ ଉପଯୋଗୀ କାର୍ଯ୍ୟ କରାଯାଉଛି, ଯେପରିକି ଲଘୁ ଉଦ୍ୟୋଗ ଭାରତୀ ଦ୍ୱାରା କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ପରିଚାଳିତ କୌଶଳ ବିକାଶ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଚଳିତ ବର୍ଷ ୪୧,୦୦୦ରୁ ଅଧିକ ଲୋକଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯାଇଥିବା ତଥ୍ୟ ମଧ୍ୟ ଆଦାନପ୍ରଦାନ କରାଯାଇଥିଲା।

ପଞ୍ଚ ପରିବର୍ତ୍ତନ ଏବଂ କୁଟୁମ୍ବ ପ୍ରବୋଧନ

ସଂଘ ଶତାବ୍ଦୀ ବର୍ଷର ପ୍ରସଙ୍ଗରେ ସମାଜ ପରିବର୍ତ୍ତନ ପାଇଁ ନିର୍ଦ୍ଧାରିତ ‘ପଞ୍ଚ ପରିବର୍ତ୍ତନ’ର ବିଭିନ୍ନ ଆୟାମ ଉପରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା।

ବିଶେଷ କରି କୁଟୁମ୍ବ ପ୍ରବୋଧନ ଅନ୍ତର୍ଗତ ଭାରତୀୟ ପରିବାର ବ୍ୟବସ୍ଥା, ପାରିବାରିକ ମୂଲ୍ୟବୋଧ ତଥା ପିଡ଼ି ପିଡ଼ି ଧରି ଚାଲିଆସୁଥିବା ସାଂସ୍କୃତିକ ପରମ୍ପରାଗୁଡ଼ିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ବିଚାର କରାଯାଇଥିଲା।

ପରିବେଶ ସଂରକ୍ଷଣର ପ୍ରସଙ୍ଗରେ କେବଳ ପ୍ରସ୍ତାବ ପାର୍ଟ କରିବା ବଦଳରେ ପ୍ରତ୍ୟେକ ବ୍ୟକ୍ତି ଏବଂ ପରିବାରର ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିବା ଉପରେ ଜୋର ଦିଆଯାଇଥିଲା। ଜଳର ବିବେକପୂର୍ଣ୍ଣ ବ୍ୟବହାର, ପ୍ଲାଷ୍ଟିକର ସର୍ବନିମ୍ନ ବ୍ୟବହାର ଏବଂ ସବୁଜ କ୍ଷେତ୍ର ବୃଦ୍ଧି କରିବା ପରି ବିଷୟଗୁଡ଼ିକ ପ୍ରତ୍ୟେକ ପରିବାରର ଆଚରଣର ଅଂଶ ହେବା ଉଚିତ୍।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବିସ୍ତୃତ ଆଲୋଚନା

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ର ସମାଜ ଉପରେ ବୃଦ୍ଧି ପାଉଥିବା ପ୍ରଭାବକୁ ନେଇ ବୈଠକରେ ଏକ ବିସ୍ତୃତ ଉପସ୍ଥାପନା ଏବଂ ଆଲୋଚନା ହୋଇଥିଲା।

AI ର ସକରାତ୍ମକ ସମ୍ଭାବନା ସହିତ ସେଥିସହ ଜଡ଼ିତ ସତର୍କତା ଏବଂ ଆହ୍ୱାନଗୁଡ଼ିକ ଉପରେ ବିଚାର କରି ଏହାକୁ ଭାରତୀୟ ଦୃଷ୍ଟିକୋଣ ଏବଂ ଭାରତୀୟ ସାମାଜିକ ପ୍ରସଙ୍ଗରେ ଦେଖିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା। ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମାଜର ହିତରେ କିପରି ହେବ ଏବଂ ଏହାର ସମ୍ଭାବ୍ୟ କୁପ୍ରଭାବ ପ୍ରତି ସମାଜକୁ କିପରି ସଚେତନ କରାଯିବ, ଏହି ବିଷୟ ଉପରେ ଆଗକୁ ମଧ୍ୟ ଚିନ୍ତନ ଜାରି ରହିବ।

କାର୍ଯ୍ୟର ବିସ୍ତାର

ସଂଘ ପ୍ରେରିତ ୩୨ଟି ସଂଗଠନ ଦ୍ୱାରା ସମାଜର ବିବିଧ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟଗୁଡ଼ିକର ବିସ୍ତାର ଉପରେ ମଧ୍ୟ ଆଲୋଚନା ହୋଇଥିଲା। ରାଷ୍ଟ୍ରୀୟ ଦୃଷ୍ଟିକୋଣ ଏବଂ ସମାଜ କେନ୍ଦ୍ରିତ ଚିନ୍ତନକୁ ସମାଜର ଅଧିକରୁ ଅଧିକ କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚାଇବା ତଥା ସାଙ୍ଗଠନିକ କାର୍ଯ୍ୟର ବିସ୍ତାର କରିବା ପାଇଁ ଆଗାମୀ ବର୍ଷର ଯୋଜନାଗୁଡ଼ିକ ଉପରେ ବିଚାର କରାଯାଇଥିଲା।

ସହ ସରକାର୍ଯ୍ୟବାହ ମୁକୁନ୍ଦ ଜୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ –

  • ପ୍ରଶ୍ନ: ବ୍ୟବସ୍ଥାରେ ଦୁର୍ନୀତି ଏବଂ ବିଭିନ୍ନ ସିଷ୍ଟମର ଅସୁବିଧାଗୁଡ଼ିକୁ ନେଇ ବୈଠକରେ କ’ଣ ଆଲୋଚନା ହେଲା?
  • ଉତ୍ତର: ଏହି ବିଷୟକୁ କେବଳ ଦୁର୍ନୀତି ମଧ୍ୟରେ ସୀମିତ ରଖି ଦେଖାଯାଇ ନାହିଁ। ବ୍ୟବସ୍ଥାରେ ଯେଉଁଠି ଯେଉଁଠି ତ୍ରୁଟି ଅଛି, ସେଗୁଡ଼ିକୁ ଠିକ୍ କରିବା ପାଇଁ ସରକାରଙ୍କ ସହିତ ସମାଜର ସଚେତନତା ମଧ୍ୟ ଆବଶ୍ୟକ। NEET ପରି ବିଷୟ ହେଉ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥାଗତ ସମସ୍ୟା, ଏଗୁଡ଼ିକ କାରଣରୁ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ସୃଷ୍ଟି ହୁଏ। ଏହି ଚିନ୍ତାକୁ ବୁଝିବା ଏବଂ ଏହାର ସମାଧାନ କରିବା ଆବଶ୍ୟକ। କେବଳ ବିରୋଧ ବା ବାଧା ସୃଷ୍ଟି କଲେ ସମାଧାନ ମିଳିବ ନାହିଁ। ସକରାତ୍ମକ ଏବଂ ରଚନାତ୍ମକ ଦୃଷ୍ଟିକୋଣରୁ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଏବଂ ସମାଜ—ଉଭୟ ମିଶି ପ୍ରୟାସ କରିବା ଉଚିତ୍।
  • ପ୍ରଶ୍ନ: ଯୁବ ପିଢ଼ିରେ ସଂସ୍କୃତି ଏବଂ ପରମ୍ପରା ପ୍ରତି ସଚେତନତା ବୃଦ୍ଧି କରିବା ପାଇଁ ସଂଘ କ’ଣ କରିବ?
  • ଉତ୍ତର: ସଂଘର କାର୍ଯ୍ୟ ମୁଖ୍ୟତଃ ଯୁବକମାନଙ୍କ ମଧ୍ୟରେ ବ୍ୟାପକ ଭାବରେ ଚାଲିଛି। ଚଳିତ ବର୍ଷ ପ୍ରାୟ ୨୧,୦୦୦ ଯୁବ ସ୍ୱୟଂସେବକ ୨୧ ଦିନିଆ ପ୍ରଶିକ୍ଷଣ ବର୍ଗଗୁଡ଼ିକରେ ଅଂଶଗ୍ରହଣ କରିଛନ୍ତି ଏବଂ ଦୈନନ୍ଦିନ ଶାଖାଗୁଡ଼ିକର ଉପସ୍ଥିତିରେ ୬୦ ପ୍ରତିଶତରୁ ଅଧିକ ଯୁବକ ଅଛନ୍ତି। ଯୁବକମାନଙ୍କ ମଧ୍ୟରେ ସଂସ୍କାର ଏବଂ ସାଂସ୍କୃତିକ ମୂଲ୍ୟବୋଧର ନିର୍ମାଣ କେବଳ ଭାଷଣ ବା ପୋଷ୍ଟର ଦ୍ୱାରା ହୋଇପାରିବ ନାହିଁ। ସେମାନଙ୍କ ସହିତ ନିରନ୍ତର ଯୋଡ଼ି ହେବା, ସେମାନଙ୍କ ଭାବନାକୁ ବୁଝିବା, ଆଲୋଚନା କରିବା ତଥା ଭାରତର ମହାନତା ଏବଂ ସାଂସ୍କୃତିକ ଐତିହ୍ୟକୁ ଅନୁଭବ ସ୍ତରରେ ସେମାନଙ୍କ ସମ୍ମୁଖରେ ରଖିବା ଆବଶ୍ୟକ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବଜରଙ୍ଗ ଦଳ, ହିନ୍ଦୁ ଜାଗରଣ ମଞ୍ଚ ସମେତ ଅନେକ ସଂଗଠନ ମାଧ୍ୟମରେ ଯୁବକ ଏବଂ ଯୁବତୀମାନଙ୍କ ମଧ୍ୟରେ କାର୍ଯ୍ୟ କରାଯାଉଛି। ଆଜିର ଯୁବ ପିଢ଼ିର କ୍ଷମତା ଏବଂ ସକରାତ୍ମକ ପ୍ରତିକ୍ରିୟାକୁ ଦେଖି ଆମର ବିଶ୍ୱାସ ଯେ ଭାରତର ଭବିଷ୍ୟତ ଯୁବକମାନଙ୍କ ହାତରେ ସୁରକ୍ଷିତ ଅଛି। ଏହା ସହିତ ଧାର୍ମିକ, ଆଧ୍ୟାତ୍ମିକ ଏବଂ ସାମାଜିକ ସଂଗଠନଗୁଡ଼ିକୁ ମଧ୍ୟ ଯୁବକମାନଙ୍କ ମଧ୍ୟରେ ସାଂସ୍କୃତିକ ମୂଲ୍ୟବୋଧର ସମ୍ବର୍ଦ୍ଧନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଛି।
  • ପ୍ରଶ୍ନ: ସରସଂଘଚାଳକ ଡ. ମୋହନ ଭାଗବତ ଜୀଙ୍କ ପ୍ରସ୍ତାବିତ ଆମେରିକା, କାନାଡା ଏବଂ ବ୍ରିଟେନ ଯାତ୍ରାର ଉଦ୍ଦେଶ୍ୟ କ’ଣ?
  • ଉତ୍ତର: ଏହି ଯାତ୍ରା ସଂଘର ଶତାବ୍ଦୀ ବର୍ଷର ଅବସରରେ ବ୍ୟାପକ ବିଶ୍ୱସ୍ତରୀୟ ସମ୍ପର୍କର ଏକ ଅଂଶ ଅଟେ। ଏହାର ତିନୋଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି। ପ୍ରଥମ – ଭାରତ, ହିନ୍ଦୁ ସମାଜ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମ୍ପର୍କରେ ବିଶ୍ୱରେ ବ୍ୟାପ୍ତ ଭ୍ରାନ୍ତି ଏବଂ ଅପପ୍ରଚାର ମଧ୍ୟରେ ତଥ୍ୟ ସହିତ ସକରାତ୍ମକ ଦୃଷ୍ଟିକୋଣ ଉପସ୍ଥାପନ କରିବା। ଦ୍ୱିତୀୟ – ଭାରତର ଋଷିମୁନିମାନଙ୍କ ଦ୍ୱାରା ପ୍ରଦତ୍ତ ‘ବସୁଧୈବ କୁଟୁମ୍ବକମ୍’ ଏବଂ ବିଶ୍ୱସ୍ତରୀୟ ଏକାତ୍ମତାର ବାର୍ତ୍ତାକୁ ବିଶ୍ୱର ବିଭିନ୍ନ ସମାଜ ପର୍ଯ୍ୟନ୍ତ ପହଞ୍ଚାଇବା। ତୃତୀୟ – ବିଶ୍ୱର ବିଭିନ୍ନ ଦେଶରେ ବାସ କରୁଥିବା ହିନ୍ଦୁ ଏବଂ ଭାରତୀୟ ମୂଳର ଲୋକମାନଙ୍କ ହିତ ଏବଂ ଅଧିକାରର ବିଷୟରେ ସେଠାକାର ମୁଖ୍ୟଧାରା ସମାଜ ସହିତ ଆଲୋଚନା ବୃଦ୍ଧି କରିବା। ଏହି କ୍ରମରେ ଡ. ମୋହନ ଭାଗବତ ଜୀନ୍ୟୁୟର୍କରେ Universal Oneness କାର୍ଯ୍ୟକ୍ରମ ତଥା ଟୋରଣ୍ଟୋ ଏବଂ ଲଣ୍ଡନରେ ସାମାଜିକ ନେତୃତ୍ୱର କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରିବେ।
  • ପ୍ରଶ୍ନ: ପଞ୍ଚ ପରିବର୍ତ୍ତନରେ ପରିବେଶ ସଂରକ୍ଷଣକୁ ନେଇ କେବଳ ପ୍ରସ୍ତାବ ବା ସଂକଳ୍ପଠାରୁ ଆଗକୁ ବ୍ୟବହାରିକ ଭାବରେ କ’ଣ କରାଯାଇପାରିବ?
  • ଉତ୍ତର: ପଞ୍ଚ ପରିବର୍ତ୍ତନର କଳ୍ପନା ପ୍ରାୟ ତିନି ବର୍ଷ ପୂର୍ବେ ସଂଘର ଶତାବ୍ଦୀ ବର୍ଷର ଯୋଜନା କରିବା ସମୟରେ କରାଯାଇଥିଲା। ଆମର ବିଶ୍ୱାସ ଯେ ଯେକୌଣସି ବ୍ୟବସ୍ଥାଗତ ପରିବର୍ତ୍ତନ ପୂର୍ବରୁ ସାମାଜିକ ପରିବର୍ତ୍ତନ ଆବଶ୍ୟକ। ପରିବେଶ ସଂରକ୍ଷଣ କେବଳ ପ୍ରକୃତିକୁ ବାହାରୁ ରକ୍ଷା କରିବାର ବିଷୟ ନୁହେଁ। ଭାରତୀୟ ଦୃଷ୍ଟିକୋଣରେ ମନୁଷ୍ୟ ନିଜେ ଏହି ସମଗ୍ର ସୃଷ୍ଟି ଏବଂ ପରିବେଶର ଏକ ଅଭିନ୍ନ ଅଂଶ ଅଟେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏବଂ ପରିବାର ନିଜର ଦୈନନ୍ଦିନ ଜୀବନରେ ପ୍ରାୟ ତିନୋଟି ସ୍ତରରେ ଅବଦାନ ଦେଇପାରିବେ – ଜଳର ବିବେକପୂର୍ଣ୍ଣ ବ୍ୟବହାର, ପ୍ଲାଷ୍ଟିକର ବ୍ୟବହାରକୁ କମ କରିବା ଏବଂ ନିଜ ଆଖପାଖରେ ସବୁଜିମା ବୃଦ୍ଧି କରିବା। କେବଳ ପ୍ରସ୍ତାବ ପାରିତ କରିବା ଦ୍ୱାରା ପରିବର୍ତ୍ତନ ଆସିବ ନାହିଁ। ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ। ଏହି ବାର୍ତ୍ତାକୁ ପରିବାର, ଗାଁ ଏବଂ ଦେଶର ଦୂରଦୂରାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରୟାସ କରାଯାଉଛି। ବ୍ୟକ୍ତି ଏବଂ ପରିବାରର ଆଚରଣରେ ଆସିଥିବା ଛୋଟ ପରିବର୍ତ୍ତନ ମଧ୍ୟ ବ୍ୟାପକ ସାମାଜିକ ଏବଂ ପରିବେଶଗତ ପରିବର୍ତ୍ତନର ଆଧାର ହୋଇପାରିବ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଜୀ, ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଜୀ, ପ୍ରଦୀପ ଯୋଶୀ ଜୀଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *