ଗାଁର ଚୌପାଳ ଚର୍ଚ୍ଚାରୁ ଗଢ଼ାଯାଉ ଦେଶର କୃଷକ ହିତୈଷୀ ନୀତି – ଭାରତୀୟ କିଷାନ ସଂଘ
ନୂଆଦିଲ୍ଲୀ-“ଗାଁଗୁଡ଼ିକର ଏପରି ସାମର୍ଥ୍ୟ ଗଢ଼ିବାକୁ ହେବ ଯେପରି ଗ୍ରାମ ସଭାରେ ହେଉଥିବା ଆଲୋଚନା ଦେଶର ନୀତି ନିର୍ଦ୍ଧାରକମାନଙ୍କ ପାଖରେ ପହଞ୍ଚିପାରିବ”, ଏହି ସଂକଳ୍ପ ପୂରଣର ଲକ୍ଷ୍ୟ ନିର୍ଦ୍ଧାରଣ କରି ଭାରତୀୟ କିଷାନ ସଂଘର ଦୁଇଦିନିଆ ଅଖିଳ ଭାରତୀୟ ପରିଚାଳନା ସମିତି ବୈଠକ ମେରଠସ୍ଥିତ ମାଧବ କୁଞ୍ଜ ପରିସର ସଭାଗୃହରେ ସମ୍ପନ୍ନ ହୋଇଛି। ଭାରତୀୟ କିଷାନ ସଂଘର ଅଖିଳ ଭାରତୀୟ ମହାମନ୍ତ୍ରୀ ମୋହିନୀ ମୋହନ ମିଶ୍ର ପରିଚାଳନା ସମିତି ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ବର୍ଷ ଭାରତୀୟ କିଷାନ ସଂଘର ସଦସ୍ୟତା ବର୍ଷ, ଏହି ଦୃଷ୍ଟିରୁ ଦେଶର ଅଧିକରୁ ଅଧିକ ଗାଁରେ ସଦସ୍ୟତା ଅଭିଯାନ କରି ସଂଗଠନ ଗଢ଼ିବା ନେଇ ଆଲୋଚନା କରାଯାଇଛି।
ଇଥାନୋଲ ଉପରେ କିଷାନ ସଂଘ ସ୍ପଷ୍ଟ କଲା ମତ
ଇଥାନୋଲକୁ ନେଇ ଚାଲିଥିବା ରାଜନୈତିକ ବୟାନବାଜି ସମ୍ପର୍କରେ ସେ କହିଛନ୍ତି ଯେ, ସାରା ଦେଶର କୃଷକମାନଙ୍କ ମତ ହେଉଛି ଇଥାନୋଲ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ପରିବେଶରେ ସୁଧାର ଆସିଛି। ଏହାସହ ଏହା ବୈଦେଶିକ ମୁଦ୍ରା ସଂରକ୍ଷଣ ଦୃଷ୍ଟିରୁ ଏକ ବଡ଼ ପଦକ୍ଷେପ। ତେଣୁ ଦେଶର କୃଷକ ଓ କୃଷକ ହିତୈଷୀ ବନ୍ଧୁମାନେ ଏହା ସପକ୍ଷରେ ନିଜର ମତ ଖୋଲାଖୋଲି ରଖିବା ଉଚିତ। ଯେତେବେଳେ ବି କୃଷକଙ୍କୁ ବଜାରରୁ ଭଲ ମୂଲ୍ୟ ମିଳିବାର ସମ୍ଭାବନା ସୃଷ୍ଟି ହୁଏ, ତୁରନ୍ତ ଦେଶରେ ଥିବା କୃଷକ ବିରୋଧୀ ତତ୍ତ୍ୱ ମହଙ୍ଗା ନାମରେ ହଙ୍ଗାମା କରି କୃଷକଙ୍କୁ ଯେପରି ଉଚିତ ମୂଲ୍ୟ ନ ମିଳିପାରିବ, ସେଥିପାଇଁ ଲଢ଼ିବାକୁ ଲାଗନ୍ତି।
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି
ସେ କହିଛନ୍ତି ଯେ ବୈଠକରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଯେହେତୁ ଚୁକ୍ତିବାର୍ତ୍ତା ବର୍ତ୍ତମାନ ସ୍ଥଗିତ ରହିଛି, ସରକାରଙ୍କ ଦ୍ୱାରା ବାରମ୍ବାର କୁହାଯାଉଛି ଯେ କୃଷି, ଡାଏରୀ (ଦୁଗ୍ଧ ଚାଷ) ଓ ମତ୍ସ୍ୟଚାଷ ସମ୍ବନ୍ଧରେ କୌଣସି ଆପୋଷ ବୁଝାମଣା ହେବ ନାହିଁ। ଏହି ଆଶ୍ୱାସନାରେ କୃଷକମାନେ ଆଶ୍ୱସ୍ତ ଅଛନ୍ତି। କିଷାନ ସଂଘର କହିବା କଥା ହେଉଛି ଯେତେବେଳେ ବି ବାର୍ତ୍ତା ପୁଣି ଆରମ୍ଭ ହେବ, ଆମେ ତାହା ଉପରେ ନଜର ରଖିବୁ।
ସେପ୍ଟେମ୍ବର ୩୦ରେ ଦିଲ୍ଲୀରେ ହେବ ମହିଳା କୃଷକ ସମ୍ମିଳନୀ
ଆଗାମୀ ସେପ୍ଟେମ୍ବର ୩୦ ତାରିଖରେ ଭାରତୀୟ କିଷାନ ସଂଘ ଦ୍ୱାରା ଦିଲ୍ଲୀଠାରେ ଅନ୍ତର୍ଜାତୀୟ ମହିଳା କୃଷକ ବର୍ଷ ଅବସରରେ ଏକ ବିଶାଳ ମହିଳା କୃଷକ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତି କରାଯାଉଛି। ଏହାର ବ୍ୟବସ୍ଥାବଳୀକୁ ନେଇ ମଧ୍ୟ ପରିଚାଳନା ସମିତିରେ ଆଲୋଚନା କରାଯାଇଛି। ଏଥିରେ ସାରା ଦେଶରୁ ହଜାର ହଜାର ମହିଳା ଯୋଗଦେବାର ସମ୍ଭାବନା ରହିଛି। ଏଥିରେ “ଆମେ ଚାଷ ହିଁ କରିବୁ”, ଗୋ-ଆଧାରିତ ଜୈବିକ ଚାଷ, ବିଷମୁକ୍ତ ଖାଦ୍ୟ, ରୋଗମୁକ୍ତ ଜୀବନ, ସ୍ୱାବଲମ୍ବନ ଓ ପରିବାର ପ୍ରବୋଧନ ଆଦି ବିଷୟ ସାମିଲ ରହିବ।
ମହାମନ୍ତ୍ରୀ ମୋହିନୀ ମୋହନ ମିଶ୍ର ଜିଏମ୍ (GM) ଫସଲ ସମ୍ପର୍କରେ କହିଛନ୍ତି ଯେ ଯେପରି ଅଧିକ ଉତ୍ପାଦନ ନାମରେ ବିଟି କପା (Bt Cotton) ଆଣି ନିଜ ସ୍ୱାବଲମ୍ବନକୁ ଶେଷ କରି କପା ଚାଷକୁ ବର୍ବାଦ କରିଦିଆଗଲା, ସେହିପରି କିଛି ଲୋକ ଏବେ ଜିନ୍ ଏଡିଟେଡ୍ ଧାନ ଚାଷ ମାଧ୍ୟମରେ ଚାଉଳର ସ୍ୱାବଲମ୍ବନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଭାରତୀୟ କିଷାନ ସଂଘ ଏହାର ଦୃଢ଼ ନିନ୍ଦା କରୁଛି।
ଏହି ବୈଠକରେ ଅଖିଳ ଭାରତୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ସାରା ଦେଶର ପ୍ରାନ୍ତ ସଭାପତି, ମହାମନ୍ତ୍ରୀ, କୋଷାଧ୍ୟକ୍ଷ, କ୍ଷେତ୍ର ସଂଗଠନ ମନ୍ତ୍ରୀ ଓ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଉପସ୍ଥିତ ଥିଲେ।
ଅଖିଳ ଭାରତୀୟ ପରିଚାଳନା ସମିତି ବୈଠକର ଉଦ୍ଯାପନୀ ସତ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ରାମଲାଲ ଜୀ କହିଛନ୍ତି —
- “ବିଚାର ବଡ଼, ବ୍ୟକ୍ତି ନୁହେଁ”
- “ଡିକ୍ଟେଟ୍ କିମ୍ବା ଡିବେଟ୍ ନୁହେଁ, ଡିସକସନ୍ (ଆଲୋଚନା) କରିବା”
- “ସୁବର୍ଣ୍ଣ ଜୟନ୍ତୀ ବର୍ଷର ଆଧାର ସଦସ୍ୟତା ହେବା ଉଚିତ।”
- “ନେତୃତ୍ୱ, ବିଚାର ଓ କାର୍ଯ୍ୟପଦ୍ଧତି ଉପରେ କାର୍ଯ୍ୟକର୍ତ୍ତାଙ୍କର ବିଶ୍ୱାସ ରହିବା ଉଚିତ।”
- “ସଂବାଦ ଓ ସମନ୍ୱୟ ହିଁ ଆମ କାର୍ଯ୍ୟ ସଂସ୍କୃତିର ପ୍ରକୃତ ଶକ୍ତି।”
- “ରାଷ୍ଟ୍ରହିତ ସର୍ବୋପରି।”