ଲକ୍ଷ୍ମଣାନନ୍ଦଙ୍କ ନାମରେ ମେଡିକାଲ କଲେଜର ନାମକରଣ ବିରୋଧକୁ ନିନ୍ଦା
ଭୁବନେଶ୍ଵର, ୫/୮: ରାଜ୍ୟ ସରକାର କନ୍ଧମାଳ ମେଡିକାଲ୍ କଲେଜକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି। ଏହାକୁ କିଛି ଗୋଷ୍ଠୀ ବିରୋଧ କରିବା ଆରମ୍ଭ କରିଛନ୍ତି। କନ୍ଧମାଳ ମାଟିର ନ ହୋଇ ଲକ୍ଷ୍ମଣାନନ୍ଦଙ୍କ ନାମରେ କାହିଁକି ମେଡିକାଲ୍ କଲେଜ ନାମକରଣ ହେବ ବୋଲି ପ୍ରଶ୍ନ କରିଛନ୍ତି। ଏହାକୁ ତୀବ୍ର ନିନ୍ଦା କରିଛି ବିଶ୍ଵ ହିନ୍ଦୁ ପରିଷଦ। ଏହା ପୂର୍ବ ସରକାରଙ୍କ ଅସହିଷ୍ଣୁତା। ରାଜନୈତିକ ସ୍ବାର୍ଥ ପାଇଁ ସ୍ଵାମୀଜୀଙ୍କ ହତ୍ୟାରେ ସଂପୃକ୍ତ ଗୋଷ୍ଠୀଙ୍କୁ ସହ ହାତ ମିଳାଇଛନ୍ତି ଓ ପ୍ରାୟୋଜିତ ବିରୋଧର ଷଡ଼ଯନ୍ତ୍ର କରାଯାଇଛି ବୋଲି ସଂଗଠନ ଅଭିଯୋଗ କରିଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ଵ ହିନ୍ଦୁ ପରିଷଦ ରାଜ୍ୟ ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସରକାର ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ। ସ୍ଵାମୀଜୀ କନ୍ଧମାଳର ଦୁର୍ଗମ ଅଞ୍ଚଳର ସେବାରେ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ସେଠାକାର ବନବାସୀ ଓ ଜନଜାତି ସମାଜର ପିଲାଙ୍କ ଶିକ୍ଷା
ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା, ସ୍ଵାବଲମ୍ବୀ କରିବା ସହ ସଂସ୍କାରର ପଥରେ ଆଗେଇନେବାକୁ ନିରନ୍ତର ପ୍ରୟାସ କରୁଥିଲେ। କନ୍ଧମାଳ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରାଯିବା, ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବିଶ୍ବ ହିନ୍ଦୁ ପରିଷଦ ରାଜ୍ୟ ସଭାପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର କହିଛନ୍ତି, ଆଜି ଯେଉଁ ଗୋଷ୍ଠୀ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅବଦାନକୁ ପ୍ରଶ୍ନ କରୁଛନ୍ତି, ସେମାନେ ବିରୋଧୀ ଦଳଙ୍କ କଥାରେ ପରଚାଳିତ ହେଉଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ହିନ୍ଦୁ ପରିଷଦ, ଓଡ଼ିଶା (ପୂର୍ବ) ର ପ୍ରାନ୍ତ ପ୍ରଚାରପ୍ରସାର ପ୍ରମୁଖ ସୁଜିତ କୁମାର ନାୟକ ଓ ସହପ୍ରାନ୍ତ ପ୍ରଚାରପ୍ରସାର ପ୍ରମୁଖ ଅର୍ଦ୍ଧେନ୍ଦୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।