ନେତାଜୀ -ଆଜନ୍ମ ବିପ୍ଲବୀ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସ ଦଳର ସଭାପତି ହେବା ଏବଂ ଭାରତରୁ ଲୁଚି କରି ଜର୍ମାନ ଓ ଜାପାନ ଯାଇ ଆଜାଦ ହିନ୍ଦ୍ ଫୌଜ ଗଢିବା ଓ ଭାରତର ସ୍ୱାଧୀନତା ପାଇଁ ବ୍ରିଟେନ ସହିତ ସିଧା ସଳଖ ଯୁଦ୍ଧ କରିବା ଏ ବିଷୟରେ ଅନେକ ପ୍ରବନ୍ଧ ପ୍ରକାଶ ପାଇଛି । ଏହା ସହିତ ତାଙ୍କର ବାଲ୍ୟ ଜୀବନ, ଛାତ୍ର ଜୀବନ ଏବଂ ପ୍ରାକ୍ ରାଜନୈତିକ ଜୀବନ ସମ୍ବନ୍ଧରେ ଅନୁଧ୍ୟାନ କଲେ ଆମେ ଜାଣିବା ସେ ଜଣେ ଆଜନ୍ମ ବିପ୍ଲବୀ ଥିଲେ ।
ସେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଆଇନଜୀବୀ ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଦେବୀ । ସେ ତାଙ୍କ ବାଲ୍ୟକାଳରେ ପ୍ରୋଟେଷ୍ଟାଂଟ ଇଉରୋପିଆନ ସ୍କୁଲରେ ପଢୁଥିଲେ, ଯେଉଁ ବିଦ୍ୟାଳୟକୁ ପରେ ଷ୍ଟୁଆର୍ଟ ହାଇସ୍କୁଲ ବୋଲି ନାମ କରଣ କରାଗଲା । ତାହାପରେ ସେ ରେଭନ୍ସା କଲିଜିଏଟ ସ୍କୁଲରେ ପଢି ୧୯୧୩ ମସିହାରେ ମାଟ୍ରିକ ପାସ କଲେ । ତାଙ୍କ ବାଲ୍ୟଜୀବନର ଗୋଟିଏ ଘଟଣା । ସେ ବଲ୍ ଖେଳୁଥିବା ସମୟରେ ଜଣେ ଇଂରେଜ ବାଳକ ତାଙ୍କୁ ଭାରତୀୟମାନଙ୍କ ବିଷୟରେ କିଛି ଅପମାନଜନକ ଟିପଣୀ ଦେଲା । ଏଥିରେ ବାଳକ ସୁଭାଷ ରାଗି ଯାଇ ସେ ଇଂରେଜ ପିଲାଟିକୁ ଦୁଇ ଚାପୁଡା ମାରିଥିଲେ । ଏହିିଭଳି କିଛି ଘଟଣା କାରଣରୁ ତାଙ୍କର ଶିକ୍ଷକ ବେଣୀମାଧବ ଦାସ ତାଙ୍କୁ ଭବିଷ୍ୟତର ଏକ ବିପ୍ଲବୀ ବୋଲି ଅଭିହିତ କରି ବିଭିନ୍ନ ସମୟରେ ତାଙ୍କୁ ଦେଶାତ୍ମବୋଧର ଶିକ୍ଷା ଦେଉଥିଲେ । ବିଦ୍ୟାଳୟରୁ ମାଟ୍ରିକ ପାସ୍ କଲାପରେ ସେ କଲିକତାର ପ୍ରେସିଡେନ୍ସି କଲେଜରେ ପାଠ ପଢିବାକୁ ଗଲେ । ସେଠାରେ ମଧ୍ୟ ଜଣେ ଇଂରେଜ ଇତିହାସ ପ୍ରଫେସର ଇ.ଏଫ୍ ଓଟେନ୍ ଭାରତୀୟ ସଂସ୍କୃତି ବିରୋଧରେ ଟିକା ଟିପଣୀ ଦେବାରୁ ସୁଭାଷ ଏବଂ ତାଙ୍କର ସାଥୀମାନେ ଉକ୍ତ ଅଧ୍ୟାପକଙ୍କୁ ପଟିଥିଲେ । କଲିକତାରେ ପଢିଲା ବେଳେ ଅନୁଶୀଳନ ସମିତିର ସକ୍ରିୟ ସଦସ୍ୟ ତ୍ରୈଲୋକ୍ୟନାଥ ଚକ୍ରବର୍ତି ତାଙ୍କୁ ନାଗପୁରର ଡ. କେଶବ ବଳିରାମ ହେଡଗେୱାରଙ୍କର କ୍ରାନ୍ତିକାରୀ ଜୀବନୀ ବିଷୟରେ ମଧ୍ୟ କହିଥିଲେ ।
୧୯୨୮ ମସିହାରେ କଂଗ୍ରେସର କଲିକତା ଅଧିବେଶନରେ ସୁଭାଷ ବୋଷ ଦେଶର ବହୁ କ୍ରାନ୍ତିକାରୀ ଅନୁଷ୍ଠାନକୁ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେହି ଅନୁଷ୍ଠାନ ଗୁଡିକ ହେଲା ଅନୁଶୀଳନ ସମିତି, ପୁର୍ଣ୍ଣ ଦାସଙ୍କ ଦଳ, ହେମନ୍ତ ଚନ୍ଦ୍ର ଘୋଷଙ୍କ ବିଭିନ୍ନ ଅନୁଷ୍ଠାନ ଓ ନିଜେ ସୁଭାଷ ବୋଷଙ୍କ ଦ୍ୱାରା ସୃଷ୍ଟ ବେଙ୍ଗଲ ଭଲେଂଟିୟର୍ସ । ଏହି ଅଧିବେଶନରେ ଡ.ହେଡଗେୱାରଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ଏହି ଭେଟ ସମୟରେ ତାଙ୍କର ତ୍ରୈଲୋକ୍ୟନାଥ ଚକ୍ରବର୍ତିଙ୍କ କଥା ମନେ ପଡିଲା । ଯିଏ କି ତାଙ୍କୁ ଡ.ହେଡଗେୱାରଙ୍କ କ୍ରାନ୍ତିକାରୀ ଜୀବନ ବିଷୟରେ କହିଥିଲେ । ସୁଭାଷ ବୋଷ ଯେତେବେଳେ ଡକ୍ଟରଜୀଙ୍କ ସହିତ ସ୍ୱାଧୀନତା ସଂଗ୍ରାମ ଓ କିଛି କ୍ରାନ୍ତିକାରୀ କାର୍ଯ୍ୟାକଳାପ ସମ୍ବନ୍ଧରେ କଥା ହେଲେ, ସେ ସମୟରେ ଡକ୍ଟରଜୀ ସୁଭାଷ ବୋଷଙ୍କୁ କହିଥିଲେ ଯେ, ହିନ୍ଦୁ ଏକତା ପାଇଁ ଓ ହିନ୍ଦୁ ଜାତିର ସଂସ୍କାର ପାଇଁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନାମରେ ଏକ ଅନୁଷ୍ଠାନ ନାଗପୁରରେ ଆରମ୍ଭ କରିଛନ୍ତି । ଡକ୍ଟରଜୀ ପୁଣି କହିଥିଲେ ଯେ, ହିନ୍ଦୁମାନଙ୍କ ଭିତରେ ପ୍ରାନ୍ତ, ଭାଷା, ଜାତିକୁ ନେଇ ଭେଦଭାବ, ପୁଣି ଅସ୍ପୃଶ୍ୟତା ଓ କୁସଂସ୍କାର କାରଣରୁ ସେମାନଙ୍କ ଭିତରେ ଏକତା ରହି ପାରୁନାହିଁ । ଯେଉଁଥି ପାଇଁ ଦେଶ ଦୁର୍ବଳ ହେଉଛି । ସୁଭାଷ ବୋଷ ଏକଥା ଶୁଣିଲା ପରେ ତାଙ୍କର ମତ ଦେଇଥିଲେ ଯେ, ଏହା ଏକ ଭଲ କାମ କିନ୍ତୁ ବହୁତ କଷ୍ଟକର । ଏବଂ ସେ ଡକ୍ଟରଜୀଙ୍କୁ କହିଥିଲେ ଯେ, ଏହି କାର୍ଯ୍ୟ ସଫଳ ହେବା ବହୁତ କଷ୍ଟସାଧ୍ୟ । କଂଗ୍ରେସର ଏହି ଅଧିବେଶନରେ ମୋତିଲାଲ ନେହେରୁ ସଭାପତି ଥିଲେ ଓ ସୁଭାଷ ବୋଷ ଥିଲେ କଂଗ୍ରେସ ସ୍ୱଚ୍ଛାସେବକ ବାହିନୀର ସର୍ବାଧିନାୟକ ବା ଜେନରାଲ ଅଫିସର କମାଣ୍ଡିଂ । ଏହାପରେ ସୁଭାଷ ବୋଷଙ୍କ ନାଁ ଭାରତ ସାରା ବ୍ୟାପିଗଲା । ଦେଶର ବିଭିନ୍ନ ସ୍ଥାନରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଗଲା ।
କଲିକତା ଅଧିବେଶନ ପରେ ସୁଭାଷ ବୋଷ ଏକ ସଦ୍ଗୁରୁ ସନ୍ଧାନରେ ଉତର ଭାରତ ବୁଲିଥିଲେ । ଶେଷରେ ତାଙ୍କୁ ହୃଦ୍ବୋଧ ହେଲା ଯେ ସ୍ୱାମୀ ବିବେକାନନ୍ଦ ହିଁ ତାଙ୍କର ଉପଯୁକ୍ତ ପଥପ୍ରଦର୍ଶକ । ସେ ତାଙ୍କର ଆଦର୍ଶକୁ ନିଜର କର୍ମମୟ ଜୀବନରେ ରୁପାୟିତ କରିବା ପାଇଁ ଚିନ୍ତା କଲେ । ସ୍ୱାମୀଜୀଙ୍କ ସମ୍ବନ୍ଧରେ ସେ ଲେଖିଛନ୍ତି ଯେ, ଯିଏ ସ୍ୱାମୀ ବିବେକାନନ୍ଦଙ୍କ ବାଣୀକୁ ଶୋଇ କରି ପଢୁଥିବ, ସିଏ ତା ଅଜାଣତରେ ଉଠିଯିବ । ସେମିତି ଯିଏ ସ୍ୱାମୀଜୀଙ୍କର କଥାକୁ ବସିକରି ପଢୁଥିବ ସେ କେତେବେଳେ ଠିଆ ହୋଇଯିବ ତାକୁ ଜଣାପଡିବ ନାହିଁ । ସେହିପରି ସ୍ୱାମୀଜୀଙ୍କର ଉପଦେଶକୁ ଯିଏ ଠିଆ ହୋଇକରି ପଢୁଥିବ ସିଏ ତା ଅଜାଣତରେ ଚାଲିବାକୁ ଆରମ୍ଭ କରିବ । ଏହିଭଳି ଭାବେ ସୁଭାଷ ବୋଷ ସ୍ୱାମୀଜୀଙ୍କର ଆଦର୍ଶକୁ ନେଇ ତାଙ୍କ କର୍ମମୟ ଜୀବନକୁ ଆହୁରି କୀର୍ତିମନ୍ତ କଲେ ।
ଏହାର କିଛି ବର୍ଷପରେ ୧୯୩୯ ମସିହା କଂଗ୍ରେସର ତ୍ରିପୁରା ଅଧିବେଶନରେ ସୁଭାଷ ବୋଷ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ । ତାଙ୍କର ପ୍ରତିଦ୍ୱନ୍ଦି ଥିଲେ ଗାନ୍ଧିଜୀଙ୍କର ମନୋନୀତ ପ୍ରାର୍ଥୀ ପଟ୍ଟାଭି ସୀତାରାମୟା । ଏହି ନିର୍ବାଚନରେ ସୁଭାଷ ବୋଷ ୧୫୩୫ଟି ଭୋଟ ପାଇଥିବା ବେଳେ ଶ୍ରୀଯୁକ୍ତ ସୀତାରାମାୟା ୧୩୪୬ଟି ଭୋଟ ପାଇଥିଲେ । ଏହି ଫଳାଫଳ ଘୋଷଣା ୧୯୩୯ ମସିହା ଜାନୁଆରୀ ୩୦ ତାରିଖରେ ହୋଇଥିଲା । ତାପର ଦିନ ଗାନ୍ଧିଜୀ ତାଙ୍କର ମନୋନୀତ ପ୍ରାର୍ଥୀ ହାରି ଯାଇଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ସୁଭାଷ ବୋଷ ଗୋଟିଏ ସମାଧାନର ସୂତ୍ର ନେଇ ଫେବୃଆରୀ ୧୫ ତାରିଖରେ ସେବାଗ୍ରାମ ଠାରେ ଗାନ୍ଧିଜୀଙ୍କୁ ଭେଟି ଥିଲେ । ଗାନ୍ଧିଜୀ ତାଙ୍କୁ କହିଥିଲେ ଯେ, ସେ ତାଙ୍କର ମନମୁତାବକ କଂଗ୍ରେସ କାର୍ଯ୍ୟକାରୀ କମିଟି ଗଠନ କରନ୍ତୁ । ଏଥିରେ ସୁଭାଷ ବୋଷଙ୍କୁ ଟିକେ ନିରାଶ ଲାଗିଲା । ଶେଷରେ ଏପ୍ରିଲ ୨୮ ତାରିଖରେ କଲିକତାର ୱିଲଟନ୍ ସ୍କୋୟାରରେ କଂଗ୍ରେସର ରାଷ୍ଟ୍ରୀୟ ସମିତି ବୈଠକରେ ସୁଭାଷ ବୋଷ ସଭାପତି ପଦରୁ ଇସ୍ତଫା ଦେଲେ । ଏଥିରେ ଦେଶର ବହୁ ବୁଦ୍ଧିଜୀବୀ ଏପରିକି ରବିନ୍ଦ୍ରନାଥ ଠାକୁର ଦୁଃଖିତ ହେଲେ ମଧ୍ୟ ସୁଭାଷ ବୋଷ କଂଗ୍ରେସର ସ୍ୱାର୍ଥ ଏବଂ ଦେଶର ବୃହତର ସ୍ୱାର୍ଥ ଦୃଷ୍ଟିରୁ ନିରବ ରହିଲେ ।
ସେ ଦେଖିଲେ କ୍ରାନ୍ତିକାରୀମାନଙ୍କୁ ନିକଟକୁ ଆଣିବାର ତାଙ୍କର ଯୋଜନା ସଫଳ ହୋଇ ପାରିଲା ନାହିଁ । ତେଣୁ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ଫରୱାଡ ବ୍ଲକ ଗଠନ କଲେ । ତାଙ୍କର ଏହି ଫରୱାଡ ବ୍ଲକରେ ଓଡିଶାର ବିଭୁନ୍ଦେନ୍ଦ୍ର ମିଶ୍ର ଜଣେ ସଦସ୍ୟ ଥିଲେ । ପରେ ପରେ ମଧ୍ୟ ଓଡିଶାରୁ ସୁନୀଲ ରାୟ, ବିପିନ୍ ବିହାରୀ ରଥ, ପୁର୍ଣ୍ଣଚନ୍ଦ୍ର ପାଢୀ ପ୍ରଭୃତି ଫରୱାଡ ବ୍ଲକର ସଦସ୍ୟ ହୋଇଥିଲେ । ୧୯୩୯ରେ ସୁଭାଷ ବୋଷ କଂଗ୍ରେସ ଛାଡିଲା ପରେ ସେ ଫରୱାଡ ବ୍ଲକ କାମରେ ଅଧିକ ଧ୍ୟାନ ଦେଇଥିଲେ । ଏବଂ ୧୯୪୦ ମସିହା ଜୁନ ୧୮ ଓ ୧୯ ତାରିଖରେ ନାଗପୁରରେ ଫରୱାଡ ବ୍ଲକର ଅଧିବେଶନ କରାଇଥିଲେ । ନାଗପୁରରେ ପହଁଚିବା ପରେ ତାଙ୍କର ଡକ୍ଟର ହେଡଗେୱାରଙ୍କ କଥା ମନେ ପଡିଲା । କାରଣ ବର୍ଷକ ତଳେ ସେ ୧୯୩୯ ମସିହାରେ ଥରେ ନାଗପୁର ବାଟ ଦେଇ ଟ୍ରେନରେ ଯାଉଥିବା ସମୟରେ ରାସ୍ତାକଡରେ ସଂଘ ସ୍ୱୟଂସେବକମାନଙ୍କର ଏକ ଚିତାକର୍ଷକ ପଥ ସଂଚଳନ ଦେଖିଥିଲେ । ଟ୍ରେନର ଅନ୍ୟ ଯାତ୍ରୀମାନେ ସୁଭାଷ ବୋଷଙ୍କୁ ଏହା ଆରଏସ୍ଏସ୍ ର ସଦସ୍ୟମାନଙ୍କର ପଥ ସଂଚଳନ ବୋଲି କହିଥିଲେ । ସେହି ସମୟରେ ସୁଭାଷ ବୋଷଙ୍କର ଡକ୍ଟରଜୀଙ୍କ ସହିତ କଲିକତାରେ ହୋଇଥିବା ପୁରୁଣା ବାର୍ତାଳାପ କଥା ମନେ ପଡିଲା । ଏବଂ ସେ ବୁଝି ପାରିଲେ, ଡକ୍ଟରଜୀ ଯାହା ପ୍ରତିଜ୍ଞା କରିଥିଲେ ତାହା କାର୍ଯ୍ୟରେ ପରିଣତ କରିଛନ୍ତି । ତେଣୁ ଫରୱାଡ ବ୍ଲକର ନାଗପୁର ଅଧିବେଶନ ଅବସରରେ ସେ ଡକ୍ଟରଜୀଙ୍କୁ ଭେଟିବା ପାଇଁ ମନସ୍ଥ କଲେ । ଏଥିପାଇଁ ସେ ଜୁନ ୨୦ ତାରିଖରେ ଡକ୍ଟରଜୀଙ୍କୁ ଭେଟିବାକୁ ଗଲେ । ସେତେବେଳକୁ ଡକ୍ଟରଜୀ ଏକ ଅସାଧ୍ୟ ରୋଗରେ ପୀଡିତ ହୋଇ ନିଦରେ ଶୋଇ ପଡିଛନ୍ତି । ଏହି ସମୟରେ ସୁଭାଷ ବୋଷ ବିଶିଷ୍ଟ ଶ୍ରମିକ ନେତା ରାମଭାଉ ରୁଇକରଙ୍କ ସହିତ ଡକ୍ଟରଜୀଙ୍କ ଶଯ୍ୟା ନିକଟରେ ପହଁଚିଲେ । ବିଧିର ବିଧାନ କିନ୍ତୁ ଅଲଗା ପ୍ରକାରର ଥିଲା । ସମ୍ଭବତଃ ଡକ୍ଟରଜୀ ପରଲୋକ ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କ ପାଖରେ ସଂଘର ଅଧିକାରୀ ଯାଦବରାଓ ଯୋଶୀ ଓ ଶ୍ରୀକୃଷ୍ଣ ପୁରାଣୀକ ଉପସ୍ଥିତ ଥିଲେ । ସୁଭାଷ ବୋଷ ଡକ୍ଟରଜୀଙ୍କର ଏହି ଅବସ୍ଥା ଦେଖି ଉଭୟଙ୍କୁ ଡକ୍ଟରଜୀଙ୍କୁ ନଉଠାଇବାକୁ ପରାମର୍ଶ ଦେଲେ । ଶେଷରେ ସୁଭାଷ ବୋଷ ଡକ୍ଟରଜୀଙ୍କ ପାଦ ଦୁଇଟି ଛୁଇଁ ପ୍ରଣାମ କରି ଫେରି ଆସିଲେ । ଏବଂ ତା ପରଦିନ ଅର୍ଥାତ ୧୯୪୦ ମସିହା ଜୁନ ୨୧ ତାରିଖରେ ଡକ୍ଟରଜୀଙ୍କ ଦେହାନ୍ତ ହୋଇଗଲା ।
ଇତିମଧ୍ୟରେ ପୃଥିବୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇ ଥାଏ । ବ୍ରିଟିଶ ସରକାର ମଧ୍ୟ ଭାରତୀୟ ନେତାମାନଙ୍କର ବିନା ପରାମର୍ଶରେ ଭାରତ ମିତ୍ରଶକ୍ତିରେ ଯୋଗଦେବ ବୋଲି ଘୋଷଣା କଲେ । ଏଥିରେ ସୁଭାଷ ବୋଷଙ୍କ ସମେତ ଭାରତୀୟ ନେତାମାନେ ଅସନ୍ତୁଷ୍ଟ ହେଲେ । ସୁଭାଷ ବୋଷ ହଲ୍ଓୟେଲ୍ ମନୁମେଂଟ ଆନ୍ଦୋଳନ ନାମରେ ବ୍ରିଟିଶ ସରକାର ବିରୋଧରେ ଏକ ପ୍ରତିବାଦ ଡାକରା ଦେଲେ । ଇଂରେଜ ସରକାର ତାଙ୍କୁ ଗିରଫ କରି ପ୍ରେସିଡେନ୍ସି ଜେଲରେ ରଖିଲେ । ସେହି ଜେଲରେ ବିପ୍ଲବୀ ହେମନ୍ତ ଚନ୍ଦ୍ର ଘୋଷ, ସତ୍ୟ ବକ୍ସି ଓ ମନିନ୍ଦ୍ର କିଶୋର ରାୟ ପ୍ରଭୃତି କ୍ରାନ୍ତିକାରୀ ନେତାମାନଙ୍କ ସହିତ ସେ ମନ୍ତ୍ରଣା କଲେ । ସୁଭାଷ ବୋଷ କିଭଳି ଜେଲରୁ ବାହାରିବେ ତାର ବିଚାର ଚାଲିଲା । ଏଥିରେ ପରେଶ ରାୟଙ୍କର ସହଯୋଗ ନିଆଗଲା । ଜଣେ ବ୍ରିଟିଶ ପୋଲିସ ଅଫିସରଙ୍କୁ ଲାଂଚ ଦେଇ ସେ ସୁଭାଷ ବୋଷଙ୍କ ଗୁପ୍ତ ଫାଇଲଟି ଆଣିଲେ, ଯାହାକୁ ନିଜେ ସୁଭାଷ ବୋଷ ପଢିଲେ । ଶେଷରେ ସେହି ଇଂରେଜ ଅଫିସରଙ୍କ ମତାମତ ପରେ ପରେଶ ରାୟ ସୁଭାଷ ବୋଷଙ୍କୁ ଜେଲ ଭିତରେ ଅସୁସ୍ଥ ହେବାର ମିଥ୍ୟା ଅଭିନୟ କରିବାକୁ କହିଲେ । ସୁଭାଷ ବୋଷ ଅସୁସ୍ଥତାର ମିଥ୍ୟା ଅଭିନୟ ସହିତ ମୁକ୍ତି ପାଇଁ ଅନଶନ କଲେ । ଏଖବର ଶୁଣି ଦେଶ ସାରା ଅସନ୍ତୋଷର ବହ୍ନି ଜଳିଲା । ଶେଷରେ ୧୯୪୦ ମସିହା ଡିସେମ୍ବର ମାସରେ ସୁଭାଷଙ୍କୁ ଜେଲରୁ ମୁକ୍ତି ମିଳିଲା । ମଝିରେ ସୁଭାଷ ବୋଷ ବୀର ସାବରକରଙ୍କୁ ମଧ୍ୟ ଭେଟିଥିଲେ । ସାବରକର ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ସେ ଅଯଥା କାମରେ ସମୟ ନଷ୍ଟ ନକରି ଗୋଟିଏ ମିତ୍ର ଦେଶର ସାହାଯ୍ୟ ନିଅନ୍ତୁ । ସୁଭାଷ ବୋଷ ମିତ୍ର ଦେଶଟି କିଏ ବୋଲି ତାଙ୍କୁ ପଚାରିଥିଲେ । ଉତରରେ ସାବରକର କହିଥିଲେ ଯେ, ଆମ ଶତ୍ରୁର ଶତ୍ରୁ ହେଉଛି ଆମର ମିତ୍ର । ଯେହେତୁ ବ୍ରିଟେନ ଆମର ଶତ୍ରୁ ଏବଂ ବ୍ରିଟେନର ଶତ୍ରୁ ହେଉଛି ଜର୍ମାନୀ, ତେଣୁ ଜର୍ମାନୀ ଆମର ମିତ୍ର ଅଟେ । ତେଣୁ ସାବରକର ସୁଭାଷ ବୋଷଙ୍କୁ ପରାମର୍ଶ ଦେଲେ ଯେ, ସେ ଜର୍ମାନୀ ସହାୟତାରେ ଭାରତର ସ୍ୱାଧୀନତା ପାଇଁ ଗୋଟିଏ ମୁକ୍ତି ବାହିନୀ ଗଠନ କରନ୍ତୁ । ଶ୍ରୀଯୁକ୍ତ ସାବରକର ଏକଥା ମଧ୍ୟ ପରାମର୍ଶ ଦେଇଥିଲେ ଯେ, ରାହାସ ବିହାରୀ ବୋଷଙ୍କର ଆଜାଦ୍ ହିନ୍ଦ୍ ସେନା ମଧ୍ୟ ତାଙ୍କୁ ଏହି କାମରେ ସାହାଯ୍ୟ କରିପାରିବ ।
ଏହାପରେ ସୁଭାଷ ଭାବିଲେ, ସେ ଜର୍ମାନୀର ରାଜଧାନୀ ବର୍ଲିନରେ ପହଁଚିବେ କିପରି । ବର୍ତମାନ ତାଙ୍କ ଘର ଚାରିପଟେ ୪୦/୫୦ ଜଣ ସାଧା ପୋଷାକଧାରୀ ପୋଲିସ ଘୁରି ବୁଲୁଛନ୍ତି । ନିଜର ବିପ୍ଲବୀ ବନ୍ଧୁମାନଙ୍କ ସହିତ ପରାମର୍ଶରେ ଏହା ଠିକ୍ ହେଲା ଯେ, ସୁଭାଷ ଯିବେ କାବୁଲ, ଯେଉଁଠି ବ୍ରିଟେନର କର୍ତୃତ୍ୱ ପ୍ରାୟ ନାହିଁ । ସେଠାରେ ରୁଷ ବାଟ ଦେଇ ଯାଇ ବର୍ଲିନରେ ପହଁଚି ହେବ । କାରଣ ସେତେବେଳ ଯାଏ ରୁଷ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏକ ପକ୍ଷ ହୋଇନଥାଏ । ତାଙ୍କର ଏହି ଅପରିଚିତ ଜାଗାରେ ତାଙ୍କୁ ସାହାଯ୍ୟ କରିବେ ଜଣେ ବ୍ୟକ୍ତି ଯାହାଙ୍କ ନାଁ ହେଉଛି ଭକତରାମ । ଭକତରାମ ଆଫଗାନିସ୍ତାନ ଓ ଉତରପଶ୍ଚିମ ପ୍ରାନ୍ତ ରାସ୍ତାଘାଟ ସହିତ ସଂପୂର୍ଣ୍ଣ ପରିଚିତ । ଆଉ ମଧ୍ୟ ତାଙ୍କୁ ସାହାଯ୍ୟ କରିବେ ଉତର ପଶ୍ଚିମ ସୀମାନ୍ତ ପ୍ରଦେଶର ବିଶିଷ୍ଟ ଫରୱାଡ ବ୍ଲକର ନେତା ଆକବର ଶା । ୧୯୪୧ ମସିହା ଜାନୁଆରୀ ୧୭ ତାରିଖ ରାତି ୧ଟା ବାଜି ୨୫ ମିନିଟ୍ । ସୁଭାଷ ବୋଷ ବେଶ ବଦଳାଇ ହୋଇଗଲେ ଗୋଟିଏ ଆଫଗାନ୍ ପଠାଣ । ଭକତରାମ ସହିତ ସୁଭାଷ ବୋଷ ରାତି ଅଧରେ କଲିକତାର ଏଲ୍ଗିନ୍ ରୋଡ ଛାଡି ଆଗକୁ ଚାଲିଲେ । ଉଭୟ ଗୋଟିଏ କାରରେ ଯାଉଥାନ୍ତି । ରାତି ପାହିଲା ବେଳକୁ ସେମାନେ ଗୋମୋ ରେଲୱେ ଜଙ୍କସନରେ ପହଁଚିଲେ । ଗୋମୋ ଷ୍ଟେସନରୁ କାଲ୍କା ମେଲ ଧରି ଉଭୟ ପହଁଚିଲେ ପେଶୋୟାର ଷ୍ଟେସନରେ । ସେଠାରେ ଫରୱାଡ ବ୍ଲକ ନେତା ଆକବର ଶା ଗାଡିରେ ଚଢିଲେ ଓ ତାର ପର ଷ୍ଟେସନରେ ସୁଭାଷ ବୋଷଙ୍କ ସହିତ ଓହ୍ଲାଇଲେ । ସେମାନେ ଯାଇ ରହିଲେ ଗୋଟିଏ ଗୋପନୀୟ ସ୍ଥାନରେ । ଏଥିରେ ସହଯୋଗ କରିଥିଲେ ଅବଦୁଲ ମଜିଦ୍ ଖାନ୍ । ଜାନୁଆରୀ ୨୬ ତାରିଖରେ ସେଠାରୁ ଆରମ୍ଭ ହେଲା ଦୁଃସାହସିକ କାବୁଲ ଯାତ୍ରା । ସାଙ୍ଗରେ ଗଲେ ଭକତରାମ ଓ ଜଣେ ବିଶ୍ୱସ୍ତ ଗାଇଡ୍, ସ୍ଥାନୀୟ ନେତା ଆବାଦ୍ ଖାନ୍ ଓ ଗାଡିର ଡ୍ରାଇଭର । ପେଶୋୟାରର ମିଲିଟାରୀ କ୍ୟାମ୍ପ ଠାରୁ ୧୧ ମାଇଲ୍ ଦୂରରେ ହେଉଛି ଖାଜୁରୀ ମଇଦାନ । ସେ ଯାଏଁ ଗାଡିରେ ସମସ୍ତେ ଗଲେ । ସେଠାରୁ ଡ୍ରାଇଭର ଓ ଆବଦ୍ ଖାନ୍ଙ୍କୁ ବିଦାୟ ଦିଆଗଲା । ସୁଭାଷ ବୋଷଙ୍କ ସହିତ ଅନ୍ୟ ଦୁଇ ଜଣ ମିଶି କାବୁଲ ଅଭିମୁଖେ ପଦଯାତ୍ରାରେ ବାହାରିଲେ । ଦୁର୍ଦ୍ଧଷ ଉପଜାତି ଅଂଚଳ । ଖାଲି ରୁକ୍ଷ ଧୁଷର ପଥର । ରାସ୍ତାବୋଲି କିଛି ନାହିଁ । ମଝିରେ ମଝିରେ ଲତା ଗୁଡିକ ଛନ୍ଦି ହୋଇ ରାସ୍ତାକୁ ଦୁର୍ଭେଦ୍ୟ କରିଛନ୍ତି । ପୁଣି ହଠାତ୍ ପାଗର ପରିବର୍ତନ । ଘୁର୍ଣ୍ଣି ପବନକୁ ଧୁଳି ଝଡ । ମଝିରେ ମଝିରେ କଳାହାଣ୍ଡିଆ ମେଘକୁ ବିଜୁଳିର ବଜ୍ର ଶବ୍ଦ । ଚାହୁଁ ଚାହୁଁ ରାତି ଆସିଗଲା । ହାଡଭଙ୍ଗା ଶୀତକୁ ତୁଷାର ବୃଷ୍ଟି । କେଉଁଠି ମସଜିଦ୍ ଭିତରେ ଆଶ୍ରୟ ନିଅନ୍ତି କିମ୍ବା ଭକତରାମର ଚିହ୍ନା ଲୋକ ଘରେ ରାତିରେ ରୁହନ୍ତି । ସବୁଠାରେ ସୁଭାଷଙ୍କର ପରିଚୟ ହେଉଛି ‘ଚାଚା ଜିଆଉଦ୍ଦିନ’ ଓ ଭକତରାମ ପାଲଟି ଯାଆନ୍ତି ‘ରହମତ୍ ଖାନ୍’ା ଶେଷରେ ସେମାନେ ପହଁଚିଲେ ଗାଡ୍ଡି ଗାଁରେ ଯେଉଁଠାରେ ଦୁର୍ଗମ ପଥ ଶେଷ । ସେଠାରେ ଗାଇଡ୍କୁ ବିଦାୟ ଦେଲେ । ସୁଭାଷ ଓ ଭକତରାମ ଚାଲିଲେ ଜଲାଲବାଦ ଆଡକୁ । ଯାହାକି ସ୍ୱାଧୀନ ଦେଶ ଆଫଗାନିସ୍ତାନରେ ଅବସ୍ଥିତ । ସ୍ୱାଧୀନତାରେ କେତେ ଶାନ୍ତି, କେତେ ଆନନ୍ଦ, ମର୍ମେ ମର୍ମେ ଅନୁଭବ କଲେ ସୁଭାଷ ବୋଷ । ଭକତରାମଙ୍କୁ ଆଫଗାନ ଭାଷା ଜଣା । କିନ୍ତୁ ସୁଭାଷ ବୋଷଙ୍କୁ ଜଣା ନାହିଁ । ସୁଭାଷ ବୋଷ ପୂର୍ବଭଳି ଭକତରାମଙ୍କର ଚାଚାଜିଆଉଦ୍ଦିନ ରହିଲେ ସତ, କିନ୍ତୁ ସେ ହେଲେ ମୁକ ବଧିର ଚାଚା । ଯାହା କଥା ଲାଗିବେ ଭକତରାମ ଓରଫ ରହମତ୍ ଖାନ । ଉଭୟ ରାତି ୧୦ ଟାରେ ପହଁଚିଲେ ଜଲାଲବାଦ । ପୁଣି ସକାଳୁ ଆରମ୍ଭ ହେଲା ଯାତ୍ରା । କେଉଁଠି ପଦଯାତ୍ରା ତ କେଉଁଠି ଟ୍ରକ ଭିତରେ ଯାତ୍ରା । ଶେଷରେ ଜାନୁଆରୀ ୩୧ ତାରିଖରେ ପହଁଚିଲେ କାବୁଲରେ । କାବୁଲରେ ଆସି ଶୁଣିଲେ ଇଂରେଜ ସରକାରଙ୍କ ଘୋଷଣା ଯେ, ସୁଭାଷ ବୋଷ ଖସି ଯାଇଛନ୍ତି । ସେଥିପାଇଁ ସବୁ ଜାଗାରେ ତନ ତନ କରି ଛାପା ମରାଯାଇଛି ଆଉ ଯେମିତି ହେଲେ ସୁଭାଷ ବୋଷଙ୍କୁ ଗିରଫ କରାଯିବ । କିନ୍ତୁ ସୁଭାଷ ବର୍ତମାନ ବହୁ ଦୂରରେ ଅର୍ଥାତ କାବୁଲରେ । ସେତେବେଳକୁ ସୁଭାଷଙ୍କ ହାତରେ ଏକ ସୁନାର ଘଂଟାଟିଏ ଥାଏ । ଯାହାକୁ ସେ ଭକତରାମଙ୍କୁ ପିନ୍ଧିବାକୁ ଦେଇଥାନ୍ତି । କାବୁଲରେ ସେମାନେ ଆଶ୍ରୟ ନେଲେ ଗୋଟିଏ ସରାଇଖାନାରେ । ସୁଭାଷଙ୍କ ପାଇଁ ଆବଶ୍ୟକୀୟ ଶୀତବସ୍ତ୍ର କିଣାଗଲା କାବୁଲ ବଜାରରୁ । ସୁଭାଷ ବୋଷ ରୁଷ ଦୂତାବାସ ସହ ଯୋଗା ଯୋଗ ଆରମ୍ଭ କଲେ । କିନ୍ତୁ ରୁଷ ଦୂତାବାସର ନିରାପତା ରକ୍ଷୀମାନେ ଏହାର ଅଧିକାରୀଙ୍କ ସହିତ ଯୋଗା ଯୋଗ କରାଇ ଦେଲେ ନାହିଁ । ଶେଷକୁ କାବୁଲ ପୋଲିସ ଏମାନଙ୍କୁ ସନ୍ଦେହ କରି ଆସି ସରାଇଖାନାରେ ପହଁଚିଲା । ପ୍ରତ୍ୟେକ ଦିନ ଏହି ପୋଲିସମାନଙ୍କୁ ସୁଭାଷ ବୋଷ ୨ଟଙ୍କା ଲାଂଚ ଦେଉଥିଲେ । ଶେଷକୁ ସୁନା ଘଂଟାଟିକୁ ସେମାନଙ୍କୁ ଦାନ ଦେଇ ସବୁଦିନ ପାଇଁ ସେମାନଙ୍କ କବଳରୁ ରକ୍ଷା ପାଇଲେ । ଏବେ କାବୁଲରେ କିଭଳି ଅଧିକ ଦିନ ରହିବେ ସେହି ଚିନ୍ତା ସୁଭାଷ ବୋଷଙ୍କୁ ଘାରିଲା । ଶେଷରେ ମଣିକାଂଚନ ଯୋଗ ଭଳି ଭକତରାମଙ୍କର ଜଣେ ପୁରୁଣା ବନ୍ଧୁ ଉତମ ଚାନ୍ଦଙ୍କ ସହିତ ହଠାତ୍ କାବୁଲରେ ଭେଟ ହେଲା । ଉତମ ଚାନ୍ଦଙ୍କର କାବୁଲରେ ଗୋଟିଏ ରେଡିଓ ଦୋକାନ ଥାଏ । ଉତମ ଚାନ୍ଦଙ୍କ ସ୍ତ୍ରୀ ସବୁକଥା ଜାଣିଲେ ମଧ୍ୟ ସୁଭାଷ ବୋଷଙ୍କୁ ବିରୋଧ କଲେ ନାହିଁ । ସୁଭାଷ ବୋଷ ଉତମ ଚାନ୍ଦଙ୍କର ଘରେ ରହିଲେ । ଉତମ ଚାନ୍ଦଙ୍କର ଶିଶୁ କନ୍ୟାଟି ସୁଭାଷ ବୋଷଙ୍କର ଟିକି ନିଖି କଥା ବୁଝୁଥିଲା । ଇତି ମଧ୍ୟରେ ରୁଷ ଦୂତାବାସରୁ କୌଣସି ପ୍ରକାର ସହଯୋଗ ମିଳିଲା ନାହିଁ । ତେଣୁ ବାଧ୍ୟ ହୋଇ ସୁଭାଷ ବୋଷ ଜର୍ମାନ ରାଷ୍ଟ୍ରଦୂତ ଅଫିସକୁ ଗଲେ । ଆଶ୍ଚର୍ଯ୍ୟର କଥା ତାଙ୍କୁ ସେଠାରେ କେହି ବାଧା ଦେଲେ ନାହିଁ । ସେ ସିଧାସଳଖ ଜର୍ମାନ ରାଷ୍ଟ୍ରଦୂତଙ୍କୁ ଭେଟି କଥା ହେଲେ । ଜର୍ମାନ ରାଷ୍ଟ୍ରଦୂତ ଏ ଖବର ବର୍ଲିନକୁ ପଠାଇଲେ । ବର୍ଲିନରୁ କିଛି ଦିନ ପରେ ଖବର ଆସିଲା । ଜଣେ ମଧ୍ୟସ୍ଥି ହେର ଟମାସଙ୍କ ଜିରିଆରେ ସୁଭାଷ ବୋଷଙ୍କୁ ଇଟାଲି ରାଷ୍ଟ୍ରଦୂତ ଆଲବଟ୍ କେରାନୀଙ୍କୁ ଦେଖା କରିବାକୁ କୁହାଗଲା । ସୁଭାଷ ବୋଷ ତାଙ୍କୁ ଦେଖାକଲେ । ସେ କହିଲେ ଯଦି ବା ରୁଷ ସହଯୋଗ କରୁନାହିଁ କିନ୍ତୁ ରୁଷ ଉପରେ ସୁଭାଷ ବୋଷଙ୍କୁ ଭିସା ଦେବା ପାଇଁ ଚାପ ପକାଯାଇଛି । ତାହାପରେ ମାର୍ଚ୍ଚ ୧୨ ତାରିଖରେ ଇଟାଲି ରାଷ୍ଟ୍ରଦୂତଙ୍କ ସ୍ତ୍ରୀ ମିସେସ୍ କେରାନୀ ଆସି ଏକ ଶୁଭ ଖବର ଉତମ ଚାନ୍ଦଙ୍କ ଦୋକାନରେ ଦେଲେ ଯେ, ରୁଷ ସରକାର ସୁଭାଷ ବୋଷଙ୍କୁ ତାଙ୍କ ଦେଶ ଦେଇ ଯିବାକୁ ଅନୁମତି ଦେଇଛନ୍ତି । ତେଣୁ ଦୁଇ ତିନି ଦିନ ଭିତରେ ସୁଭାଷ ବୋଷ ରୁଷ ବାଟ ଦେଇ ଯିବା ପାଇଁ ଆବଶ୍ୟକୀୟ ପୋଷାକ ପତ୍ର ଏବଂ ଭିସା ତିଆରି କରିଦେଲେ । ମାର୍ଚ୍ଚ ୧୬ ତାରିଖରେ ଖବର ଆସିଲା ସୁଭାଷ ବୋଷ ଜଣେ ଇଟାଲିୟାନ ବନ୍ଧୁ କ୍ରେସିନଙ୍କ ଘରକୁ ଯିବେ ଏବଂ ସେଠାରୁ ମାର୍ଚ୍ଚ ୧୭ ତାରିଖ ସକାଳୁ ଯାତ୍ରା ଆରମ୍ଭ ହେବ । ସେହି ହିସାବରେ ସୁଭାଷ ବୋଷ ମାର୍ଚ୍ଚ ୧୬ ତାରିଖ ରାତିରେ କ୍ରେସିନଙ୍କ ଘରେ ପହଁଚିଲେ । ସାଙ୍ଗରେ ଥିଲେ ଭକତରାମ । କଥା ହେଲା ଭକତରାମ ସୁଭାଷ ବୋଷଙ୍କ ପ୍ରତିନିଧି ରୂପେ କାବୁଲରେ ରହିବେ । କାବୁଲରେ ସୁଭାଷ ବୋଷଙ୍କ ଖବର ସିନର ବୋଷ ଭାବରେ ଦିଆଯିବ । ଏବଂ ଇଟାଲି ଦୂତାବାସ ଯୋଗା ଯୋଗର ମଧ୍ୟସ୍ଥି ହେବ । ମାର୍ଚ୍ଚ ୧୭ ତାରିଖ ସକାଳୁ ଇଟାଲିର ଏକ କାର ଆସି କ୍ରେସିନଙ୍କ ଘର ସମ୍ମୁଖରେ ପହଁଚିଲା । ସେଠି ଗାଡିରେ ସୁଭାଷ ବୋଷ ଚଢିଲେ, ତାଙ୍କର ଲକ୍ଷ୍ୟ ସ୍ଥଳକୁ ଯାତ୍ରା ପାଇଁ । ସେଥିପାଇଁ ଭିସାରେ ତାଙ୍କ ନାଁ ହେଲା ସିନର ଅରଲାଣ୍ଡୋ ମ୍ୟାଜୋଟ୍ଟା, ଏକ ନୂତନ ଇଟାଲିୟ ନାମ । ବିଦାୟ ନେବା ବେଳେ ସୁଭାଷ ବୋଷ କହିଥିଲେ ଯେ, ସମସ୍ତଙ୍କ ସହିତ ଭେଟ ହେବ ସ୍ୱାଧୀନ ଭାରତରେ । ଇତି ମଧ୍ୟରେ ଭକତରାମ ଚାତକ ଭଳି ଚାହିଁ ରହିଥାନ୍ତି ସୁଭାଷଙ୍କ ଠାରୁ କିଛି ଖବର ପାଇବା ପାଇଁ । ଶେଷରେ ସୁଭାଷ ବୋଷ ମାର୍ଚ୍ଚ ୨୮ ତାରିଖରେ ଇଟାଲି ଦୂତାବାସକୁ ଖବର ଦେଲେ ଯେ ସେହିଦିନ ସେ ନିରାପଦରେ ବର୍ଲିନରେ ପହଁଚିଛନ୍ତି । ଭକତରାମ ଓ ଉତମ ଚାନ୍ଦ ଏଖବର ପାଇ ବଡ ଆନନ୍ଦିତ ହେଲେ । ଏହି ଫୋନରେ ସୁଭାଷ ବୋଷ କହିଥିଲେ ଯେ, ଜର୍ମାନ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ଯେପର୍ଯ୍ୟନ୍ତ ଯାଏ ଜର୍ମାନ ସୁଭାଷ ବୋଷଙ୍କୁ ଭାରତର ପ୍ରତିନିଧି ଭାବେ ସ୍ୱୀକାର କରି ନାହିଁ ସେପର୍ଯ୍ୟନ୍ତ ସେ ଜର୍ମାନ ଠାରୁ କୌଣସି ସାହାଯ୍ୟ ନେବେ ନାହିଁ । ଶେଷକୁ ଜର୍ମାନ ସୁଭାଷ ବୋଷଙ୍କ ପ୍ରସ୍ତାବରେ ରାଜି ହେଲା । ଏବଂ ତାପରେ ୧୯୪୧ ମସିହା ଡିସେମ୍ବର ୭ ତାରିଖରେ ବର୍ଲିନରୁ ଆଜାଦ ହିନ୍ଦ୍ ରେଡିଓରେ ସୁଭାଷ ବୋଷ ଭାରତୀୟମାନଙ୍କ ପାଇଁ ଏକ ଭାଷଣ ମାଧ୍ୟମରେ କିଛି ବାର୍ତା ଦେଲେ । ସେହି ବାର୍ତାରେ ସେ କହିଥିଲେ ଯେ, ଭାରତୀୟମାନେ ତାଙ୍କ ବିଷୟରେ କୌଣସି ଅପବାଦକୁ ବିଶ୍ୱାସ କରନ୍ତୁ ନାହିଁ । ଯଦି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ରିଟେନ୍ ଆମେରିକାର ଦ୍ୱାରସ୍ଥ ହେଲା, ତେବେ ଭାରତ ବର୍ଷର ସ୍ୱାଧୀନତା ପାଇଁ ଅନ୍ୟ କୌଣସି ଜାତି ଅର୍ଥାତ ଜର୍ମାନୀର ସାହାଯ୍ୟ ନେବାରେ କୌଣସି ଭୁଲ୍ ନାହିଁ ।
ତାପରେ ସୁଭାଷ ବୋଷ ଭାରତର ସ୍ୱାଧୀନତା ପାଇଁ ଏକ ସୈନ୍ୟବାହିନୀ ଗଠନ କରିବାରେ ଲାଗିଲେ । ତାଙ୍କର ପ୍ରସ୍ତାବ ଅନୁଯାୟୀ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବନ୍ଦୀ କରିଥିବା ୩୬ ହଜାର ଭାରତୀୟ ସୈନିକମାନଙ୍କୁ ମୁକ୍ତି କରି ଦେଲା । ସେହି ସମୟରେ ରାହାସ ବିହାରୀ ବୋଷ ଜାପାନରେ ରହିଥାନ୍ତି ଏବଂ ଜାପାନର ନାଗରୀକତ୍ୱ ମଧ୍ୟ ଗ୍ରହଣ କରିଥାନ୍ତି । ସେ ମଧ୍ୟ ଭାରତର ମୁକ୍ତି ପାଇଁ ଇଣ୍ଡିଆନ ଇଣ୍ଡିପେଣ୍ଡେସ ଲିଗ୍ ବା ଆଜାଦ ହିନ୍ଦ୍ ସେନା ନାମରେ ଏକ ବାହିନୀ ଗଠନ କରିଥାନ୍ତି । ତେଣୁ ସୁଭାଷ ବୋଷ ରାହାସ ବିହାରୀ ବୋଷଙ୍କ ସହିତ କଥା ହେବା ପରେ ୩୬ ହଜାର ମୁକ୍ତ ଭାରତୀୟ ସୈନ୍ୟ ଏବଂ ରାହାସ ବିହାରୀ ବୋଷଙ୍କର ମୁକ୍ତି ବାହିନୀକୁ ନେଇ ଇଣ୍ଡିଆନ ନେସନାଲ ଆର୍ମି ବା ଆଜାଦ ହିନ୍ଦ୍ ଫୌଜ ନାମରେ ଏକ ସୈନ୍ୟ ଦଳ ଗଢିଲେ । ଏହାର ତିନି ଜଣ ମୁଖ୍ୟ ସେନାପତିଙ୍କ ଭିତରୁ ଜଣେ ହିନ୍ଦୁ, ଜୁଣେ ମୁସଲମାନ ଓ ଜଣେ ଶିଖ୍ ଥିଲେ । ସୁଭାଷ ବୋଷଙ୍କ ପ୍ରସ୍ତାବ ଅନୁଯାୟୀ ଜାପାନ ଯୁଦ୍ଧରେ ଦଖଲ କରିଥିବା ଆଣ୍ଡାମାନ ନିକୋବର ଦୀପ ପୁଞ୍ଜକୁ ଆଜାଦ ହିନ୍ଦ୍ ଫୌଜ ହାତରେ ଅର୍ପଣ କଲା । ଏହାର ଏକ ମହିଳା ଶାଖା ମଧ୍ୟ ଲକ୍ଷ୍ମୀ ସେହଗଲଙ୍କ ନେତୃତ୍ୱରେ ଗଢା ଯାଇଥିଲା । ଯାହାର ନାମ ଥିଲା ରାଣୀ ଝାନ୍ସୀ ବିଗ୍ରେଡ । ଏହି ଆଜାଦ ହିନ୍ଦ୍ ଫୌଜ ଓ ଏହାର ମହିଳା ଶାଖାରେ ମଧ୍ୟ ଅନେକ ଓଡିଆ ସୈନିକ ଥିଲେ । ଏମାନଙ୍କ ଭିତରେ ଥିଲେ ବ୍ରଜ ମୋହନ ପଟ୍ଟନାୟକ, କିଶୋର ଚନ୍ଦ୍ର ତ୍ରିପାଠୀ, ନରସିଂହ ଦାସ, ଉଚ୍ଛବ ପ୍ରଧାନ, ମୋହନ ପ୍ରଧାନ, ସୋମନାଥ ପାଣିଗ୍ରାହୀ, ବୀର ପାତ୍ର, ରଂଜନ ଷଡଙ୍ଗୀ, ଗଣେଷ ରଥ, ଅନନ୍ତ ଚୌଧୁରୀ, ଖଗେଶ୍ୱର ପଣ୍ଡା, ଏସ୍ ଆର କ୍ୱିରେସୀ, ଡ. ବୀର କିଶୋର ଭୂୟାଁ ପ୍ରଭୃତି ଅନେକ ଯୋଦ୍ଧା । ରାଣୀ ଝାନ୍ସି ବ୍ରିଗେଡରେ ଓଡିଶାର ଲକ୍ଷୀ୍ମ ଦେବୀ ଓ ଲକ୍ଷୀ୍ମ ପଣ୍ଡା କାମ କରୁଥିଲେ । ଆଜାଦ ହିନ୍ଦ୍ ଫୌଜ ଅତ୍ୟନ୍ତ ବୀରତ୍ୱର ସହିତ ଲଢି ମଣିପୁର ଦଖଲ କଲେ ଏବଂ କୋହିମା ଆଡକୁ ଅଗ୍ରସର ହେଲେ । ଏହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଗତି ହଠାତ୍ ବଦଳି ଗଲା । ଜାପାନର ନାଗାସାକି ଓ ହିରୋସୀମା ଉପରେ ପରମାଣୁ ବୋମା ନିକ୍ଷେପ ହେବା ପରେ ଏହାର ସୈନ୍ୟ ବାହିନୀ ଇଂରେଜ ସୈନ୍ୟବାହିନୀ ସମ୍ମୁଖରେ ଆତ୍ମ ସମର୍ପଣ କଲା । ଯେଉଁ କାରଣରୁ ଆଜାଦ ହିନ୍ଦ୍ ଫୌଜର ସୈନ୍ୟମାନେ ଇଂରେଜମାନଙ୍କ ଦ୍ୱାରା ଗିରଫ ହେଲେ । ବର୍ମାରେ ଗିରଫ ହୋଇଥିବା ଆଜାଦ ହିନ୍ଦ୍ ଫୌଜର ସୈନ୍ୟମାନଙ୍କ ଭିତରେ ୫୫ ଜଣ ଓଡିଆ ସୈନିକ ଥିଲେ । ସେମାନଙ୍କୁ ଗିରଫ କରାଯାଇ ବିଚାର ପ୍ରକ୍ରିୟା ଆରମ୍ଭ ହେଲା । କିନ୍ତୁ ଦେଶବାସୀ ସେମାନଙ୍କର ବୀରତ୍ୱର ଗାଥା ଶୁଣିଲା ପରେ ଆଜାଦ ହିନ୍ଦ୍ ଫୌଜର ସୈନ୍ୟବାହିନୀର ମୁକ୍ତି ପାଇଁ ଏକ ବିରାଟ ଆନ୍ଦୋଳନ ଆରମ୍ଭ କଲେ । ତେଣୁ ଭୟରେ ଇଂରେଜ ସରକାର ସେମାନଙ୍କୁ ଖଲାସ କରିଦେଲେ । କିନ୍ତୁ ମାଉଂଟ୍ ବାଟେନ୍ଙ୍କ ଚାପ ଯୋଗୁ ଆଜାଦ ହିନ୍ଦ୍ ଫୌଜର ସୈନ୍ୟମାନଙ୍କୁ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ଦିଆଗଲା ନାହିଁ ଏବଂ ସେମାନଙ୍କୁ ସୈନ୍ୟ ବାହିନୀ ଓ ପୋଲିସ ଚାକିରୀରେ ପ୍ରବେଶ ପାଇଁ ବାରଣ କରାଗଲା । ଅନେକ ବର୍ଷ ପରେ କିଛି ରାଜ୍ୟ ସରକାର ଏବଂ ପରେ କେନ୍ଦ୍ର ସରକାର ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ । ସେତେବେଳକୁ ଆଜାଦ ହିନ୍ଦ୍ ଫୌଜର ଅନେକ ସୈନିକମାନଙ୍କର ଦେହାନ୍ତ ହୋଇଗଲାଣି ଏବଂ ଯେଉଁମାନେ ବଂଚିଥିଲେ ସେମାନେ କିଛି ମାମୁଲି ସାହାଯ୍ୟ ମାତ୍ର ପାଇଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧର ଏହି ପଟ୍ଟ ପରିବର୍ତନପରେ ସୁଭାଷ ବୋଷ ରହସ୍ୟ ଜନକ ଭାବେ ଅନ୍ତର୍ଦ୍ଧାନ ହୋଇ ଗଲେ । ପ୍ରଚାର କରାଗଲା ଯେ,ସେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ । ଏହା ମଧ୍ୟ କୁହାଗଲା ଯେ, ସେ କେଉଁଠାରେ ଆତ୍ମ ଗୋପନ କରିଛନ୍ତି । କିନ୍ତୁ ବ୍ରିଟିଶ ଗୋଇନ୍ଦା ରିପୋର୍ଟ ଅନୁଯାୟୀ ଜାପାନର ଏକ ବୋମା ବହନକାରୀ ବିମାନ ଭିଏତ୍ନାମାର ସୈରାନେ ଠାରୁ ଟୋକିଓ ଅଭିମୁଖେ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ପ୍ରତ୍ୟୁଷରେ ଉଡାଣ ଆରମ୍ଭ କରି ସେହି ଦିନ ଜାପାନ ଅଧିକୃତ ତାଇୱାନ ଠାରେ ଅପରାହ୍ନରେ ଅବତରଣ କରିଥିଲା । ସେଥିରେ ୧୩ ଜଣ ଯାତ୍ରୀ ଥିଲେ । ସେମାନଙ୍କ ଭିତରେ ନେତାଜୀଙ୍କ ଅଙ୍ଗରକ୍ଷକ ଲେଫ୍ଟନାଂଟ ହବିବୁର ରହେମନ ଓ ଜାପାନ ସୈନ୍ୟବାହିନୀର ଲେଫ୍ଟନାଂଟ ଜେନେରାଲ ସୋନୋମାସା ସିଦେର ମଧ୍ୟ ଥିଲେ । ଏହା ଯାତ୍ରୀ ବିମାନ ହୋଇ ନଥିବାରୁ ଏଥିରେ ସ୍ଥାନ ଅଭାବରୁ ସମସ୍ତେ ଖୁନ୍ଦା ଖୁନ୍ଦି ହୋଇ ବସିଥିଲେ । ଏହାର ବାମ ପଟ ଇଂଜିନ୍ର ଇନ୍ଧନ ଟାଂକି ନିକଟରେ ନେତାଜୀ ସୁଭାଷ ବୋଷ ବସିଥିଲେ । ବିମାନଟି ଉଠିବା ସମୟରେ ତାହାର ଇଂଜିନ୍ଟି ଠିକ୍ ଭାବେ କାମ କରୁନଥିଲା । ତାଇୱାନ୍ ଠାରେ ବିମାନଟି ଓହ୍ଲାଇବା ସମୟରେ ବିମାନରେ ହଠାତ୍ ନିଆଁ ଲାଗି ଯାଇଥିଲା । ଅନ୍ୟ ଯାତ୍ରୀମାନେ ହଠାତ୍ ଦ୍ୱାର ଦେଶ ଦେଇ ଡେଇଁ ପଡିଲେ । କିନ୍ତୁ ଇଂଜିନ୍ ପାଖରୁ ଦ୍ୱାର ଦେଶ ଯାଏ ପହଁଚିବା ଭିତରେ ସୁଭାଷ ବୋଷଙ୍କୁ ଟିକିଏ ଡେରି ଲାଗିଲା । ସେତେବେଳକୁ ତାଙ୍କ ସାମରିକ ପୋଷାକରେ ନିଆଁ ଲାଗି ଶରୀର ଅର୍ଦ୍ଧ ଦଗ୍ଧ ହୋଇଗଲାଣି । ତାଙ୍କ ଅଙ୍ଗରକ୍ଷୀ ମଧ୍ୟ ଆହତ ହୋଇଥିଲେ । ଉଭୟ ତାଇୱାନର ସାମରିକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଅଙ୍ଗରକ୍ଷୀ ହବିବୁର ରହେମାନ ଆରୋଗ୍ୟ ଲାଭକରି ଭାରତ ଫେରିଗଲେ । ଦୁଃର୍ଭାଗ୍ୟକୁ ଚିକିତ୍ସା ହେଉଥିବା ସମୟରେ ନେତାଜୀଙ୍କର ଦେହାନ୍ତ ହୋଇଥିଲା । ନେତାଜୀଙ୍କ ମୃତ୍ୟୁ ପାଇଁ ଇନ୍କ୍ୱାରୀ କମିଟିର ସଦସ୍ୟ ଶାହାନୱାଜ ଖାନ୍ଙ୍କ ନିକଟରେ ସାକ୍ଷ ଦେବା ପାଇଁ ହବିବୁର ରହେମାନ ପାକିସ୍ତାନରୁ ଭାରତ ଆସିଥିଲେ । ସେ ସାକ୍ଷ ଦେବା ବେଳେ କହିଲେ, ସୁଭାଷ ବୋଷ ନିଜର ମୃତ୍ୟୁ ଆସନ୍ନ ଜାଣି ପାରି ତାଙ୍କୁ କହିଥିଲେ ଯେ, ଭାରତର ସ୍ୱାଧୀନତା ପାଇଁ ସେ ଶେଷ ମୂହୁର୍ତ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିଲେ । ଏବଂ ଏହି ସଂଗ୍ରାମ ପାଇଁ ସେ ଜୀବନ ଉତ୍ସର୍ଗ କଲେ । ଦେଶବାସୀ ଭାରତର ସ୍ୱାଧିନତା ପାଇଁ ସଂଗ୍ରାମ ଜାରି ରଖନ୍ତୁ । ସୁଭାଷ ବୋଷଙ୍କ ଶେଷ ଶବ୍ଦ ଥିଲା “ଲଙ୍ଗ ଲିଭ୍ ଆଜାଦ୍ ହିନ୍ଦ୍” । ନେତାଜୀଙ୍କ ମୃତ୍ୟୁ ଖବର ସମ୍ବନ୍ଧରେ ହବିବୁର ରହେମାନ ତାଙ୍କର ବଡ ଭାଇ ଶରତ ବୋଷଙ୍କୁ ଜଣାଇଥିଲେ । ନେତାଜୀଙ୍କ ଜର୍ମାନୀ ପତ୍ନୀ ଏମିଲି ସିଂଙ୍କେଲ୍ ୧୯୪୬ ମସିହାରେ ଏସବୁ କଥା ମଧ୍ୟ ଶରତ ବୋଷଙ୍କୁ ଜଣାଇଥିଲେ । ନେତାଜୀଙ୍କ ମରଶରୀରକୁ ତାଇପେ ସହରର ଉପକଣ୍ଠରେ ଏକ ଶ୍ମଶାନରେ ୧୯୪୫ ମସିହା ଅଗଷ୍ଟ ୨୦ ତାରିଖ ଦିନ ଦାହ କରାଯାଇଥିଲା । ସେଦିନ ଶବଦାହ ସମୟରେ ତାଙ୍କ ଅଙ୍ଗରକ୍ଷୀ ହବିବୁର ରହେମାନ, ଫର୍ମୋଜା ବାହିନୀର ମୁଖ୍ୟ ମେଜର ନାଗାଟୋମୋ, ଦ୍ୱିଭାଷୀ ଭାଷାକାର ନାକାସୁରା ଓ ଜଣେ ବୌଦ୍ଧ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ । ନେତାଜୀଙ୍କ ଚିତାଭସ୍ମକୁ ତାଇପେ ସ୍ଥିତ ନିଶିହଂଗାଞ୍ଜ ବୌଦ୍ଧ ମନ୍ଦିର ଓ ପରବର୍ତି ସମୟରେ ଟୋକିଓ ସହରତଳି ରେଙ୍କୋଜୀ ବୌଦ୍ଧ ମନ୍ଦିରରେ ଏକ ପାତ୍ରରେ ସଂଚିତ କରି ରଖାଯାଇଥିଲା । ଏବେ ମଧ୍ୟ ସେଠାରେ ଏହି ଚିତାଭସ୍ମ ପାତ୍ରଟି ବୌଦ୍ଧ ସନ୍ୟାସୀଙ୍କ ଦ୍ୱାରା ପୂଜା ପାଉଅଛି ।
ଉପରୋକ୍ତ ଗୋଇନ୍ଦା ରିପୋର୍ଟ କେତେଦୂର ସତ୍ୟ ତାହା ଏବେ ମଧ୍ୟ ପ୍ରଶ୍ନବାଚୀ । ଏବେ ମଧ୍ୟ ଅନେକ ଭାରତୀୟ ବିଶ୍ୱାସ କରନ୍ତି ଯେ ସୁଭାଷ ବୋଷ କୌଣସି ଠାରେ ଆତ୍ମ ଗୋପନ କରି ରହିଥିଲେ । ତେବେ ଯାହା ବି ହେଉ, ନେତାଜୀଙ୍କର ଦେଶଭକ୍ତି, ବିପ୍ଲବୀ ଚିନ୍ତାଧାରା ଏବଂ ସମ୍ମୁଖ ସମର ପାଇଁ ପ୍ରସ୍ତୁତିର କୌଣସି ପଟ୍ଟାନ୍ତର ନାହିଁ । ଚିରଦିନ ପାଇଁ ଭାରତ ବାସୀଙ୍କ ପାଖରେ ନେତାଜୀ ସୁଭାଷ ବୋଷଙ୍କର ବୀରଗାଥା ଅବିସ୍ମରଣୀୟ ହୋଇ ରହିଥିବ ।