ନାଥୁଲା ମାର୍ଗ ଦେଇ କୈଳାସ ମାନସରୋବର ଯାତ୍ରାରେ ସାମିଲ ହୋଇଥିବା ପ୍ରଥମ ତୀର୍ଥଯାତ୍ରୀ ଦଳ ଶନିବାର (୨୦ ଜୁନ୍) ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳରେ ପ୍ରବେଶ କରିଛି। ସେମାନେ କୈଳାସ ପର୍ବତ ଏବଂ ମାନସରୋବର ହ୍ରଦ ଅଭିମୁଖେ ୧୦ ଦିନିଆ ଆଧ୍ୟାତ୍ମିକ ଯାତ୍ରାରେ ବାହାରିଛନ୍ତି। ଏହି ଦଳରେ ୪୪ ଜଣ ତୀର୍ଥଯାତ୍ରୀ ଅଛନ୍ତି। ଯେଉଁଥିରେ ୩ ଜଣ ଡାକ୍ତର ଏବଂ ୨ ଜଣ ଯୋଗାଯୋଗ ଅଧିକାରୀ ଅଛନ୍ତି। ତୀର୍ଥଯାତ୍ରୀଙ୍କ ମଧ୍ୟରେ ୩୨ ଜଣ ପୁରୁଷ ଏବଂ ୧୨ ଜଣ ମହିଳା ସାମିଲ ଅଛନ୍ତି।
ଏହି ତୀର୍ଥଯାତ୍ରୀ ଦଳରେ ଦେଶର କୋଣ ଅନୁକୋଣରୁ ଲୋକ ଯୋଡ଼ି ହୋଇଛନ୍ତି। ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ତାମିଲନାଡୁ, ଓଡ଼ିଶା, କର୍ଣ୍ଣାଟକ ସମେତ ଦେଶ ଅନ୍ୟ ରାଜ୍ୟର ବାସିନ୍ଦା ମଧ୍ୟ ଏହି ତୀର୍ଥଯାତ୍ରୀ ଦଳରେ ସାମିଲ ହୋଇଛନ୍ତି। ସମସ୍ତ ତୀର୍ଥଯାତ୍ରୀଙ୍କ ବୟସ ୩୦ ରୁ ୭୦ ବର୍ଷ ମଧ୍ୟରେ। ସେମାନେ ଗତ ୧୧ ତାରିଖରେ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିଲେ। ଜୁନ୍୧୫ ତାରିଖରେ ସେମାନେ ସିକ୍କିମ ରାଜଧାନୀ ଗ୍ୟାଙ୍ଗଟକ୍ ଠାରେ ପହଞ୍ଚିଥିଲେ। ଜୁନ୍ ୧୬ ତାରିଖରୁ ସେମାନେ ନାଥୁଲା ନିକଟସ୍ଥ ହଙ୍ଗୁ ହ୍ରଦ ଆକ୍ଲିମାଟାଇଜେସନ୍ ସେଣ୍ଟର (Hangu Lake Acclimatisation Center) ଠାରୁ ସେମାନଙ୍କ ଯାତ୍ରା ପାଇଁ ପ୍ରସ୍ତୁତି କରୁଛନ୍ତି।
ପ୍ରଥମ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ନାଥୁଲା ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସିକ୍କିମ ପର୍ଯ୍ୟଟନ ମନ୍ତ୍ରୀ ସେରିଂ ଥେଣ୍ଡୁପ୍ ଭୂତିଆ, ଭାରତୀୟ ସେନା, ଭାରତ-ତିବ୍ଦତୀୟ ସୀମା ପୋଲିସ (ITBP), ସିକିମ ପର୍ଯ୍ୟଟନ ବିକାଶ ନିଗମ (STDC) ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। STDC ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ଆନୁଷଙ୍ଗୀକ ଏବଂ ଆତିଥ୍ୟ ବ୍ୟବସ୍ଥା କରାଯାଇଛି।
ଚଳିତ ବର୍ଷ, ନାଥୁ ଲା ମାର୍ଗ ଦେଇ ମୋଟ ୫୦୦ ତୀର୍ଥଯାତ୍ରୀ କୈଳାଳ ମନସରୋବର ଯାତ୍ରା କରିବେ। ୫୦-୫୦ ଜଣ ତୀର୍ଥଯାତ୍ରୀଙ୍କୁ ୧୦ ଗୋଷ୍ଠୀରେ ବିଭକ୍ତ କରାଯାଇଛି। କୈଳାସ ମାନସରୋବର ଯାତ୍ରା ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀଙ୍କ ପାଇଁ ଧାର୍ମିକ ଗୁରୁତ୍ୱ ବହନ କରିଥାଏ। କୈଳାସ ପର୍ବତକୁ ଭଗବାନ ଶିବଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ। ସେହି ମାନସରୋବର ହ୍ରଦକୁ ବିଶ୍ୱର ସବୁଠାରୁ ପବିତ୍ର ହ୍ରଦ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। ତୀର୍ଥଯାତ୍ରୀ ବିଭିନ୍ନ ସରକାରୀ ସଂସ୍ଥା ଏବଂ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧାକୁ ପ୍ରଶଂସା କରିଛନ୍ତି।