ଫୁଲବାଣୀ:ଗତ ମାର୍ଚ୍ଚ ୩୧ ତାରିଖରୁ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ତେବେ ଜିଲ୍ଲାରେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ଅସ୍ତଶସ୍ତ୍ର ଓ ବିସ୍ପୋରକ ଜବତ କରୁଛି। ଗତ ୧୧ ତାରିଖରେ ବାଲିଗୁଡା ଅଞ୍ଚଳରୁ ବିପୁଳ ପରିମାଣରେ ଏଭଳି ସାମଗ୍ରୀ ଜବତ ହୋଇଥିବା ବେଳେ ଏବେ ପୁଣି କୋଟଗଡ ଥାନା ଅଂଚଳରେ ଏଭଳି ଡମ୍ପ ଠାବ ହୋଇଛି। ଆଜି ସ୍ଥାନୀୟ ପୁଲିସ ରିଜର୍ଭ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ଦେଇଥିବା ସୂଚନା ଅନୁଯାୟୀ, ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ ଥାନା ଅଧିନ ସୀତାଗୁଡା, ଗଂଜୁଗୁଡା, କୁଟିବାରି, ଗୁଡ୍ରିକିଆ, ଲାଞ୍ଜାମ ଅଂଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରା ଯାଇଥିଲା । ଏହି ଅପରେସନ ବେଳେ କୋଟଗଡ ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖା ଯାଇଥିବା ଗୋଟିଏ ୩୦୩ ରାଇଫଲ, ୨ଟି ୧୨ ବୋର ବନ୍ଧୁକ, ଦୁଇଟି ସିଙ୍ଗିଲ ସଟ୍ ବନ୍ଧୁକ, ଗୋଟିଏ ୮ ଏମ୍ଏମ୍ ବନ୍ଧୁକ, ଡିଟୋନେଟେର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା । ବୋମା ନିଷ୍କ୍ରିୟ ଦଳ ପହଁଚି ତଦାରଖ କରିବା ପରେ ଏସବୁ ସାମଗ୍ରୀ ଜବତ କରାଯାଇଥିଲା।