ବାଣିଦାରେ ଧର୍ମାନ୍ତରୀକରଣ ଅଭିଯୋଗ, ଉତ୍ତେଜନା
ଜଳେଶ୍ଵର, ୧୬|୬ : ଜଳେଶ୍ବର ବ୍ଲକ୍ ସୁଗୋ ପଞ୍ଚାୟତର ବାଣିଦା ଗାଁରେ ଗତକାଲି ସନ୍ଧ୍ୟାରେ ଧର୍ମାନ୍ତରୀକରଣ ଚାଲୁଥିବା ଅଭିଯୋଗରୁ ଦୁଇପକ୍ଷ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ନାମ୍ପୋ ଫାଣ୍ଡି ଏହି ଘଟଣାକୁ ନେଇ ଉଭୟପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।
ବିବରଣୀରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ବାଣିଦା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ତାଙ୍କ ପତ୍ନୀଙ୍କ ଶ୍ରାଦ୍ଧଦିବସ ଅବସରରେ ଏକ ପ୍ରାର୍ଥନାସଭାର ଆୟୋଜନ କରାଯାଇଥିଲା । ଏହି ପ୍ରାର୍ଥନାସଭାକୁ ଜଣେ ଧର୍ମଗୁରୁ ଆସିଥିବାବେଳେ ପ୍ରାର୍ଥନାକୁ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ତେବେ ଏହି ସମୟରେ ସେଠାରେ କେତେକ ଗ୍ରାମବାସୀ ପହଞ୍ଚି ଧର୍ମାନ୍ତରୀକରଣ ଚାଲିଛି ବୋଲି ଅଭିଯୋଗ କରିଥିଲେ|ଏପରିକି ସେହି ଧର୍ମଗୁରୁଙ୍କ ନିକଟରେ ଏକ ଧାର୍ମିକ ପୁସ୍ତକ ଅଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇପକ୍ଷ ମଧ୍ୟରେ କଥା କଟାକଟି ଚାଲିଥିବାବେଳେ ପ୍ରାର୍ଥନା କରୁଥିବା ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ହଠାତ୍ ଉତ୍ତେଜିତ ହୋଇ ଗ୍ରାମବାସୀଙ୍କୁ ବିଭିନ୍ନ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏହାପରେ ଗ୍ରାମବାସୀ ପୁଲିସ ହେଲ୍ପ ଲାଇନ ନମ୍ବର ୧୧୨ରେ କଲ୍ କରିବା ସହ ନାମ୍ପୋ ଫାଣ୍ଡି ପୁଲିସକୁ ମଧ୍ୟ ଜଣାଇଥିଲେ। ନାମ୍ପୋ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟପକ୍ଷଙ୍କୁ ଥାନାକୁ ଆଣି ବୁଝାସୁଝା କରିଥିବା ଜଣାପଡ଼ିଛି। ସେହିପରି ଗାଁର ସୁଶାନ୍ତ ମହାନ୍ତି, ଅନନ୍ତ ଦାସ, ପ୍ରଦୀପ କୁମାର ପାତ୍ର, ପ୍ରଦୀପ କୁମାର ଦାସ, ପ୍ରଦୀପ ମହାନ୍ତି, ଉମାକାନ୍ତ ଦାସ, ସୁର୍ଯ୍ୟନ୍ଦୁ ଦଳାଇ, ଅଜୟ କୁମାର ଦାସ, ବିଷ୍ଣୁପଦ ଦାସ ପ୍ରମୁଖ ବେଆଇନ ଭାବେ ଚାଲିଥିବା ଧର୍ମାନ୍ତରୀକରଣ ଉପରେ ରୋକ୍ ଲଗାଇବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।-
-ସମ୍ବାଦ-17 ଜୁନ 2026, ବାଲେଶ୍ବର ସଂସ୍କରଣ