ନାରଦ କେବଳ ସମ୍ବାଦ ପ୍ରେରଣ କରୁନଥିଲେ, ବରଂ ସମାଜର ମଙ୍ଗଳ ତଥା ଧର୍ମର ପ୍ରତିଷ୍ଠା ପାଇଁ ସୂଚନାକୁ ମାଧ୍ୟମ କରୁଥିଲେ

ବେଲଗୁଣ୍ଠା: ,ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ସଭାଗୃହଠାରେ ନାରଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦେବର୍ଷି ନାରଦ ଓ ମାତା ଭାରତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭଞ୍ଜନଗର ଖଣ୍ଡ କାର୍ଯ୍ୟବାହ ପ୍ରଦୀପ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ମନୋଜ କୁମାର ପାତ୍ର ସମ୍ମାନିତ ଅତିଥି, ସହ ଜିଲ୍ଲା ପ୍ରଚାର ପ୍ରମୁଖ ମାଧବ ନାୟକ ମୁଖ୍ୟ ବକ୍ତା ଏବଂ ବେଲଗୁଣ୍ଠା ଏନଏସିର ୱାର୍ଡ ନମ୍ବର ୧ କାଉନସିଲର ଏସ୍. ଭାସ୍କର ପାତ୍ର ଓ ୱାର୍ଡ ନମ୍ବର ୨ କାଉନସିଲର ଦିବ୍ୟ ରଞ୍ଜନ ଦାସ ସ୍ୱତନ୍ତ୍ର ଅତିଥି ଭାବେ ମଞ୍ଚାସୀନ ଥିଲେ। ଏଥିସହିତ ପ୍ରେସ୍ କ୍ଲବ୍ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଏବଂ ମିଡିଆ କ୍ଲବ୍ ଉପଦେଷ୍ଟା ତଥା ବରିଷ୍ଠ ଶିକ୍ଷାବିତ୍ ମାଗୁଣୀ ମିଶ୍ର ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ମଞ୍ଚାସୀନ ଅତିଥିମାନେ ସୃଷ୍ଟିର ଆଦ୍ୟ ସାମ୍ବାଦିକ ମହର୍ଷି ନାରଦଙ୍କ ଜୀବନୀ, ଆଦର୍ଶ ଓ ଲୋକକଲ୍ୟାଣକାରୀ ସମ୍ବାଦ ପ୍ରସାରଣ ଶୈଳୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ମତବ୍ୟକ୍ତ କରିଥିଲେ ଯେ, ନାରଦ ଜୀ କେବଳ ସମ୍ବାଦ ପ୍ରେରଣ କରୁନଥିଲେ, ବରଂ ସମାଜର ମଙ୍ଗଳ ତଥା ଧର୍ମର ପ୍ରତିଷ୍ଠା ପାଇଁ ସୂଚନାକୁ ମାଧ୍ୟମ କରୁଥିଲେ। ବର୍ତ୍ତମାନ ସମୟରେ ସାମ୍ବାଦିକତାରେ ନିରପେକ୍ଷତା, ନିର୍ଭୀକତା ଏବଂ ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ରହିବା ନିତାନ୍ତ ଆବଶ୍ୟକ। ସମାଜକୁ ‘ରାଷ୍ଟ୍ର ପ୍ରଥମ’ର ବାର୍ତ୍ତା ଦେବା ଏବଂ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ପ୍ରତ୍ୟେକ ସାମ୍ବାଦିକଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ୍। ଏହି କ୍ରମରେ ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ସମାଜର ସାମଗ୍ରିକ ବିକାଶ ପାଇଁ ପାଞ୍ଚଟି ମୁଖ୍ୟ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ; ଯେଉଁଥିରେ ପର୍ଯ୍ୟାବରଣ ସୁରକ୍ଷା ପାଇଁ ବୃକ୍ଷରୋପଣ, ସାମାଜିକ ସମରସତା ମାଧ୍ୟମରେ ମାତୃଭୂମିର ସୁରକ୍ଷା, ସ୍ୱଦେଶୀ ବସ୍ତୁ ବ୍ୟବହାର କରି ରାଷ୍ଟ୍ରର ଉନ୍ନତି, କୁଟୁମ୍ବ ପ୍ରବୋଧନ ଅଧୀନରେ ପରିବାର ସହ ସହଭୋଜନ, ସହଭଜନ ଓ ସହ-ଭ୍ରମଣ ଏବଂ ସର୍ବୋପରି ନାଗରିକ କର୍ତ୍ତବ୍ୟ ପାଳନ ପାଇଁ ସମାଜକୁ ପ୍ରବର୍ତ୍ତାଇବା ଆଦି ବିଷୟ ସାମିଲ ଥିଲା।

ଏହି ସାରସ୍ୱତ ସମାରୋହରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଦସ୍ୟ ଶିବରାମ ଚୌଧୁରୀଙ୍କୁ ଉଲ୍ଲେଖନୀୟ ଖବର ସଂଗ୍ରହ ଓ ପ୍ରସାରଣ ପାଇଁ ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ମହର୍ଷି ନାରଦ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପ୍ରେସ୍ କ୍ଲବ୍ ଅନ୍ୟତମ ସହଯୋଗୀ ତଥା ଶୁଭାକାଂକ୍ଷୀ ପ୍ରଧାନଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଯୁବ ସମାଜସେବୀ ପପୁ ବେହେରା ଙ୍କ ସହ ପ୍ରେସ୍ କ୍ଲବ୍ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସୁଶାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ବିଭୁପାଦ ଜେନା, ପୂର୍ବତନ ସଭାପତି ମାଧବ ଚନ୍ଦ୍ର ଆପଟ, ଚନ୍ଦନ କୁମାର ସାହୁ, ଏ. ମନୋଜ କୁମାର ପାତ୍ର, ସୁରେଶ କୁମାର ସୁବୁଦ୍ଧି, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ସଦାଶିବ ପାଣିଗ୍ରାହୀ , ନବକିଶୋର ମହାରଣା,ତୋଫାନ କୁମାର ସାହୁ, ପ୍ରଦୀପ କୁମାର ଚୌଧୁରୀ, ନାରାୟଣ ପଣ୍ଡା ଓ ପଞ୍ଚାନନ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରମୁଖ ସହଯୋଗ କରିଥିଲେ।

Continue Reading

Leave a Reply

Your email address will not be published. Required fields are marked *