ଖୁବ ଶୀଘ୍ର ଭାରତ-ବାଂଲାଦେଶ ସୀମାରେ ଜାରି ରହିଥିବା ଉତ୍ତେଜନା ଉପରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଉଭୟ ଦେଶର ସୀମା ସୁରକ୍ଷା ଏଜେନ୍ସି ଦିଲ୍ଲୀରେ ଆୟୋଜିତ ଏକ ବୈଠକ ଏହି ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି। ଏହି ବୈଠକରେ ଅସାବଧାନତା ଏବଂ ବଳପୂର୍ବକ ସୀମା ପାର ହେବା ଏବଂ ସୀମାରେ ହେଉଥିବା ମୃତ୍ୟୁ ଭଳି ଘଟଣା ଉପରେ ଆଲୋଚନା ହୋଇଥିଲା। ଚଳିତ ମାସ ୮ ତାରିଖରୁ ୧୧ ପର୍ଯ୍ୟନ୍ତ ଦିଲ୍ଲୀ ସ୍ଥିତ ସୀମା ସୁରକ୍ଷା ବଳ ମୁଖ୍ୟାଳୟରେ ଭାରତ-ବାଂଲାଦେଶ ସୀମା ସମନ୍ୱୟ ରକ୍ଷା କରିବା ନେଇ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ସୀମାରେ ଶାନ୍ତି ବଜାୟ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସହମତି ହୋଇଥିଲା। ସୀମାପାର ଚୋରା ଚାଲାଣ, ଉଗ୍ରବାଦ, ଭାରତୀୟଙ୍କ ଉପରେ ଆକ୍ରମଣ ରୋକିବା ଏବଂ ଅନୁପ୍ରବେଶ ସମେତ ଅନେକ ସମ୍ବେଦନଶୀଳ ସୀମା-ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ।
ସୀମା ଆହୁରି ମଜବୁତ ହେବ ପାଟ୍ରୋଲିଂ
ଭାରତ-ବାଂଲାଦେଶ ସୀମାରେ ଶାନ୍ତି, ସ୍ଥିରତା ଏବଂ ସଦ୍ଭାବ ବଜାୟ ରଖିବା ପାଇଁ ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଉଭୟ ଦେଶର ସୁରକ୍ଷା ବାହିନୀ ମିଳିତ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା, ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ସତର୍କ ନଜର ରଖିବା, ସୀମା ପାର କାର୍ଯ୍ୟ କରୁଥିବା ଅପରାଧିକ ନେଟୱାର୍କ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ସହମତ ହୋଇଥିଲେ।
ଚୋରା ଚାଲାଣ ସହ ମାନବ ଚାଲାଣ ବିରୋଧରେ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ
ବୈଠକରେ ସୀମାପାର ଅପରାଧ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଯେଉଁଥିରେ ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର, ନକଲି ମୁଦ୍ରା, ସୁନା ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଚୋରା ଚାଲାଣ ଅନ୍ତର୍ଭୂକ୍ତ ରହିଛି। ଅବୈଧ ଅନୁପ୍ରବେଶ ଏବଂ ମାନବ ଚାଲାଣ ଉପରେ ଆଲୋଚନା ହୋଇଥିଲା।