ଚିରନ୍ତନ ବିକାଶ ଓ ପର୍ଯ୍ୟାବରଣ କର୍ମଶାଳା

ଚିରନ୍ତନ ବିକାଶ ଓ ପର୍ଯ୍ୟାବରଣ କର୍ମଶାଳା
ଭୁବନେଶ୍ୱର,୨୬/୪: ସ୍ୱଦେଶୀ ଜାଗରଣ ମଞ୍ଚ,ଓଡିଶା ତରଫରୁ ଦତ୍ତୋପନ୍ତ ଠେଙ୍ଗଡି ବିଚାର ପ୍ରବାହ ଆନୁକୂଲ୍ୟରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଚିରନ୍ତନ ବିକାଶ ଓ ପର୍ଯ୍ୟାବରଣ ଉପରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାର ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ପ୍ରାକ୍ତନ ରାଷ୍ଟ୍ରୀୟ ସଂଯୋଜକ ଅରୁଣ କୁମାର ଓଝା ପ୍ରକୃତିରୁ ମିଳୁଥିବା ଉପାଦାନର ସଦୁପଯୋଗ ତଥା ଭବିଷ୍ୟପୀଢି ପାଇଁ ଏହାର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ଏତଦ୍ ନିମନ୍ତେ ପଶ୍ଚିମର ଭୋଗବାଦୀ ଚିନ୍ତାଧାରାରୁ ନିବୃତ୍ତ ରହି ଭାରତୀୟ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ଆବଶ୍ୟକତା ଆଧାରିତ ଉପାଦାନ ଉପଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଓଝା ମତବ୍ୟକ୍ତ କରିଥିଲେ ।
ଭାରତୀୟ ମଜଦୁର ସଂଘର ପ୍ରାକ୍ତନ ସଂଗଠନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ମହାନ ଅର୍ଥନୀତିଜ୍ଞ ଦତ୍ତୋପନ୍ତ ଠେଙ୍ଗଡିଙ୍କ ଜୀବନ ଓ ବିଚାର ଉପରେ ଆଲୋକପାତ କରିଥିଲେ ।
ଆଇଆଇଟି ଗୌହାଟିର ପ୍ରାଧ୍ୟାପକ ଶୁଭାଶିଷ ଦତ୍ତ ଜଳର ସଦୁପଯୋଗ, ସଂରକ୍ଷଣ ଉପରେ ନିଜର ମତ ରଖିଥିଲେ ।
ଯାଦବପୁର ୟୁନିଭରସିଟି, ପଶ୍ଚିମବଙ୍ଗର ଅବସରପ୍ରାପ୍ତ ବୈଜ୍ଞାନିକ ତୁଷାରକାନ୍ତ ଚକ୍ରବର୍ତ୍ତୀ ଅକ୍ଷୟ ଶକ୍ତିର ବିକାଶ ତଥା ସବୁଜ ଶକ୍ତିର ବ୍ୟବହାର ଏବଂ ପ୍ରକୃତିକୁ ପ୍ରଦୂଷିତ କରୁଥିବା ଶକ୍ତିର ଉତ୍ସମାନଙ୍କୁ ସମାପ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଓୟୁଏଟିର ପ୍ରାକ୍ତନ ଅଧ୍ୟକ୍ଷ କୁମ୍ଭକର୍ଣ୍ଣ ରାଉତ ଭୂମିର ସୁପୋଷଣ ଉପରେ ଗୁରୁତ୍ୱାରୋପ କରିବା ସହ ଆସନ୍ତା ଅନେକ ଶତାବ୍ଦୀ ଯାଏଁ ଭୂମିକୁ ସୁପୋଷିତ ରଖିବା ବିଷୟରେ ମତବ୍ୟକ୍ତ କରିଥିଲେ ।
ବିଶିଷ୍ଟ ପରିବେଶବିତ୍ ଡ.ଜୟକୃଷ୍ଣ ପାଣିଗ୍ରାହୀ ସହରୀକରଣର ପରିବେଶ ପ୍ରଭାବ ଉପରେ ବିଚାର ପ୍ରକଟକରି ଅପରିକଳ୍ପିତ ସହରୀକରଣର ଭବିଷ୍ୟତ ପିଢି ଉପରେ ପ୍ରଭାବ ବିଷୟରେ ମତ ପ୍ରକଟ କରିଥିଲେ ।
ବିଶ୍ୱ ଇଞ୍ଜିନିୟରିଂ ଫେଡ୍ରେସନର ପ୍ରାକ୍ତନ ସଭାପତି ଅଶୋକ କୁମାର ପାଶା ଦୃତ୍ତ ସହରୀକରଣ ଏବଂ ପରିବେଶ ଅନୁକୂଳ ବିକାଶ ଉପରେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରାକ୍ତନ ରାଷ୍ଟ୍ରୀୟ ସହସଂଯୋଜକ ସରୋଜ ମିତ୍ର ଚିରନ୍ତନ ବିକାଶରେ ଆମର ଭୂମିକା ଉପରେ ନିଜର ମତବ୍ୟକ୍ତ କରିଥିଲେ ।
ରାଷ୍ଟ୍ରୀୟ ସମ୍ପର୍କ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଆଗାମୀ ପିଢିପାଇଁ ପ୍ରାକୃତିକ ଉପାଦାନର ଉପଲବ୍ଧତା ଏବଂ ସୁସ୍ଥ ଜୀବନ ପାଇଁ ସମାଜକୁ ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ ।
ଠେଙ୍ଗଡି ବିଚାର ପ୍ରବାହର ଆବାହକ ଗୋକୁଳାନନ୍ଦ ଜେନା, କ୍ଷେତ୍ରୀୟ ସଂଯୋଜକ ଆଶୁତୋଷ ମୁଖାର୍ଜୀ, ପ୍ରାନ୍ତ ସଂଯୋଜକ ଶ୍ରୀନିବାସ ରାଓ, ପ୍ରାନ୍ତ ସହସଂଯୋଜକ ଆତିଦ୍ୟ ମହାପାତ୍ର ଓ ପ୍ରଶାନ୍ତ ଭୁଇଁଆ, ପ୍ରାନ୍ତ ସମନ୍ୱୟକ ବିଜୟ ରାଉତରାୟ ଓ ପ୍ରାନ୍ତ ପ୍ରଚାର ପ୍ରମୁଖ ତପନ କୁମାର ନାୟକ, ପ୍ରାନ୍ତ ସଂଗଠନ ମନ୍ତ୍ରୀ ରାଜେଶ ଦାଶ, ପ୍ରସାଦ ବେହେରା, ଜେ ନିହାର ରଞ୍ଜନ ଆଦି ଉପସ୍ଥିତ ରହି କର୍ମଶାଳାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *