ଫୋରେନସିକ ରିପୋର୍ଟ ଆସିବା ପରେ ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାର ଗୁମର ଖୋଲିବ

ଏନ୍‌ଆଇଏ ତଦନ୍ତ ଆରମ୍ଭ; ପ୍ରେମିକା ସମେତ ୬ ଜଣଙ୍କୁ ଜେରା
ଭୁବନେଶ୍ବର: ସୁନ୍ଦରପଦା ବୋମା ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) । ମୁଖ୍ୟ ଅଭିଯୁକ୍ତ ସହନୱାଜ ମଲିକ ଓରଫ ମଫିର ମୃତ୍ୟୁ ପରେ ଏନ୍‌ଆଇଏ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ମଫିର ପ୍ରେମିକା ସମେତ ୬ଜଣଙ୍କୁ ତଦନ୍ତକାରୀ ସଂସ୍ଥା ଜେରା କରିଛି। କମିସନରେଟ ପୁଲିସ ଠାରୁ ସମସ୍ତ ତଥ୍ୟ ମଧ୍ୟ ନେଇଛି। ମୃତ ମଫିର ଆନ୍ତଃରାଜ୍ୟ ଲିଙ୍କ୍ ଓ ଜବତ ଆରଡିଏକ୍ସ(ବିସ୍ଫୋରକ ସାମଗ୍ରୀ) କୁ ନେଇ ଏନ୍‌ଆଇଏ ତନାଘନା ଚଳାଇଛି । ମଫିର ଅପରାଧ ସାମ୍ରାଜ୍ୟରେ ଏକାଧିକ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଏନ୍‌ଆଇଏ ଚିଠା ପ୍ରସ୍ତୁତ କରିଥିବା ସୂଚନା ମିଳିଛି।
ଗତ ଜାନୁଆରୀ ୨୭ରେ ଏୟାରଫିଲ୍ମ ଥାନା ସୁନ୍ଦରପଦାସ୍ଥିତ ଆଜାଦ ନଗରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ମଫି ଓ ତା’ ମା’ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ବୋମା ପ୍ରସ୍ତୁତିରେ ଆରଡିଏକ୍ସ ବ୍ୟବହାର ହେବା ଚିନ୍ତାର କାରଣ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏପରି ପ୍ରମାଣ ପାଇବା ପରେ ମଫିର ଅପରାଧ ସାମ୍ରାଜ୍ୟକୁ ନେଇ ସନ୍ଦେହ ବଢ଼ିଥିଲା। ଏନ୍‌ଆଇଏ ଏନେଇ ମାମଲା ରୁଜୁ କରିବା ସହ ତଦନ୍ତର ପୂର୍ଣ୍ଣ ଭାର କମିସନରେଟ ପୁଲିସ ହାତରୁ ନେଇଛି। ଜବତ ହୋଇଥିବା ବିସ୍ଫୋରକ ଆରଡିଏକ୍ସର ବ୍ୟବହାର, ମଫିର ଆନ୍ତଃରାଜ୍ୟ ଲିଙ୍କ୍, ପୂର୍ବର ଅପରାଧ୍ଵ ମାମଲା ସମ୍ପର୍କରେ ଏନ୍‌ଆଇଏ ଅଧିକ ଖୋଳତାଡ଼ କରୁଛି । ଏତେ ପରିମାଣର ଆରଡିଏକ୍ସ କେଉଁଠାରେ ବ୍ୟବହାର ହୋଇଥାନ୍ତା ସେ ସମ୍ପର୍କରେ ଜାଣିବା ପାଇଁ ଏକାଧ୍ଵକ ଲୋକଙ୍କୁ ପଚରାଉଚରା ଚଳାଇଛି। ବିସ୍ଫୋରଣ ସ୍ଥଳରୁ ନମୁନା ସଂଗ୍ରହ କରାଯାଇ ରାଜ୍ୟ ଫୋରେନ୍‌ସିକ ଲାବ୍‌କୁ ପଠାଯାଇଥିଲା। ଫୋରେନସିକ ରିପୋର୍ଟ ଆସିବା ପରେ ବୋମା ବିସ୍ଫୋରଣର ଗୁମର ଖୋଲିବ ବୋଲି ଏନ୍‌ଆଇଏ ଆଶା ରଖୁଛି ।

Leave a Reply