ଭାରତୀୟ ସମୟ ଗଣନାର ବୈଜ୍ଞାନିକ ଦୃଷ୍ଟିକୋଣ
ଭାରତ ଏକ ପୁରାତନ ରାଷ୍ଟ୍ର । ଏହି ସାଂସ୍କୃତିକ ରାଷ୍ଟ୍ରର ଏକ ସ୍ୱତନ୍ତ୍ର ନିଜସ୍ୱ କାଳଗଣନା ପଦ୍ଧତି ଅଛି । ଦେଶର ସରକାର ତାହାରି ଆଧାରରେ ରାଷ୍ଟ୍ରୀୟ ପଞ୍ଜିକା ପ୍ରସ୍ତୁତ କରୁଛନ୍ତି । ଏସମସ୍ତ ବିଷୟ ସ୍ୱାଧୀନତା ପରପିଢୀ ଉପରେ ପ୍ରଭାବ ପକାଇ ପାରିନାହିଁ । ଏହାର ମୁଖ୍ୟକାରଣ ଭାରତୀୟ ବିଜ୍ଞାନ ସମ୍ମତ କାଳଗଣନା ପଦ୍ଧତି ବିଷୟରେ ଭାରତୀୟ ମାନଙ୍କର ଅଜ୍ଞାନତା । ଯାହାର ପରିଣାମ ବିଦେଶୀ ନବ ବର୍ଷ ପାଳନ କରି ଆମେ ସାଂସ୍କୃତିକ ଦାସତ୍ୱରେ ଆବଦ୍ଧ ହୋଇ ଯାଇଛୁ ।
ବିଶ୍ୱରେ କାଳଗଣନା ପାଇଁ ଭିନ୍ନ ଭିନ୍ନ ପଦ୍ଧତିର ପ୍ରଚଳନ ଅଛି । ସେହିପରି ଭାରତରେ ନବବର୍ଷ ଚୈତ୍ରଶୁକ୍ଲ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । ଚୈତ୍ରଶୁକ୍ଳ ପ୍ରତିପଦା ତିଥର ଧାର୍ମିକ ପୌରାଣିକ ଏବଂ ଐତିହାସିକ ମହତ୍ୱ ରହିଛି । ଭାରତୀୟ କାଳଗଣନା ଅନ୍ୟ ସମସ୍ତ କାଳଗଣନା ପଦ୍ଧତିଠାରୁ ଅଧିକ ନିଭୂଲ ତଥା ବିଜ୍ଞାନସମ୍ମତ । ଏହାର ଶ୍ରେଷ୍ଠତା ସ୍ୱତଃସିଦ୍ଧ ହୋଇଥାଏ।
ବ୍ରହ୍ମପୁରାଣରେ ଲେଖାଅଛି ଯେ ଚୈତ୍ରେମାସେ ଜଗତ୍ ବ୍ରହ୍ମା ସସର୍ଜ ପ୍ରଥମେ -ହନି । ଅର୍ଥାତ ଚୈତ୍ରମାସର ପ୍ରଥମ ଦିନରେ ସ୍ୱୟଂବ୍ରହ୍ମା ସୃଷ୍ଟି ରଚନା କରିଥିଲେ । ସତ୍ୟଯୁଗରେ ଏହି ତିଥିରେ ଭଗବାନ ବିଷ୍ଣୁ ମସ୍ୟାବତାର ଗ୍ରହଣ କରିଥିଲେ । ଅର୍ଥବେଦରେ (୩-୯–୧୦)ରେ ଉଲ୍ଲେଖ ଅଛି ସମ୍ବତ୍ସରସ୍ୟ ପ୍ରତିମା ୟାଂ ତାଂ ରାତୁ ପାସ୍ୟହେ । ସା ନ ଆୟୁଷ୍ଠିତି ପ୍ରଜା ରାୟ ସୋଷେଣ ସଂସୃଜ । ଅର୍ଥାତ ସମ୍ବତ୍ସର ପ୍ରତିମାସ୍ୱରୂପ ଆମେ ଯେଉଁ ଇଶ୍ୱରଙ୍କର ଉପାସନା କରୁଛନ୍ତି ସେ ପ୍ରଜାମାନଙ୍କୁ ଦୀର୍ଘାୟୁ ଏବଂ ଧନ ସହିତ ଆମକୁ ପାଳନ କରନ୍ତି ।
କାଳଗଣନାରେ ଛୋଟରୁ ଛୋଟ ଓ ବଡରୁ ବଡ ଗଣନା ଭାରତୀୟ ବୈଜ୍ଞାନିକ ମାନଙ୍କର ବିଶ୍ୱ କୁ ଏକ ବିଶେଷ ଅବଦାନ । ବରାହମିହିର, ଆର୍ଯ୍ୟଭଟ୍ଟ ଓ ଭାସ୍କରାଚାର୍ଯ୍ୟଙ୍କ ଭଳି ଆଧୁନିକ ଯୁଗର ବୈଜ୍ଞାନିକମାନେ ନିଜ ନିଜର ଗ୍ରନ୍ଥରେ ଏହାର ସବିଶେଷ ବର୍ଣ୍ଣନା କରିଛନ୍ତି ଖଗୋଳ ବିଜ୍ଞାନରେ ସୃଷ୍ଟିକୁ ପଞ୍ଚମଣ୍ଡଳୀୟ କ୍ରମରେ ଭାରତୀୟ ବୈଜ୍ଞାନିକମାନେ ଖୋଜିବା ଆରମ୍ଭ କରିଥିଲେ । କ୍ରମାନ୍ୱୟରେ ଏଗୁଡିକ ହେଲା –ଚନ୍ଦ୍ର ମଣ୍ଡଳ, ପୃଥିବୀ ମଣ୍ଡଳ, ସୂର୍ଯ୍ୟ ମଣ୍ଡଳ,ପରମେଖି ମଣ୍ଡଳ ଓ ସ୍ୱୟଂଭୂ ମଣ୍ଡଳ । ଏହି ସମସ୍ତ ମଣ୍ଡଳ ଉତ୍ତରତ୍ତୋର ପରିକ୍ରମଣ କରିଆସୁଛନ୍ତି । ଏହି ପରିକ୍ରମଣକୁ ଆଧାରକରି ଭାରତରେ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରମାସର ଗଣନା ପଦ୍ଧତି ବିକଶିତ ହୋଇଛି । ଭାଗବତରେ ଭାରତୀୟ କାଳଗଣନା ପଦ୍ଧତିର ସୁନ୍ଦରବର୍ଣ୍ଣନା ଦେଖିବାକୁ ମିଳେ । ଭାରତୀୟକାଳଗଣନାର କ୍ଷୁଦ୍ରତ୍ତମ ଭାଗ ହେଉଛି ପରମାଣୁ । ଭାଗବତ ଅନୁସାରେ ଭାରତରେ କାଳର ଅତ୍ୟନ୍ତ ସୁକ୍ଷ୍ମତମ ବିଚାର କରାଯାଇଥିଲା । ଯେପରି
୨ ପରମାଣୁ = ୧ ଅଣୁ, ୩ ଅଣୁ =୧ ତ୍ରସରେଣୁ,।
୩ ତ୍ରସରେଣୁ = ୧ ତ୍ରୁଟି, ୧୦୦ ତୃଟି =୧ ବେଧ,
୩ ବେଧ =୧ ଲବ, ୩ଲବ =୧ ନିମିଷ,
୩ ନିମିଷ = ୧ କ୍ଷଣ, ୫କ୍ଷଣ =୧ କାଷ୍ଠା,
୧୫ କାଷ୍ଠା = ୧ ଲଘୁ, ୧୫ ଲଘୁ =୧ ନାଡିକା,
୨ ନାଡିକା =୧ ମୂହୁର୍ତ୍ତର୍, ୩୦ ମୂହୂର୍ତ୍ତ = ୧ ଅହୋରାତ
(୧ ତ୍ରୁଟି =୧/୩୩୭୫୦ ସେକେଣ୍ଡ । ଭାରତୀୟ ମାନେ କାଳର କେତେ ସୂକ୍ଷ୍ମ ଗଣନା କରିବାକୁ ସକ୍ଷମ ହୋଇଥିଲେ ଏହା ତାହାର ଏକ ନମୁନା ।)
ସେହିପରି କାଳର ମଧ୍ୟ ବୃହତ୍ତମ ଗଣନା କରିବାକୁ ଭାରତୀୟ ବିଜ୍ଞାନୀମାନେ ସକ୍ଷମ ହୋଇପାରିଥିଲେ । ଭାରତୀୟ କାଳଗଣନାର ବୃହତ୍ତମ ଗଣନା ପ୍ରାୟ ଯୁଗଗଣନା ଠାରୁ ଆରମ୍ଭ ହୋଇଥାଏ । କଳି, ଦ୍ୱାପର, ତ୍ରେତା ଓ ସତ୍, ଏପରି ଚାରୋଟି ଯୁଗର ବିବେଚନା କରାଯାଇଛି । ଦ୍ୱାପର ଯୁଗର ଅବଧି କଳି ଯୁଗର ଦୁଇଗୁଣ ହୋଇଥିବାବେଳେ ତ୍ରେତା ତିନିଗୁଣ ଓ ସତ୍ୟ ଚାରିଗୁଣ ଏପରି ଗଣନାକରାଯାଇ ଯୁଗର ବିବେଚନା କରାଯାଇଛି ।
କଳିଯୁଗ = ୪୩୨୦୦୦ ବର୍ଷ
ଦ୍ୱାପରଯୁଗ =୮୬୪୦୦୦ ବର୍ଷ
ତ୍ରେତା =୧୨୯୬୦୦୦ ବର୍ଷ
ସତ୍ୟଯୁଗ =୧୭୨୮୦୦୦ ବର୍ଷ
ଚାରିଯୁଗର କାଳାବଧିକୁ ଗୋଟିଏ ମହାଯୁଗ କୁହାଯାଏ । ମହାଯୁଗର କାଳବଧି ୪୩,୨୦,୦୦୦ ବର୍ଷ । ୭୧ ମହାଯୁଗ ଓ ଗୋଟିଏ ସତ୍ୟଯୁଗ ମିଶି ଏକ ମନ୍ୱନ୍ତର ହୁଏ । ପରମେଷ୍ଠି ମଣ୍ଡଳ ବା ଆକାଶଗଙ୍ଗାକୁ ଥରେ ଭ୍ରମଣ କରିବାପାଇଁ ସୂର୍ଯ୍ୟ ଯେତିକି ସମୟ ନିଅନ୍ତି ତାହାକୁ ଗୋଟିଏ ମନ୍ୱନ୍ତର କୁହାଯାଏ । ୧୪ ମନ୍ୱନ୍ତର ଓ ଗୋଟିଏ ସତ୍ୟଯୁଗ ମିଶିଲେ ଗୋଟିଏ କଳ୍ପ ହୁଏ । ଗୋଟିଏ କଳ୍ପ ଅର୍ଥାତ ୧୦୦୦ ମହାଯୁଗ ଅର୍ଥାତ ୪,୩୨,୦୦,୦୦,୦୦୦ ବର୍ଷ । ଦୁଇଟି କଳ୍ପମିଶି ବ୍ରହ୍ମାଙ୍କର ଗୋଟିଏ ଦିନ ହୁଏ । ବ୍ରହ୍ମାଙ୍କର ଆୟୁ ୧୦୦ ବର୍ଷ ବୋଲି ବିବେଚନା କରାଯାଇଛି ୧୦୦ ବର୍ଷରେ ଗୋଟିଏ ମହାକଳ୍ପ ହୁଏ । ଗୋଟିଏ ମହାକଳ୍ପ ଯାହ ୩,୧୧,୦୪,୦୦,୦୦,୦୦, ୦୦୦ ବର୍ଷ ସହ ସମାନ । ବର୍ତ୍ତମାନ ଶ୍ୱେତ ବର ହ କଳ୍ପର ବୈବଶ୍ୱତ ମନ୍ୱନ୍ତରର ୨୮ ମହାଯୁଗର କଳିଯୁଗ ଚାଲୁଅଛି । ୨୦୨୬ ମାର୍ଚ୍ଚ ୧୯ ଗୁରୁବାର ଦିନ ଯୁଗାବ୍ଦ ୫୧୨୭ ବିତିଯାଇ ଆଗାମୀ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଯୁଗାବ୍ଦ ୫୧୨୮ର ଶୁଭାରମ୍ଭ ହେବ । ରାଷ୍ଟ୍ରୀୟ ନବବର୍ଷର ଶୁଭାରମ୍ଭ ହେବା ଅବସରରେ ଭାରତ ସରକାର ରାଷ୍ଟ୍ରୀୟ ପଞ୍ଜିକା ପ୍ରସ୍ତୁତ କରିଥାନ୍ତି ଏବଂ ସାରାଦେଶରେ ଉପଲବ୍ଧ କରାଇଥାନ୍ତି ।
-ଗୋଲଖ ଚନ୍ଦ୍ର ଦାସ