ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ସମୟସୀମା ମଧ୍ୟରେ ବନ୍ଧା ହୋଇପାରିବେ ନାହିଁ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ବିଲ୍ ଅନୁମୋଦନ କରିବା ସମୟରେ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ସମୟସୀମା ମଧ୍ୟରେ ବନ୍ଧା ହୋଇପାରିବେ ନାହିଁ। ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ କାର୍ଯ୍ୟକଳାପ, କୋର୍ଟରେ ବିଚାରଯୋଗ୍ୟ ନୁହେଁ ଏବଂ ଏକ ବିଲ୍ ଆଇନରେ ପରିଣତ ହେବା ପରେ ଯାଇ ତା’ର ନ୍ୟାୟିକ ସମୀକ୍ଷା କରାଯାଇପାରିବ। ତାମିଲନାଡୁ ରାଜ୍ୟପାଳ ମାମଲାରେ ଦୁଇଜଣିଆ ଖଣ୍ଡପୀଠ ଦେଇଥିବା ରାୟ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମ୍‌କୋର୍ଟଙ୍କୁ ପ୍ରଶ୍ନ କରିବା ପରେ ଏହି ରାୟ ଆସିଛି। ପୂର୍ବୋକ୍ତ ରାୟରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ବିଲ୍ ଅନୁମୋଦନ ଲାଗି ସମୟସୀମା ଧାର୍ଯ୍ୟ କରାଯାଇଥିଲା। 

ଭାରତର ପ୍ରଧାନ ବିଚାରପତି ବିଆର୍ ଗୱାଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ଖଣ୍ଡପୀଠ ଆଜି କହିଛନ୍ତି ଯେ ସମୟସୀମା ଲାଗୁ କରିବା ସମ୍ବିଧାନର ସମ୍ପୂର୍ଣ୍ଣ ବିପରୀତ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ବିକ୍ରମ ନାଥ, ଜଷ୍ଟିସ୍‌ ପିଏସ୍ ନରସିଂହ ଓ ଜଷ୍ଟିସ୍‌ ଏଏସ୍ ଚନ୍ଦୁରକର ମଧ୍ୟ ଏହି ବେଞ୍ଚରେ ରହିଥିଲେ। ଦୁଇଜଣିଆ ଖଣ୍ଡପୀଠଙ୍କ ରାୟରେ ଦିଆଯାଇଥିବା ‘ସହମତି ବୋଲି ଧରିନିଆଯିବ’ ସମ୍ବନ୍ଧୀୟ ଯୁକ୍ତିକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ତେବେ ବିଲ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଲେ ତାହାର ସମୀକ୍ଷା ହୋଇପାରିବ ବୋଲି କୋର୍ଟ କହିଛନ୍ତି।

ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ତାମିଲନାଡୁ ରାଜ୍ୟ ବନାମ ତାମିଲନାଡୁ ରାଜ୍ୟପାଳ’ ମାମଲାରେ ରାୟ ଶୁଣାଇଥିଲେ। ରାଜ୍ୟପାଳ ଆର୍‌ଏନ୍ ରବି ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ଟି ବିଲ୍‌ ପକାଇ ରଖିଥିବାରୁ କୋର୍ଟ ସେଗୁଡ଼ିକୁ ଅନୁମୋଦିତ ବୋଲି ଧରିନିଆଯିବ ବୋଲି ଘୋଷଣା କରିଥିଲେ। ଏଇଥିରୁ ବିତର୍କର ସୂତ୍ରପାତ ହୋଇଥିଲା। ପରେ ସମ୍ବିଧାନର ଧାରା ୧୪୩ ଅନୁଯାୟୀ ଅଦାଲତଙ୍କ ମତାମତ ଲୋଡ଼ି ରାଷ୍ଟ୍ରପତି ପ୍ରଶ୍ନ କରିଥିଲେ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମ୍ବିଧାନରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନ ଥିବା ବେଳେ ସମ୍ବିଧାନର ଧାରା ୨୦୦ ଅନୁଯାୟୀ କୋର୍ଟ ଏପରି କରିବାକୁ କ୍ଷମତାପ୍ରାପ୍ତ କି? ଆଜି ସାମ୍ବିଧାନିକ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି, ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଯୋଗ୍ୟତାକୁ କୋର୍ଟ ଯାଞ୍ଚ କରିପାରିବେ ନାହିଁ। କିନ୍ତୁ ଦୀର୍ଘ, ଅସ୍ପଷ୍ଟ ଓ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷ୍କ୍ରିୟତା ନିଶ୍ଚିତ ଭାବରେ ସୀମିତ ନ୍ୟାୟିକ ଯାଞ୍ଚକୁ ଆମନ୍ତ୍ରଣ କରିବ। କୌଣସି ସାମ୍ବିଧାନିକ ଅଙ୍ଗ କିମ୍ବା କର୍ତ୍ତୃପକ୍ଷ ଏକା ଏକା କାର୍ଯ୍ୟ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। 

Leave a Reply

Your email address will not be published. Required fields are marked *