ସବୁ ପଦକ୍ଷେପ ଓ ସଚେତନତା କରାଯାଉଥିବା ସତ୍ତ୍ବେ ରାଜ୍ୟରେ ବେଆଇନ ଗୋଚାଲାଣ ବଢ଼ିବାରେ ଲାଗିଛି

ଓଡ଼ିଶାରୁ ଝାଡ଼ଖଣ୍ଡ ଲମ୍ବିଛି ଗୋମାଫିଆଙ୍କ କାରବାର
ରାଉରକେଲା:ଗୋସୁରକ୍ଷା ତଥା ଗୋଚାଲାଣ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ନାନା ପଦକ୍ଷେପ ନିଆଯାଉଛି। ଏତେ ସବୁ ପଦକ୍ଷେପ ଓ ସଚେତନତା କରାଯାଉଥିବା ସତ୍ତ୍ବେ ରାଜ୍ୟରେ ବେଆଇନ ଗୋଚାଲାଣ ବଢ଼ିବାରେ ଲାଗିଛି। ଗୋମାଫିଆମାନେ ଭିନ୍ନ ଭିନ୍ନ ଉପାୟରେ ବେଆଇନ ଭାବେ ଗୋଚାଲାଣ କରିବାରେ ଲାଗିଛନ୍ତି। ବିଶେଷ କରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଗୋଚାଲାଣର ପେଣ୍ଠ ପାଲଟିଛି। ସୀମାନ୍ତ ଅଞ୍ଚଳର ଗାଁ ହାଟରେ ସ୍ଥାନୀୟ ବେପାରୀମାନେ ଗୋରୁ କିଣି ପଡ଼ୋଶୀ ଝାଡ଼ଖଣ୍ଡ, ବିହାର ଅଞ୍ଚଳକୁ ଖୁଲମଖୁଲା ଚାଲାଣ କରିବାରେ ଲାଗିଛନ୍ତି । ସବୁଠାରୁ ଉଦ୍‌ବେଗର ବିଷୟ ଯେ, ଓଡ଼ିଶା ସୀମାବର୍ତ୍ତୀ ବା ଓଡ଼ିଶାର ବିଭିନ୍ନ ସାପ୍ତାହିକ ହାଟରୁ ଗୋରୁ କିଣିବା ଏବଂ ସେଗୁଡ଼ିକୁ ଝାଡ଼ଖଣ୍ଡ, ବିହାରକୁ ଚାଲାଣ ସ୍ଥାନୀୟ ଗୋବେପାରୀ କରୁଥିଲେ ହେଁ, ଏସବୁ ପାଇଁ ଫାଣ୍ଡି, ଥାନା, ସ୍ଥାନୀୟ ଦଲାଲ ଓ ଅସାମାଜିକ ବ୍ୟକ୍ତିଙ୍କ କଥା ବୁଝିବା ପାଇଁ ମୋଟା ଅଙ୍କର ଚାନ୍ଦା ଦେବା କାର୍ଯ୍ୟ ଝାଡ଼ଖଣ୍ଡ ଲୋକ ପରିଚାଳନା ତଥା ନିୟନ୍ତ୍ରଣ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଝାଡ଼ଖଣ୍ଡର ଜଣେ ଜଣାଶୁଣା ଗୋମାଫିଆଙ୍କ କବ୍‌ଜାରେ ଓଡ଼ିଶା ସୀମାବର୍ତୀ ଗୋଚାଲାଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହେଉଛି। ଗୋରୁ କିଣାବିକା ଠାରୁ ଆରମ୍ଭ କରି କାହା ଜରିଆରେ ଏବଂ କେଉଁଭଳି ଚାଲାଣ କରାଯିବ ସେ ନେଇ ଝାଡ଼ଖଣ୍ଡର ମାଫିଆ ସ୍ଥିର କରନ୍ତି। ଏଥିପାଇଁ ଓଡ଼ିଶାର ବିଭିନ୍ନ ଅଂଚଳର ଗୋରୁ ବେପାରୀମାନଙ୍କୁ ଦାୟିତ୍ବ ଦିଆଯାଇଥାଏ । ସେମାନଙ୍କ ଗୋଚାଲାଣ କ୍ଷେତ୍ରରେ ମୁଣ୍ଡ ପିଛା ଟଙ୍କା ପ୍ରଦାନ କରାଯାଇଥାଏ। ଯିଏ ଏହି କାର୍ଯ୍ୟରେ କୌଣସି ସମସ୍ୟା ସୃଷ୍ଟି କଲା କିମ୍ବା ପ୍ରଶାସନ ସହ ଖାପଖୁଆଇବାରେ ଅସୁବିଧା ସୃଷ୍ଟି ହେଲା, ସେ କ୍ଷେତ୍ରରେ ଝାଡ଼ଖଣ୍ଡର ଗୋମାଫିଆ ଜଣକ ତୁରନ୍ତ ତାଙ୍କୁ ସେଠାରୁ ହଟାଇ ଅନ୍ୟ ବେପାରୀଙ୍କୁ ଦାୟିତ୍ଵ ଦେଇଥାନ୍ତି। ଏଭଳି ସ୍ଥିତିରେ ପରସ୍ପର ମଧ୍ୟରେ ମତାନ୍ତର, ମନାନ୍ତର ହୋଇଥାଏ। ଏପରି କି ପରବର୍ତ୍ତୀ ମୁହୂର୍ତ୍ତରେ ତାହା ହତ୍ୟାକାଣ୍ଡର ରୂପ ମଧ୍ୟ ନେଇଥାଏ। ଆଉ ଏହି ସବୁ ଘଟଣାର ପରିଚାଳନା ତଥା ନିୟନ୍ତ୍ରଣ ରହିଥାଏ ଝାଡ଼ଖଣ୍ଡ ଗୋମାଫିଆଙ୍କ ନିକଟରେ। ଯାହାର ପରିଣାମ ସଦୃଶ୍ୟ ଗୋଚାଲାଣ ଓ ବ୍ୟବସାୟିକ ଶତ୍ରୁତା ବଢ଼ିବାରେ ଲାଗିଛି। ଅନ୍ୟପଟେ ଗୋଚାଲାଣକୁ ନେଇ କୌଣସି ଗୋପ୍ରେମୀ କିମ୍ବା ସାଧାରଣ ଲୋକେ ବିରୋଧ କଲେ ସେମାନଙ୍କୁ ଧମକ ମିଳିଥାଏ। ଏଭଳି ପରିସ୍ଥିତିରେ ଲୋକେ ନିରବ ରହିବାକୁ ବାଧ୍ୟ ହୁଅନ୍ତି। ବର୍ତମାନ ପରିସ୍ଥିତିରେ ଗୋଚାଲାଣ ଝାଡ଼ଖଣ୍ଡର କେତେଜଣ ଗୋମାଫିଆଙ୍କ ମୁଖ୍ୟ ବ୍ୟବସାୟ ପାଲଟିଥିବାବେଳେ ଓଡ଼ିଶା ସୀମାନ୍ତ ବେପାରୀମାନେ ମଧ୍ୟ ସେମାନଙ୍କ ଛତ୍ରଛାୟାରେ ରହି ଏଥିରେ ସକ୍ରିୟ ରହୁଛନ୍ତି। ତେଣୁ ଏହାକୁ ଏବେଠାରୁ ନ ରୋକିଲେ ଓଡ଼ିଶା ସୀମାନ୍ତ ଗାଁରେ ଆଗକୁ ଅଶାନ୍ତ ରୂପ ନେଇପାରେ। ପୁଲିସ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହା ଉପରେ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ଗୋପ୍ରେମୀଙ୍କ ମଧ୍ୟରେ ଦାବି ହେଉଛି। ଗୋଚାଲାଣ ବନ୍ଦ କରିବାକୁ ବଜରଙ୍ଗ ଦଳର କିଛି ଯୁବକର୍ମୀ ଦଶରଥ ସାହୁ, ଲଧା ସାହୁ, ପଙ୍କଜ ସାହୁ, ବିମଳ ସିଂ, ଶୁକ୍ରା ଅହିର ପ୍ରମୁଖ ବୀରମିତ୍ରପୁର ଏସ୍ତିପିଓ ସୁଶାନ୍ତ ଦାସଙ୍କୁ ଭେଟି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏସ୍‌ଡିପିଓଙ୍କ ନିକଟରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ବଜରଙ୍ଗ ଦଳର କର୍ମୀମାନେ କାର୍ଯ୍ୟାଳୟ ଛାଡ଼ିଥିଲେ। ଏନେଇ ଏସ୍ ଡି ପି ଓ ସୁଶାନ୍ତ ଦାଶ କହିଛନ୍ତି ଯେ ଗୋଚାଲାଣ ରୋକିବାକୁ ଓଡ଼ିଶା ଓ ଝାଡ଼ଖଣ୍ଡ ଉଭୟ ରାଜ୍ୟର ପୁଲିସ ସହ ନିକଟରେ ଏକ ସମନ୍ଵୟ ବୈଠକ ହୋଇଥିଲା। ଏଥିରେ ଏକ ସ୍ବତନ୍ତ୍ର ଟିମ୍ ଗଠିତ ହୋଇ ଗୋଚାଲାଣ ରୋକିବାକୁ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *