ଭଦ୍ରକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ତମ ପ୍ରତିଷ୍ଠା ଦିବସ 

ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ବିଭିନ୍ନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ
ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ତମ ପ୍ରତିଷ୍ଠା ଦିବସ ତଥା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ ଅବସରରେ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ସହିତ ଧାମନଗର ମହାବିଦ୍ୟାଳୟ ଚରମ୍ପା ମହାବିଦ୍ୟାଳୟ ଏବଂ ବାସୁଦେବପୁର ନଗରରେ ପତାକା ଉତ୍ତୋଳନ ସହ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଛି। ଭଦ୍ରକ କଲେଜରେ ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପରିଷଦର ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ସମାଜ ଓ ରାଷ୍ଟ୍ର ନିର୍ମାଣରେ ଛାତ୍ର ସମାଜର ଗୁରୁ ଭୂମିକା ରହୁ। ଦେଶ ଗଠନରେ କୌଣସି ଜଣେ ବିଦ୍ୟାର୍ଥୀର ଅଂଶୀଦାର କମି ରହି ନ ଯାଉ। ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ପତାକା ଉତ୍ତୋଳନ କରି ବିଦ୍ୟାର୍ଥୀ ପରିଷଦର ଗଠନ, ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ଦୁର୍ଗା ଶଙ୍କର ଜେନା, ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ନେତା ତ୍ରିଲୋଚନ ବାରିକ, ଶୁଭମ ପାଢ଼ୀ, ପ୍ରିତୀମା ପଣ୍ଡା, ସଂଗ୍ରାମ ଜେନା, ଶୁଭଶ୍ରୀ ଦେବର୍ଜନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଚରମ୍ପା ମହାବିଦ୍ୟାଳୟ ପରିସରରେ ସଂଗଠନ ପକ୍ଷରୁ ପତାକା ଉତ୍ତୋଳନ ସହ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଏବିଭିପିର ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ବିଶ୍ଵନାଥ ଲାହା, ମନୋଜ କୁମାର ବାରିକ, ସମ୍ଭବ ପରିଡ଼ା, ସୁମିତ୍ରା ସେଠୀ ନେତୃତ୍ବ ନେଇଥିଲେ। ବାସୁଦେବପୁର ନଗରରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପରିଷଦର ପତାକା ଉତ୍ତୋଳନ ହୋଇଥିଲା। ଏଥିରେ ବିଭାଗ ଏସଏଫଏସ ସଂଯୋଜିକା ମାଧୁରୀ ରାଉତ, ଜିଲ୍ଲା ସହ ସଂଯୋଜିକା ପୂଜାରାଣୀ ମଲ୍ଲିକ, ଶୁଭମ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଧାମନଗର ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରମୁଖ ସ୍ବାଧୀନ ସୁନ୍ଦର ଦାସଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ତଥା ଏବିଭିପିର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏଥରେ ନଗର ସମ୍ପାଦକ ହିମାଂଶୁ ମହାରଣା, ସହ ସମ୍ପାଦକ ବିଶ୍ଵାସ ରଞ୍ଜନ ଜେନା ଏବଂ ଶୁଭମ ପରିଡ଼ା, ଆଲୋକ ଦାସ ଓ ବରଦା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ ହେବାକୁ ଥ‌ିବା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଅବସରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ପରିସରରେ ଏକାଧ୍ଵକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *