ସମସ୍ତେ ହାତେଇ ନେଇଛନ୍ତି ଭାରତୀୟ ପ୍ରମାଣପତ୍ର

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟକୁ ନେଇ ଅକଳରେ ପଡୁଛନ୍ତି ଅଧିକାରୀ | ଗଲା ଦଶଦିନ ଭିତରେ ବହୁ ଲୋକଙ୍କୁ ଅନୁପ୍ରବେଶକାରୀ ସନ୍ଦେହରେ ପୁଲିସ ଉଠାଇ ଆଣିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ କମିଟି ପଚରାଉଚରା ପରେ କେତେଜଣଙ୍କୁ ଛାଡ଼ି ଦେଇଥିଲା ବେଳେ ଆଉ କେତେଜଣଙ୍କୁ ଜେରା ଜାରି ରଖିଛି। କିନ୍ତୁ ଅନେକ ଅନୁପ୍ରବେଶକାରୀ ଦୁଇଦେଶର ପ୍ରମାଣପତ୍ର ରହିଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମସ୍ୟା ହେଉଛି ।
ଶେଷଥର  ପାଇଁ   ୨୦୦୪ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁପ୍ରବେଶକାରୀ ଚିହ୍ନଟ କରାଯାଇଥିଲା । ସେତେବେଳେ ସରକାରୀ ଭାବେ ମହାକାଳପଡ଼ା ବ୍ଲକ୍‌ରେ ୧୫୫୧, ପଟ୍ଟାମୁଣ୍ଡାଇରେ ୯୬ ଓ ରାଜନଗରରେ ୩୦ ବାଂଲା ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବା ସଂପର୍କରେ ପ୍ରଶାସନର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଥିଲା। ବର୍ତ୍ତମାନ ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ଥିବା କୁହାଯାଉଛି। ପରିବାରରେ ଗୋଟିଏ ବାପର ପୁଅ ନାଁ ବାଂଲାଦେଶୀ ତାଲିକାରେ ଥିଲା ବେଳେ ଅନ୍ୟ ଗୋଟିଏ ପୁଅ ଏବେ ଭାରତୀୟ ଭାବେ ସମସ୍ତ ସରକାରୀ ସୁବିଧାସୁଯୋଗ ହାତେଇଛି। ରାଜନଗର ବ୍ଲକ୍ ସାତଭାୟା ପଞ୍ଚାୟତ ଚାରିଘରିଆ ଗ୍ରାମର ତାରାପଦ ରପ୍ତାନିଙ୍କ ପରିବାର ହେଉଛନ୍ତି ଏହାର ସବୁଠୁ ବଡ଼ ଉଦାହରଣ । ବର୍ତ୍ତମାନ ଯେଉଁମାନଙ୍କୁ ସନ୍ଦେହରେ ଉଠାଇ ନିଆଯାଉଛି, ସେମାନେ ଭାରତୀୟ ନାଗରିକତା ପ୍ରମାଣପତ୍ର ସ୍ବରୂପ ଆଧାରକାର୍ଡ, ଭୋଟର୍ ପରିଚୟପତ୍ର ଦେଖାଇବା ସହ ଏଠାକାର ସ୍ଥାୟୀ ବାସିନ୍ଦା ବୋଲି ଦାବି କରୁଛନ୍ତି। ତେଣୁ ଅଧିକାରୀ ସେମାନଙ୍କ ମୂଳ ସ୍ଥାନ ଖୋଜି ବାହାର କରିବା କଷ୍ଟକର ହୋଇପଡୁଛି।
ଅନ୍ୟପକ୍ଷରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସନ୍ଦେହରେ ଅଣାଯାଉଥିବା ବ୍ୟକ୍ତିଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଅନେକ ବାପଅଜା ଅମଳରୁ ଏଠାରେ ଆସି ରହୁଥିବା ଦାବି କରୁଛନ୍ତି। ସେମାନେ ଆଧାରକାର୍ଡ, ଭୋଟର୍ ପରିଚୟପତ୍ର ମଧ୍ୟ ଦେଖାଉଛନ୍ତି। ଏହି ପରିଚୟପତ୍ର ତନଖିରେ ସନ୍ଦେହ ଉପୁଜିଲେ ତାହାକୁ ସେମାନେ କିଭଳି ହାତେଇଛନ୍ତି, ସେ ଦିଗରେ ଖୋଳତାଡ଼
କରାଯାଉଛି।

Leave a Reply