ବେଆଇନ ଗୋରୁ ଚାଲାଣ ରୋକିବା ପାଇଁ କୋରାପୁଟ ପୁଲିସର ଚଢ଼ଉ ଜାରି ରହିଛି

ଆନ୍ଧ୍ର ଚାଲାଣ ବେଳେ ୭୬ ଗୋରୁ ଉଦ୍ଧାର
କୋରାପୁଟ/ବୋରିଗୁମ୍ମା,: ବେଆଇନ ଗୋରୁ ଚାଲାଣ ରୋକିବା ପାଇଁ କୋରାପୁଟ ପୁଲିସର ଚଢ଼ଉ ଜାରି ରହିଛି। ନବରଙ୍ଗପୁର ଜିଲ୍ଲା ପଟୁ କୋରାପୁଟ ଜିଲ୍ଲା ଦେଇ ପ୍ରତିଦିନ ଆନ୍ଧ୍ର ଓ ତେଲଙ୍ଗାନାକୁ ଗୋରୁ ଚାଲାଣ ହେଉଛି। ଆଜି ନବରଙ୍ଗପୁର ଦେଇ ବୋରିଗୁମ୍ମାର ରାଣୀଗଡ଼ ଦେଇ ଆନ୍ଧ୍ରକୁ ଗୋଚାଲାଣ ବେଳେ ରାଣୀଗଡ ଗୁମାଛକ ନିକଟରେ ୭୬ଟି ଗୋରୁକୁ ଜବତ କରିଛି ବି.ସିଂହପୁର ଥାନା ଥାନା ପୁଲିସ |
ଜବତ ଗୋରୁ ମଧ୍ୟରେ ୫୮ଟି ବଳଦ ଓ ୧୮ଟି ଗାଈ ରହିଛନ୍ତି। ଜବତ ଗୋରୁଙ୍କୁ ଥାନାରେ ରଖାଯାଇଛି। ଏ ନେଇ ବି.ସିଂହପୁର ଥାନାରେ କେଶ୍ ନଂ- ୬୩/୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯିବା ସହିତ ଗୋଟିଏ ବାଇକ୍ ଜବତ କରାଯାଇଛି। ଏଥିସହ ଲାଜାର ବାରିକ, ଟୁନା ମାଛ ଓ କାର୍ତ୍ତିକଙ୍କୁ ଗିରଫ କରାଯାଇଛି। ସମସ୍ତ ଗୋରୁ ଜୟନ୍ତୀଗିରି ହାଟରୁ ରାଣୀଗଡ଼ ରାସ୍ତା ଓ କୁନ୍ଦୁଲି ହାଟ ଦେଇ ଆନ୍ଧ୍ରକୁ ଚାଲାଣ ହେବାର ଯୋଜନା ଥିଲା । ଏହି ଚଢ଼ଉରେ ବି.ସିଂହପୁର ଥାନା ଅଧିକାରୀ ଲିମରାଜ ପ୍ରଧାନ ଓ କର୍ମଚାରୀ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ପଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଘାଟିରୁ ଏକ ଗୋରୁ ବୋଝେଇ ଗାଡ଼ି ଓଲଟି ୨୦ଟି ଗୋରୁ ମୃତ୍ୟୁ ବରଣ କରିଥିଲେ। ସେହିପରି ଗତ ଦିନରେ କୋରାପୁଟ ଟାଉନ ଥାନା ପୁଲିସ ପକ୍ଷରୁ ୬ଟି ଗୋରୁ ବୋଝେଇ କଣ୍ଟେନର ଜବତ କରାଯିବା ସହିତ ପ୍ରାୟ ୨୪୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ଏଥିସହ ୨୨ ଜଣଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *