କେନ୍ଦ୍ରାପଡ଼ା, ୨୬/୪-କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ବାଂଲା ଅନୁପ୍ରବେଶକାରୀ ରହୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ । ନା’ ଚଢ଼ଉ ହେଉଛି ନା’ ସେମାନଙ୍କ ବେଆଇନ ଗତିବିଧି ଉପରେ ନଜର ରଖାଯାଉଛି। ଦୁଇ ଦଶନ୍ଧି ତଳେ ପ୍ରଶାସନ ପକ୍ଷରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ୍ ଜାରି କରାଯାଇଥିଲା। ମହାକାଳପଡ଼ା, ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଞ୍ଚଳରେ ରହୁଥିବା ଏହି ଅନୁପ୍ରବେଶକାରୀଙ୍କୁ ୩୦ଦିନ ଭିତରେ ଦେଶ ଛାଡ଼ିବାକୁ କୁହାଯାଇଥିଲା। ଇତିମଧ୍ୟରେ ୨୧ବର୍ଷ ବିତିଯାଇଥିଲେ ବି’ ଜଣେ ହେଲେ ଦେଶ ଛାଡ଼ି ଗଲେ ନାହିଁ ।ବହୁ ଅନୁପ୍ରବେଶକାରୀ ତଞ୍ଚକତା ପୂର୍ବକ ଏଠାରେ ସ୍ଥାୟୀ ପ୍ରମାଣପତ୍ର ହାତେଇ ନେଇଛନ୍ତି।
୨୦୦୪ ଫେବ୍ରୁଆରି ୨୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା |
ପାଖାପାଖି ଦଶମାସ ଏହି ଚିହ୍ନଟ ପ୍ରକ୍ରିୟା ଚାଲିଥିଲା | ସେହିବର୍ଷ ଡିସେମ୍ବରରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ସେଥିରେ ମହାକାଳପଡ଼ାରେ ସର୍ବାଧିକ ୧୫୫୧ଜଣ, ରାଜନଗରରୁ ୫୧ ଏବଂ ପଟ୍ଟାମୁଣ୍ଡାଇରୁ ୪୭ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ଦେଶ ଛାଡ଼ିବା ପାଇଁ ଗୃହ ବିଭାଗ ପକ୍ଷରୁ ୩୦ଦିନିଆ ନୋଟିସ୍ ଦିଆଯାଇଥିଲା। ଯଦିଓ ସରକାରୀ ଭାବେ ସେହି ସମୟରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ୧୬୪୯ଦର୍ଶାଯାଇଥିଲା, ବାସ୍ତବରେ କିନ୍ତୁ ବର୍ତ୍ତମାନ ଏସଂଖ୍ଯା ଜିଲ୍ଲାରେ ୩୦ହଜାର ପାର୍ କରିଯିବ ବୋଲି ଆକଳନ କରାଯାଉଛି। ଅନୁପ୍ରବେଶକାରୀଙ୍କ ମଧ୍ୟରୁ କେତେ ଜଣ ସରକାରୀ ଶିକ୍ଷକ ଚାକିରି କରିଥିବାର ନଜିର ବି ରହିଛି। । ବିଶେଷକରି ରାଜନଗର ବ୍ଲକ୍ର ୫୫ଟି ଏବଂ ମହାକାଳପଡ଼ା ବ୍ଲକ୍ର ୪୧ଟି ଗ୍ରାମ ଏବେ ଅନୁପ୍ରବେଶକାରୀଙ୍କ କବଳରେ। ଏହି ଦୁଇ ବ୍ଲକ୍ର ଏଭଳି କେତୋଟି ଗାଁ ରହିଛି, ୯୦ ପ୍ରତିଶତ ଅନୁପ୍ରବେଶକାରୀ ରହୁଛନ୍ତି। ଅନେକ ତଞ୍ଚକତା ପୂର୍ବକ ଆଧାରକାର୍ଡ, ରାସନକାର୍ଡ ହାତେଇବା ସହିତ ଘର କରି ସ୍ଥାୟୀ ବାସିନ୍ଦା ହୋଇଯାଇଥିବା ଦେଖିବାକୁ ମିଳିଛି। ଏହାବାଦ୍ ଗଞ୍ଜାମରୁ ବାଲେଶ୍ଵର ପର୍ଯ୍ୟନ୍ତ ୪୮୦ କିମି ଏବଂ ଧାମରା ମୁହାଣରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ୯୦ କିମି ଅଞ୍ଚଳ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି।