ସଂଘ @ ୧୦୦
-ଦତାତ୍ରେୟ ହୋସଓା୍ୱଲେ
ସରକାର୍ଯ୍ୟବାହ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ସଂଘ ନିଜ କାର୍ଯ୍ୟର ୧୦୦ ବର୍ଷ ପୂରଣ କରୁଛି, ଏପରି ସମୟରେ ସଂଘ ଏହି ଅବସରକୁ କିପରି ଦେଖୁଛି ତାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା ରହିଛି । ସଂଘ ସ୍ଥାପନା ଦିବସରୁ ଏହା ସ୍ପଷ୍ଟ ଯେ ଏଭଳି ଅବସରଗୁଡ଼ିକ ଉତ୍ସବ ପାଳନ ପାଇଁ ନୁହେଁ ବରଂ ଏହା ଆମକୁ ଆତ୍ମଚିନ୍ତନ କରିବା ନିମନ୍ତେ ତଥା ନିଜ ଉଦ୍ଦେଶ୍ୟ ପ୍ରତି ପୁନଃ ସମର୍ପିତ ହେବା ନିମନ୍ତେ ସୁଯୋଗ ପ୍ରଦାନ କରିଥାଏ । ଏଥିସହିତ ଏହି ସମଗ୍ର ଆନ୍ଦୋଳନକୁ ଦିଗଦର୍ଶନ ଦେଇଥିବା ମନୀଷିଗଣ ଏବଂ ଏହି ଯାତ୍ରାରେ ନିଃସ୍ୱାର୍ଥପର ଭାବରେ ଯୋଡି ହୋଇଥିବା ସ୍ୱୟଂସେବକ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ସ୍ମରଣ କରିବାର ଏହା ଏକ ଅବସର ।
୧୦୦ ବର୍ଷର ସଂଘର ଏହି ଯାତ୍ରାକୁ ଅବଲୋକନ କରିବା ସହିତ ବିଶ୍ୱଶାନ୍ତି ଏବଂ ସମୃଦ୍ଧି ସହ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ଏକଜୁଟ ଭାରତର ଭବିଷ୍ୟତ ପାଇଁ ପ୍ରତିଜ୍ଞା ନେବା ନିମନ୍ତେ ସଂଘ ପ୍ରତିଷ୍ଠାତା ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ଜନ୍ମବାର୍ଷିକୀ ଠାରୁ ଭଲ ଅବସର ଆଉ କିଛି ହୋଇନପାରେ, ଯାହା ବର୍ଷ ପ୍ରତିପଦା ଅର୍ଥାତ୍ ହିନ୍ଦୁ କ୍ୟାଲେଣ୍ଡରର ପ୍ରଥମ ଦିନ । ଡକ୍ଟର ହେଡଗେୱାର ଜଣେ ଜନ୍ମଜାତ ଦେଶଭକ୍ତ ଥିଲେ । ବାଲ୍ୟକାଳରୁ ତାଙ୍କର କାର୍ଯ୍ୟକଳାପରେ ମାତୃଭୂମି ପ୍ରତି ଅଗାଧ ପ୍ରେମ ଏବଂ ବିଶୁଦ୍ଧ ସମର୍ପଣ ପରିଲକ୍ଷିତ ହୋଇଥିଲା । କୋଲକାତାରେ ଡାକ୍ତରୀ ଶିକ୍ଷା ସମାପ୍ତ କଲାବେଳକୁ ସେ ଭାରତକୁ ବ୍ରିଟିଶ ଦାସତ୍ୱ କବଳରୁ ମୁକ୍ତ କରିବା ପାଇଁ ଚାଲିଥିବା ସମସ୍ତ ପ୍ରୟାସ- ସଶସ୍ତ୍ରକ୍ରାନ୍ତି ଠାରୁ ସତ୍ୟାଗ୍ରହ ପର୍ଯ୍ୟନ୍ତ ପରିଚିତ ହୋଇସାରିଥିଲେ । ସଂଘରେ ଡକ୍ଟରଜୀ ଭାବେ ପରିଚିତ ଡକ୍ଟର ହେଡଗେୱାର ମାତୃଭୂମିକୁ ଦାସତ୍ୱର ଶିକୁଳିରୁ ମୁକ୍ତ କରିବା ପାଇଁ ଚାଲିଥିବା ସମସ୍ତ ପ୍ରୟାସକୁ ସମ୍ମାନ କରୁଥିଲେ ଏବଂ କୌଣସି ପ୍ରୟାସଗୁଡ଼ିକୁ କେବେ ହେଲେ କମ୍ ବୋଲି ମଣିନଥିଲେ ।
ସେ ସମୟରେ ସାମାଜିକ ସଂସ୍କାର ଅଥବା ରାଜନୈତିକ ସ୍ୱତନ୍ତ୍ରତା ଥିଲା ଆଲୋଚନାର ମୁଖ୍ୟ ବିଷୟ । ଏଭଳି ସମୟରେ ଜଣେ ଡାକ୍ତର ଭାବରେ ସେ ସେହି ସମସ୍ୟାଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ ଯେଉଁ ସମସ୍ୟା ଯୋଗୁଁ ଆମେ ବିଦେଶୀ ଦାସତ୍ୱର ଶିକୁଳିରେ ଛନ୍ଦି ହୋଇଯାଉଥିଲୁ । ଏଥିସହିତ ସେ ଏହି ସମସ୍ୟାଗୁଡିକର ସ୍ଥାୟୀ ସମାଧାନ କରିବାକୁ ମଧ୍ୟ ନିଷ୍ପତି ନେଇଥିଲେ । ସେ ଅନୁଭବ କରିଥିଲେ ଯେ ଦୈନନ୍ଦିନ ଜୀବନରେ ଦେଶପ୍ରେମ ମନୋଭାବର ଅଭାବ, ସାମୂହିକ ରାଷ୍ଟ୍ରୀୟ ଚରିତ୍ରର ହାନୀ ଯୋଗୁଁ ଯେଉଁ ସଂକୀର୍ଣ୍ଣତାର ଭାବ ସୃଷ୍ଟି ହୁଏ ଏବଂ ସାମାଜିକ ଜୀବନରେ ଶୃଙ୍ଖଳାର ଯେଉଁ ଅଭାବ ଦେଖାଦିଏ ତାହାହିଁ ହେଉଛି ଭାରତରେ ବିଦେଶୀ ଆକ୍ରମଣକାରୀଙ୍କ ପାଦ ଥାପିବାର ମୂଳ କାରଣ । ସେ ଏହା ମଧ୍ୟ ଅନୁଭବ କଲେ ଯେ ବିଦେଶୀ ଦାସତ୍ୱ କାଳରେ ଲୋକେ ନିଜର ଗୌରବମୟ ଇତିହାସକୁ ଭୁଲି ଯାଇଛନ୍ତି । ଯଦ୍ୱାରା ସେମାନଙ୍କ ମନରେ ନିଜ ସଂସ୍କୃତି ଏବଂ ଜ୍ଞାନ ପରମ୍ପରା ପ୍ରତି ଏକ ହୀନମନ୍ୟତାର ଭାବନା ସୃଷ୍ଟି ହୋଇଛି । ସେ ଜାଣିଥିଲେ ଯେ କେବଳ କିଛି ମୁଷ୍ଟିମେୟ ଲୋକଙ୍କ ନେତୃତ୍ୱରେ ପରିଚାଳିତ ରାଜନୈତିକ ଆନ୍ଦୋଳନ ଆମ ପ୍ରାଚୀନ ସଭ୍ୟତାର ମୌଳିକ ସମସ୍ୟା ଗୁଡିକର ସମାଧାନ କରିପାରିବ ନାହିଁ । ତେଣୁ ସେ ଜାତୀୟତାର ଭାବ ନେଇ ବଂଚିବା ପାଇଁ ଲୋକମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା ସମ୍ବଳିତ ଏକ ପଦ୍ଧତି ପ୍ରସ୍ତୁତ କରିବାକୁ ନିଷ୍ପତି ନେଇଥିଲେ । ରାଜନୈତିକ ସଂଘର୍ଷର ଉର୍ଦ୍ଧ୍ୱକୁ ଯାଇ ଏଭଳି ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରାର ଫଳାଫଳ ହେଉଛି ଶାଖା-ଭିତିକ ସଂଘର ଅଭିନବ ଏବଂ ଅନନ୍ୟ କାର୍ଯ୍ୟପଦ୍ଧତି । ଭାରତର ରାଜନୈତିକ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଏବଂ ଅନ୍ୟମାନଙ୍କୁ ସେହିପରି କରିବାକୁ ଉତ୍ସାହିତ କରିବା ସହିତ ଡକ୍ଟର ହେଡଗେୱାର ସମାଜ ଭିତରେ ଏକ ସଂଗଠନ ସୃଷ୍ଟି କରିବା ପରିବର୍ତେ ସମଗ୍ର ସମାଜକୁ ସଂଗଠିତ କରିବା ପାଇଁ ଏହି ପଦ୍ଧତିଟି ବିକଶିତ କରିଥିଲେ । ଆଜି ଶହେ ବର୍ଷ ପରେ ମଧ୍ୟ ହଜାର ହଜାର ଯୁବକ ଡକ୍ଟର ହେଡଗେୱାରଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରୁଛନ୍ତି ଏବଂ ଜାତୀୟ ସ୍ୱାର୍ଥ ପାଇଁ ନିଜର ସବୁକିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।
ସମାଜରେ ସଂଘର ଗ୍ରହଣୀୟତା ଏବଂ ସଂଘକୁ ନେଇ ଆଶା ଆକାଂକ୍ଷା ମଧ୍ୟ ବୃଦ୍ଧି ପାଇଛି । ଏସବୁ ହେଉଛି ଡକ୍ଟରଜୀଙ୍କ ଦୃଷ୍ଟିକୋଣ ଏବଂ କାର୍ଯ୍ୟ ପଦ୍ଧତିକୁ ଆପଣେଇ ନେବାର ସଂକେତ । ଏହି ଆନ୍ଦୋଳନ ଏବଂ ଦର୍ଶନର ନିତ୍ୟନୂତନ ବିକାଶ କୌଣସି ଚମତ୍କାରଠାରୁ କମ୍ ନୁହେଁ । ହିନ୍ଦୁତ୍ୱ ଏବଂ ରାଷ୍ଟ୍ରର ଅବଧାରଣାକୁ ବ୍ୟାଖ୍ୟା କରିବା ସେ ସମୟରେ ସହଜ କାମ ନଥିଲା କାରଣ ସେତେବେଳେ ଅଧିକାଂଶ ଇଂରାଜୀ ଶିକ୍ଷିତ ବୁଦ୍ଧିଜୀବୀ ୟୁରୋପୀୟ ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ । ରାଷ୍ଟ୍ରବାଦର ଏହି ୟୁରୋପୀୟ ଅବଧାରଣା ସଂକୀର୍ଣ୍ଣତା ଉପରେ ଆଧାରିତ ଥିଲା । ଡକ୍ଟର ହେଡଗେୱାର କୌଣସି ନିଜସ୍ୱ ଆଦର୍ଶଗତ ନୀତି ପ୍ରତିପାଦନ କରିବା ପରିବର୍ତେ ଯେଉଁ କାର୍ଯ୍ୟପଦ୍ଧତିର ବୀଜ ବପନ କରିଥିଲେ ତାହା ଏହି ଯାତ୍ରାରେ ମାର୍ଗଦର୍ଶକ ଶକ୍ତି ହୋଇ ରହିଛି । ତାଙ୍କ ଜୀବନକାଳ ମଧ୍ୟରେ ସଂଘର କାର୍ଯ୍ୟ ଭାରତର ସମସ୍ତ ଅଂଚଳରେ ପହଁଚି ଯାଇଥିଲା ।
ଯେତେବେଳେ ଆମେ ସ୍ୱାଧୀନତା ପାଇଲୁ ଦୁର୍ଭାଗ୍ୟବଶତଃ ସେହି ସମୟରେ ଭାରତ ମାତାର ବିଭାଜନ ଧର୍ମ ଆଧାରରେ ହୋଇଥିଲା । ଏପରି ଏକ କଠିନ ସମୟରେ ସଂଘର ସ୍ୱୟଂସେବକମାନେ ନବଗଠିତ ପାକିସ୍ତାନରେ ବିଭାଜନର ଯନ୍ତ୍ରଣା ଭୋଗୁଥିବା ହିନ୍ଦୁମାନଙ୍କୁ ରକ୍ଷା କରିବା ସହିତ ସେମାନଙ୍କୁ ସମ୍ମାନ ଓ ମର୍ଯ୍ୟାଦିତ ପୁନର୍ବାସ କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ‘ସଂଗଠନ ପାଇଁ ସଂଗଠନ’ର ଏହି ମନ୍ତ୍ର ଜାତୀୟ ଜୀବନର ବିଭିନ୍ନ କ୍ଷେତ୍ରରେ ସଂଗଠନାତ୍ମକ ଶକ୍ତିକୁ ପ୍ରସାରିତ କରିବାର କାରଣ ହୋଇପାରିଥିଲା ।
ସ୍ୱୟଂସେବକର ଅବଧାରଣା ମୂଳତଃ ସମାଜ ପ୍ରତି ଦାୟିତ୍ୱ ଏବଂ କର୍ତବ୍ୟବୋଧର ଏକ ଭାବନା ଯାହା ଶିକ୍ଷାଠାରୁ ଆରମ୍ଭ କରି ଶ୍ରମ ଏବଂ ରାଜନୀତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଉପସ୍ଥିତି ପ୍ରଦର୍ଶନ କରି ଆସୁଛି । ସବୁକିଛି ରାଷ୍ଟ୍ରୀୟ ଚିନ୍ତାଧାରା ଆଧାରରେ ପୁନଃପ୍ରତିଷ୍ଠିତ ହେବା ଉଚିତ, ଏହି ଉକ୍ତିର ମାର୍ଗଦର୍ଶକ ଶକ୍ତି ଥିଲେ ଦ୍ୱିତୀୟ ସରସଂଘଚାଳକ ଶ୍ରୀ ଗୁରୁଜୀ (ମାଧବ ସଦାଶିବ ଗୋଲୱାଲକର) । ଭାରତ ହେଉଛି ଏକ ପ୍ରାଚୀନ ସଭ୍ୟତା ଯାହାକୁ ନିଜ ଆଧ୍ୟାତ୍ମିକ ପରମ୍ପରା ଆଧାରରେ ମାନବଜାତିର କଲ୍ୟାଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ହେବ । ଯଦି ଏକତା ଏବଂ ସାର୍ବଜନୀନ ସଦ୍ଭାବନା ଉପରେ ଆଧାରିତ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାରତକୁ ଗ୍ରହଣ କରିବାକୁ ହୁଏ ତେବେ ପ୍ରତ୍ୟେକ ଭାରତୀୟଙ୍କୁ ଏହି ଲକ୍ଷ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ ହେବ । ଏଥିନିମନ୍ତେ ଶ୍ରୀଗୁରୁଜୀ ଏକ ଦୃଢ଼ ଆଦର୍ଶଗତ ଆଧାର ପ୍ରଦାନ କରିଥିଲେ ।
ହିନ୍ଦୁ ସମାଜର ସଂସ୍କାରବାଦୀ ପଦକ୍ଷେପଗୁଡ଼ିକୁ ସେତେବେଳେ ନୂତନ ଗତି ମିଳିଲା ଯେତେବେଳେ ଭାରତର ସମସ୍ତ ସମୁଦାୟ ଘୋଷଣା କଲେ ଯେ କୌଣସି ପ୍ରକାରର ଭେଦଭାବକୁ ଧାର୍ମିକ ସ୍ୱୀକୃତି ନାହିଁ । ଜରୁରୀକାଳୀନ ପରିସ୍ଥିତି ସମୟରେ ଯେତେବେଳେ ସମ୍ବିଧାନ ଉପରେ କୁଠାରଘାତ ହୋଇଥିଲା ସଂଘର ସ୍ୱୟଂସେବକମାନେ ଶାନ୍ତିପୂର୍ଣ୍ଣ ଉପାୟରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶାଖା ପଦ୍ଧତିରୁ ଆଗକୁ ବଢ଼ି ସଂଘ, ସମାଜର ସଜ୍ଜନ ଶକ୍ତିକୁ ଆହ୍ୱାନ ପୂର୍ବକ ସେବା କାର୍ଯ୍ୟ କ୍ଷେତ୍ରରେ ପାଦ ବଢାଇଚାଲିଛି ଏବଂ ଗତ ୯୯ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ।
ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ଭଳି ଆନ୍ଦୋଳନ ଗୁଡିକ ଭାରତର ସମସ୍ତ ବର୍ଗ ବିଶେଷ ଏବଂ ଅଂଚଳକୁ ସାଂସ୍କୃତିକ ଭାବରେ ସଂଗଠିତ କରିପାରିଛି । ରାଷ୍ଟ୍ରୀୟ ସୁରକ୍ଷାଠାରୁ ଆରମ୍ଭ କରି ସୀମା ସୁରକ୍ଷା ଯାଏଁ, ଶାସନରେ ସହଭାଗୀତା ଠାରୁ ଗ୍ରାମଣ ବିକାଶ ଯାଏଁ, ରାଷ୍ଟ୍ରୀୟ ଜୀବନର କୌଣସି କ୍ଷେତ୍ର ସ୍ୱୟଂସେବକଙ୍କ ପାଇଁ ଅପହଁଚ ହୋଇ ରହିନାହିଁ । ସନ୍ତୋଷର ବିଷୟ ହେଲା ଯେ ସମାଜ ଏହି ବ୍ୟବସ୍ଥା ପରିବର୍ତନର ଅଂଶବିଶେଷ ହେବାକୁ ସ୍ୱତଃ ଆଗେଇ ଆସୁଛି । ଆଜିକାଲି ସମସ୍ତ କଥାକୁ ରାଜନୈତିକ ଦୃଷ୍ଟିକୋଣ ନେଇ ଦେଖାଯାଉଛି । ଏଭଳି ପରିସ୍ଥିତିରେ ସଂଘ ସମାଜର ସାଂସ୍କୃତିକ ଜାଗରଣ ଓ ସମାନ ଚିନ୍ତାଧାରା ରଖୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନ ଗୁଡିକର ଏକ ମଜଭୁତ ଢାଂଚା ବିକାଶ କରିବା ଦିଗରେ ଧ୍ୟାନ କେନ୍ଦ୍ରିତ କରୁଛି । ସାମାଜିକ ପରିବର୍ତନରେ ମହିଳାମାନଙ୍କ ଅଗ୍ରଣୀ ଭୂମିକା ଏବଂ ପରିବାର ବ୍ୟବସ୍ଥାକୁ ସୁଦୃଢ କରିବା ହେଉଛି ବିଗତ କିଛି ବର୍ଷରେ ସଂଘ କାର୍ଯ୍ୟର କେନ୍ଦ୍ରବିନ୍ଦୁ । ସଂଘଦ୍ୱାରା ଲୋକମାତା ଅହିଲ୍ୟାବାଈଙ୍କ ଜନ୍ମ ତ୍ରିଶତାବ୍ଦୀ ପାଳନ କରିବାର ଆହ୍ୱାନ ପରେ ସଂପୂର୍ଣ୍ଣ ଭାରତରେ ପାଖାପାଖି ଦଶହଜାର କାର୍ଯ୍ୟକ୍ରମ କରାଯାଇଛି ଏଥିରେ ସତେଇଶ ଲକ୍ଷରୁ ଅଧିକ ଲୋକ ଭାଗନେଇଛନ୍ତି । ଯାହା ପ୍ରମାଣିତ କରେ ଯେ ଆମେ କିଭଳି ସାମୁହିକ ଭାବରେ ରାଷ୍ଟ୍ରୀୟ ପ୍ରତୀକ ଗୁଡିକର ଉତ୍ସବ ପାଳନ କରୁଛୁ ।
ସଂଘ ନିଜ ଯାତ୍ରାର ଶତବାର୍ଷିକ ବର୍ଷରେ ପ୍ରବେଶ କରିଛି, ଏଭଳି ସମୟରେ ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟକ୍ତି ନିର୍ମାଣ କାର୍ଯ୍ୟକୁ ଗ୍ରାମ ଏବଂ ଖଣ୍ଡ ସ୍ତର ଯାଏଁ ନେବାକୁ ଯୋଜନା ହୋଇଛି । ଏ ଦିଗରେ ଗତ ବର୍ଷକ ମଧ୍ୟରେ ବ୍ୟବସ୍ଥିତ ଯୋଜନା ଓ କ୍ରିୟାନ୍ୱୟନ ସହିତ ଦଶ ହଜାର ଶାଖା ବୃଦ୍ଧି ହେଉଛି ସ୍ୱୟଂସେବକମାନଙ୍କର ସଂକଳ୍ପ ଏବଂ ସମାଜର ସ୍ୱୀକାର୍ଯ୍ୟତାର ପରିଚୟ । ପ୍ରତ୍ୟେକ ଗ୍ରାମ ଏବଂ ବସ୍ତି ଯାଏଁ ପହଁଚିବାର ଲକ୍ଷ୍ୟ ଏଯାଏଁ ଅପୂର୍ଣ୍ଣ ରହିଛି । ଯାହା ଆମ ପାଇଁ ଆତ୍ମନିରୀକ୍ଷଣର ବିଷୟ । ଆଗାମୀ ବର୍ଷମାନଙ୍କରେ ପଂଚ ପରିବର୍ତନ ଏପରି ଏକ କାର୍ଯ୍ୟକ୍ରମ ଯାହା ସଂଘର କେନ୍ଦ୍ରବିନ୍ଦୁ ରହିବ । ଶାଖା ବିସ୍ତାର ସହିତ ନାଗରିକ କର୍ତବ୍ୟ, ପର୍ଯ୍ୟାବରଣ ଅନୁକୂଳ ଜୀବନଶୈଳୀ, ସାମାଜିକ ସମରସତା, ପାରିବାରିକ ମୂଲ୍ୟବୋଧ ଏବଂ ‘ସ୍ୱ’ବୋଧ ଉପରେ ସଂଘ ଧ୍ୟାନ କେନ୍ଦ୍ରିତ କରୁଛି । ଯଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ମାତୃଭୂମିକୁ ପରମବୈଭବର ଶୀର୍ଷରେ ପହଁଚାଇବା ପାଇଁ ନିଜର ଯୋଗଦାନ ଦେଇପାରିବ ।
ବିଗତ ଶହେବର୍ଷରେ ସଂଘ ରାଷ୍ଟ୍ରୀୟ ପୁନଃନିର୍ମାଣର ଆନ୍ଦୋଳନ ସମୟରେ ଉପେକ୍ଷା ଏବଂ ଉପହାସରୁ ଆରମ୍ଭକରି ଜିଜ୍ଞାସା ଓ ସ୍ୱୀକାର୍ଯ୍ୟତାର ଯାତ୍ରା ପୂର୍ଣ୍ଣ କରିଛି । ସଂଘ କାହାକୁ ବିରୋଧ କରିବାରେ ବିଶ୍ୱାସ କରେ ନାହିଁ । ଆମର ବିଶ୍ୱାସ ରହିଛି ଯେ ସଂଘକୁ ବିରୋଧ କରୁଥିବା ବ୍ୟକ୍ତି ଦିନେ ନା ଦିନେ ରାଷ୍ଟ୍ର ନିର୍ମାଣର ଏହି ପୁଣ୍ୟକାର୍ଯ୍ୟରେ ସଂଘର ସହଭାଗୀ ହେବ ।
ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ପରିବର୍ତନ ଠାରୁ ଆରମ୍ଭ କରି ହିଂସାପୂର୍ଣ୍ଣ ସଂଘର୍ଷଭଳି ଆହ୍ୱାନର ସମ୍ମୁଖୀନ ହେଉଛି ସେତେବେଳେ ଭାରତର ପ୍ରାଚୀନ ଏବଂ ଅନୁଭବ ଜନିତ ଜ୍ଞାନ ଏସବୁ ସମସ୍ୟାର ସମାଧାନ ରୂପେ ନୂତନ ମାର୍ଗ ପ୍ରଦାନ କରିବାରେ ସକ୍ଷମ । ଏହି ବିଶାଳ କିନ୍ତୁ ଅପରିହାର୍ଯ୍ୟ କାର୍ଯ୍ୟଟି ତେବେ ଯାଇ ସମ୍ଭବ ହେବ ଯେବେ ଭାରତମାତାର ପ୍ରତ୍ୟେକ ସନ୍ତାନ ନିଜ ନିଜର ଭୂମିକା ବୁଝିପାରିବେ ଏବଂ ଏକ ରାଷ୍ଟ୍ରୀୟ ଆଦର୍ଶ ନିର୍ମାଣ ନିମନ୍ତେ ନିଜର ଯୋଗଦାନ ଦେବେ ଯାହା ଅନ୍ୟମାନଙ୍କୁ ଅନୁକରଣ ନିମନ୍ତେ ପ୍ରେରଣା ଦେବ । ଆସନ୍ତୁ ଆମେ ସମସ୍ତେ ମିଳିମିଶି ସଜ୍ଜନ ଶକ୍ତିଙ୍କ ନେତୃତ୍ୱରେ ସଂପୂର୍ଣ୍ଣ ସମାଜକୁ ସାଥିରେ ନେଇ ବିଶ୍ୱରେ ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସଂଗଠିତ ଭାରତୀୟ ଆଦର୍ଶ ପ୍ରସ୍ତୁତ ନିମନ୍ତେ ସଂକଳ୍ପବଦ୍ଧ ହେବା ।