ମନ୍ଦିରକୁ ଗଲେ କଂଗ୍ରେସ କରୁଛି ସମାଲୋଚନା

ଶିବକୁମାରଙ୍କ ବୟାନ-ହିନ୍ଦୁ ହୋଇଥିବାରୁ ଶିବରାତ୍ରି ଉତ୍ସବକୁ ଗଲି
ଚେନ୍ନାଇ,୨୮୨: କର୍ଣ୍ଣାଟକରେ କଂଗ୍ରେସ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ଗତ ୨୬ ତାରିଖରେ ଈଶା ଫାଉଣ୍ଡେସନ ଦ୍ଵାରା ତାମିଲନାଡୁର କୋଏମ୍ବାଟୁରରେ ଆୟୋଜିତ ମହାଶିବରାତ୍ରି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ଉପସ୍ଥିତ ଥିଲେ। ଏ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଚିବ ପି ଭି ମୋହନ ଶିବକୁମାରଙ୍କୁ ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ଶିବକୁମାର ଏଭଳି ବ୍ୟକ୍ତିଙ୍କ ନିମନ୍ତ୍ରଣରେ ଯାଇଥିଲେ, ଯିଏ ରାହୁଲ ଗାନ୍ଧୀଙ୍କୁ ପରିହାସ କରିଥିଲେ। ପି ଭି ମୋହନଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ଶିବକୁମାର କହିଛନ୍ତି, ମୁଁ ଜଣେ ହିନ୍ଦୁ । ମୁଁ ଜଣେ ହିନ୍ଦୁ ଭାବେ ଜନ୍ମ ନେଇଛି ଏବଂ ହିନ୍ଦୁ ଭାବେ ମଧ୍ୟ ମରିବି । ମୁଁ ସବୁ ଧର୍ମକୁ ଭଲପାଏ। ସେଗୁଡ଼ିକର ବି ସମ୍ମାନ କରେ। ତା’ଛଡ଼ା ଆମ କଂଗ୍ରେସ ଅଧ୍ୟକ୍ଷଙ୍କ ନାମ ବି ମଲ୍ଲିକାର୍ଜୁନ । ଶିବଙ୍କ ନାମ ହିଁ ମଲ୍ଲିକାର୍ଜୁନ। ତାଙ୍କୁ କ’ଣ ନିଜ ନାମ ବଦଳାଇବାକୁ ପଡ଼ିବ ? ସଦ୍‌ଗୁରୁଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ଶିବକୁମାର କହିଛନ୍ତି, ଈଶା ଫାଉଣ୍ଡେସନର ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ଆସି ମୋତେ
କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ କରିଥିଲେ। ସେ ଜଣେ ମହାନ୍ ବ୍ୟକ୍ତି ଏବଂ ମୁଁ ତାଙ୍କ ଜ୍ଞାନ ଓ ବ୍ୟକ୍ତିତ୍ଵକୁ ପ୍ରଶଂସା କରେ। କିନ୍ତୁ ଅନେକ ଲୋକ ତାଙ୍କର ସମାଲୋଚନା କରିଛନ୍ତି। ସେହିଭଳି ଶିବକୁମାର କହିଛନ୍ତି, ମହାକୁମ୍ଭ ବାବଦରେ ମୋର ଅନୁଭବ ବେଶ୍ ଭଲ ରହିଛି। ଯେଉଁଭଳି ଭାବେ ସେମାନେ (ଯୋଗୀ ସରକାର) ଏହାର ଆୟୋଜନ କରିଛନ୍ତି, ତାହାର ମୁଁ ପ୍ରଶଂସା କରୁଛି। ଏହା କୌଣସି ଛୋଟ କମ ନୁହେଁ । କିଛି ସମସ୍ୟା ଉପୁଜି ଥାଇପାରେ। କିନ୍ତୁ ତ୍ରୁଟି ବାଛିବାକୁ ମୁଁ ପସନ୍ଦ କରେନାହିଁ । ମହାକୁମ୍ଭ ମେଳା ଅତ୍ୟନ୍ତ ସନ୍ତୋଷଜନକ ରହିଥିଲା।

Leave a Reply

Your email address will not be published. Required fields are marked *