ରାଜନଗର, ୨୫।୧୨ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରୁ ଗୋଟିଏ ଭିଏଚ୍ଏଫ୍ ଜବତ ହେବାର ୫ଦିନ ପରେ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରୁ ୯ଟି ବେଆଇନ ଭିଏଚ୍ଏଫ୍ ଜବତ କରାଯାଇଛି । ଗତକାଲି ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସସ୍ମିତା ସାହୁଙ୍କ ନେତୃତ୍ବରେ ପୁଲିସ ୫ଟି ଗାଁରେ ଚଢ଼ଉ କରି ଟ୍ରଲର୍ ମାଲିକ ଓ ଡ୍ରାଇଭର୍ଙ୍କ ଘରୁ ଏହି ଭିଏଚଏଫ ଜବତ କରିଛି। ତାଳଚୁଆ ବଜାରସ୍ଥିତ ଟ୍ରଲର୍ ମାଲିକ ମଦନ ଦେବନାଥଙ୍କ ଘରୁ ଦୁଇଟି, ସ୍ବଦେଶ ମଣ୍ଡଳଙ୍କ ଘରୁ ଗୋଟିଏ, ସନାତନ ପରିଡ଼ାଙ୍କ ଘରୁ ଗୋଟିଏ, ଅମରାବତୀ ଗାଁର ବୋଟ୍ ଡ୍ରାଇଭର୍ ଗୁରୁପଦ ଦାସଙ୍କ ଘରୁ ଗୋଟିଏ, ଭଞ୍ଜପ୍ରସାଦର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଘରୁ ଦୁଇଟି, ଶୈଳେନ୍ଦ୍ରନଗରର ନାସିର୍ ଅଲ୍ଲୀ ଖାନ୍ଙ୍କ ଘରୁ ଗୋଟିଏ ଓ ଗିରିଆପାହିର ଜୟଦେବ ମଣ୍ଡଳଙ୍କ ଘରୁ ଗୋଟିଏ ବେଆଇନ ଭିଏଚ୍ଏଫ୍ ଜବତ କରାଯାଇଛି ବୋଲି ଥାନା ଆଇଆଇସି ସସ୍ମିତା ସାହୁ ସୂଚନା ଦେଇଛନ୍ତି। ବଂଗୀୟ ଭାଷାଭାଷୀ ତାଳଚୁଆ ଅଞ୍ଚଳରେ ବିନା ଲାଇସେନ୍ସରେ କିପରି ଏହି ଭିଏଚଏଫଗୁଡ଼ିକ ବହୁଦିନ ଧରି ଚାଲୁଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ ଯେ ତଡି଼ଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଭାବେ ୨୦ଟି ଭିଏଚଏଫ୍ ଚାଲୁଥିବା ନେଇ ‘ସମ୍ବାଦ’ରେ କ୍ରମାଗତ ଖବର ପ୍ରକାଶ ପାଇବା ପରେ ପୁଲିସର ନିଦ ଭାଙ୍ଗିଥିଲା। ଏହି ଥାନାର ୨ କିମି ଭିତରେ ୨୦ଟି ବେଆଇନ ଭିଏଚ୍ଏଫ୍ ବସାଯାଇଥିବା ଖବର ପ୍ରକାଶ ପାଇବାର ୭ଦିନ ପରେ ପୁଲିସ ଓ ବନ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ। ହେଲେ, ଚଢ଼ଉ ସମୟରେ କେବଳ ଗୋଟିଏ ଭିଏଚ୍ଏଫ୍ ଜବତ କରାଯାଇଥିଲା ବଳେ ଚଢ଼ୁତ୍ତର ପୂର୍ବ ସୂଚନା ପାଇ ଅନ୍ୟମାନେ ଭିଏଚ୍ଏଫ୍ ଖୋଲି ଦେଇଥିଲେ। ଏହି ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଥିବା ଅଭିଯୋଗ ହୋଇଆସୁଛି। ସେମାନେ ଉପକୂଳ ସୁରକ୍ଷା ସମ୍ପର୍କିତ ତଥ୍ୟ ସହ ବନ ବିଭାଗ ପାଟ୍ରୋଲିଂ ଗତିବିଧି ଉପରେ ନଜର ରଖୁଥିବା ଆଶଙ୍କା କରାଯାଉଛି। ସେମାନଙ୍କ ସୂଚନା ଆଧାରରେ ଶହଶହ ଟ୍ରଲର୍ ବେଧଡ଼କ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ଓ କଇଁଛ ମାରିଥା’ନ୍ତି। ଏଥିଯୋଗୁଁ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ଏବେ ସେମାନଙ୍କ ପାଇଁ ସ୍ଵପ୍ନ ହେବାକୁ ବସିଲାଣି। ଏପରିସ୍ଥଳେ, ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ ଗୋଟିଏ ଭିଏଚ୍ଏଫ୍ ଜବତ କରିଥିଲେ ମଧ୍ୟ ଆଜିଯାଏ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଥିସହ ତାଳଚୁଆ ସାମୁଦ୍ରିକ ଥାନା ପୁଲିସ ୯ଟି ଭିଏଚ୍ଏଫ୍ ଜବତ କରିଥିଲେ ମଧ୍ୟ କାହାରି ବିରୋରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି। ସେମାନେ କାହିଁକି ବିନା ଲାଇସେନ୍ସରେ ବେଆଇନ ଭାବେ ଭିଏଚ୍ଏଫ୍ ଘରେ ଲଗାଇଥିଲେ, ସେମାନେ କେବଳ ବନ ବିଭାଗ ଗିତିବିଧି ଉପରେ ନଜର ରଖିଥିଲେ ନା’ ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରେରଣ କରୁଥିଲେ ଆଦିକୁ ନେଇ ପୁଲିସ ତଦନ୍ତ ଜୋରଦାର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।