କଟକରେ ୨୫ରୁ ହେବ ଏବିଭିପି ରାଜ୍ୟ ଅଧିବେଶନ
କଟକ: ଚଳିତ ବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଅଧୂବେଶନ ରୌପ୍ୟ ନଗରୀ କଟକରେ ଅନୁଷ୍ଠିତ ହେବ। ତିନିଦିନ ଧରି ଓଡ଼ିଶାର ଛାତ୍ର ଏବଂ ଯୁବ ସମାଜ ପାଇଁ ଯୋଜନା ଏବଂ ଛାତ୍ର ଆନ୍ଦୋଳନ ପାଇଁ ଏବିଭିପିର କାର୍ଯ୍ୟକର୍ତ୍ତା ସ୍ଵରୂପ ନିର୍ଦ୍ଧାରଣ କରିବେ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଝଲକ ଏହି ଅଧିବେଶନରେ ଦେଖିବାକୁ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଏବିଭିପିର ଜିଲା ସଂଯୋଜକ ନୀତେଶ କୁମାର ସାହୁ ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମରେ ଓଡିଶା ସମେତ ଦେଶର ବହୁ ସାମାଜିକ ବ୍ୟକ୍ତି ଏବଂ ଶିକ୍ଷାବିତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବେ । ଅମୃତ କାଳରେ ଛାତ୍ର ସମାଜର ଭୂମିକାକୁ ନେଇ ବିଭିନ୍ନ ବିଚାର ବିମର୍ଶ କରାଯିବା ସହ ରାଜ୍ୟର ଶିକ୍ଷା ଏବଂ ସାମାଜିକ ସ୍ଥିତିକୁ ନେଇ ବିଭିନ୍ନ ପ୍ରସ୍ତାବ ଉକ୍ତ ଅଧିବେଶନରେ ପାରିତ ହେବ। ଶିକ୍ଷା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ବାର୍ଷିକ ଯୋଜନା ମଧ୍ୟ ଏଥିରେ ପ୍ରସ୍ତୁତ କରାଯିବ। ଫଳରେ ଶିକ୍ଷା ବିଭାଗରେ ରହିଥିବା ସମସ୍ୟା ଆଗାମୀ ଦିନରେ ସମାଧାନ ହୋଇପାରିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରୁ ୨୦୦୦ରୁ ଊର୍ଦ୍ଧ୍ବ ଛାତ୍ରନେତା ଓ ଅଧ୍ୟାପକ ଏହି ଅଧୂବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସହିଦ ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳ ଜିଲା ଭୁବନରୁ ଏକ ସଂଗ୍ରାମୀ ଜାଗରଣ ଯାତ୍ରା ଆରମ୍ଭ ହୋଇ ରାଜ୍ୟରେ ପରିଭ୍ରମଣ କରି ୨୫ରେ କଟକରେ ପହଞ୍ଚିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଡିଶାର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଆସୁଥିବା ବିଦ୍ୟାର୍ଥୀଙ୍କୁ କଟକରେ ସ୍ଵତନ୍ତ୍ର ଭାବେ ସ୍ବାଗତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ୟାମ ସୁନ୍ଦର ସାହୁ, ରାଜ୍ୟ ସହ ସମ୍ପାଦକ ଅଭିରାମ ଲେଙ୍କା, ମୁସ୍କାନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।