ଗୋରୁ ବୋଝେଇ ପିକଅପ ଗାଡ଼ି ଜବତ ୪ ଗୋରୁ ଉଦ୍ଧାର
ବାରିପଦା -ପଶ୍ଚିମବଙ୍ଗ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଗୋରୁ ବୋଝେଇ ଏକ ପିକଅପ ଗାଡି ଆଜି ଭୋର ୫ଟା ସମୟରେ ବାରିପଦା ସହର ଉପକଣ୍ଠ ବାଉରା ଛକର ବାଙ୍କରେ ବନ ବିଭାଗର ବୋଲେରୋ ଗାଡିକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ବେଆଇନ ଭାବେ ପିକ ଅପ ଗାଡିରେ ନିଷ୍ଠୁର ଭାବେ ବୋଝେଇ ହୋଇଥିବା ଚାରୋଟି ଗୋରୁ ସହ ଏକ ମୃତ ଗୋରୁକୁ ପୁଲିସ ଉଦ୍ଧାର କରିଛି ଏବଂ ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳା ଜିମାରେ ଦିଆଯାଇଛି । ଏ ସମ୍ପର୍କରେ ବାରିପଦା ସଦର ଥାନାରେ ୨୫୩୨୪ ନମ୍ବରର ଏକ ମାମଲା ରୁଜୁ ହେବା ସହିତ ପିକଅପ ଗାଡି(ଓଡି୧୧ ଏଇ -୫୭୦୫) ଓ ବନ ବିଭାଗ ଗାଡି (ଓଡି୧୧ଏଚ୍ ୦୨୭୧) ଉଭୟକୁ ଜବତ କରାଯାଇ ତଦନ୍ତ ଚାଲିଛି। ବିଶେଷ କରି ଓଡିଶା ଗୋ-ହତ୍ୟା ନିବାରଣ ଅଧୁନିୟମର ୭ ଧାରା ଗୋରୁ ବୋଝେଇ ପିକଅପ ଗାଡିର ବିରୋଧରେ ଲାଗୁ କରାଯାଇଛି । ଉଭୟ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପ୍ରତ୍ୟାଶୀ କହିଛନ୍ତି ଯେ ପିକଅପ ଗାଡିର ଚାଳକ ବନବିଭାଗର ଗାଡିକୁ ଦେଖ୍ ଧରାପଡ଼ିଯିବା ଭୟରେ ଛାନିଆ ହୋଇ ଦ୍ରୁତଗତିରେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏପରିକି ବନବିଭାଗ ଗାଡିଟି ଏକ ବିଜୁଳି ଖୁଣ୍ଟକୁ ଧକ୍କା ଦେଇଥିବା ବେଳେ ପିକଅପ ଗାଡିଟି ଗଛରେ ଧକ୍କା ଦେଇଥିଲା।