ଗାଁ ରାସ୍ତାରେ ଗୋଚାଲାଣ


କୁଆଖୁଆ: ରସୁଲପୁର ଅଞ୍ଚଳରେ ବେଆଇନ୍ ଗୋଚାଲାଣ ବୃଦ୍ଧି ପାଉଛି। ପ୍ରାଣୀ ସଂପଦ ସୁରକ୍ଷା ଆଇନକୁ ଉଲଂଘନ କରି ପ୍ରତି ସପ୍ତାହରେ ଗୋରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଗୋରୁ ଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା । ବ୍ଳକର କଲଣ-କୁସ୍ତିରା ସେତୁ, ଯବରା-ଜେନାପୁର ସେତୁ, କୁଆଖିଆ- ଯୋକଡ଼ିଆ ରାସ୍ତା, କୁଆଖିଆ-ଯାଜପୁର ଟାଉନ ରାସ୍ତା, ମଧୁବନ-ବାରବାଟୀ ରାସ୍ତା ଆଦି ବହୁ ଗ୍ରାମାଞ୍ଚଳ ରାସ୍ତା ମୁଖ୍ୟ ବ୍ୟବସାୟର ରାସ୍ତା ପାଲଟିଛି। ଏହି ସବୁ ରାସ୍ତା ୧୬ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବାରୁ ବ୍ୟବସାୟୀ ସହଜରେ ରାତି ଅଧିଆ ବଡ଼ବଡ଼ ଗାଡ଼ି ଦ୍ଵାରା ବେଆଇନ୍ ଗୋଚାଲାଣ କରୁଛନ୍ତି। ପ୍ରାଣୀ ସୁରକ୍ଷା ଆଇନ୍ ଅନୁସାରେ ଗୋରୁ ଚାଲାଣ ପାଇଁ ଗାଡ଼ିକୁ ପରିବହନ ବିଭାଗ ସ୍ଵତନ୍ତ୍ର ଅନୁମତି ପ୍ରଦାନ କରାଯିବାର ନିୟମ ରହିଛି। ଗୋଟିଏ ଟ୍ରକରେ ସର୍ବାଧ‌ିକ ୪ଟି ଗୋରୁ ଚାଲାଣ ହେବାର ନିୟମ ଥିବା ବେଳେ ସମ୍ମୁଖରେ ସୂଚନାଫଳକ ରହିବା ମଧ୍ୟ ବାଧ୍ୟତାମୂଳକ । ଏହି ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରାଯାଇ ଆଳୁ ବସ୍ତା ଭଳି ଗୋରୁମାନଙ୍କୁ ଲଦି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ବିଭିନ୍ନ ସ୍ଥାନରେ ଚାଷୀଙ୍କ ସୁବିଧା ପାଇଁ ଗୋରୁହାଟ ଚାଲିଥିବା ନେଇ କୁହାଯାଇଥିବା ବେଳେ ଏହା ବେପାରିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ରାଜ୍ୟ ଓ ରାଜ୍ୟ ବାହାର ମାଫିଆ ଏଠାକୁ ଆସୁଛନ୍ତି। ପ୍ରତି ସପ୍ତାହରେ ଶହଶହ ଗୋରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। କୌଣସି ସରକାରୀ ଅନୁମତି ନଥାଇ ହାଟ ଚାଲିଥିବା ଜଣାପଡ଼ିଛି। ଏହାକୁ ବନ୍ଦ ନକରି ମାଫିଆମାନେ ବେଆଇନ୍ ଭାବେ ହାଟ ଚଳାଇଥିବା ଜଣାପଡ଼ିଛି । ସରକାରୀ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ଗୋ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *