ମାଓ ଲିଙ୍କ୍, ଏନ୍‌ଆଇଏର ଚଢ଼ଉ


ଜୟପୁର/ ମାଲକାନଗିରି: ମାଓ ଲିଙ୍କ୍। ମାଲକାନଗି ରି ଏବଂ ପଡ଼ୋଶୀ ଛତିଶଗଡ଼ ସୁକୁମା ଜିଲ୍ଲାର ଦୁଇଟି ସ୍ଥାନରେ ଏନେଇ ଆଜି ଚଢ଼ଉ କରିଛି ହାଇଦ୍ରାବାଦରୁ ଆସିଥିବା ଏଆଇଏ (ଜାତୀୟ ତଦନ୍ତକାରୀ ସଂସ୍କା)ର ଏକ ସ୍ଵତନ୍ତ୍ର ଟିମ୍। ଟାର୍ଗେଟ୍‌ରେ ଥିଲେ ମୋଟୁ ଥାନା ଅନନ୍ତପଲ୍ଲୀ ଗାଁର ନାକା ଡେଭିଡ୍ ରାଜୁ ଏବଂ ସୁକ୍‌ମା ଅଞ୍ଚଳର ଦୁଇ ଜଣ ବ୍ୟବସାୟୀ। ସେମାନଙ୍କ ଘର ଯାଞ୍ଚ୍ ପରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି ସଂସ୍ଥା।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁୟାରୀରେ ଡେଭିଡ୍‌ଙ୍କୁ ଗିରଫ କରି ଆନ୍ଧ୍ରର ଚିନ୍ତୁର ପୁଲିସ୍ କୋର୍ଟ ଚାଲାଣ କରିଥିଲା। ପେସାରେ ସେ ଥିଲେ ଜଣେ ମାଛ ବ୍ୟବସାୟୀ। ମାଛ ବିକ୍ରି କରିବାକୁ ଯିବାବେଳେ ତାଙ୍କ ବାଇକ୍‌ରୁ ଡିଟୋନେଟର ଭଳି ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା ଚିନ୍ତୁର ପୁଲିସ। ମାଓବାଦୀଙ୍କୁ ଏହି ବିସ୍ଫୋରକ ସାମଗ୍ରୀ ଯୋଗାଇ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟଚାଲାଣ ପରେ ସେ ୬ ମାସ ଜେଲ୍‌ରେ ରହି ଥିଲେ। ଜେଲରୁ ଫେରି ଏବେ ଘରେ ଥିବାବେଳେ ଆଜି ସକାଳେ ଡିଭିଏଫ୍ ଏବଂ ବିଏସ୍ଏଫ୍ ଯବାନଙ୍କ ସହାୟତାରେ ତାଙ୍କ ଘରେ ଅତର୍କିତ ଚଢ଼ଉ କରିଥିଲା ଏନ୍‌ ଆଇଏ ଟିମ୍। ଘରେ ଥିବା ବିଭିନ୍ନ ଦାମୀ ଜିନିଷ କେଉଁଠୁ ଆସିଲା, ମାଓବାଦୀଙ୍କ ସହ ତାଙ୍କର ସମ୍ପର୍କ ରହିଛି କି ନାହିଁ -ସେ ସମ୍ପର୍କରେ ପଚାରି ବୁଝିଥିଲା। ପରିବାରର ସମସ୍ତଙ୍କ ଆଧାରକାର୍ଡ, ବ୍ୟାଙ୍କ ପାସ୍‌ବୁକ୍ ଯାଞ୍ଚ୍ କରିବା ସହ ଗୋଟିଏ କାଗଜରେ ଦସ୍ତଖତ ନେଇ ପଳାଇଥିଲେ। ଗଲାବେଳେ ତାଙ୍କ ମୋବାଇଲ ଫୋନ୍ ନେଇଯାଇଥିଲେ।
ଅନୁରୂପ ଭାବେ ଛତିଶଗଡ଼ ସୁକୁମା ସହରରେ ରହୁଥିବା ୨ ବ୍ୟବସାୟୀଙ୍କ ଘରେ ବି ଚଢ଼ଉ କରାଯାଇଥିଲା। ଜଣେ ବ୍ୟବସାୟୀ ସାପ୍ତାହିକ ବଜାରରେ ବେପାର କରୁଥ୍ ବା ବେଳେ ଅନ୍ୟ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲେ । ମାଓ କାର୍ଯ୍ୟକଳାପରେ ସାମିଲ୍ ଥିବା ଅଭିଯୋଗରେ ପୁଲିସ୍ ଗତ ସେପ୍ଟେମ୍ବର ୨୬ ତାରିଖରେ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି ସେମାନଙ୍କ ଘରେ ଚଢ଼ଉ କରି ଅଧିକ ତଥ୍ୟ ସଂଗ୍ରହ କରିଥିଲା ଏନ୍‌ଆଇଏ ଟିମ୍। ମୋଟାମୋଟି ମାଓବାଦୀଙ୍କ ସହ ସେମାନଙ୍କ ସମ୍ପର୍କ ଏବଂ ଧନସମ୍ପଭିର ଯାଞ୍ଚ୍ କରାଯାଇଥିଲା । ଅଥଚ ଏ ସମ୍ପର୍କରେ କୌଣସି ସୂଚନା ଦେବାକୁ ମୁହଁ ଖୋଲିନି ମାଲକାନଗିରି ପୁଲିସ।

Leave a Reply

Your email address will not be published. Required fields are marked *