ବେଆଇନ ଗୋରୁଚାଲାଣ କେନ୍ଦ୍ର ପାଲଟିଛି ଶାଳବଣି ଓ ଟୁକୁଣା ହାଟ
କେଶଦୁରାପାଳ : ଆନନ୍ଦପୁରରୁ ବେଆଇନ୍ ଗୋରୁଚାଲାଣ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ପଶୁ ସୁରକ୍ଷା ଆଇନକୁ ଉଲଂଘନ କରି ପ୍ରତି ସପ୍ତାହରେ ଗୋରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଗୋରୁ ଚାଲାଣର ମୁଖ୍ୟ କେନ୍ଦ୍ର ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣୀ, ଫକିରପୁର ଓ ଟୁକୁଣା ଗୋରୁହାଟ ବୋଲି କୁହାଯାଉଛି। ପ୍ରତି ମଙ୍ଗଳବାର ଏଠାରେ ହାଟ ବସୁଥିବାବେଳେ ସପ୍ତାହ ସାରା ଗୋରୁ କାରବାର ଚାଲିଛି। ପଶୁ ସୁରକ୍ଷା ଆଇନ୍ ଅନୁସାରେ ଗୋରୁ ଚାଲାଣ ପାଇଁ ଗାଡିକୁ ପରିବହନ ବିଭାଗ ସ୍ଵତନ୍ତ୍ର ଅନୁମତି ପ୍ରଦାନ କରାଯିବାର ନିୟମ ରହିଛି। ଗୋଟିଏ ଟ୍ରକରେ ସର୍ବାଧିକ ଚାରିଟି ଗୋରୁ ଚାଲାଣ ହେବାର ନିୟମ ଥିବା ବଳେ ସମ୍ମୁଖରେ ସୂଚନାଫଳକ ରହିବା ମଧ୍ୟ ବାଧ୍ୟତାମୂଳକ । ଏହି ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରାଯାଇ ଆଳୁବସ୍ତା ଭଳି ଗୋରୁମାନଙ୍କୁ ଲଦି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି। ତେବେ ଏହାକୁ ବିରୋଧ କରାଯିବାରୁ ଏବେ ଗୋରୁମାନଙ୍କୁ ହଳହଳ କରି ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣୀ ଗୋରୁହାଟରୁ କଣ୍ଠି ପାଳ ରାସ୍ତା ଦେଇ ଚଲାଇ ଚଲାଇ ସାତକୋଶିଆ ଛକକୁ ନେବା ପରେ କଣ୍ଟେନର ଦ୍ବାରା ଗୋରୁ ବୋଝେଇ ହୋଇ ଚାଲାଣ କରାଯାଇଛି । ଚାଷୀଙ୍କ ସୁବିଧା ପାଇଁ ଗୋରୁହାଟ ଚାଲିଥିବା ନେଇ କୁହାଯାଇଥିବାବେଳେ ଏହା ବେପାରୀଙ୍କ ଆଡ୍ଡା ପାଲଟିଛି। ରାଜ୍ୟ ଓ ରାଜ୍ୟ ବାହାର ମାଫିଆମାନଙ୍କ ସମାଗମ ହେଉଥିବାବେଳେ ପ୍ରତି ସପ୍ତାହରେ ଶହଶହ ଗୋରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଗତ ମାର୍ଚ୍ଚ ୨୧ରେ ଆନନ୍ଦପୁର ଉପଜିଲାପାଳ ଓ ଏସ୍ପିଓ ହାଟ ସମ୍ପର୍କରେ ତଦନ୍ତ କରିବାକୁ ଯାଇଥିବାବେଳେ କୌଣସି ସରକାରୀ ଅନୁମତି ନଥାଇ ହାଟ ଚାଲିଥିବା ଜଣାପଡ଼ିଥିଲା। ଏହାକୁ ବନ୍ଦ ନକରି ମାଫିଆମାନେ ବେଆଇନ୍ ଭାବେ ହାଟ ଚଳାଇଥିବା ଜଣାପଡ଼ିଛି। ଆନନ୍ଦପୁର ବିଧାୟକ, କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳଙ୍କ ନିକଟରେ ଲିଖତ ଅଭିଯୋଗ କରିଛନ୍ତି। ଅଦ୍ୟାବଧୂ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ଗୋ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନନ୍ଦପୁର ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି ।