ହିନ୍ଦୁ ସୁରକ୍ଷା ମଞ୍ଚର ବାଇକ୍ ରାଲି, ସ୍ମାରକପତ୍ର ପ୍ରଦାନ
ବ୍ରହ୍ମପୁର, ୫।୧୨।୨୦୨୪:-ବାଂଲାଦେଶରେ ହିନ୍ଦୁମାନଙ୍କୁ ବାରମ୍ବାର ଅତ୍ୟାଚାର, ସେମାନଙ୍କ ପ୍ରତି ଅନ୍ୟାୟ, ମାଆ ଓ ଭଉଣୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର ଠାରେ ବାଇକ୍ ରାଲି ଓ ଗଣବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାମଲିଙ୍ଗମ୍ ଟ୍ୟାଙ୍କ୍ ରୋଡ୍ରୁ ସହସ୍ରାଧିକ ବ୍ୟକ୍ତିଙ୍କ ବାଇକ୍ ରାଲି ବାହାରିଥିଲା । ଠାକୁରାଣୀ ମନ୍ଦିର, ସାନବଜାର, କର୍ପୋରେସନ୍ ରୋଡ, ଗେବଜାର, ସୁବାରାଓ ଛକ ହୋଇ ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାର ନକଲ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଥିଲା।
ହିନ୍ଦୁ ସୁରକ୍ଷା ମଞ୍ଚ ସଂଯୋଜକ ବି.ଶ୍ରୀନିବାସ ଆଚାରୀ, ସହସଂଯୋଜକ ଅର୍ଜୁନ ବେହେରା, ଶିକ୍ଷାବିତ୍ ଡ. ଭଗବାନ ତ୍ରିପାଠୀ, ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ଅଶୋକ ପାଳ, ରମାକାନ୍ତ ରଥ, ଟୁଟୁନ ପାତ୍ର, ବିଭିନ୍ନ ହିନ୍ଦୁ ସଙ୍ଗଠନରୁ ବିଜୟ ସାମଲ, ମନୋରଞ୍ଜନ ପ୍ରଧାନ, ରଶ୍ମିରଞ୍ଜନ ମହାକୁଡ଼, ପ୍ରହଲ୍ଲାଦ ପାଣିଗ୍ରାହୀ, ମାଧବ ନାୟକ, ମନୋଜ ଚୌଧୁରୀ, ସୁରେଶ ବିଶୋୟୀ, ଶ୍ରୀକାନ୍ତ ପାଢୀ ଯୋଗ ଦେଇଥିଲେ । ଆର୍ଯ୍ୟ ସମାଜ, ଚିନ୍ମୟ ମିଶନ୍, ଗାୟତ୍ରୀ ପରିବାରର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ସାଧୁସନ୍ଥଙ୍କ ମଧ୍ୟରୁ ମହେନ୍ଦ୍ରଗିରିର ଭାସ୍କର ଚିତ୍ର, ଲକ୍ଷ୍ମୀ ବାବା, ଅଞ୍ଜୁଳନନ୍ଦ ଗିରି ମଧ୍ୟ ଉପସ୍ଥିତ ଥିଲେ।