ମୁମ୍ବାଇ: ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ୍ ହୋଇଥିବା ପାନୀୟ ଜଳ ଓ ମିନେରାଲ୍ ଓ୍ବାଟରକୁ ‘ହାଇ ରିସ୍କ ଫୁଡ୍’ ଅର୍ଥାତ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପାନୀୟ ଭାବେ ବର୍ଗୀକରଣ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ଏହି ଉତ୍ପାଦଗୁଡିକ ବର୍ତ୍ତମାନ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ ପକ୍ଷ ଅଡିଟ୍ ଅଧୀନରେ ରହିବ। ଏସବୁ ତୃତୀୟ ପକ୍ଷ ଅଡିଟ ସଂସ୍ଥା ଏଫ୍ଏସ୍ଏସ୍ଏଆଇ ମାନ୍ୟତାପ୍ରାପ୍ତ ହେବା ଆବଶ୍ୟକ ।
ଏହି ଉତ୍ପାଦଗୁଡିକ ପାଇଁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ)ରୁ ସାର୍ଟିଫିକେସନର ଆବଶ୍ୟକତାକୁ ହଟାଇବା ପାଇଁ ସରକାର ଅକ୍ଟୋବର ରେ ନିଷ୍ପତ୍ତି ନେବା ପରେ ଏହି ସଂଶୋଧନ ଆସିଛି ।
ନୂଆ ନିୟମ ଅନୁସାରେ ପ୍ୟାକେଜଡ୍ ପାନୀୟ ଜଳ ଓ ମିନେରାଲ ଓ୍ବାଟର କମ୍ପାନିଗୁଡ଼ିକର ପ୍ରତିବର୍ଷ ବାଧ୍ୟତାମୂଳକ ପର୍ଯ୍ୟବେକ୍ଷଣ ହେବ । ଏହାଛଡ଼ା କମ୍ପାନିକୁ ଲାଇସେନ୍ସ ପ୍ରଦାନ ପୂର୍ବରୁ ପର୍ଯ୍ୟବେକ୍ଷଣ ହେବ ।
ସୂଚନାଯୋଗ୍ୟ ଯେ ଏକ ପ୍ୟାକେଜ୍ ହୋଇଥିବା ପାଣି ୟୁନିଟରେ ପାଣିର ବିଶୋଧନ କରାଯାଏ ଏବଂ ତା’ପରେ ଏଥିରେ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ମିଶାଯାଏ । ଦୂଷିତ ପାଣି ଦ୍ୱାରା ଅନେକ ମହାମାରୀ ବ୍ୟାପିଥାଏ, ତେଣୁ ପ୍ୟାକେଜ୍ ପାଣି ୟୁନିଟ୍ ଗୁଡ଼ିକୁ ସୁନିଶ୍ଚିତ କରିବାକୁ ପଡିବ ଯେ ସେମାନଙ୍କର ପାଣି ପିଇବା ପାଇଁ ସୁରକ୍ଷିତ ଅଟେ ।