ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ରାଜ୍ୟ ସମ୍ମିଳନୀ
ଭୁବନେଶ୍ୱର, ତା୧।୧୨-ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡ଼ିଶା ଶାଖାର ଏକଦିବସୀୟ ରାଜ୍ୟ ସମ୍ମିଳନୀ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଅତୀତରେ ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ସାଧନ କରିଥିଲା। ପୁଷ୍ପାଗିରି ବିଶ୍ବବିଦ୍ୟାଳୟର ଭଗ୍ନାବଶେଷ ତାର ମୂକସାକ୍ଷୀ ହୋଇ ରହିଛି। ଶିକ୍ଷକମାନଙ୍କର ଦାବି ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଚେତନ ଥିବା ସେ ଦର୍ଶାଇଥିଲେ। ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସର୍ବ-ଭାରତୀୟ ସଂଗଠନ ସମ୍ପାଦକ ମହେନ୍ଦ୍ର କପୁର କହିଲେ ଯେ, ‘ରାଷ୍ଟ୍ର ହିତରେ ଶିକ୍ଷା, ଶିକ୍ଷା ହିତରେ ଶିକ୍ଷକ ଓ ଶିକ୍ଷକ ହିତରେ ସମାଜ’ ଏହାକୁ ମୂଳମନ୍ତ୍ର କରି ମହାସଂଘ ଦେଶବ୍ୟାପୀ କାର୍ଯ୍ୟ କରୁଛି। ଓଡ଼ିଶା ଶାଖାର ସଭାପତି ନିଲୁରାମ ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଉଚ୍ଚଶିକ୍ଷା କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ଗୋପାଳକୃଷ୍ଣ ଦାଶ, ଡକ୍ଟର ଗୋପାଳ ପ୍ରସାଦ ମହାପାତ୍ର ଓ ଡକ୍ଟର ଅନୀଲ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ସ୍ଵାଗତ ଭାଷଣ ଦେଇଥିଲେ ଓ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶେଷରେ ପ୍ରଫେସର ଶିବବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଳାରୁ ଆସିଥିବା ଚାରିଶହ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଶିକ୍ଷକ ଏଥିରେ ଯୋଗଦେଇଥିଲେ। ଆଗାମୀ ତିନିବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା।