ବାଂଲାଦେଶର ଛଟୋଗ୍ରାମରେ ୩ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଢାକା : ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ହିନ୍ଦୁ ସନ୍ଥ ତଥା ପୂର୍ବତନ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଏବଂ ଗିରଫକୁ ବିରୋଧ କରି ବାଂଲାଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଏବଂ ହିଂସା ଜାରି ରହିଥିବା ବେଳେ ଶୁକ୍ରବାର ବାଂଲାଦେଶର ଛଟୋଗ୍ରାମରେ ୩ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି।  ବନ୍ଦର ସହରର ହରିଶ ଚନ୍ଦ୍ର ମନସେଫ୍‌ ଲେନ୍‌ରେ ମାତୃ ମନ୍ଦିର, ଶନି ମନ୍ଦିର ଏବଂ କାଳିବାଡ଼ି ମନ୍ଦିର ଉପ‌ରେ ଆକ୍ରମଣ ହୋଇଛି।  ମନ୍ଦିର କର୍ତ୍ତୃପକ୍ଷ  କହିଛନ୍ତି, କିଛି ଲୋକ ହିନ୍ଦୁ ବିରୋଧୀ ସ୍ଲୋଗାନ୍‌ ଦେଇ  ମନ୍ଦିର ପରିସରରେ ଭଙ୍ଗାରୁଜା କରିଛନ୍ତି। ଅନ୍ୟପକ୍ଷେ ଆଜି ପୁଣି ଜଣେ ହିନ୍ଦୁ ପୁରୋହିତଙ୍କୁ  ଗିରଫ କରାଯାଇଛି। ତାଙ୍କ ନାଁ ଶ୍ୟାମ ଦାସ ପ୍ରଭୁ।  ଚିନ୍ମୟକୃଷ୍ଣ ଦାସଙ୍କୁ  ଭେଟିବାପାଇଁ ସେ ଜେଲ୍‌କୁ ଯାଇଥିବାବେଳେ ତାଙ୍କୁ ଗିରଫ କରାଯାଇଛି।  ତାଙ୍କୁ ବିନା ୱାରେଣ୍ଟ୍‌ରେ ଗିରଫ କରାଯାଇଛି।  ଇସ୍କନ କୋଲକାତାର ଉପସଭାପତି ଏବଂ ମୁଖପାତ୍ର ରାଧାରମଣ ଦାସ କହିଛନ୍ତି,  ଅନ୍ୟଜଣେ ବ୍ରହ୍ମଚାରୀ ଶ୍ରୀ ଶ୍ୟାମ ଦାସ ପ୍ରଭୁ ଛଟୋଗ୍ରାମ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ଇତିମଧ୍ୟରେ ବାଂଲାଦେଶରେ ଆର୍ଥିକ ଗୁଇନ୍ଦା ବିଭାଗ ଇସ୍କନ ବାଂଲାଦେଶ ସହ ଜଡ଼ିତ ୧୭ ଜଣ ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟ୍‌ ଅଚଳ କରିଦେଇଛି। ଚିନ୍ମୟକୃଷ୍ଣ ଦାସଙ୍କ ସମେତ ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ୩୦ ଦିନ ପାଇଁ ଅଚଳ କରାଯାଇଛି। ଇତିମଧ୍ୟରେ ଭାରତ ଚିନ୍ମୟକୃଷ୍ଣ ଦାସଙ୍କୁ ଜାମିନ ନମିଳିବାକୁ ନେଇ ଚିନ୍ତା ପ୍ରକଟ କରିଛି।  ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କର ସୁରକ୍ଷା ସୁନିଶ୍ଚିତ କରିବାପାଇଁ ଭାରତ ବାଂଲାଦେଶକୁ ଅନୁରୋଧ କରିଛି।  ଏଭଳି ଘଟଣା ୨ ରାଷ୍ଟ୍ର ମଧ୍ୟରେ କୂଟନୈତିକ ବିବାଦ ବୃ୍ଦ୍ଧି କରୁଥିବା ଭାରତ କହିଛି। ବାଂଲାଦେଶର ଅନ୍ତରୀଣ ସରକାର ସମସ୍ତ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ଭାରତ କହିଛି।

Leave a Reply

Your email address will not be published. Required fields are marked *