ପାଣିକୋଇଲି ପଂଚାୟତର କୁନି ବେଜ୍ଞାନିକଙ୍କ ଉଦ୍ଭାବନ


ପାଣିକୋଇଲି, ୨୯।୧୧: ସାଧାରଣତଃ ଯେଉଁ ବୟସରେ ପିଲାମାନେ ଖେଳ କୁଦ କରି ନିଜର ସମୟ କାଟିଥାନ୍ତି ସେ ବୟସରେ ନିଜର ଜ୍ଞାନ ବଳରେ ପାଣିକୋଇଲି ପଂଚାୟତର କୁନି ବେଜ୍ଞାନିକ ଭାବେ ପରିଚିତ ଦିବ୍ୟାଶୁ ସ୍ବାଇଁ ନିଜ ହାତ ତିଆରି ଏକ ମିନି ରେଫ୍ରିଜେରେଟର ତିଆରି କରି କୋରାଇ ବ୍ଲକ୍ ସ୍ତରରୁ ମନୋନୀତ ହୋଇ ଜିଲାସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବା ଲାଗି କୃତିତ୍ୱ ଅର୍ଜନ କରିଛନ୍ତି । ବ୍ଲକର ପୂର୍ବକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ନଭେମ୍ବର ୨୫ରେ ଆୟୋଜିତ ବ୍ଲକ୍‌ସ୍ତରୀୟ ବିଜ୍ଞନ ମେଳାରେ ଦିବ୍ୟଶୁ ମନୋନୀତ ହୋଇ ଜିଲାସ୍ତରୀୟ ବିଜ୍ଞାନମେଳାରେ ଭାଗ ନେବା ଲାଗି ସ୍ବୀକୃତିପାପ୍ତ ହୋଇଛନ୍ତି। ଅନନ୍ୟ ପ୍ରତିଭାଧାରୀ ଦିବ୍ୟଶୁ ଛୋଟ ବୟସରୁ କିଛି ନୂତନ ତିଆରି କରିବା ନେଇ ସବୁବେଳେ ଉଦ୍ୟମ କରି ନିଜ ବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି । ତେବେ ଗତ କିଛି ଦିନ ତଳେ ସେ ନିଜସ୍ଵ ଜ୍ଞାନକୌଶଳରେ ତିଆରି କରିଥିବା ‘ଅବଷ୍ଟ୍ରାକଲ ଆଭୋଇଡ଼ିଙ୍ଗ ରେବୋଟ’ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ବସ୍ତୁ ପାଲଟିଥିଲା। ସେ ତିଆରି କରିଥିବା ଉକ୍ତ ରୋବୋଟର ବିଶେଷତ୍ଵ ହେଉଛି ଯଦି ଏହାର ସମ୍ମୁଖରେ କୌଣସି ବସ୍ତୁ ଆସିଯାଏ ତେବେ ସେ ଆପେ ଆପେ ନିଜକୁ ନିୟନ୍ତ୍ରଣ କରି ନିଜର ଗତି ପରିବର୍ତ୍ତନ କରିଦେଇଥାଏ । ଉକ୍ତ ରୋବୋଟର ପ୍ରକଳ୍ପକୁ ବିକଶିତ କରି ବାଇକ, କାର ସମେତ ସମସ୍ତ ଗତିଶୀଳ ଯାନରେ ବ୍ୟବହାର କରାଗଲେ ରାସ୍ତା ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ ବୋଲି ତାଙ୍କର ମତ। ଯାହାଦ୍ବାରା ବହୁ ମୂଲ୍ୟବାନ ଜୀବନକୁ ବଞ୍ଚାଯାଇ ପାରିବ ବୋଲି ଦିମାଂଶୁ କୁହନ୍ତି। ଦିବ୍ୟଶୁ ହେଉଛନ୍ତି ପାଣିକୋଇଲି ପଞ୍ଚାଯତର ନାଏବ ସରପଞ୍ଚ ଦେବେନ୍ଦ୍ର କୁମାର ସ୍ବାଇଁ ଓ ରଶ୍ମିତା ସ୍ବାଇଁଙ୍କ ଏକମାତ୍ର ପୁତ୍ର। ସେ ଇଲେକଟ୍ରୋନିକ୍ସରେ ନିଜର ରୁଚି ରଖୁଥ‌ିବାବେଳେ ଆଗାମୀ ଦିନରେ ଜଣେ ବୈଜ୍ଞାନିକ ହୋଇ ଦେଶ ମାତୃକାର ସେବାରେ ନିଜକୁ ସମର୍ପିତ କରିବା ଲାଗି ନିଜର ଲକ୍ଷ୍ୟ ରଖିଥ‌ିବା ପ୍ରକାଶ କରିଛନ୍ତି। ସେ ଏବେ ବେଗନାସ୍ଥିତ କୋରେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ର। ଯଦି ଦିବ୍ୟଶୁଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିପାରନ୍ତା ତେବେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *