କେନ୍ଦୁଝର ସହରର ରାସ୍ତାକଡ଼ରେ ମାଂସ ବିକ୍ରି ବନ୍ଦ ହେବ


କେନ୍ଦୁଝର: କେନ୍ଦୁଝର ସହରର ରାସ୍ତାକଡ଼ରେ ଛେଳି ଓ କୁକୁଡ଼ା କଟାଯାଇ ମାଂସ ବିକ୍ରି ହେଉଛି। ଏହାକୁ ବନ୍ଦ ପାଇଁ ପୌରପାଳିକା ପକ୍ଷରୁ ଉଦ୍ଯମ ଆରମ୍ଭ ହୋଇଛି ା କେନ୍ଦୁଝର ସହରର ମାଇନିଂରୋଡରେ ବହୁ ସଂଖ୍ୟାରେ କଂସେଇଖାନା ଚାଲିଛି। କୁକୁଡ଼ା ଓ ଛେଳି ଗୁଡ଼ିକୁ ଖୋଲାମେଲାରେ କଟାଯାଉଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା କୋମଳମତି ଶିଶୁଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ସହରର ଗାନ୍ଧୀ ମାର୍କେଟ କମ୍ପ୍ଲେକ୍ସରେ ୪୦ଜଣ ବ୍ୟବସାୟୀ ଅସ୍ବାସ୍ଥ୍ୟକର ପରିବେଶରେ ମାଛମାଂସ ବିକ୍ରି କରୁଛନ୍ତି। ସେହିପରି ବଣିଆପାଟ, ଚର୍ଚ୍ଚ ଛକ, କଲେଜରୋଡ ଆଦି ସ୍ଥାନରେ ଛୋଟବଡ଼ ୨୦୦ରୁ ଊର୍ଦ୍ଧ୍ୱ ମାଛ, ମାଂସ ଦୋକାନ ଗଢ଼ି ଉଠିଛି। କଂସେଇଖାନା ହଟାଇବାପାଇଁ ପୌରପାଳିକା ପକ୍ଷରୁ ଧାଙ୍ଗରପଡ଼ାଠାରେ ୪୦ଟି ଦୋକାନ ଗୃହ ନିର୍ମାଣ ହୋଇଛି। ମାତ୍ର ଏଠାକୁ ମାଛ, ମାଂସ ବେପାରୀଙ୍କୁ ସ୍ଥାନାନ୍ତର କରାଯାଉ ନଥିବାରୁ ସେମାନେ ପୂର୍ବଭଳି ରାସ୍ତାକଡ଼ରେ ବସି ବ୍ୟବସାୟ କରୁଛନ୍ତି। ସେଗୁଡ଼ିକୁ ହଟାଇବା ପାଇଁ ନୋଟିସ୍ ଲଗାଯାଇଛି। କଂସେଇଖାନା ସ୍ଥାନାନ୍ତର ପାଇଁ ସମ୍ପୃକ୍ତ ମାଲିକମାନଙ୍କୁ ସମୟ ଦିଆଯାଇଛି। ସ୍ଥାନାନ୍ତର ନକଲେ ପୌରାପଳିକା ପକ୍ଷରୁ କଂସେଇଖାନା ବନ୍ଦ କରାଯିବ ବୋଲି ପୌରନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି।
ପ୍ରାଣୀ ସମ୍ପଦ ବିଭାଗ ଅଧୀନରେ ଥିବା ଏସ୍‌ସିଏ ନିରୀକ୍ଷକମାନେ ମୋବାଇଲ କୋର୍ଟ ମାଧ୍ୟମରେ ନିଷ୍ଠୁରଭାବେ ପଶୁପକ୍ଷୀ ହତ୍ୟା କରିବା, ବେଆଇନ ପଶୁ ଚାଲାଣକାରୀଙ୍କୁ ଜରିମାନା କରିଥା’ନ୍ତି। ପ୍ରତ୍ୟେକ ଜିଲ୍ଲାରେ ଏସ୍‌ସିଏ ନିରୀକ୍ଷକ ପଦବି ରହିଛି। ରାଜ୍ୟର କେବଳ ଦୁଇଟି ଜିଲ୍ଲା ମୟୂରଭଞ୍ଜ ଓ ପୁରୀରେ ଏସ୍‌ସିଏ ନିରୀକ୍ଷକ ଅଛନ୍ତି। ଅନ୍ୟ ଜିଲ୍ଲା ଗୁଡ଼ିକରେ ଏହି ପଦବି ଫାଙ୍କା ପଡ଼ିଥିବାରୁ ଧରପଗଡ଼ ହୋଇପାରୁ ନାହିଁ। ରାସ୍ତାକଡ଼ରେ ମାଂସ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ତୁରନ୍ତ ଧାଙ୍ଗରପଡ଼ାସ୍ଥିତ ମାର୍କେଟ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରିବାପାଇଁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *