କ୍ଷେତ୍ରୀୟ ଜ୍ଞାନବିଜ୍ଞାନ ମେଳାର କୃତୀ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା


ରେମୁଣା: ରେମୁଣା ବ୍ଲକ ଅନ୍ତର୍ଗତ ବାଲିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ କ୍ଷେତ୍ରୀୟ ଜ୍ଞାନବିଜ୍ଞାନ ମେଳାର କୃତୀ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟର ସଭାପତି କାଞ୍ଚନବାଳା ପାତ୍ର, ପ୍ରଧାନଆଚାର୍ଯ୍ୟ ନରେନ୍ଦ୍ର କୁମାର ମହାନ୍ତି, ପର୍ଯ୍ୟାୟ ପ୍ରମୁଖ ସୁକୁମାର ହାଜିରା ଓ ସ୍ଵର୍ଣ୍ଣପ୍ରଭା ପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଭାରତୀ ପୂର୍ବକ୍ଷେତ୍ର (ଓଡିଶା, ଆଣ୍ଡାମାନ, ସିକିମ) ଦ୍ଵାରା ଚଳିତ ମାସ ୨୧ ଓ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସରସ୍ଵତୀ ଶିଶୁ ମନ୍ଦିରରେ ଆୟୋଜିତ ବିଜ୍ଞାନମେଳାରେ ଲକ୍ଷ୍ମୀଧର ମହାନ୍ତି ବିଜ୍ଞାନ ପତ୍ରବାଚନରେ ପ୍ରଥମ ସ୍ଥାନ ଓ ଅଙ୍କିତ କୁମାର ଦାସ ବିଜ୍ଞାନ ପ୍ରୟୋଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଉକ୍ତ ସମୟରେ ମାଲଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ଗଣିତମେଳାରେ ଦଳଗତ ଭାବରେ ସୁମନ ଦାସ, ଆଦିତ୍ୟ କୁମାର ବାରିକ ଓ ସ୍ବାତୀ ସୁଲଗ୍ନା କରି ବୈଦିକ ଗଣିତ ପ୍ରଶ୍ନମଞ୍ଚରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରକାଶ ଥାଉକି, ବିଜ୍ଞାନମେଳାରେ କୃତିତ୍ଵ ଅର୍ଜନ କରିଥିବା ଲକ୍ଷ୍ମୀଧର ଓ ଅଙ୍କିତ ଆସନ୍ତା ନଭେମ୍ବର ୧୨ ତାରିଖରେ ରାଜସ୍ଥାନର ଜ ୟ ପୁ ର ର ଆୟୋଜନ ହେବାକୁ ଥିବା ଅଖିଳ ଭାରତୀୟ ବିଜ୍ଞାନମେଳାରେ କ୍ଷେତ୍ର ପକ୍ଷରୁ ଅଂଶଗ୍ରହଣ କରିବେ । ନଭେମ୍ବର ୧୯ ତାରିଖରେ ଅନୁଗୁଳରେ ଆୟୋଜନ ହେବାକୁ ଥିବା ଅଖିଳ ଭାରତୀୟ ଗଣିତ ମେଳାରେ କ୍ଷେତ୍ର ପକ୍ଷରୁ ସୁମନ, ଆଦିତ୍ୟ, ସ୍ଵାତୀ ସୁଲଗ୍ନା ଅଂଶଗ୍ରହଣ କରିବେ । ଏହି ସଭାରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା, ପରିଚାଳନା ସମିତି କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ପରିଚୟ ସୁକୁମାର ହାଜିରା ପ୍ରଦାନ କରିଥିବା ବେଳେ ସ୍ଵର୍ଣ୍ଣପ୍ରଭା ପତି ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *