ଦୁଇଟି ମନ୍ଦିରରୁ ବଡ଼ଧରଣର ଚୋରି -ଲୁଟେରା ଦଳର ୨ଜଣ ଧରାପଡ଼ିଯାଇଛନ୍ତି

ବାଲିପାଟଣା: ନବରାତ୍ର ପୂଜା ଚାଲିଥିବା ବେଳେ ଗତକାଲି ରାତିରେ ଦୁଇ ଦୁଇଟି ମନ୍ଦିରରୁ ହୋଇଥିବା ବଡ଼ଧରଣର ଚୋରି ବାଲିପାଟଣା ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଲୁଟେରା ଦଳର ୨ଜଣ ଧରାପଡ଼ିଯାଇଛନ୍ତି ଏବଂ ବହୁ ଅଳଙ୍କାର, ମୂର୍ତ୍ତି ଓ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରାଯାଇଥିବା ସୂଚନା ମିଳିଛି। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଦୁର୍ବୃତ୍ତମାନେ ଶିବ ମନ୍ଦିରରେ କଳାକନା ବୁଲାଇ ଖସି ଆସିଥିବା ବେଳେ ମା ଦୁଲ୍ଲାଦେବୀଙ୍କ ମନ୍ଦିରରୁ ୨ଜଣ ଧରାପଡ଼ିଯାଇଥିଲେ। ଜଗତସିଂହପୁର ଅଞ୍ଚଳର ଏହି ଗ୍ୟାଙ୍ଗ୍ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ବହୁ ମନ୍ଦିରରେ କଳାକନା ବୁଲାଇଥିଲେ ବୋଲି ଚର୍ଚ୍ଚା ହେଉଛି।

ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନଦୀ ପାର୍ଶ୍ଵସ୍ଥ ଭାପୁର ପଞ୍ଚାୟତ ପଇଡ଼ପାଟଣା ବେଲେଶ୍ଵର ମନ୍ଦିରରୁ ଦୁର୍ବୃତ୍ତମାନେ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି | ୩ ଫୁଟ୍ ଉଚ୍ଚର ଅଷ୍ଟଧାତୁ ମୂର୍ତ୍ତି, ପିତ୍ତଳ ନାଗମୂର୍ତ୍ତି, ମୁକୁଟ, ଚୁଡ଼ି ଓ କମରପଟି, ସୁନା ମା’ ପାର୍ବତୀଙ୍କ ସୁନା ଆଖି, ଘଣ୍ଟ, ଘଣ୍ଟି, ଆଳତିଦାନୀ, ଗରା, ପିତ୍ତଳ ଢାଳ ଏବଂ ପ୍ରଭା, ଶିବ ଓ ପାର୍ବତୀଙ୍କ ସୁନା ଚେନ୍, ବାସନ କୁସନ ଏବଂ ୨୫ରୁ ଅଧିକ ପିତ୍ତଳ ନାଗ ମୂର୍ତ୍ତି ଚୋରି ହୋଇଛି। ଦୁର୍ବୃତ୍ତମାନେ ଶିବ ମନ୍ଦିରରୁ ଚୋରି କରି ସାରିବା ପରେ ବନମାଳୀପୁର ଦେୱାନପାଟଣା ମା’ ଦୁଲ୍ଲାଦେବୀଙ୍କ ମନ୍ଦିରରେ ପଶିଥିଲେ। ନବରାତ୍ର ପୂଜା ପାଇଁ ମା’ଙ୍କ ଅଳଙ୍କାର ସବୁ ପ୍ରତିମାରେ ଲାଗିରହିଥିଲା। ଦୁର୍ବୃତ୍ତମାନେ ମା’ଙ୍କ ରୁପା ମୁକୁଟ, ୨ ରୁପା ହାର, ୨ ସୁନା ଆଖି, ସୁନା ମଥା କିରୀଟ, ୪ଟି ସୁନା ହାର ଓ ପୂଜା ଉପକରଣ ସବୁ ଲୁଟିଥିଲେ। କିନ୍ତୁ ଏତିକିବେଳେ ହଠାତ୍ ମନ୍ଦିର ପାଖରେରହୁଥିବା ସିଦ୍ଧାର୍ଥ ବାରିକ ନିଦରୁ ଉଠି ବାହାରକୁ ଆସିଥିଲେ । ସେତେବେଳକୁ ଦୁର୍ବୃତ୍ତମାନେ ଚୋରି ସାମଗ୍ରୀ ଧରି ମନ୍ଦିରରୁ ସିଦ୍ଧାର୍ଥଙ୍କ ବାହାରିସାରିଥିଲେ | ପଡ଼ିବାରୁ ସନ୍ଦେହ କରି ସେ ବଡ଼ପାଟିରେ ସେମାନଙ୍କ ପରିଚୟ ମାଗିଥିଲେ। ସିଦ୍ଧାର୍ଥଙ୍କ ପାଟି ଶୁଣି ଜଣେ ଦୁର୍ବୃତ୍ତ ଖଣ୍ଡା ଦେଖାଇ ‘ଘରକୁ ପଳା’ ବୋଲି କହି ଧମକ ଦେଇଥିଲା। ସିଦ୍ଧାର୍ଥ ବୁଝିଗଲେ ଯେ ସେମାନେ ମନ୍ଦିର ଲୁଟୁଥିବା ଗ୍ୟାଙ୍ଗ୍ | ତେଣୁ ସେ ଖଣ୍ଡାକୁ ନ ଡରି ପାଖ ଘରର ଯୁବକଙ୍କୁ ଡାକ ପକାଇଥିଲେ । ଉକ୍ତ ଯୁବକ ଘରୁ ବାହାରିବା ଭିତରେ ୨ଟି ବାଇକ୍‌ରେ ୪/୫ଜଣ ପଳାଇଥିଲେ। କିନ୍ତୁ ଗୋଟିଏ ବାଇକ୍ ଷ୍ଟାର୍ଟ ହୋଇନଥିଲା। ତାକୁ କାବୁ କରିବାକୁ ସିଦ୍ଧାର୍ଥ ଓ ତାଙ୍କ ସାଙ୍ଗ ଝପଟିଯିବା ବେଳେ ସେ ଖଣ୍ଡା ଦେଖାଇଥିଲା। କିନ୍ତୁ ସେତେବେଳକୁ ପାଟି ଶୁଣି ଗାଁର କିଛି ଲୋକ ଉଠିପଡ଼ିଥିଲେ |ଖଣ୍ଡା ଦେଖାଇଥିବା ଦୁର୍ବୃତ୍ତଜଣକ ଅନ୍ଧାରରେ ଦୌଡ଼ିବାକୁ ଲାଗିଲା। କିନ୍ତୁ ଗାଁ ଲୋକେ ତାକୁ କାବୁ କରି ବହେ ଛେଚିଥିଲେ |

Leave a Reply

Your email address will not be published. Required fields are marked *