ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ
- ଡ. ସମନ୍ୱୟ ନନ୍ଦ-
ଏକ ଦେଶ ମେଁ ଦୋ ବିଧାନ, ଦୋ ନିଶାନ ନହିଁ ଚଲେଗା ’ ଏହି ସ୍ଲୋଗାନ ଦେଇ ଜାମ୍ମୁ- କାଶ୍ମୀରରେ ବଳିଦାନ ଦେଇଥିବା ଜନସଂଘର ପ୍ରତିଷ୍ଠାତା ସଭାପତି , ବିଶିଷ୍ଟ ଶିକ୍ଷାବିତ, କୋଲକାତା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୁନ ୨୩ ହେଉଛି ବଳିଦାନ ଦିବସ ।
ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ କାଳ ମାତ୍ର ୫୨ ବର୍ଷ ଥିଲା । ସେ ୧୯୦୧ରେ ଜନ୍ମ ଗ୍ରହଣ କରିଥିଲେ ଓ ୧୯୫୩ ମସିହାରେ ଶେଖ ଅବଦୁଲ୍ଲାଙ୍କ ଜେଲରେ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁବରଣ କରିଥିଲେ । ଏହି ଜୀବନକାଳରେ ଡ. ଶ୍ୟାମା ପ୍ରସାଦ ଯେଉଁ କାମ କରି ଯାଇଛନ୍ତି ତାହାର ତୁଳନା ନାହିଁ । ସେ ଜଣେ ଷ୍ଟେଟସମ୍ୟାନ ଓ ଶିକ୍ଷାବିତ ଥିଲେ । ସେ ଭାରତ ସରକାରରେ ମନ୍ତ୍ରୀ ଭାବେ କାମ କରିଥିଲେ । ତାଙ୍କର ସବୁଠାରୁ ବଡ ଅବଦାନ ଥିଲା ଯେ ସେ ଭାରତରେ ବୈକଳ୍ପିକ ରାଜନୈତିକ ନ୍ୟାରେଟିଭ ପ୍ରଦାନ କରିଥିଲେ । ଜଣେ ତାର ଜୀବନକାଳ ମଧ୍ୟରେ କେତେ କଣ କରି ପାରେ ବିଶେଷ ଭାବେ ଦେଶର ଏକତା, ଅଖଣ୍ଡତା, ଦେଶର ସଂସ୍କୃତି- ପରମ୍ପରାର ରକ୍ଷା କରିବା ସହ ଲୋକ ମାନଙ୍କର ଉତଥାନ କରିବା ତାହାର ପ୍ରମାଣ ହେଉଛନ୍ତି ଡ. ମୁଖାର୍ଜୀ ।
ତାଙ୍କ ବିଷୟରେ କିଛି ଲେଖିବା ବେଳେ ଆମକୁ ଉଲ୍ଲେଖ କରିବାକୁ ପଡିବ ଯେ ତାଙ୍କର ୫୨ ବର୍ଷର ଜୀବନ ମଧ୍ୟରେ କେବଳ ୧୪ ବର୍ଷ ରାଜନୀତିରେ ଥିଲେ । ଏହି ୧୪ ବର୍ଷର ରାଜନୈତିକ ଜୀବନରେ ସେ ଇତିହାସ ତିଆରି କରିଥିଲୋ । ସେ ଭାରତର ଅଖଣ୍ଡତା ରକ୍ଷା ପାଇଁ କାର୍ଯ୍ୟ କରିବା ସହ ଭାରତୀୟ ରାଜନୀତିକୁ ଏକ ନୂଆ ଦିଗ ଦେଇଥିଲେ ।
ଭାରତ ବିଭାଜନ ସମ୍ପର୍କିତ ନିଷ୍ପତି ପରେ ମୋହମ୍ମଦ ଅଲୀ ଜିନ୍ନା ଯେଉଁ ବୃହତର ପାକିସ୍ତାନ ନେବାକୁ ଚେଷ୍ଟା କରିଥିଲେ ତାକୁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ପ୍ରବଳ ବିରୋଧ କରିଥିଲେ । ତାଙ୍କର ପ୍ରବଳ ବିରୋଧ କାରଣରୁ କୋଲକାତା ଓ ପଶ୍ଚିମ ବଙ୍ଗ ଭାରତରେ ରହିଥିଲା । ନ ହେଲେ ତାହା ମଧ୍ୟ ପାକିସ୍ତାନରେ ଯିବାର ଥିଲା । ସେହିପରି ପଂଜାବର କିଛି ଅଂଶ ମଧ୍ୟ ପ୍ରସ୍ତାବିତ ପାକିସ୍ତାନ ଠାରୁ ଛଡାଇ ଆଣିବାରେ ସେ ସଫଳ ହୋଇଥିଲେ । ବର୍ତମାନ ପ୍ରଶ୍ନ ଉଠେ ଯେ ଯଦି ଇତିହାସର ସେହି ସନ୍ଧିକ୍ଷଣରେ ଡ. ମୁଖାର୍ଜୀ ନ ଥାନ୍ତେ ତା ହେଲେ କଣ ହୋଇଥାନ୍ତା । ସମ୍ପୂର୍ଣ ବଙ୍ଗ ଓ ପଂଜାବ ପାକିସ୍ତାନର ଅଂଶବିଶେଷ ହୋଇ ରହିଥାନ୍ତା । ବଙ୍ଗଳାଭାଷୀ ହିନ୍ଦୁ ମାନଙ୍କ ପାଇଁ କୌଣସି ଭୂମି ନ ଥାନ୍ତା । ତେଣୁ ଡ. ମୁଖାର୍ଜୀଙ୍କ ଏହି ପରିପ୍ରେକ୍ଷୀରେ ଥିବା ଭୂମିକାକୁ ଆମକୁ ସଦୈବ ସ୍ମରଣ କରିବା ଉଚିତ ଓ ତାଙ୍କର ଏହି କାର୍ଯ୍ୟ ପାଇଁ ଆମକୁ କୃତଜ୍ଞତା ଅର୍ପିତ କରିବା ଉଚିତ ।
ବିଭାଜନ ପରେ ସେ କହିଥିଲେ – “କଂଗ୍ରେସ ଭାରତର ବିଭାଜନ କରିଛି କିନ୍ତୁ ମୁଁ ପାକିସ୍ତାନର ବିଭାଜନ କରିବାରେ ସକ୍ଷମ ହୋଇଛି । ”
ସ୍ୱାଧୀନତା ପରେ ପଣ୍ଡିତ ନେହେରୁ ତାଙ୍କର ତୁଷ୍ଟିକରଣ ନୀତି କାରଣରୁ ଜାମ୍ମୁ- କାଶ୍ମୀରରେ ଧାରା- ୩୭୦ ଲଗା ଯାଇଥିଲା । ଏହା ଫଳ ରେ ଜାମ୍ମୁ -କାଶ୍ମୀରର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥଲା ଓ ରାଜ୍ୟପାଳକୁ ସଦର-ଏ- ରିୟାସତ ବୋଲି କୁହାଯାଉଥିଲା । ଗୋଟିଏ ଦେଶରେ ଦୁଇ-ଦୁଇ ଜଣ ପ୍ରଧାନମନ୍ତ୍ରୀ ଥିଲେ । କେବଳ ଏତିକି ନୁହେଁ କାଶ୍ମୀରର ଜାତୀୟ ପତାକା ମଧ୍ୟ ଭାରତ ଠାରୁି ଅଲଗା ଥିଲା । ଜାମ୍ମୁ- କାଶ୍ମୀରର ଅଲଗା ସମ୍ବିଧାନ ଥିଲା । ଜାମ୍ମୁ- କାଶ୍ମୀରକୁ ଯିବା ପାଇଁ ଭିସା ନେବାକୁ ପଡୁଥିଲା । ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହି ଷଡଯନ୍ତ୍ରକୁ ଭଲ ଭାବରେ ବୁଝି ପାରୁଥିଲେ । ସେ ନେହେରୁଙ୍କ ଏହି ନୀତିର ପ୍ରବଳ ବିରୋଧ କରିଥିଲେ । ତାଙ୍କ ଦଳ ଜନସଂଘ ଏବଂ ସେ ସ୍ଲୋଗାନ ଦେଇଥିଲେ – ଏକ ଦେଶ ମେଁ ଦୋ ବିଧାନ – ଦୋ ପ୍ରଧାନ ନହିଁ ଚଲେଗା । ସେ ଏହା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସେ କାହା କଥାକୁ ନ ମାନି ଜାମ୍ମୁ କାଶ୍ମୀର ଆଡକୁ ପ୍ରସ୍ଥାନ ଆରମ୍ଭ କଲେ । ତାଙ୍କୁ ସୀମା ପ୍ରବେଶ କରିବା ମାତ୍ରେ ହିଁ ଗିରଫ କରାଯାଇଥିଲା ଏବଂ ଜେଲରେ ରଖାଯାଇଥିଲା । ଏହାର କିଛି ଦିନ ପରେ ଜେଲରୁ ତାଙ୍କର ମୃତ୍ୟୁର ଖବର ଆସିଲା । ସଂପୂର୍ଣ ଦେଶ ହତବାକ ଥିଲା । ଭାରତର ଏକ ଯୋଗ୍ୟ ସନ୍ତାନ ନିଜକୁ ଅଖଣ୍ଡତା ପାଇଁ ଉର୍ତ୍ସର୍ଗ କରି ଦେଇଥିଲା ।
ଡ. ମୁଖାର୍ଜୀଙ୍କ ରହସ୍ୟମୟ ମୃତ୍ୟୁ ସମ୍ପର୍କିତ ପ୍ରଶ୍ନ ଆଜି ୨୦୨୪ରେ ମଧ୍ୟ ସେହିପରି ଯକ୍ଷ ପ୍ରଶ୍ନ ଭାବରେ ଠିଆ ହୋଇଛି ଯେପରି ୧୯୫୩ ମସିହା ଜୁନ ୨୩ରେ ଠିଆ ହୋଇଥିଲା । ଡ. ମୁଖାର୍ଜୀଙ୍କ ମୃତ୍ୟୁ ପରେ ତାଙ୍କର ମା ଯୋଗମାୟା ଦେବୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ପତ୍ର ଲେଖି ତାଙ୍କ ପୁଅର ମୃତ୍ୟୁର ଜାଂଚ କରିବାକୁ ଦାବି କରିଥିଲେ । ପଣ୍ଡିତ ନେହେରୁ ଏହାର ଉତ୍ତରରେ କହିଥିଲେ ଯେ ‘ଏହି ମାମଲାରେ କୌଣସି ରହସ୍ୟ ନାହିଁ । ’
ଏହା ପରେ ଯୋଗମାୟା ଦେବୀ ପଣ୍ଡିତ ନେହେରୁଙ୍କୁ ଯେଉଁ ପତ୍ର ଲେଖିଲେ ତାହା ଅତ୍ୟନ୍ତ ମାର୍ମିକ ଥିଲା ଓ ଦୁର୍ଭାଗ୍ୟଜନକ କଥା ଯେ ଆଜି ମଧ୍ୟ ସେହି ପ୍ରଶ୍ନ ତାର ଉତ୍ତର ଖୋଜୁଛି ।
ଯୋଗମାୟା ଦେବୀ ପଣ୍ଡିତ ନେହେରୁଙ୍କୁ ଲେଖିଲେ – “ ମୁଁ ତୁମର ସ୍ପଷ୍ଟୀକରଣ ଚାହୁଁ ନାହିଁ, ଜାଂଚ ଚାହୁଁଛି । ତୁମେ ଦେଉଥିବା ତର୍କ ସମ୍ପୂର୍ଣ ଭାବେ ଫମ୍ପା ଓ ତୁମେ ସତ୍ୟର ସାମନା କରିବାକୁ ଡରୁଛ । ମନେ ରଖ ତୁମକୁ ଜନସାଧାରଣଙ୍କୁ ଓ ଇଶ୍ୱରଙ୍କ ସାମନାରେ ଜବାବ ଦେବାକୁ ହେବ । ମୁଁ ମୋର ପୁଅର ମୃତ୍ୟୁ ପାଇଁ କାଶ୍ମୀର ସରକାର ଦାୟୀ ବୋଲି ମନେର କରୁଛି ଓ ମୁଁ ଅଭିଯୋଗ କରୁଛି ଯେ ଶେଖ ଅବଦୁଲ୍ଲା ସରକାର ହିଁ ମୋ ପୁଅର ଜୀବନ ନେଇଛି । ମୁଁ ତୁମ ସରକାର ଉପରେ ମଧ୍ୟ ଅଭିଯୋଗ ଆଣୁଛି ଯେ ଏହି ମାମଲାକୁ ଲୁଚାଇବା ପାଇଁ ଚେଷ୍ଟା କରା ଯାଇଛି । ”
ଏହି ଘଟଣା ପରେ ପଶ୍ଚିମ ବଙ୍ଗ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ବିଧାନଚନ୍ଦ୍ର ରାୟ ଓ ରାଜର୍ଷୀ ପୁରୁଷୋତ୍ତମ ଦାସ ଟଣ୍ଡନ ପ୍ରମୁଖ ଏହି ରହସ୍ୟମୟ ମୃତ୍ୟୁ ଉପରୁ ପର୍ଦା ଉଠାଇବା ପାଇଁ ଦାବି କରିଥିଲେ ।
ଶେଖ ଅବଦୁଲ୍ଲାଙ୍କ ସରକାର ଉପରେ ଡ. ମୁଖାର୍ଜୀଙ୍କ ହତ୍ୟାରେ ସାମିଲ ଥିବା ନେଇ ସନ୍ଦେହ ଥିଲା । ଶେଖ ଅବଦୁଲ୍ଲାଙ୍କୁ କିଛି ଦିନ ପରେ ଗିରଫ ମଧ୍ୟ କରାଗଲା ହେଲେ ଡ. ମୁଖାର୍ଜୀଙ୍କ ହତ୍ୟାର ଜାଂଚ ପାଇଁ ସରକାର ରାଜି ହେଲେ ନାହିଁ ।
ଡ. ମୁଖାର୍ଜୀଙ୍କ ହତ୍ୟାର ୭୦ ବର୍ଷ ବିତି ସାରିଲାଣି । ପଂଜାବର ମାଧୋପୁରରୁ ରାବୀ ନଦୀ ପାର ହୋଇ ଜାମ୍ମୁ – କାଶ୍ନୀରରେ ପ୍ରବେଶ କରିବାକୁ ପଡେ । ମାଧୋପୁର ଦେଇ କେବେ ଡ. ମୁଖାର୍ଜୀ ଜାମ୍ମୁ – କାଶ୍ମୀରକୁ ପ୍ରବେଶ କରିଥିଲେ ଓ ସେଠାରୁ ଜୀବିତ ଫେରି ନ ଥିଲେ । ମାଧୋପୁର ଠାରେ ପଂଜାବ ସରକାର ରାବୀ ନଦୀ କୁଳରେ ଡ. ମୁଖାର୍ଜୀଙ୍କ ଏକ ପୂର୍ଣ ଅବୟବ ବିଶିଷ୍ଟ ପ୍ରତିମୂର୍ତି ଏବେ ନିକଟ ଅତୀତରେ ସ୍ଥାପନା କରିଛନ୍ତି ।
ଏହାକୁ ରାବୀ ନଦୀ ପାଇଁ ଅଭିଶାପ ବା ସୌଭାଗ୍ୟ କୁହାଯିବ ଯେ ଏହି ରାବୀ ନଦୀକୁ ଶହୀଦ ମାନଙ୍କର ବଳିଦାନର ବାରମ୍ବାର ସାକ୍ଷୀ ହେବାକୁ ପଡିଛି । ବ୍ରିଟିଶ ଶାସକ ମାନେ ଯେତେବେଳେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଅର୍ଧରାତ୍ରୀରେ ହତ୍ୟା କରି କିରୋସିନି ଢାଳି ଜଳାଇବାକୁ ଚେଷ୍ଚା କରୁଥିଲେ ସେତେବେଳେ ଲୋକ ମାନେ ସେହି ଅର୍ଧଦଗ୍ଧ ଶବକୁ ଆଣି ଏହି ରାବୀ ନଦୀ କୁଳରେ ଦାହ ସଂସ୍କାର କରିଥିଲେ । ଏହି ରାବୀ ନଦୀ ଅନ୍ୟ ଜଣେ ଶହୀଦ ଡ. ମୁଖାର୍ଜୀଙ୍କୁ ଜାମ୍ମୁ-କାଶ୍ମୀରକୁ ପ୍ରବେଶ କରିବାର ଦେଖିଛି । ଏହି ନଦୀ କୂଳରେ ଏବେ ପଂଜାବ ସରକାର ଡ.ମୁଖାର୍ଜୀଙ୍କ ପ୍ରତିମୂର୍ତି ସ୍ଥାପନା କରି ଦେଇଛନ୍ତି । ଏହି ରାବୀ ନଦୀ ଆଜି ମଧ୍ୟ ପ୍ରଶ୍ନ କରୁଛି ଯେ କୋଲକାତାରୁ ଆସିଥିବା ଏହି ପୁଅର ହତ୍ୟା ଷଡଯନ୍ତ୍ର ପଛରେ କିଏ ରହିଥିଲା ?
ଏତେ ବର୍ଷ ମଧ୍ୟରେ ରାବୀ ନଦୀରେ ଅନେକ ପାଣି ବହି ସାରିଛି । ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ମଧ୍ୟ ହଟି ସାରିଲାଣିହେଲେ ।ଯୋଗମାୟା ଦେବୀ ଓ ରାବୀ ନଦୀର ଏହି ଅନୁତ୍ତରିତ ପ୍ରଶ୍ନ ଆଜି ମଧ୍ୟ ଅନୁତ୍ତରିତ ରହିଛି । ଏହାର ଉତ୍ତର କିଏ ଦେବ ?